Welcome!

Unlock your personalized experience.
Sign Up

Haridwar: ହରିଦ୍ୱାରରେ ଗଙ୍ଗା ଜଳସ୍ତର ହ୍ରାସ, ନିରାଶ ଶ୍ରଦ୍ଧାଳୁ; ୨୦ ଦିନ ପାଇଁ ବନ୍ଦ ରହିଛି ଉପର ଗଙ୍ଗା କେନାଲ

Oct 21, 2026 - 17:49
Haridwar: ହରିଦ୍ୱାରରେ ଗଙ୍ଗା ଜଳସ୍ତର ହ୍ରାସ, ନିରାଶ ଶ୍ରଦ୍ଧାଳୁ; ୨୦ ଦିନ ପାଇଁ ବନ୍ଦ ରହିଛି ଉପର ଗଙ୍ଗା କେନାଲ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ଏବେ ହର୍ କି ପୌଡ଼ି ସମେତ ଅନ୍ୟ ପ୍ରମୁଖ ଘାଟଗୁଡ଼ିକରେ ଗଙ୍ଗା ନଦୀର ଜଳସ୍ତର ହ୍ରାସ ପାଇଛି। ଏହାକୁ ନେଇ ଶ୍ରଦ୍ଧାଳୁମାନେ ନିରାଶ ହୋଇଯାଇଛନ୍ତି। ଆଗାମୀ କୁମ୍ଭମେଳାର ପ୍ରସ୍ତୁତି, ନିୟମିତ ସଫେଇ ଓ ମରାମତି କାର୍ଯ୍ୟ ପାଇଁ ଉପର ଗଙ୍ଗା କେନାଲକୁ ୨୦ ଦିନ ପାଇଁ ବନ୍ଦ ରଖାଯାଇଛି। ଏହା ଫଳରେ ଗଙ୍ଗାର ମୁଖ୍ୟ ଧାରାରେ ଜଳ ପ୍ରବାହ ହ୍ରାସ ପାଇଛି। ଏଥିଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ପାରମ୍ପରିକ ରୀତିରେ ପବିତ୍ର ବୁଡ଼ ପକାଇ ପାରୁନାହାନ୍ତି।

ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ମରାମତି କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇ କରାଯାଉଛି। ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ଜଳ ଯୋଗାଣ ସ୍ୱାଭାବିକ କରାଯିବ।

ନିରାଶ ହେଲେ ଶ୍ରଦ୍ଧାଳୁ

ଗଙ୍ଗା ଦର୍ଶନ ପାଇଁ ହରିଦ୍ୱାର ଆସିଥିବା ଶ୍ରଦ୍ଧାଳୁ ସଞ୍ଜୟ କହିଛନ୍ତି ଯେ ସେ ଗଙ୍ଗାରେ ବୁଡ଼ ପକାଇବା ଆଶା ନେଇ ଏଠାକୁ ଆସିଥିଲେ। କିନ୍ତୁ ଏଠାରେ ପହଞ୍ଚିବା ପରେ କେନାଲ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ଗଙ୍ଗା ମାତାଙ୍କ ଦର୍ଶନ କରିବା ନିଜେ ଏକ ସୌଭାଗ୍ୟର ବିଷୟ, କିନ୍ତୁ ଜଳସ୍ତର କମ୍ ଥିବାରୁ ବିଧିବଦ୍ଧ ଭାବେ ବୁଡ଼ ପକାଇବା ସମ୍ଭବ ହୋଇ ନଥିଲା ବୋଲି ସେ କହିଛନ୍ତି। ତଥାପି ଉପଲବ୍ଧ ଜଳରେ ସ୍ନାନ କରି ସେ ନିଜ ଧାର୍ମିକ ଆସ୍ଥା ପାଳନ କରିଥିଲେ।

ସେହିପରି ଗରିମା ନିଜ ପିଲାର ମୁଣ୍ଡନ ସଂସ୍କାର କରାଇବା ପାଇଁ ହରିଦ୍ୱାର ଆସିଥିଲେ। ପ୍ରଥମ ଥର ହରିଦ୍ୱାର ଆସି ଗଙ୍ଗାର ମୁଖ୍ୟ ଧାରାରେ କମ୍ ପାଣି ଦେଖି ସେ ନିରାଶ ହୋଇ ଯାଇଥିଲେ। ତେବେ ଜଳସ୍ତର କମ୍ ଥିବା ସତ୍ତ୍ୱେ ସେ ସହଜରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ କରିଥିବା କହିଛନ୍ତି। ପରିବାର ସହ ଆସି ସମସ୍ତ ସଂସ୍କାର ପୂରା କରିଥିଲେ। ତାଙ୍କ ମତରେ, ଗଙ୍ଗା କୂଳରେ ପୂଜାର୍ଚ୍ଚନା କରିବାର ଆଧ୍ୟାତ୍ମିକ ଅନୁଭୂତି ଏବେ ମଧ୍ୟ ସ୍ୱତନ୍ତ୍ର ରହିଛି।

