Hope and Sky: ଆଶା ଓ ଆକାଶ: ଡାକ୍ତରଙ୍କ ଅସନ୍ତୋଷର ଲମ୍ବା ତାଲିକା

Aug 24, 2026 - 04:50
Hope and Sky: ଆଶା ଓ ଆକାଶ: ଡାକ୍ତରଙ୍କ ଅସନ୍ତୋଷର ଲମ୍ବା ତାଲିକା

"ଜାନକୀଶ ବଡ଼ପଣ୍ଡା ଏଲ ନିନୋ ଓ ଲଗାତାର ଲଘୁଚାପ କାରଣରୁ ଓଡ଼ିଶା ବହୁ ଦିନ ଧରି ଜଳବନ୍ଦୀ ହୋଇ ରହିଲାଣି।

ଏବେ ଜଳ ପ୍ରଦୂଷଣ କାରଣରୁ ବିଭିନ୍ନ ପ୍ରକାର ରୋଗ ପ୍ରାଦୁର୍ଭାବ ଦେଖାଦେବାର ଆଶଙ୍କା ବଢ଼ିଯାଇଛି, ଯେଉଁଥିରୁ ଉଦ୍ଧାର କରିବାପାଇଁ ଡାକ୍ତରମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।

ଏଭଳି ଏକ ସଙ୍କଟଜନକ ସ୍ଥିତି ମଧ୍ୟରେ ରାଜ୍ୟବାସୀ ରହିଥିଲା ବେଳେ, ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ଗତ କିଛି ବର୍ଷ ଧରି ଡାକ୍ତରମାନଙ୍କ ମଧ୍ୟରେ ସୃଷ୍ଟ ଅସନ୍ତୋଷର ତାଲିକା ଲମ୍ବା ହୋଇଚାଲିଥିଲେ ମଧ୍ୟ ସେମାନେ କର୍ତ୍ତବ୍ୟ ଚାପରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିଆସିଛନ୍ତି।

ସେମାନଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଗତ ଜୁଲାଇ ମାସ ୧ ତାରିଖରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଲା, ଯେତେବେଳେ ଓଡ଼ିଶା ମେଡିକାଲ୍ ସେବା ସଂଘ (ଓମ୍‌ସା) ନିଜର ଦଶ ଦଫା ଦାବି ପୂରଣ ହେଉ ନଥିବାର ପ୍ରତିବାଦରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କଲେ।

ଏହି ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ରହିଥିଲା- ସମୟାବଦ୍ଧ ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା (ଡିଏସିପି), କ୍ୟାଡର ପୁନର୍ଗଠନ, ବିଶେଷଜ୍ଞଙ୍କୁ ପ୍ରୋତ୍ସାହନ, ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମକରୁଥିବା ଡାକ୍ତରଙ୍କ ପାଇଁ ବଦଳି ନୀତି, ଡାକ୍ତରଙ୍କୁ ସୁରକ୍ଷା, ଆଡ୍‌ହକ୍ ଡାକ୍ତରଙ୍କ ନିୟମିତକରଣ, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସେବାସର୍ତ୍ତ ସଂପର୍କିତ ବିଷୟ ଇତ୍ୟାଦି।Advertisment Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର ଏସବୁ ଦାବି ଯୁକ୍ତିଯୁକ୍ତ ମନେ ହେଉଥିବାରୁ ଗୋଟିଏ ମୌଳିକ ପ୍ରଶ୍ନ ଉଠୁଛି ଯେ, ଏତେ ବର୍ଷ ଧରି ଡାକ୍ତରଙ୍କ ଆବଶ୍ୟକତାକୁ ଅଣଦେଖା କରାଯାଇଥିଲା କାହିଁକି?

ସେମାନଙ୍କୁ ଧର୍ମଘଟ କରିବାକୁ ପଡ଼ିଲା କାହିଁକି?

ଏଥିପାଇଁ ଦାୟୀ କିଏ ଏବଂ ଉତ୍ତରଦାୟିତ୍ବ କାହାର?

