High Blood Pressure Control: ହାଇ ବିପି ରୋଗୀ ସାବଧାନ! ଘରେ ନିଶ୍ଚୟ ରଖନ୍ତୁ ଏହି ୬ ଖାଦ୍ୟ, କମିବ ରକ୍ତଚାପ
ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ସମସ୍ୟାରେ ପୀଡ଼ିତ।
ଅନିୟମିତ ଜୀବନଶୈଳୀ, ଖାଦ୍ୟପେୟରେ ଅବହେଳା ଓ ଅଧିକ ଲୁଣ ଖାଇବା ଭଳି ଅଭ୍ୟାସ ବିପି ବଢ଼ିବାର ଅନ୍ୟତମ କାରଣ।
ତେବେ କେବଳ ଔଷଧ ଖାଇଲେ ହେବ ନାହିଁ, ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ।
ଆପଣଙ୍କ ଘରେ ଥିବା କିଛି ସାଧାରଣ ଖାଦ୍ୟ ସାମଗ୍ରୀ ମଧ୍ୟ ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ସହାୟକ ହୋଇପାରେ।
Advertisment ହାଇ ବିପି ରୋଗୀଙ୍କ ପାଇଁ ୬ଟି ଖାଦ୍ୟ ଉପକାରୀ।
ଏହି ଖାଦ୍ୟଗୁଡ଼ିକୁ ନିୟମିତ ଡାଏଟ୍ରେ ସାମିଲ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ସହାୟତା ମିଳିପାରେ।
ବିପି କମାଇବାରେ ସହାୟକ ହେବ ଏହି ଖାଦ୍ୟ ଡାର୍କ ଚକୋଲେଟ୍: ଡାର୍କ ଚକୋଲେଟ୍ରେ ଥିବା କୋକୋ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୋଇଥାଏ।
୩୫ଟି କ୍ଲିନିକାଲ୍ ଟ୍ରାଏଲ୍ର ତଥ୍ୟ ଅନୁସାରେ, କୋକୋ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହାରାହାରି ବ୍ଲଡ୍ ପ୍ରେସର ପ୍ରାୟ ୨ mmHg ପର୍ଯ୍ୟନ୍ତ କମିପାରେ।
ତେଣୁ ଅଧିକ କୋକୋ ଥିବା ଡାର୍କ ଚକୋଲେଟ୍ ଅଳ୍ପ ପରିମାଣରେ ଖାଇପାରିବେ।
Advertisment ବିନ୍ସ ଓ ଡାଲି: ଡାଲି, ବିନ୍ସ ଏବଂ ବିଭିନ୍ନ ଶିମ୍ବଜାତୀୟ ଖାଦ୍ୟରେ ଫାଇବର୍ ଓ ପୋଷକତତ୍ତ୍ୱ ରହିଛି।
ଏହି ଖାଦ୍ୟ ସେବନ ଦ୍ୱାରା ହାଇ ବିପି ପ୍ରାୟ ୨ mmHg ପର୍ଯ୍ୟନ୍ତ କମିପାରେ।
ତେବେ ଅଧିକ ଲୁଣ ମିଶାଯାଇଥିବା ବିନ୍ସ ଖାଇବାରୁ ଦୂରେଇ ରୁହନ୍ତୁ।
ବିଟ୍ରୁଟ୍ ଜୁସ୍: ବିଟ୍ରୁଟ୍ରେ ପ୍ରାକୃତିକ ନାଇଟ୍ରେଟ୍ ରହିଛି, ଯାହା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନରେ ସହାୟତା କରେ।
ଏହା ରକ୍ତବାହିକାକୁ ଆରାମ ଦେବା ସହ ରକ୍ତ ସଞ୍ଚାଳନକୁ ଉନ୍ନତ କରିପାରେ।
ବିଟ୍ରୁଟ୍ ଜୁସ୍ ଦ୍ୱାରା ବିପି ପ୍ରାୟ ୫ mmHg ପର୍ଯ୍ୟନ୍ତ କମିବାର ସମ୍ଭାବନା ଥାଏ।
ଚିନି ନମିଶାଇ ବିଟ୍ରୁଟ୍ ଜୁସ୍ ପିଇବା ଭଲ।
ରସୁଣ, ଜିରା ଓ ଅନ୍ୟାନ୍ୟ ମସଲା: ବିପି ନିୟନ୍ତ୍ରଣ ପାଇଁ ଖାଦ୍ୟରେ ଲୁଣ କମାଇବା ଅତ୍ୟନ୍ତ ଜରୁରୀ।
