Image of tradition: ପରମ୍ପରାର ପ୍ରତିଛବି; ଦନ୍ତପୁରରୁ ପାଟଳୀପୁତ୍ର: କଳିଙ୍ଗର ପ୍ରଥମ ରଥଯାତ୍ରା!

Jul 19, 2026 - 07:07
Image of tradition: ପରମ୍ପରାର ପ୍ରତିଛବି; ଦନ୍ତପୁରରୁ ପାଟଳୀପୁତ୍ର: କଳିଙ୍ଗର ପ୍ରଥମ ରଥଯାତ୍ରା!

"ହରିହର ପଣ୍ଡା ନବଯୌବନ ପ୍ରାପ୍ତି ପରେ ଜଗତର ନାଥ ଶ୍ରୀଜଗନ୍ନାଥ ନୀଳ କନ୍ଦରରୁ ବାହାରି ରଥାରୂଢ଼ ହୋଇ ନବଦିନର ଯାତ୍ରାରେ ସାମିଲ ହୋଇଛନ୍ତି।

ଇତିହାସ କହେ, ରଥଯାତ୍ରା କେବଳ ହିନ୍ଦୁମାନଙ୍କ ଧର୍ମୀୟ ପରମ୍ପରାରେ ସୀମିତ ନୁହେଁ, ଖ୍ରୀଷ୍ଟ, ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଏପରି ପରମ୍ପରା ପାଳନ ହେଉଥିବା ଦେଖିବାକୁ ମିଳେ।

ଏହି କ୍ରମରେ ପ୍ରାଚୀନ କଳିଙ୍ଗରେ ଅନୁଷ୍ଠିତ ବୌଦ୍ଧମାନଙ୍କ ଦନ୍ତଯାତ୍ରା ଉଲ୍ଲେଖ ଦାବିକ‌େର।Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ପ୍ରଚୀନ କଳିଙ୍ଗର ରାଜା ଗୁହଶିବ ଭଗବାନ ବୁଦ୍ଧଙ୍କ ବଡ଼ ଉପାସକ ଥିଲେ।

ରାଜଧାନୀ ଦନ୍ତପୁରରେ ତାଙ୍କ ଉପାସନା ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ।

ଏହି ମନ୍ଦିରର ଗର୍ଭଗୃହରେ ଭଗବାନ ବୁଦ୍ଧଙ୍କ ପବିତ୍ର ଦନ୍ତ ପୂଜିତ ହେଉଥିଲା।

ତେବେ ରାଜା ବ୍ରହ୍ମଦତ୍ତଙ୍କଠାରୁ ଦନ୍ତ ପୂଜନ ଆରମ୍ଭ ହୋଇଥିଲା।

ତାଙ୍କୁ ବୌଦ୍ଧ ସନ୍ନ୍ୟାସୀ ଖେମ ବୁଦ୍ଧଙ୍କ ପବିତ୍ର ଦନ୍ତ ପ୍ରଦାନ କରିଥିଲେ।

ବ୍ରହ୍ମଦତ୍ତଙ୍କ ପରେ ପିଢ଼ି ପରେ ପିଢ଼ି, ତାଙ୍କର ଉତ୍ତରାଧିକାରୀ ଏହି ଦନ୍ତକୁ ଆରାଧନା ପୂର୍ବକ ଶାସନ ପରିଚାଳନା କରୁଥିଲେ।

ସମୟକ୍ରମେ ରାଜା ଗୁହଶିବ ଏହାର ଉତ୍ତରାଧିକାରୀ ହୋଇଥିଲେ।

ତାଙ୍କ ଶାସନ କାଳରେ ଗୋଟାଏ ଗୋଷ୍ଠୀର ରାଜନ୍ୟବର୍ଗ ରାଜାଙ୍କ ଧର୍ମ ବିଶ୍ବାସକୁ ନେଇ ଅସନ୍ତୁଷ୍ଟ ହେଲେ।

ସେମାନେ ବିଦ୍ରୋହ କଲେ।

କିନ୍ତୁ ରାଜା ବିଦ୍ରୋହୀଙ୍କୁ ଚରମ ବାଣୀ ଶୁଣାଇ ଦେଲେ କି, ଯଦି ଦନ୍ତ ଭଗବାନଙ୍କୁ ମାନିବ ତେବେ ରାଜ୍ୟରେ ରୁହ, ନଚେତ୍‌ ଛାଡ଼ିପଳାଅ।