ଓମ୍‌ସା ପ୍ରାୟ ଏକ ଦଶନ୍ଧି ଧରି  ବିଭିନ୍ନ ସମୟରେ ପ୍ରସ୍ତାବ ମାଧ୍ୟମରେ ସରକାରଙ୍କ ନିକଟରେ ଏହି ସମସ୍ତ ଦାବି ଉପସ୍ଥାପନ କରିଆସିଛି।

ଜୁଲାଇ ୧ରୁ ୪ ତାରିଖ ଯାଏଁ ଚାଲିଥିବା ଆନ୍ଦୋଳନ ସମୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ସରକାରୀ ଚିକିତ୍ସାକେନ୍ଦ୍ରରେ ନିୟମିତ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା।

କେତେକ ସ୍ଥାନରେ ଅସ୍ତ୍ରୋପଚାର, ନିଦାନ ପରୀକ୍ଷା ଓ ଜରୁରି ସେବା ମଧ୍ୟ ପ୍ରଭାବିତ ହୋଇଥିଲା।

ମାଲକାନଗିରି ପରି ଦୁର୍ଗମ ଜିଲ୍ଲାରେ ଏହାର ପ୍ରଭାବ ଆହୁରି ଗମ୍ଭୀର ହୋଇଥିଲା।

ଆନ୍ଦୋଳନ ବିଷୟରେ ସୂଚନା ପାଇଥିଲେ ମଧ୍ୟ ଯେଉଁ ସ୍ୱାସ୍ଥ୍ୟମନ୍ତ୍ରୀ ନିଷ୍କ୍ରିୟ ରହିବାକୁ ପସନ୍ଦ କରିଥିଲେ, ସେ ଓମ୍‌ସା ସହିତ ସିଧାସଳଖ ଆଲୋଚନା କରିବାକୁ ବାଧ୍ୟ ହେଲେ।

ଦୀର୍ଘ ଆଲୋଚନା ପରେ ଜୁଲାଇ ୪ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସରକାର ସମ୍ମତ ହେଲେ।

ଆନ୍ଦୋଳନ ସ୍ଥଗିତ ରହିଲା।

ଜୁଲାଇ ୭ରେ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ତର୍ବିଭାଗୀୟ କମିଟିରେ ସଦସ୍ୟ ରହିଲେ ସାଧାରଣ ପ୍ରଶାସନ, ଆଇନ ଓ ସ୍ୱାସ୍ଥ୍ୟ ବିଭାଗର ସଚିବ।

ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ସଦସ୍ୟ-ଆବାହକ ହେଲେ।

ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କହିଥିଲେ ଯେ ଓମ୍‌ସା ଉପସ୍ଥାପନ କରିଥିବା ଦାବି ମଧ୍ୟରୁ କ୍ୟାଡର ପୁନର୍ଗଠନ, ଡିଏସିପି, ବିଶେଷ ପ୍ରୋତ୍ସାହନ ଓ ଦୁର୍ଗମ ସ୍ଥାନଭିତ୍ତିକ ପ୍ରୋତ୍ସାହନ ପ୍ରଦାନ ଇତ୍ୟାଦିକୁ ସରକାର ଗ୍ରହଣ କରି ସାରିଛନ୍ତି।

ଏବେ, ଓମ୍‌ସା ପକ୍ଷରୁ ଜନସାଧାରଣଙ୍କୁ ଏହାର ସତ୍ୟତା ଜଣାଇବାର ଆବଶ୍ୟକତା ରହିଛି।

ବହୁ ବର୍ଷ ଧରି ରହିଆସିଥିବା ଦାବିଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା, ଆବଶ୍ୟକ ହେଲେ ମନ୍ତ୍ରିମଣ୍ଡଳ ସ୍ତରରେ ନିଷ୍ପତ୍ତି ନେଇ ଆଦେଶ ଜାରି କରିବା ଏବଂ ଶେଷରେ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ବ।

ଓମ୍‌ସାର ନ୍ୟାୟସଙ୍ଗତ ଦାବି ଓ ପ୍ରଶାସନିକ ବାସ୍ତବତା ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ସେତୁର ଭୂମିକା ନେବା ଉଚିତ।

ଶୀଘ୍ର ନିଷ୍ପତ୍ତି ନେବା ହିଁ ନେତୃତ୍ୱର ପରୀକ୍ଷା।

ଓମ୍‌ସାକୁ ମଧ୍ୟ ନିଜ ଆନ୍ଦୋଳନକୁ ଏପରି ଭାବେ ପରିଚାଳିତ କରିବାକୁ ହେବ, ଯେଭଳି ଡାକ୍ତରଙ୍କ ନ୍ୟାୟସଙ୍ଗତ ଅଧିକାର ସୁରକ୍ଷିତ ରହିବ ଏବଂ ଗରିବ, ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ରୋଗୀଙ୍କ ସ୍ବାର୍ଥ ବଳି ପଡ଼ିବନି।

