Heavy Rain Alert: ପଶ୍ଚିମରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ପଶ୍ଚିମରେ ପ୍ରବଳ ବର୍ଷିବ ସମ୍ଭାବନା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ପାର୍ଶ୍ବବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡଖଣ୍ଡ ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଜିଲ୍ଲା ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତା କାଲି ପାଇଁ ମୟୂରଭଞ୍ଜ ଓ କନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ରାଜ୍ୟରେ ଜୁନ ୧ ରୁ ଜୁନ ୬ ଯାଏଁ ୩୨୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଯାହା ସ୍ୱାଭାବିକ ବର୍ଷାଠାରୁ ୨୨ ପ୍ରତିଶତ ଅଧିକ। ସୋନପୁରରେ ସର୍ବାଧିକ ୩୨୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି, ସୁନ୍ଦରଗଡ ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।