Indravati water: ଇନ୍ଦ୍ରାବତୀ ଜଳରୁ ନବରଙ୍ଗପୁର-କୋରାପୁଟକୁ କେବେ ମିଳିବ ନ୍ୟାୟ ?
"ଜୟପୁର: ଇନ୍ଦ୍ରାବତୀ ଜଳରୁ ନବରଙ୍ଗପୁର ଓ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ନ୍ୟାୟସଙ୍ଗତ ଜଳସେଚନ ସୁବିଧା ଦାବି ଏବେ ନୂଆ ମୋଡ଼ ନେଇଛି।
ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଚାଲିଥିବା ଏହି ଦାବିକୁ ନେଇ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ଉଦ୍ୟମ ପରେ ପ୍ରସଙ୍ଗଟି ସଂସଦ ଓ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପର୍ଯ୍ୟନ୍ତ ପହଞ୍ଚିଛି।
ମହାମଞ୍ଚର ଅଭିଯୋଗ ଆଧାରରେ ଏନ୍ସିଏସ୍ଟି ଜୁଲାଇ ୩୦ରେ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ, ଦକ୍ଷିଣାଞ୍ଚଳ ଆର୍ଡିସି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରି ତଥ୍ୟ ମାଗିଛନ୍ତି।
ପରେ ମହାମଞ୍ଚ ପକ୍ଷରୁ ସଂସଦୀୟ ଉତ୍ତର ସମେତ ନୂଆ ଦସ୍ତାବିଜ ଦାଖଲ କରାଯାଇଛି।
କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ କହିଛି ଯେ ମୂଳ ପ୍ରକଳ୍ପ ରିପୋର୍ଟ, ୧୯୭୫ର ଇନ୍ଦ୍ରାବତୀ ଜଳ ଚୁକ୍ତି ଓ ବିଶ୍ୱବ୍ୟାଙ୍କ ଦସ୍ତାବିଜରେ କୋରାପୁଟ ଓ ନବରଙ୍ଗପୁର ପାଇଁ ଜଳସେଚନ ବିକାଶ ଏବଂ ନିମ୍ନଗାମୀ ଜଳ ବ୍ୟବହାରର ବ୍ୟବସ୍ଥା ରହିଛି।
ନିମ୍ନଗାମୀ ଅଞ୍ଚଳକୁ ସର୍ବନିମ୍ନ ୭ କ୍ୟୁମେକ୍ ଜଳପ୍ରବାହ ବଜାୟ ରଖାଯାଉଥିବା ମଧ୍ୟ ସରକାର କହିଛନ୍ତି।
ଏହାର ବାସ୍ତବ ସ୍ଥିତି, ବିଶେଷକରି ଶୁଷ୍କ ଋତୁର ତଥ୍ୟ ସ୍ୱାଧୀନ ଭାବେ ଯାଞ୍ଚ କରି ତଥ୍ୟ ପ୍ରଦାନ ପାଇଁ ମହାମଞ୍ଚ ଦାବି କରିଛି।Advertisment ପରବର୍ତ୍ତୀ ପଦକ୍ଷେପ କ"ଣ ହେବ ତା ଉପରେ ଅଞ୍ଚଳବାସୀଙ୍କ ନଜର ଅନ୍ୟପକ୍ଷରେ, ନବରଙ୍ଗପୁର ଜଳସେଚନ ପ୍ରକଳ୍ପ ପାଇଁ ଛତିଶଗଡ଼ର ଅନାପତ୍ତି ପ୍ରମାଣପତ୍ର ନମିଳିବାରୁ ପ୍ରସ୍ତାବଟି ୨୦୨୪ ଜାନୁଆରୀ ୩୧ରେ ଓଡ଼ିଶା ସରକାରଙ୍କୁ ଫେରାଇ ଦିଆଯାଇଥିବା ଦର୍ଶାଯାଇଛି।
ମୂଳ ପ୍ରତିଶ୍ରୁତି ଯଦି ଥିଲା, ତେବେ ଆନ୍ତଃରାଜ୍ୟ ଅନୁମତି ପାଇଁ ଦୀର୍ଘଦିନ ଧରି ପ୍ରକଳ୍ପର ସମ୍ପ୍ରସାରଣ ଅଟକି ରହିବାର କାରଣ ନେଇ ପ୍ରଶ୍ନ ଉଠିଛି।