୨୦ ଦିନ ପାଇଁ ବନ୍ଦ ରହିଛି ଉପର ଗଙ୍ଗା କେନାଲ

 ଅଧିକାରୀମାନେ କହିଛନ୍ତି ଯେ ହରିଦ୍ୱାରରୁ କାନପୁର ପର୍ଯ୍ୟନ୍ତ ବିସ୍ତୃତ ଉପର ଗଙ୍ଗା କେନାଲକୁ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୨୦ ଦିନ ଧରି ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ କେନାଲରୁ ପଙ୍କ ଓ ଆବର୍ଜନା ହଟାଇବା, ଢାଞ୍ଚାଗତ ମରାମତି ଏବଂ ଆଗାମୀ କୁମ୍ଭମେଳା ସହ ଜଡ଼ିତ ଭିତ୍ତିଭୂମି କାର୍ଯ୍ୟକୁ ଦ୍ରୁତଗତିରେ କରାଯାଉଛି। ଏହି କାର୍ଯ୍ୟର ଦାୟିତ୍ୱ ଉତ୍ତରପ୍ରଦେଶ ସିଞ୍ଚାଇ ବିଭାଗ ଉପରେ ରହିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ କେନାଲ ବ୍ୟବସ୍ଥାକୁ ଉନ୍ନତ ଓ ସୁଦୃଢ଼ ରଖିବା ପାଇଁ ପ୍ରତିବର୍ଷ ଏଭଳି ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଏ।

ହର୍ କି ପୌଡ଼ିରେ ହ୍ରାସ ପାଇଛି ଜଳସ୍ତର

କେନାଲ ବନ୍ଦ ହେବାର ସବୁଠାରୁ ଅଧିକ ପ୍ରଭାବ ହରିଦ୍ୱାରର ପ୍ରମୁଖ ଘାଟଗୁଡ଼ିକରେ ଦେଖିବାକୁ ମିଳୁଛି। ହର୍ କି ପୌଡ଼ି ସମେତ ଅନେକ ଘାଟରେ ସାଧାରଣ ଦିନ ତୁଳନାରେ ଗଙ୍ଗାର ଜଳସ୍ତର ଯଥେଷ୍ଟ କମିଯାଇଛି। ଜଳ ପ୍ରବାହ ହ୍ରାସ ପାଇଥିବାରୁ ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁ ପାରମ୍ପରିକ ରୀତିରେ ଗଙ୍ଗା ସ୍ନାନ କରିପାରୁନାହାନ୍ତି। ଅନେକ ଶ୍ରଦ୍ଧାଳୁଙ୍କୁ ଘାଟର ପାହାଚରେ ବସି ଲୋଟା ଓ ଅନ୍ୟ ଛୋଟ ପାତ୍ର ସାହାଯ୍ୟରେ ସ୍ନାନ କରିବାକୁ ପଡ଼ୁଛି।

ଜାରି ରହିଛି ସଫେଇ ଓ ମରାମତି କାର୍ଯ୍ୟ

ଉତ୍ତରପ୍ରଦେଶ ସିଞ୍ଚାଇ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିକାଶ ତ୍ୟାଗୀ କେନାଲରେ ସଫେଇ ଓ ମରାମତି କାର୍ଯ୍ୟ ଜାରି ରହିଥିବା ସ୍ପଷ୍ଟ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧାକୁ ଧ୍ୟାନରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଦୀପାବଳି ପୂର୍ବରୁ ଚାଲିଥିବା ରକ୍ଷଣାବେକ୍ଷଣ ଅଭିଯାନରେ ନଦୀବନ୍ଧର ମରାମତି, ପଙ୍କ ହଟାଇବା ଏବଂ କେନାଲର ଜଳପଥକୁ ସୁଦୃଢ଼ କରିବା କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ।

ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)