06 JULY 2026

Welcome!

Unlock your personalized experience.
Sign Up

Indian Navy: ସମୁଦ୍ରରେ ବଢ଼ିବ ଭାରତର ଦବ୍‌ଦବା; ନୌସେନାରେ ସାମିଲ ହେବ ସ୍ୱଦେଶୀ ଯୁଦ୍ଧପୋତ 'INS ମହେନ୍ଦ୍ରଗିରି'  

Jul 06, 2026 - 17:15
Indian Navy: ସମୁଦ୍ରରେ ବଢ଼ିବ ଭାରତର ଦବ୍‌ଦବା; ନୌସେନାରେ ସାମିଲ ହେବ ସ୍ୱଦେଶୀ ଯୁଦ୍ଧପୋତ 'INS ମହେନ୍ଦ୍ରଗିରି'  

ବିଶାଖାପାଟଣା, ୬।୭: ଭାରତୀୟ ନୌସେନାର ଯୁଦ୍ଧ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଆସନ୍ତା ୧୧ ଜୁଲାଇ ୨୦୨୬ରେ ବିଶାଖାପାଟଣାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରୋଜେକ୍ଟ ୧୭A ଅଧୀନରେ ନିର୍ମିତ ଷଷ୍ଠ ସ୍ୱଦେଶୀ ଷ୍ଟିଲ୍‌ଥ ଫ୍ରିଗେଟ୍ INS Mahendragiri - F38 କୁ ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରାଯିବ । ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ଗୌରବ 'ମହେନ୍ଦ୍ରଗିରି' ଶୃଙ୍ଘ ନାମରେ ନାମିତ ଏହି ଯୁଦ୍ଧପୋତ ପ୍ରତିରକ୍ଷା କ୍ଷେତ୍ରରେ ଭାରତର 'ଆତ୍ମନିର୍ଭରତା'ର ଏକ ଜ୍ୱଳନ୍ତ ଉଦାହରଣ । ଏହା କେବଳ ନୌସେନାର ପ୍ରହାର କ୍ଷମତା ବଢ଼ାଇବ ନାହିଁ, ବରଂ ଭାରତ ମହାସାଗର ଅଞ୍ଚଳରେ ଦେଶକୁ ଏକ ପ୍ରମୁଖ ସୁରକ୍ଷା ପ୍ରଦାନକାରୀ ଭାବେ ପ୍ରତିଷ୍ଠିତ କରିବ ।

ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳ ଓ ପ୍ରତିଭାରେ ନିର୍ମିତ ଏହି ଯୁଦ୍ଧପୋତ ବିଶ୍ୱସ୍ତରରେ ଭାରତର ବୈଷୟିକ ଦକ୍ଷତା ପ୍ରଦର୍ଶନ କରୁଛି । ଏହାର ବ୍ଲୁ-ପ୍ରିଣ୍ଟ ଭାରତୀୟ ନୌସେନାର ନିଜସ୍ୱ ସଂସ୍ଥା 'ୱାରସିପ୍ ଡିଜାଇନ୍ ବ୍ୟୁରୋ' (WDB) ଦ୍ୱାରା ପ୍ରସ୍ତୁତ କରାଯାଇଛି । ମୁମ୍ବାଇ ସ୍ଥିତ 'ମାଝାଗାଓଁ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍' (MDL) ଏହାର ସଫଳ ନିର୍ମାଣ କରିଛି । ଏହି ଯୁଦ୍ଧପୋତରେ ବ୍ୟବହୃତ ୭୫ ପ୍ରତିଶତରୁ ଅଧିକ ସାମଗ୍ରୀ ସମ୍ପୂର୍ଣ୍ଣ ସ୍ୱଦେଶୀ । ଏଥିରେ ଦେଶର ବଡ଼ ବଡ଼ ଶିଳ୍ପ ସଂସ୍ଥା ସହିତ ଅନେକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହଯୋଗ କରିଛନ୍ତି, ଯାହା ଦେଶରେ ରୋଜଗାର ସୃଷ୍ଟି କରିବା ସହ ଘରୋଇ ପ୍ରତିରକ୍ଷା ଭିତ୍ତିଭୂମିକୁ ମଜବୁତ କରିଛି ।

ଏହା ବି ପଢ଼ନ୍ତୁ... PM Modi Indonesia Visit: ଏହି ଦେଶରେ ୯୦% ମୁସଲିମ୍‌, ପୂଜା ପାଉଛନ୍ତି ରାମ-କୃଷ୍ଣ; ମାନ୍ୟତା ପାଇଛି ରାମାୟଣ-ମହାଭାରତ !

