IIM Sambalpur Helps Weavers: ସମ୍ବଲପୁରୀ ବସ୍ତ୍ରକୁ ବିଶ୍ବ ବଜାର ରାସ୍ତା, ବୁଣାକାରଙ୍କ ପାଇଁ IIM ସମ୍ବଲପୁର ବରଦାନ

Jul 08, 2026 - 20:54
IIM Sambalpur Helps Weavers: ସମ୍ବଲପୁରୀ ବସ୍ତ୍ରକୁ ବିଶ୍ବ ବଜାର ରାସ୍ତା, ବୁଣାକାରଙ୍କ ପାଇଁ IIM ସମ୍ବଲପୁର ବରଦାନ

ତନ୍ତର ପ୍ରତିଟି ଶବ୍ଦ ସହ ଜୀବନ ପାଉଛି ଆଉ ଏକ ସ୍ୱପ୍ନ...ସୁତାର ଗୋଟିଏ ଗୋଟିଏ ଗଣ୍ଠିରେ ଗଢ଼ିଉଠୁଛି ଭିନ୍ନ ଏକ ରୂପ...ଆଉ ବୁଣାକାରଙ୍କ ନିପୁଣ ହାତରେ ଜନ୍ମ ନେଉଛି ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର। ପଶ୍ଚିମ ଓଡ଼ିଶାର ପରମ୍ପରା, ପରିଶ୍ରମ ଓ ସୃଜନଶୀଳତାର ଜୀବନ୍ତ ପରିଚୟକୁ ଏବେ ମିଳିଛି ଗ୍ଲୋବାଲ୍ ସାଥ୍। ପାରମ୍ପରିକ କଳାକୁ ଆଧୁନିକ ବ୍ୟବସାୟ ସହ ଯୋଡ଼ିବା ପାଇଁ ଅଭିନବ ପଦକ୍ଷେପ ନେଇଛି ଆଇଆଇଏମ୍ ସମ୍ବଲପୁର। ଗତ ତିନି ବର୍ଷ ଧରି ମାଷ୍ଟର ୱେଭର୍ସଙ୍କ ପାଇଁ ଚାଲିଛି ସମ୍ପୂର୍ଣ୍ଣ ମାଗଣା ବିଜନେସ୍ ମ୍ୟାନେଜମେଣ୍ଟ ଟ୍ରେନିଂ। ଓଡ଼ିଆ ଭାଷାରେ ଦିଆଯାଉଥିବା ଏହି ପ୍ରଶିକ୍ଷଣରେ ବୁଣାକାରମାନେ ଶିଖୁଛନ୍ତି ମାର୍କେଟିଂ, ବ୍ରାଣ୍ଡିଂ, ଜିଏସଟି, ଫାଇନାନ୍ସ, ବ୍ୟାଙ୍କ ଋଣ, ବିଜନେସ୍ ପ୍ଲାନିଂ, ପ୍ରଡକ୍ଟ ଡାଇଭର୍ସିଫିକେସନ୍ ଓ ଡିଜିଟାଲ୍ ମାର୍କେଟିଂର ନୂଆ କୌଶଳ। ଯେଉଁଠି ହାତର କଳାକୁ ମିଳିଛି ମ୍ୟାନେଜମେଣ୍ଟର ସାଥ୍। ଆଉ ଖୋଲିଯାଇଛି ବିଶ୍ୱ ବଜାରର ପଥ।

କେବଳ ତନ୍ତରେ ସୂତା ବୁଣିବା ନୁହେଁ, ଏବେ ବୁଣାକାରମାନେ ବୁଣୁଛନ୍ତି ନିଜ ସଫଳତାର ନୂଆ କାହାଣୀ। ପୂର୍ବରୁ ନିଜ ପସନ୍ଦର ଡିଜାଇନ୍ ବୁଣୁଥିବା ବୁଣାକାରମାନେ ଏବେ ବଜାରର ଚାହିଦା ବୁଝି କାମ କରୁଛନ୍ତି। ହାଲୁକା ରଙ୍ଗ, ଆଧୁନିକ ମୋଟିଫ୍, ନୂଆ ପ୍ୟାଟର୍ନ, ଉନ୍ନତ ପ୍ରାଇସିଂ ଓ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ ହେଉଛି ସମ୍ବଲପୁରୀ ବସ୍ତ୍ର। ଆଇଆଇଏମ୍ ର ପ୍ରଶିକ୍ଷଣ ସେମାନଙ୍କୁ ଶିଖାଇଛି କିପରି ଗ୍ରାହକଙ୍କ ସହ ସିଧାସଳଖ ଯୋଡ଼ିହେବେ, ଅନଲାଇନରେ ଉତ୍ପାଦ ବିକ୍ରି କରିବେ ଓ ସୋସିଆଲ୍ ମିଡିଆରେ ନିଜ ବ୍ରାଣ୍ଡ୍ ସୃଷ୍ଟି କରିବେ। ଯାହାର ସବୁଠୁ ବଡ଼ ପ୍ରଭାବ ପଡ଼ିଛି ବୁଣାକାରଙ୍କ ଆୟ ଉପରେ। ଫଳରେ ଯେଉଁମାନେ କମ୍ ଲାଭ ପାଇଁ ଏହି କୌଳିକ ବୃତ୍ତି ଛାଡ଼ିବାକୁ ଚିନ୍ତା କରୁଥିଲେ, ସେମାନେ ଏବେ ପୁଣି ତନ୍ତ ପାଖକୁ ଫେରୁଛନ୍ତି।

ସ୍ଥାନୀୟ କଳାକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଇଆଇଏମ୍ ସମ୍ବଲପୁର ଆରମ୍ଭ କରିଥିଲା ବିଜନେସ୍ ମ୍ୟାନେଜମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ୍ ଫର୍ ମାଷ୍ଟର ୱେଭର୍ସ। ୨୦୨୩ରୁ ୨୦୨୫ ମଧ୍ୟରେ ତିନୋଟି ବ୍ୟାଚରେ ୭୫ ଜଣ ମାଷ୍ଟର ୱେଭର୍ ପ୍ରଶିକ୍ଷଣ ନେଇ ସାର୍ଟିଫିକେଟ୍ ପାଇଛନ୍ତି।  IIM ସମ୍ବଲପୁରର ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ସମ୍ବଲପୁରୀ ବସ୍ତ୍ରକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଭାବେ ପ୍ରତିଷ୍ଠା କରିବା ଆଇଆଇଏମର ଲକ୍ଷ୍ୟ । ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ—ସବୁଠି ଏବେ ସମ୍ବଲପୁରୀ ବସ୍ତ୍ରର ଉପସ୍ଥିତି ବଢ଼ୁଛି।

ତନ୍ତଶାଳରୁୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଡିଜିଟାଲ୍ ଦୁନିଆରେ ନୂଆ ପରିଚୟ ସୃଷ୍ଟି କରୁଛି। ଏହା ଖାଲି ବୁଣାକାରଙ୍କ ଆୟ ବଢ଼ାଉନାହିଁ, ବରଂ ସମ୍ବଲପୁରୀ ହସ୍ତତନ୍ତକୁ ବିଶ୍ୱ ବଜାରରେ ଏକ ସ୍ଥାୟୀ ପରିଚୟ ଦେବାର ବାଟ ମଧ୍ୟ ଖୋଲିଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।