Husband Bound, Electroshocked: ସ୍ୱାମୀକୁ ବାନ୍ଧି ରାତି ସାରା ପିଟିଲା ସ୍ତ୍ରୀ, ମନ ବୁଝିଲାନି କରେଣ୍ଟ ଦେଇଦେଲା...

Jul 07, 2026 - 13:14
Husband Bound, Electroshocked: ସ୍ୱାମୀକୁ ବାନ୍ଧି ରାତି ସାରା ପିଟିଲା ସ୍ତ୍ରୀ, ମନ ବୁଝିଲାନି କରେଣ୍ଟ ଦେଇଦେଲା...

ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାରୁ ଘରୋଇ ହିଂସାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା ନିଜ ସ୍ୱାମୀଙ୍କୁ ସାରା ରାତି ଖଟିଆରେ ବାନ୍ଧି ନିର୍ମମ ଭାବେ ମାଡ଼ ମାରିବା ସହ ବିଦ୍ୟୁତ ତାରରେ ବିଦ୍ୟୁତ ଆଘାତ ଦେଇଥିଲେ। ଗୁରୁତର ଆହତ ସ୍ୱାମୀଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରି ହେପାଜତକୁ ନେଇଛି।

ଘଟଣାଟି ଔଙ୍ଗ ଥାନା ଅନ୍ତର୍ଗତ ପରସଦେବପୁର ଗାଁରେ ଘଟିଛି। ସୋମବାର ସକାଳେ ୧୧୨ ମାଧ୍ୟମରେ ଜଣେ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୀବ ତିୱାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଖଟିଆରେ ବନ୍ଧା ହୋଇଥିବା ଦେଖିଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥା ଦେଖି ତାଙ୍କୁ କାନପୁରକୁ ରେଫର କରାଯାଇଥିଲା।

ହସ୍ପିଟାଲରେ ସଞ୍ଜୀବ ତିୱାରୀ ପୋଲିସକୁ କହିଥିଲେ ଯେ, ରବିବାର ରାତିରେ ତାଙ୍କ ପତ୍ନୀ ଖଟିଆରେ ବାନ୍ଧି ପ୍ରବଳ ମାଡ଼ ମାରିବା ସହ ବିଦ୍ୟୁତ ତାର ବ୍ୟବହାର କରି ବିଦ୍ୟୁତ ଆଘାତ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ସଞ୍ଜୀବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କ ଭାଇ ଔଙ୍ଗ ଥାନାରେ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ଏତଲା ଦାଖଲ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ପତ୍ନୀଙ୍କୁ ହେପାଜତକୁ ନେଇ ପଚରା ଉଚରା ଚଳାଇଛି।

ଏସପି ଅଭିମନ୍ୟୁ ମାଙ୍ଗଲିକ କହିଛନ୍ତି ଯେ, ଔଙ୍ଗ ଥାନା ଅନ୍ତର୍ଗତ ପରସଦେବପୁର ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ସଞ୍ଜୀବଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା। ସେଠାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା ଏବଂ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ତାଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି ଏବଂ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।