ଅଧିକ ଲୁଣ ବ୍ୟବହାର ନକରି ରସୁଣ, ଜିରା, ଧନିଆ ଓ ଅନ୍ୟାନ୍ୟ ହର୍ବସ୍ ବ୍ୟବହାର କରନ୍ତୁ।
DASH-Sodium ଟ୍ରାଏଲ୍ ଅନୁସାରେ, DASH ଡାଏଟ୍ ସହ ଲୁଣ କମ୍ ଖାଇଲେ ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସର ୭ରୁ ୧୧ mmHg ପର୍ଯ୍ୟନ୍ତ କମିପାରେ।
ଅଳସୀ ମଞ୍ଜି: ଅଳସୀ ମଞ୍ଜିରେ ଫାଇବର୍ ଓ ଉପକାରୀ ଫ୍ୟାଟ୍ ରହିଛି।
ପ୍ରତିଦିନ ଏକ ବଡ଼ ଚାମଚ ଗୁଣ୍ଡ ଅଳସୀ ମଞ୍ଜିକୁ ଦହି, ଓଟ୍ସ କିମ୍ବା ସ୍ମୁଦିରେ ମିଶାଇ ଖାଇପାରିବେ।
ରୋଗୀଙ୍କୁ ୬ ମାସ ପର୍ଯ୍ୟନ୍ତ ପ୍ରତିଦିନ ୩୦ ଗ୍ରାମ୍ ଅଳସୀ ମଞ୍ଜି ଦିଆଯିବା ପରେ ହାଇ ବିପି ପ୍ରାୟ ୧୦ mmHg କମିଥାଏ ।
କିୱି ଫଳ: କିୱିରେ ଥିବା ପୋଷକତତ୍ତ୍ୱ ଓ ଫାଇବର୍ ଶରୀର ପାଇଁ ଉପକାରୀ।
୧୧୮ ଜଣ ବୟସ୍କଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରେ ୮ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ୩ଟି କିୱି ଖାଇବା ଦ୍ୱାରା ୨୪ ଘଣ୍ଟିଆ ହାରାହାରି ହାଇ ବିପି, ଦିନକୁ ଗୋଟିଏ ଆପଲ୍ ଖାଉଥିବା ଲୋକଙ୍କ ତୁଳନାରେ ପ୍ରାୟ ୩.୬ mmHg ଅଧିକ କମିଥିଲା।
ଏହାକୁ ଜୁସ୍ ବଦଳରେ ସାରା ଫଳ ଭାବେ ଖାଇବା ଭଲ।
ବିପି ନିୟନ୍ତ୍ରଣ ପାଇଁ ଛାଡ଼ନ୍ତୁ ଏହି ଗୋଟିଏ ଅଭ୍ୟାସ ବିଶେଷଜ୍ଞଙ୍କ ମତରେ, ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣ ପାଇଁ ଖାଦ୍ୟରେ ଲୁଣର ପରିମାଣ କମାଇବା ସବୁଠାରୁ ଜରୁରୀ।
DASH-Sodium ଟ୍ରାଏଲ୍ରେ ଦେଖାଯାଇଥିଲା ଯେ DASH ଡାଏଟ୍ ସହ ଲୁଣ କମ୍ ଖାଇବା ଦ୍ୱାରା ଉପର ବିପି ପ୍ରାୟ ୧୧.୫ mmHg ପର୍ଯ୍ୟନ୍ତ କମିପାରେ।
ତେଣୁ ଅଧିକ ଲୁଣ, ଆଚାର, ପାମ୍ପଡ଼ ଓ ଅଧିକ ସୋଡିୟମ୍ ଥିବା ପ୍ୟାକେଟ୍ ଖାଦ୍ୟର ସେବନ କମାନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ ଏବଂ ସମୟ ସମୟରେ ବ୍ଲଡ୍ ପ୍ରେସର ଯାଞ୍ଚ କରନ୍ତୁ।
ମନେ ରଖନ୍ତୁ: ଏହି ଖାଦ୍ୟଗୁଡ଼ିକ ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ସହାୟକ ହୋଇପାରେ, କିନ୍ତୁ ଔଷଧର ବିକଳ୍ପ ନୁହେଁ।
ଡାକ୍ତରଙ୍କ ପରାମର୍ଶ ବିନା ବିପି ଔଷଧ ବନ୍ଦ କରନ୍ତୁ ନାହିଁ କିମ୍ବା ଡୋଜ୍ ବଦଳାନ୍ତୁ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