ସରକାରୀ ତଥ୍ୟ ଅନୁଯାୟୀ ନବରଙ୍ଗପୁରରେ ବିଭିନ୍ନ ଜଳସେଚନ ପ୍ରକଳ୍ପରେ ପ୍ରାୟ ୧.୨୬ ଲକ୍ଷ ହେକ୍ଟର ଜଳସେଚନ ସମ୍ଭାବନା ରହିଛି।
ତେବେ ଇନ୍ଦ୍ରାବତୀ ପ୍ରକଳ୍ପରୁ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ପ୍ରକୃତରେ କେତେ ଜଳସେଚନ ଲାଭ ମିଳିଛି, ତାର ପ୍ରକଳ୍ପ-ଭିତ୍ତିକ ଓ ଉତ୍ସ-ଭିତ୍ତିକ ତଥ୍ୟର ସ୍ପଷ୍ଟ ହିସାବ ପ୍ରକାଶ କରିବାକୁ ମହାମଞ୍ଚ ପକ୍ଷରୁ ଦାବି କରିଛି।
ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀଙ୍କ କହିବାନୁଯାୟୀ, ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଜମି, ଜଳ, ଜଙ୍ଗଲ ଓ ଜୀବନ ତ୍ୟାଗ କରିଥିବା ଲୋକଙ୍କୁ ନ୍ୟାୟସଙ୍ଗତ ଲାଭ ମିଳିବା ଦରକାର; ଏହା ଦୟା ନୁହେଁ, ସେମାନଙ୍କ ଅଧିକାର ଅଟେ।
ମୂଳ ପ୍ରତିଶ୍ରୁତି ଅନୁଯାୟୀ ଇନ୍ଦ୍ରାବତୀ ପ୍ରକଳ୍ପରୁ କେତେ ଜଳ ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳକୁ ମିଳିଛି, କେତେ ବାକି ଅଛି ଓ କାହିଁକି ବାକି ରହିଛି ତାହାର ନିରପେକ୍ଷ ମୂଲ୍ୟାଙ୍କନ ପାଇଁବି ଶ୍ରୀଯୁକ୍ତ ତ୍ରିପାଠୀ ଦାବି କରିଛନ୍ତି ।
ଏହି ପ୍ରସଙ୍ଗ ଆସନ୍ତା ବିଧାନସଭାରେ ଉଠାଇବାକୁ ଅବିଭକ୍ତ କୋରାପୁଟର ସମସ୍ତ ବିଧାୟକଙ୍କୁ ମଧ୍ୟ ମହାମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।
ଜଳ ଅଧିକାର ପାଇଁ ଅବିଭକ୍ତ କୋରାପୁଟର ଲଢ଼େଇ ଏବେ କେବଳ ଏକ ଦାବି ନୁହେଁ, ଏହା ଏକ ପ୍ରମାଣିତ ସତ୍ୟ।
ଏହି ପ୍ରସଙ୍ଗ ମାନବାଧିକାର ଆୟୋଗଙ୍କ ନିକଟରେ ମଧ୍ୟ ବିଚାରାଧୀନ ଥିବାବେଳେ, ଏନ୍ସିଏସ୍ଟି ତଦନ୍ତ ଓ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ"ଣ ହେବ ତା ଉପରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି ।
ଯୁଗୀଯୁଗେନ ବନ୍ଧ ବିରୋଧୀଙ୍କ ଆନ୍ଦୋଳନ: ଯୁଗ୍ମ ଜନଶୁଣାଣିକୁ ଆସୁଥିବା ଜିଲ୍ଲାପାଳଙ୍କୁ ବାଟରେ ଘେରିଲେ, ସ୍ମାରକପତ୍ର ଦେଲେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