ବହୁ ବିଦ୍ରୋହୀ ଦନ୍ତପୁର ରାଜ୍ୟ ଛାଡ଼ି ମଗଧ ସମ୍ରାଟ ପଣ୍ଡୁଙ୍କ ଶରଣ ନେଲେ।

ସେମାନେ, ଦନ୍ତ ପୂଜାରେ ନିମଗ୍ନ ଗୁହଶିବ ତତ୍‍କାଳୀନ ଦେବଦେବୀଙ୍କୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କଲେ।

ଏହାଶୁଣି ସମ୍ରାଟ ପଣ୍ଡୁ ତାଙ୍କର ଜଣେ ବିଶ୍ୱସ୍ତ ଓ ସାହସୀ କରଦ ରାଜା ଚିତ୍ତାୟନଙ୍କୁ କଳିଙ୍ଗ ଆକ୍ରମଣ କରି ଦନ୍ତକୁ ଆଣିବା ଲାଗି ପଠାଇଲେ।

ହେଲେ ବିଶାଳ ସୈନ୍ୟ ବାହିନୀ ସହ ଆସିଥିବା ରାଜା ଚିତ୍ତାୟନ  କଳିଙ୍ଗରେ ପହଞ୍ଚିବା ପରେ ରାଜା, ରାଜ୍ୟ ଓ ରାଜ୍ୟବାସୀଙ୍କୁ ଦେଖି ନିଜର ରାୟ ବଦଳାଇଲେ।

ରାଜା ଗୁହଶିବଙ୍କ ସହ ଦନ୍ତ ମନ୍ଦିର ପରିଦର୍ଶନ କରି ଦନ୍ତ ଭଗବାନଙ୍କୁ ସୈନ୍ୟବାହିନୀ ସହ ପ୍ରଣିପାତ କଲେ।

ହେଲେ ରାଜା ଗୁହଶିବଙ୍କୁ କହିଲେ- ସମ୍ରାଟ ପଣ୍ଡୁଙ୍କ ଆଦେଶ ଅକାଟ୍ୟ।

ଏଣୁ ତାଙ୍କୁ ଦନ୍ତ ନେଇ ମଗଧ ଯିବାକୁ ହେବ।

ଗୁହଶିବ ବିଚଳିତ ନହୋଇ ଅତୀବ ଆଡ଼ମ୍ବର ସହକାରେ ଏକ ରଥ ନିର୍ମାଣ କଲେ।

ରଥ ଉପରେ ଏକ ଶ୍ୱେତ ଛତ୍ରୀ ସ୍ଥାପନ କଲେ।

ରଥରେ ଦୁଇଟି ଘୋଡ଼ା ଯୋଚାଗଲା- ଗୋଟିଏ ଶ୍ୱେତ ଆଉ ଅନ୍ୟଟି ଲୋହିତ।

ଏକ ଶ୍ୱେତ ଫରୁଆରେ ଦନ୍ତକୁ ରଖାଗଲା ଏବଂ ରାଜା ନିଜେ ମୁଣ୍ଡ ଉପରେ ଦନ୍ତ ଫରୁଆକୁ ଧରି ରଥରେ ବସିଲେ।

ଶଙ୍ଖ, ହୁଳହୁଳି ଓ ତୂରୀଭେରୀ ନାଦରେ ଦନ୍ତ ପାଟଳୀପୁତ୍ର ଯାତ୍ରା କଲା।

ବୌଦ୍ଧ କିଂବଦନ୍ତିରେ ଏହା କଳିଙ୍ଗର ପ୍ରଥମ ରଥଯାତ୍ରା ଥିଲା।

ଦନ୍ତ ସେଠାରେ ପହଞ୍ଚିବା ପରେ ରାଜା ପଣ୍ଡୁ ଏହାର ମହିମା ପରଖିବା ଲାଗି ନିଆଁରେ ପୋଡ଼ି, ହାତୀପାଦରେ ଦଳି ନଷ୍ଟ କରିବାକୁ ଚେଷ୍ଟା କଲେ।

ଶେଷରେ ନିଜର ଅପଉଦ୍ୟମରେ ବ୍ୟର୍ଥ ହୋଇ ଏହା ଗୌତମ ବୁଦ୍ଧଙ୍କ ଦେହାବଶେଷ ବୋଲି ଗ୍ରହଣ କଲେ ଏବଂ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ।