ପ୍ରୋଜେକ୍ଟ ୧୭A ଶ୍ରେଣୀର ଏହି ଯୁଦ୍ଧପୋତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଯାହା ଶତ୍ରୁ ପାଇଁ ଯମ ସଦୃଶ ହେବ । ଏଥିରେ ଉନ୍ନତ ଷ୍ଟିଲ୍‌ଥ ଫିଚର୍ସ ରହିଛି, ଯାହା ଫଳରେ ଶତ୍ରୁ ପକ୍ଷର ରୋଡାର୍‌ ଏହାକୁ ସହଜରେ ଚିହ୍ନଟ କରିପାରିବ ନାହିଁ । ଶତ୍ରୁର ଆଖିରେ ଧୂଳି ଦେଇ ହଠାତ ଆକ୍ରମଣ କରିବାରେ ଏହା ସକ୍ଷମ । ଏହି ଜାହାଜ ଏକ ଆଧୁନିକ କମ୍ବାଇଣ୍ଡ ଡିଜେଲ୍ କିମ୍ବା ଗ୍ୟାସ୍ ପ୍ରୋପଲସନ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ । ଏହା ଜାହାଜକୁ ତୀବ୍ର ଗତି ପ୍ରଦାନ କରିବା ସହ ଦୀର୍ଘ ସମୟ ଧରି ସମୁଦ୍ରରେ ମୁତୟନ ରହିବାକୁ ଶକ୍ତି ଦେଇଥାଏ । ଏଥିରେ ସ୍ଥଳଭାଗରୁ ସ୍ଥଳଭାଗ ଏବଂ ଆକାଶ ମାର୍ଗକୁ ଟାର୍ଗେଟ୍ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ଆଡଭାନ୍ସଡ୍ ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ଏବଂ ଆଣ୍ଟି-ସବମାରିନ ୱାରଫେୟାର ସିଷ୍ଟମ ଲଗାଯାଇଛି, ଯାହା ଏକ ସମନ୍ୱିତ କମ୍ବାଟ୍ ମ୍ୟାନେଜମେଣ୍ଟ ସିଷ୍ଟମ ସହ ଜଡ଼ିତ ।

INS Mahendragiri - F38 କେବଳ ଯୁଦ୍ଧ କ୍ଷେତ୍ରରେ ନୁହେଁ, ବରଂ ବହୁମୁଖୀ ଅଭିଯାନରେ ବ୍ୟବହୃତ ହେବ । ଏହା ଏକାସଙ୍ଗେ ଆକାଶ, ଜଳପଥ ଏବଂ ସବମରିନ୍ ଶତ୍ରୁର ମୁକାବିଲା କରିପାରିବ । ଏହା ସହିତ ସାମୁଦ୍ରିକ ସୁରକ୍ଷା, ମାନବୀୟ ସହାୟତା, ବିପର୍ଯ୍ୟୟ ପରିଚାଳନା ଏବଂ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତିରେ, ଯେଉଁଠି ଭାରତ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଏକ ମୁଖ୍ୟ ସୁରକ୍ଷା ସହଯୋଗୀ ସାଜିଛି, ସେଠାରେ 'ମହେନ୍ଦ୍ରଗିରି' ଭାରତର ସାମୁଦ୍ରିକ ସ୍ୱାର୍ଥ ରକ୍ଷା କରିବା ସହ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ଏକ 'ଫୋର୍ସ ମଲ୍ଟିପ୍ଲାୟର୍' ସାବ୍ୟସ୍ତ ହେବ । ନିଜର ମୂଳ ମନ୍ତ୍ର "Mighty–Majestic–Matchless" ସହ ଏହି ଯୁଦ୍ଧପୋତ ଦେଶ ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।