ସ୍ୱାସ୍ଥ୍ୟସେବା ସାଧାରଣ ନୁହେଁ; ଏହା ମଣିଷର ଜୀବନ ଓ ମୃତ୍ୟୁ ସହ ସିଧାସଳଖ ଜଡ଼ିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସେବାକ୍ଷେତ୍ର।

ତେଣୁ ଡାକ୍ତରମାନଙ୍କର ଅଧିକାର, ସମ୍ମାନ, ସୁରକ୍ଷା ଓ ସେବାସର୍ତ୍ତ ନେଇ ପ୍ରଶ୍ନ ଉଠିଲେ ତାହାକୁ କେହି ବି ଅବହେଳା କରିବା ଅନୁଚିତ।

ଓମ୍‌ସା ଆରମ୍ଭ କରିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ ବେତନ ବୃଦ୍ଧି ଭଳି ଆର୍ଥିକ ଲାଭ ସମ୍ପର୍କିତ ଦାବି ନୁହେଁ।

ଏହା ମୁଖ୍ୟତଃ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଧାରିବା ସହ ଜଡ଼ିତ।

ଡାକ୍ତରମାନଙ୍କର ସୁରକ୍ଷା ପ୍ରସଙ୍ଗ କ୍ରମଶଃ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି।

ଚିକିତ୍ସା କାଳରେ ରୋଗୀର ମୃତ୍ୟୁ, ଚିକିତ୍ସା ପାଇବାପାଇଁ ପ୍ରତୀକ୍ଷା ପରି ଘଟଣାକୁ କେନ୍ଦ୍ର କରି ଡାକ୍ତର ଓ ଚିକିତ୍ସା ସହଯୋଗୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଘଟିବା ଚିନ୍ତାର ବିଷୟ।

ଏହି କାରଣରୁ ଓମ୍‌ସା ଓଡ଼ିଶା ମେଡିକେୟାର୍ ଆଇନ-୨୦୦୮ କାର୍ଯ୍ୟକାରୀ କରିବା ଓ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି କରିଛି।

ଶ୍ରମ ଓ ସେବା ସମ୍ବନ୍ଧୀୟ ଅଧିକାର ଗଣତନ୍ତ୍ରର ମୌଳିକ ଅଂଶ।

କିନ୍ତୁ ଚିକିତ୍ସା ବୃତ୍ତିର ବିଶେଷତ୍ବ ହେଉଛି ଯେ, ସ୍ବାସ୍ଥ୍ୟସେବା ନପାଇ କେବେ କେବେ ମଣିଷର ଜୀବନ ଚାଲିଯାଇପାରେ, ଯାହା ଅପୂରଣୀୟ।

ତେଣୁ ଡାକ୍ତରଙ୍କ ଆନ୍ଦୋଳନର ଅଧିକାର ଓ ରୋଗୀଙ୍କ ଜୀବନର ଅଧିକାର- ଦୁଇଟିକୁ ସମାନ ଗୁରୁତ୍ୱ ଦେଇ ଶାସକ ଓ ପ୍ରଶାସନିକ କର୍ତ୍ତୃପକ୍ଷ ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ।

୨୦୨୫ ଡିସେମ୍ବରରେ ମଧ୍ୟ ଓମ୍‌ସାର ଦାବିକୁ ଅନୁଧ୍ୟାନ କରିବା ପାଇଁ କମିଟି ଗଠନର କଥା ଉଠିଥିଲେ ବି ଛଅ ମାସ ପରେ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସରକାର ରାଜି ହୋଇଥିଲେ, ଯାହାକୁ ତତ୍ପରତା କୁହାଯାଇ ନପାରେ।

ଏବେ, ସରକାରଙ୍କ ସାମ୍ନାରେ ଦୁଇଟି ଦାୟିତ୍ୱ।

ପ୍ରଥମ, ଡାକ୍ତରମାନଙ୍କ ଦାବିଗୁଡ଼ିକର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ।

ଦ୍ୱିତୀୟ, ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏପରି ଭାବେ ସୁଦୃଢ଼ କରିବା, ଯାହା ଫଳରେ ଭବିଷ୍ୟତରେ ପୁନର୍ବାର ଆନ୍ଦୋଳନ ହେବ ନାହିଁ।

