India vs Afghanistan ODI: ୨୧୮ ରନ୍ରେ ଅଟକିଲା ଆଫଗାନିସ୍ତାନ; ପ୍ରସିଦ୍ଧ କୃଷ୍ଣାଙ୍କ ପଞ୍ଜାରେ ପଡ଼ିଲେ ୫ଜଣ ଖେଳାଳି
ଚେନ୍ନାଇ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଶନିବାର ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଛି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ଏହି ମ୍ୟାଚ୍ରେ ଦମଦାର ବୋଲିଂ କରିଛି। ହସମତୁଲ୍ଲା ସାହିଦୀଙ୍କ ନେତୃତ୍ବରେ ଦଳ ୪୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଛି। ଆଫଗାନିସ୍ତାନର ୫ଜଣ ଖେଳାଳି ପ୍ରସିଦ୍ଧ କୃଷ୍ଣାଙ୍କ ପଞ୍ଜାରେ ଫସିଛନ୍ତି।
ଆଫଗାନିସ୍ତାନ ପାଇଁ ଅଧିନାୟକ ହସମତୁଲ୍ଲା ସାହିଦୀ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୩୧ଟି ବଲ୍ ଖେଳି ଶତକ (୧୦୨ରନ୍) କରିଥିଲେ। ଏଥିରେ ସେ ୧୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେହିପରି ଆଜମାତୁଲ୍ଲା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୬ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ମହମ୍ମଦ ନବି ୨୧ ରନ୍ ସଂଗ୍ରହ କରିଥିଲେ। ଇବ୍ରାହିମ ଜର୍ଦାନଙ୍କ ବ୍ୟାଟରୁ ୧୧ ରନ୍ ଅମଳ ହୋଇଥିଲା।ଆଫଗାନିସ୍ତାନର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା। ରହମାନୁଲ୍ଲା ଗୁରବାଜ, ରହମତ ସାହ ଏବଂ ରସିଦ ଖାନ ପ୍ରତ୍ୟେକ ୫ ରନ୍ ଲେଖାଏଁ କରିଥିଲେ। ସେହିପରି ଡାରୱିସ ରାସୋଲି, ଏଏମ୍ ଗଜନଫର ଏବଂ ଜିଆ ଉର ରହମାନ ସରିଫି ମାତ୍ର ୧ ରନ୍ ଲେଖାଏଁ କରିଥିଲେ।
ଭାରତ ପାଇଁ ପ୍ରସିଦ୍ଧ କୃଷ୍ଣା ଶ୍ରେଷ୍ଠ ବୋଲିଂ କରିଥିଲେ। ସେ ୮.୨ ଓଭର ବୋଲିଂ କରିଥିଲେ। ସେ ୨୩ ରନ୍ ଖର୍ଚ୍ଚ କରିଥିଲା ବେଳେ ୨ଟି ମେଡେନ ଓଭର ଏବଂ ୫ଟି ୱିକେଟ୍ ନେଇଥିଲେ। ଗୁରନୁର ବ୍ରାର୍, ପ୍ରିନ୍ସ ଯାଦବ ଏବଂ ହର୍ଷ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ମୁକାବିଲାରେ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ନିଜର ଚମକପ୍ରଦ ଫିଲ୍ଡିଂ କରି ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ ରୋହିତ ସ୍ଲିପ୍ରେ ଲଗାତାର ୩ଟି କ୍ୟାଚ୍ ନେଇ ଆଫଗାନିସ୍ତାନର ୩ଜଣ ବ୍ୟାଟରଙ୍କୁ ପାଭିଲିଅନର ରାସ୍ତା ଦେଖାଇଛନ୍ତି। ତାଙ୍କର ବୟସ ସିନା ବଢ଼ିଛି, କିନ୍ତୁ ସେ ଫିଟ୍ନେସ ମଜବୁତ ଅଛି ବୋଲି ସେ ପ୍ରମାଣିତ କରିଛନ୍ତି। ରୋହିତ ଯେଉଁ ୩ଟି କ୍ୟାଚ୍ ଧରିଥିଲେ, ସେହି ସମୟରେ ପ୍ରସିଦ୍ଧ କୃଷ୍ଣା ବୋଲିଂ କରିଥିଲେ। ପ୍ରସିଦ୍ଧ କୃଷ୍ଣାଙ୍କର ବଲ୍କୁ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଅନ୍ୟ ୨ଜଣ ବ୍ୟାଟରଙ୍କ ବଲ୍କୁ ଶ୍ରେୟସ ଆୟର କ୍ୟାଚ୍ କରିଥିଲେ।