ଏହାପରେ ଦନ୍ତ ଭଗବାନଙ୍କୁ ରାଜା ଗୁହଶିବଙ୍କ ସହ ଭବ୍ୟ ପଟୁଆରରେ, ସସମ୍ମାନେ ସେହି ରଥରେ କଳିଙ୍ଗ ଫେରାଇ ଦେଇଥିଲେ।

ଇଜିପ୍ଟର ଥେବାନ୍ ତ୍ରିମୂର୍ତ୍ତି ଯାତ୍ରାପୃଥିବୀର ସର୍ବପୁରାତନ ସୁମେରୀୟ ସଭ୍ୟତାରେ ମଧ୍ୟ ରଥଯାତ୍ରାର ପରମ୍ପରା ଦେଖିବାକୁ ମିଳେ।

ସେଠାରେ ମଧ୍ୟ ତିନି ମୂର୍ତ୍ତି ଯାତ୍ରା ପ୍ରଚଳିତ।

ଇଜିପ୍ଟରେ ଥେବାନ୍‌ ତ୍ରିମୂର୍ତ୍ତି କୁହାଯାଉଥିବା ଅମୁନ, ମଟ୍‍ ଓ ଖୋନ୍‌ସୁଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଅମୁନ ଓ ମଟ୍‍ ସଂପର୍କରେ ପତି-ପତ୍ନୀ ଏବଂ ଖୋନ୍‌ସୁ ତାଙ୍କର ପୁତ୍ର।

ବର୍ଷାଋତୁରେ ପାଳିତ ଓପେଟ୍‌ ଫେଷ୍ଟିଭାଲ୍‌ରେ ଥେବାନ୍‌ ତ୍ରିମୂର୍ତ୍ତିଙ୍କୁ ଏକ ରଥ ଆକୃତିର ଆସନରେ ବସାଇ ଡଙ୍ଗାରେ ବିଜେ କରାଯାଏ ଏବଂ ସେହି ଡଙ୍ଗାକୁ ପାଲିଙ୍କି ଭଳି ଟେକି ଟେକି ନିଆଯାଏ।

କର୍ନକ ମନ୍ଦିରରୁ ତ୍ରିମୂର୍ତ୍ତିଙ୍କୁ ପ୍ରାୟ ୩ କିଲୋମିଟର୍‌ ଦୂର ଲକ୍ସର ମନ୍ଦିରକୁ ଡଙ୍ଗାରେ ନିଆଯାଏ।

ଏହି ମନ୍ଦିରରେ ତ୍ରିମୂର୍ତ୍ତି ପ୍ରବେଶ କରିବା ପରେ ଶାସକ ଫାରୋ ମନ୍ଦିରରେ ଏକୁଟିଆ ପ୍ରବେଶ କରନ୍ତି।

ଆଉ ମନ୍ଦିରରୁ ଦୈବରଶକ୍ତିକୁ ଧାରଣକରି ଫେରନ୍ତି ବୋଲି ବିଶ୍ୱାସ ରହିଛି।

ଏହି ଦୁଇ ମନ୍ଦିର ନିକଟରେ ଥିବା ପ୍ରାଚୀନ ଶିଳାଲେଖରୁ ଉକ୍ତ ପରମ୍ପରା ବିଷୟରେ ସୂଚନା ମିଳିଥାଏ।

ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକ ମିଶର ସଭ୍ୟତାର କଳିଙ୍ଗ ଉପରେ ପ୍ରଭାବକୁ ଉଲ୍ଲେଖ କରିଛନ୍ତି।

ତାଙ୍କ ପୁସ୍ତକ "ଅର୍ଲି ଭୟଜର୍ସ ଅଫ୍‌ ଦି ଇଷ୍ଟ୍‌" ପୁସ୍ତକରେ ପୁରୀ ଶ୍ରୀମନ୍ଦିରର ନିର୍ମାଣ ମିଶରର ଦେବାଳୟ ଜିଗ୍ଗୁରତ୍‌ ଏବଂ ଶ୍ରୀଜିଉଙ୍କ ଆକାରରେ ମଧ୍ୟ ତତ୍‍କାଳୀନ ସଭ୍ୟତାର ଛାପ ତଥା ସାମଞ୍ଜସ୍ୟ ଥିବା ବର୍ଣ୍ଣନା ରହିଛି।

Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ତ୍ରୟୋଦଶ ଶତାବ୍ଦୀର ଏହି କାହାଣୀକୁ ପାଲିଭାଷାରେ ବୌଦ୍ଧ ସନ୍ନ୍ୟାସୀ ଧର୍ମକୀର୍ତ୍ତି ତାଙ୍କ କବିତା "ଦାଠାବଂଶ"ରେ ବର୍ଣ୍ଣନା କରିଛନ୍ତି।

ପରବର୍ତ୍ତୀ ସମୟରେ ଶ୍ରୀଲଙ୍କାର ବିଦ୍ୱାନ୍‌ ତଥା ତତ୍‍କାଳୀନ ସିଂହଳ ବିଧାନ ପରିଷଦର ସଦସ୍ୟ ମୁଟୁ କୁମାର ସ୍ୱାମୀ ଇଂରାଜୀରେ ଏହାକୁ ଅନୁବାଦ କରିଛନ୍ତି, ଯାହା ୧୮୫୪ ମସିହାରେ ଲଣ୍ଡନ୍‌ର "ଟ୍ରୁବନର ଆଣ୍ଡ୍‌ କୋ"ଦ୍ୱାରା ପ୍ରକାଶ ପାଇଛି।

ଏହି ଦୀର୍ଘ କବିତାଟିରେ ଭଗବାନ ବୁଦ୍ଧଙ୍କ ଦେହାନ୍ତ ଏବଂ ତାଙ୍କ ପବିତ୍ର ଦନ୍ତର କଳିଙ୍ଗରୁ ମଗଧ ଓ ପରେ ଶ୍ରୀଲଙ୍କାକୁ ଯାତ୍ରା ବାବଦରେ ସୁନ୍ଦର ଭାବେ ଅବତାରଣା ରହିଛି।

ଐତିହାସିକ ରାଜେନ୍ଦ୍ରଲାଲ୍‌ ମିତ୍ର ଓଡ଼ିଶାର ପ୍ରତ୍ନତତ୍ତ୍ୱ  ଓ ଇତିହାସ ସମ୍ବନ୍ଧରେ ଗବେଷଣା କରି ଏହି ଦନ୍ତପୁରକୁ ପୁରୀ ବୋଲି ଆଖ୍ୟା ଦେଇଛନ୍ତି।

ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତି ସେଇଠୁ ଉତ୍ପତ୍ତି ହୋଇଛି ବୋଲି ତାଙ୍କ ପୁସ୍ତକ "ଆଣ୍ଟିକ୍ୱିଟିଜ୍‍ ଅଫ ଓଡ଼ିଶା"ରେ ବର୍ଣ୍ଣନା କରିଛନ୍ତି।

କିନ୍ତୁ, ଉତ୍କଳୀୟ ଗବେଷକମାନେ ଏହି ମତବାଦକୁ ସମାଲୋଚନା କରିଛନ୍ତି।

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଦନ୍ତପୁର ଯେ ପୁରୀ ତାହାକୁ ଖଣ୍ଡନ କରିଛନ୍ତି।

ହୁଏତ ଉକ୍ତ ଦନ୍ତପୁର ଓଡ଼ିଶାର ରତ୍ନଗିରି ହୋଇପାରେ ବୋଲି ମତ ଦେଇଛନ୍ତି।

ହେଲେ ଏ ସମସ୍ତ କିଂବଦନ୍ତି ଓ ଇତିହାସ ଭିତରେ ଯେଉଁ ପରମ୍ପରାଟି ଆଜି ସାରା ବିଶ୍ୱରେ ଜନପ୍ରାଣକୁ ଆକର୍ଷିତ କରୁଛି ତାହା ହେଲା ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା।

ଏହି ଅବସରରେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଯାଇ ପୁଣି ରତ୍ନବେଦିକୁ ବାହୁଡ଼ି ଆସନ୍ତି।

ଭକ୍ତ ଓ ଭଗବାନଙ୍କର ଏହି ଅପୂର୍ବ ମିଳନ ପର୍ବ ସତରେ ଅନନ୍ୟ ଓ ଅଦ୍ବିତୀୟ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।