କେବଳ କମିଟି ଗଠନ କରିବା ଏକ ସମାଧାନ ନୁହେଁ; ସମୟାବଦ୍ଧ ଭାବେ ନିଷ୍ପତ୍ତି ନେଇ ରୂପାୟନ କରାଯିବା ହିଁ ବାସ୍ତବ ସମାଧାନ।

ଡାକ୍ତରଙ୍କ ସମ୍ମାନ ଓ ସୁରକ୍ଷା ସେମାନଙ୍କ ସ୍ୱାର୍ଥର ପ୍ରଶ୍ନ ନୁହେଁ।

ସୁରକ୍ଷିତ ଓ ପ୍ରେରଣାଦାୟୀ କାର୍ଯ୍ୟପରିବେଶ ଥିଲେ ଡାକ୍ତରମାନେ ସେବା ପ୍ରଦାନରେ ଅଧିକ ମନୋନିବେଶ କରିପାରିବେ।

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତର ଓ ଆନୁସଙ୍ଗିକ ସେବା ପ୍ରଦାନକାରୀଙ୍କ ଉପସ୍ଥିତି ନିଶ୍ଚିତ କରିବା ପାଇଁ ପ୍ରୋତ୍ସାହନ, ସ୍ୱଚ୍ଛ ବଦଳି ନୀତି, ଆବାସ ଓ ଅନ୍ୟାନ୍ୟ ମୌଳିକ ସୁବିଧା ମିଳିବା ମଧ୍ୟ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ସହ ଜଡ଼ିତ।

ସରକାର ଓମ୍‌ସା ଆନ୍ଦୋଳନକୁ ରଣହୁଙ୍କାର ଭାବେ ନଦେଖି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସକ୍ଷମ, ଦାୟିତ୍ୱଶୀଳ ଓ ରୋଗୀକେନ୍ଦ୍ରିକ ହେବାପାଇଁ ସୁଯୋଗ ଭାବେ ଦେଖିବା ଆବଶ୍ୟକ।

ଡାକ୍ତରଙ୍କ ସେବାସର୍ତ୍ତ ଭଲ ହେଲେ, ଦୁର୍ଗମ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୁରକ୍ଷିତ ରହି ସେବା ପ୍ରଦାନ କରିବେ ଏବଂ ସାଧାରଣ ରୋଗୀଙ୍କ ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବ।ଅତୀତରେ ଡାକ୍ତରଙ୍କ ପ୍ରତି ବହୁ ଅନ୍ୟାୟ କରାଯାଇଛି।

ସେତେବେଳେ ପ୍ରତି ବର୍ଷ ୨୫୦ ଓଡ଼ିଆ ଡାକ୍ତର ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ୧୯୮୦ରୁ ୧୯୯୨ ଯାଏଁ ଓଡ଼ିଶା ଲୋକସେବା ଆୟୋଗ ତିନି ବର୍ଷରେ ଥରେ ୩୦୦ ଡାକ୍ତରଙ୍କୁ ନିଯୁକ୍ତି ଦେଉଥିଲେ।

ଏବେ ତ ଏହା ଅଧିକ ଅନିୟମିତ ହୋଇଯାଇଛି।

ଓଡ଼ିଶାରେ ଚାକିରି ନପାଇ ଯୁବ ଡାକ୍ତରମାନେ ବାଧ୍ୟହୋଇ ବାହାର ରାଜ୍ୟର କର୍ପୋରେଟ୍ ହସ୍ପିଟାଲରେ ଯୋଗଦେଉଥିଲେ।

ଆୟୋଗ ପକ୍ଷରୁ ଅସ୍ଥିର ନିଯୁକ୍ତି ନୀତି କାରଣରୁ କେବେ ମାଟ୍ରିକ୍, ଆଇଏସ୍‌ସି ଓ ସ୍ନାତକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ତ ଆଉ କେବେ କେବଳ ସ୍ନାତକ ପରୀକ୍ଷାରେ ମାର୍କ ଆଧାରରେ ନିଯୁକ୍ତି ମିଳୁଥିଲା।

