Indian Railways: ଜନସାଧାରଣଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପୂର୍ବତଟ ରେଳପଥର ଲକ୍ଷ୍ୟ
ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ରେଳ ଷ୍ଟେସନରେ 'ଜନ ସମ୍ବାଦ' ଅଭିଯାନ ଆୟୋଜନ କରାଯାଇଛି।
ରେଳପଥ ଓ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗକୁ ସୁଦୃଢ଼ କରିବା, ଯାତ୍ରୀମାନଙ୍କୁ ସଚେତନ କରିବା ଏବଂ ରେଳ ସେବାର ଉନ୍ନତି ପାଇଁ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
Advertisment ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହ ରେଳ ସେବା ଓ ଯାତ୍ରୀ ସୁବିଧା ସମ୍ପର୍କରେ ସେମାନଙ୍କ ମତାମତ ଏବଂ ପରାମର୍ଶ ଗ୍ରହଣ କରିଥିଲେ।
ଏଥିସହ ସେ ଷ୍ଟେସନରେ ଉପଲବ୍ଧ ଯାତ୍ରୀ ସୁବିଧା ଓ ସ୍ୱଚ୍ଛତାର ସମୀକ୍ଷା କରିଥିଲେ।
ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ସହ ରେଳ ଷ୍ଟେସନ ପରିସରକୁ ସ୍ୱଚ୍ଛ ଓ ଯାତ୍ରୀ ଅନୁକୂଳ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ମହାପ୍ରବନ୍ଧକ ଷ୍ଟେସନ ପରିସରରେ ଆୟୋଜିତ ସ୍ୱଚ୍ଛତା ଅଭିଯାନର ମଧ୍ୟ ନେତୃତ୍ୱ ନେଇଥିଲେ।
ଯାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ, ସୁସ୍ଥ ଓ ଉତ୍ତମ ପରିବେଶ ସୁନିଶ୍ଚିତ କରିବାରେ ପରିମଳ ଓ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସେ ବାର୍ତ୍ତା ଦେଇଥିଲେ।
ଏହି ପଦକ୍ଷେପରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ରେଳ ଷ୍ଟେସନଗୁଡ଼ିକୁ ସ୍ୱଚ୍ଛ, ସୁନ୍ଦର ଓ ଯାତ୍ରୀ ଅନୁକୂଳ ରଖିବା ଦିଗରେ ସାମୂହିକ ଦାୟିତ୍ୱବୋଧର ପରିଚୟ ଦେଇଥିଲେ।
'ଜନ ସମ୍ବାଦ' ଅଭିଯାନ ରେଳ ଅଧିକାରୀ, ଯାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି।
ଏହା ମାଧ୍ୟମରେ ଯାତ୍ରୀମାନଙ୍କ ଆବଶ୍ୟକତା ବୁଝିବା, ସେମାନଙ୍କ ସମସ୍ୟାର ସମାଧାନ କରିବା ଏବଂ ରେଳ ସେବାର ଉନ୍ନତି ପାଇଁ ମୂଲ୍ୟବାନ ପରାମର୍ଶ ସଂଗ୍ରହ କରିବା ସମ୍ଭବ ହେଉଛି।
ଏହି ଅଭିଯାନ ସମୟରେ ରେଳ ଅଧିକାରୀ ଓ କର୍ମଚାରୀମାନେ ଯାତ୍ରୀ ସୁରକ୍ଷା, ସ୍ୱଚ୍ଛତା, ଦାୟିତ୍ୱପୂର୍ଣ୍ଣ ଯାତ୍ରା ଏବଂ ରେଳ ପରିସରର ସଠିକ୍ ବ୍ୟବହାର ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି।
ଏହି ଅଭିଯାନ ଯାତ୍ରୀମାନଙ୍କୁ ଷ୍ଟେସନରେ ଉପଲବ୍ଧ ସୁବିଧା, ଯାତ୍ରୀ ଆନୁଷଙ୍ଗିକ ସେବା ଏବଂ ସାମଗ୍ରିକ ଯାତ୍ରା ଅନୁଭୂତି ସମ୍ପର୍କରେ ନିଜସ୍ୱ ମତାମତ ଓ ପରାମର୍ଶ ରଖିବାକୁ ଉତ୍ସାହିତ କରୁଛି।
ଏପରି ସିଧାସଳଖ ଆଲୋଚନା ମାଧ୍ୟମରେ ରେଳ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଆଶା ଓ ଆବଶ୍ୟକତାକୁ ଭଲ ଭାବେ ବୁଝିବା ସହ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିପାରୁଛନ୍ତି।
ଏହା ମାଧ୍ୟମରେ ପୂର୍ବତଟ ରେଳପଥ ସୁରକ୍ଷିତ, ସ୍ୱଚ୍ଛ, ଦକ୍ଷ ଓ ଯାତ୍ରୀ ଅନୁକୂଳ ରେଳ ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
