Human Skeleton: କେନାଲ ନିକଟରୁ ନର କଙ୍କାଳ ଉଦ୍ଧାର, ନିଖୋଜ ବୃଦ୍ଧାଙ୍କ ହୋଇଥିବା ଅନୁମାନ

Jun 10, 2026 - 19:12
Human Skeleton: କେନାଲ ନିକଟରୁ ନର କଙ୍କାଳ ଉଦ୍ଧାର, ନିଖୋଜ ବୃଦ୍ଧାଙ୍କ ହୋଇଥିବା ଅନୁମାନ

"ଭଞ୍ଜନଗର (ବିଶ୍ବମ୍ବର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଗୋଟିଏ ନର କଙ୍କାଳ ଉଦ୍ଧାର ହୋଇଛି।

ଖବର ପାଇ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଉକ୍ତ କଙ୍କାଳକୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଯିବା ସହ ଏନେଇ କେସ ନମ୍ବର ୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

Advertisment ତେବେ ଉଦ୍ଧାର ହୋଇଥିବା ନର କଙ୍କାଳଟିର ପ୍ରକୃତ ପରିଚୟ ଜଣାପଡି ନଥିବା ବେଳେ ଗତ ଏକ ମାସ ତଲେ ଉକ୍ତ ଗ୍ରାମର ନିଖୋଜ ଜଣେ ବୃଦ୍ଧାଙ୍କର ବୋଲି ପୁଲିସ ଅନୁମାନ କରୁଛି।

ସୂଚନା ଅନୁଯାୟୀ, ଗୁଡିପଦର ଗ୍ରାମର ସୁନ୍ଦରୀ ନାୟକ(୭୧) ଶାଗ କିମ୍ବା ଫୁଲ ତୋଳିବାକୁ ଗ୍ରାମ ଠାରୁ କିଛି ଦୂରକୁ ଯାଇଥିଲେ।

ଏହାପରେ ସେ ଘରକୁ ଆଉ ନଫେରିବାରୁ ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ।

ସୁନ୍ଦରୀଙ୍କ କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ନିଖୋଜ ନେଇ ଏତଲା ଦେଇଥିଲେ।

ଏହାପରେ ପୁଲିସ ୨୯ ନମ୍ବରରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲା।

ଆହୁରି ପଢ଼ନ୍ତୁ: ମେର୍ଦ୍ଦା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ନିଖୋଜ ମହିଳାଙ୍କର ହୋଇଥିବାର ନେଇ ସନ୍ଦେହ ଆଜି ଉକ୍ତ ସ୍ଥାନରୁ ନର କଙ୍କାଳ ମିଳିବା ପରେ ପାଖରେ ଥିବା ଶାଢି, ମାଳି, ଗୁଡାକୁ ଡବା ଆଦିକୁ ସୁନ୍ଦରୀଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ।

ତେଣୁ ଉକ୍ତ କଙ୍କାଳଟି ନିଖୋଜ ବୃଦ୍ଧା ସୁନ୍ଦରୀଙ୍କ ହୋଇଥିବ ବୋଲି ପୁଲିସ ଅନୁମାନ କରୁଛି।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କଙ୍କାଳଟିର ପରିଚୟ ଜଣାପଡିବା ସହ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

"