ଫଳରେ, ଅନେକ କନିଷ୍ଠ ଡାକ୍ତର, ଦୁଇ ବର୍ଷ ପୂର୍ବରୁ ଉତ୍ତୀର୍ଣ୍ଣ ହୋଇଥିବା ବରିଷ୍ଠ ଡାକ୍ତରଙ୍କଠାରୁ ନିଯୁକ୍ତି ତାଲିକାରେ ବରିଷ୍ଠ ହୋଇଯାଉଥିଲେ, ଯାହା ଅଶାନ୍ତି ସୃଷ୍ଟି କରିଥିଲା।

ସ୍ନାତକୋତ୍ତର ଡାକ୍ତରଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତି ଦେଇ ନପାରିଲେ ବରିଷ୍ଠତା ଦେବାର ଥିଲା।

ଦୀର୍ଘକାଳ ଧରି  ଗୋଟିଏ ସ୍ଥାନରେ କାମ କରୁଥିବା ଡାକ୍ତରଙ୍କୁ ବଦଳି ନକରିବା ଏକ ବିଲକ୍ଷଣ।

ଏସବୁର ସମାଧାନ କଲାବେଳେ, ସରକାରୀ ବରିଷ୍ଠ ଡାକ୍ତରଙ୍କୁ ଅବସର ବୟସର ଶେଷ ପାଞ୍ଚ ବର୍ଷ ନିଜ ଜନ୍ମସ୍ଥାନ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦେବାକୁ ନୀତି ପ୍ରଣୟନ କରିବା ଉଚିତ।

ଫଳରେ ସେମାନେ ନିଜ ଜନ୍ମସ୍ଥାନରେ ରହି ଆଗ୍ରହରେ ସେବା କରିପାରନ୍ତେ।

ଏଥିରେ ରୋଗୀମାନେ ଅଭିଜ୍ଞତା ଆଧାରିତ ଡାକ୍ତରୀ ସେବା ପାଆନ୍ତେ, ଡାକ୍ତରମାନେ ଶେଷ ଜୀବନରେ ନିଜ ଜ୍ଞାତି, କୁଟୁମ୍ବ, ଗ୍ରାମବାସୀଙ୍କ ସେବାକରି ଆତ୍ମସନ୍ତୋଷ ଲାଭ କରନ୍ତେ।

ଆଶା, ସରକାର ଏହିଭଳି କିଛି ଉଦାହରଣୀୟ ଅଭିନବ ପଦକ୍ଷେପ ନେବେ।

Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ଡାକ୍ତରଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନା ଓମ୍‌ସା ଆନ୍ଦୋଳନକୁ ବିଳମ୍ବିତ କରିବାର ନୂଆ ଫିକର, ତାହା ଆଗାମୀ ଦିନରେ ଜଣା ପଡ଼ିବ।

ତେବେ, ନୀତିଗତ ସରକାରୀ ନିଷ୍ପତ୍ତି ଓ ତାହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ରହିଆସିଥିବା ଦୂରତା ଆମ ବ୍ୟବସ୍ଥାର ଏକ ପାରମ୍ପରିକ ଦୁର୍ବଳତା ହୋଇଥିବାରୁ, ଡାକ୍ତରଙ୍କୁ କେତେ ଆଶ୍ବାସନା ମିଳିବ, ତାହା ମଧ୍ୟ ବିରାଟ ପ୍ରଶ୍ନ।

ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ରହିଲେ, ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଯଥାଶୀଘ୍ର ନିଷ୍ପତ୍ତି ଆସିପାରିବ।

ଏହି ନିଷ୍ପତ୍ତିଗୁଡ଼ିକର ବାସ୍ତବ ରୂପାୟନରେ ମଧ୍ୟ ରାଜନୈତିକ ନେତୃତ୍ୱ ଦୃଢ଼ ରହିଲେ, ନିଷ୍ପତ୍ତି ଓ କାର୍ଯ୍ୟକାରିତା ମଧ୍ୟରେ ଦୂରତା ରହିବନି।

ଆଶା, ସରକାର ନିଷ୍ଠାବାନ୍ ଭାବେ, ସ୍ପଷ୍ଟତା ସହିତ ଏଭଳି ସ୍ବାସ୍ଥ୍ୟନୀତି, ନିୟମ ତଥା ଡାକ୍ତରଙ୍କ ଚାକିରି ସର୍ତ୍ତାବଳୀ ପ୍ରଣୟନ କରିବେ, ଯାହା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୮୨୯୯୦୩୭"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)