Panchayat Elections Likely Delayed: ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ! ଏହି ବଡ କାମ ସାରିଲେ ନିର୍ବାଚନ ପାଇଁ ବିଜ୍ଞପ୍ତି
ଆଉ ମାସ କେଇଟାର ଅପେକ୍ଷା । କମ୍ପିବ ଗାଁ, ପ୍ରତିନିଧି ବାଛିବେ ଜନତା। ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି। ଏହାରି ଭିତରେ ଆଜି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶ। କହିଛନ୍ତି, ଏଥର ସାମାନ୍ୟ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ। କାରଣ ଆସନ୍ତା ମାର୍ଚ୍ଚରେ ଜନଗଣନା ପରେ ହିଁ ପ୍ରକ୍ରିୟା ଆଗକୁ ବଢ଼ିବ । ଏପ୍ରିଲ ମାସରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଛି। ଜୁନ୍ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି । ଆସନ୍ତା ୨୧ ତାରିଖରେ ପୁଣିଥରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ବସିବ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ରାଜ୍ୟରେ ହେବ ଡୋର-ଟୁ-ଡୋର ସର୍ଭେ। ଟେବୁଲ୍ ଉପରେ ନୁହେଁ, ଘରକୁ ଘର ବୁଲି ପ୍ରସ୍ତୁତ କରାଯିବ ବୁଥ୍ ଓ୍ୱାଇଜ୍ ଭୋଟର ତାଲିକା। ପ୍ରତ୍ୟେକ ବୁଥ୍ ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ। ଅନେକ ବୁଥରେ ବିଭିନ୍ନ ଅଞ୍ଚଳର ଭୋଟରଙ୍କ ନାମ ରହୁଥିବାରୁ ଭୋଟଦାନ ହାର ପ୍ରଭାବିତ ହେଉଛି। ସର୍ଭେ ଦ୍ବାରା ଭୋଟର ତାଲିକାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ କରାଯିବ। ଭୋଟର୍ ଯେଉଁ ଅଞ୍ଚଳରେ ରୁହନ୍ତି, ସେଇ ପାଖାପାଖି ବୁଥ୍ ରେ ହିଁ ଦେବେ ଭୋଟ।
ସେପଟେ ବିଗୁଲ୍ ବାଜିବା ଆଗରୁ ଆରମ୍ଭ ହୋଇଗଲାଣି ପଞ୍ଚାୟତ ପଲିଟିକ୍ସ। ଗାଁ ମୁହାଁ ହେଲେଣି ନେତା, ସଜାଡ଼ିଲେଣି ସଂଗଠନ । ତେବେ ନିର୍ବାଚନ ସାମାନ୍ୟ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି, ସରକାରୀ ଦଳ ଭିତିରି ଏଜେଣ୍ଡାରେ କାମ କରୁଛି। ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରାଯାଉଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଠିକ୍ ସମୟରେ ଭୋଟ୍ କରିବାକୁ ଯୁକ୍ତି ବାଢ଼ିଛନ୍ତି। ଜବାବରେ ବିଜେପି କହିଛି, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ଯେମିତି ପ୍ରଦର୍ଶନ କରିଥିଲା, ପଞ୍ଚାୟତ ଓ ପୌରରେ ବି ସେମିତି ସଫଳତା ପାଇବ।
ରାଜ୍ୟରେ ରହିଛି ମୋଟ ୬ ହଜାର ୭୯୪ ପଞ୍ଚାୟତ। ୨୦୨୨ ଫେବ୍ରୁଆରୀରେ ପ୍ରାୟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ୍ ହୋଇଥିଲା। ୨୦୨୭ ନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳୀୟ କନ୍ଦଳ ତୀବ୍ର ହୋଇଛି। ୮ ବିଧାୟକଙ୍କୁ ଦଳ ସସପେଣ୍ଡ କରିସାରିଥିବାବେଳେ ଅନେକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ। ଏଭଳି ସ୍ଥିତିରେ ପଞ୍ଚାୟତ ଭୋଟ୍ ବିଜେଡି ପାଇଁ ବଡ଼ ଆହ୍ବାନ। ସେପଟେ ପିସିସି ସଭାପତିଙ୍କୁ ନେଇ କଂଗ୍ରେସରେ ବଢୁଥିବା କେଁ, ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ। ଅନ୍ୟପଟେ ବିରୋଧୀଙ୍କ କନ୍ଦଳରୁ କେତେଦୂର ଫାଇଦା ଉଠାଇବାକୁ ଶାସକ ବିଜେପି ସକ୍ଷମ ହେଉଛି, ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।