Half the land was flooded: ଅଡ଼ୁଆ କଲା ବଡ଼ବର୍ଷା: ଅଧା ଜମି ପଡ଼ିଆ, ଆଠମଲ୍ଲିକରେ ସ୍ଥିତି ସଙ୍ଗିନ
"ଅନୁଗୋଳ: ଆରମ୍ଭରୁ ବର୍ଷା ହେଲାନି।
ଦରକାର ବେଳେ ଜମି ଶୁଖିଲା ପଡ଼ିଲା।
ଆଉ ଚାଷବାସ ଆରମ୍ଭ କଲା ବେଳକୁ ଏମିତି ବର୍ଷା ହେଲା ଯେ, ଜମିକୁ ପଶି ହେଲାନି।
ଏଥିପାଇଁ ଏଥର ଖରିଫ ଚାଷ ବାଧାପ୍ରାପ୍ତ ହୋଇଛି।
ସ୍ଥିତି ଏମିତି ଯେ, ଅଗଷ୍ଟ ଅଧା ସରିବାକୁ ବସିଥିଲେ ମଧ୍ୟ ଅଧା ଜମି ପଡ଼ିଆ ପଡ଼ିଛି।
ଆଠମଲ୍ଲିକ ବ୍ଲକ୍ରେ ଚାଷ କାମ ଅଧିକ ପଛେଇଥିଲା ବେଳେ ଛେଣ୍ଡିପଦା ଓ ପାଳଲହଡ଼ାରେ ବି ସ୍ଥିତି ଖରାପ।
Advertisment Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!
ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିଲା।
ରଜ ବେଳକୁ ଟାଣ ଖରା ହୋଇଥିଲା ବେଳେ ଜୁନ୍ ଶେଷ ବେଳକୁ ଆରମ୍ଭ ହୋଇଥିଲା ବର୍ଷା।
ଏଥିପାଇଁ ଚାଷୀମାନେ ବିହନ ପକାଇବାରେ ଅସୁବିଧାରେ ପଡ଼ିଥିଲେ।
ଜୁଲାଇରେ ବର୍ଷା ହେବାରୁ ବିହନ ପକାଇବା ପାଇଁ ବାହାରିଲା ବେଳକୁ ଲଗାଣ ବର୍ଷା ହୋଇଥିଲା।
ଜୁଲାଇ ମାସ ସାରା ବର୍ଷା ହେବାରୁ ଠିକ୍ ଭାବେ ଚାଷ ହୋଇପାରିନଥିଲା।
ଚଳିତବର୍ଷ ଜିଲ୍ଲାରେ ୧,୪୩,୯୪୨ ହେକ୍ଟର ଜମିରେ ଖରିଫ ଚାଷ କରିବାକୁ ଟାର୍ଗେଟ୍ ରଖାଯାଇଥିଲା ବେଳେ ଆଜି ସୁଦ୍ଧା ୮୬,୧୯୯ ହେକ୍ଟର ଜମିରେ ଚାଷ କରାଯାଇଛି।
ଅର୍ଥାତ୍ ଟାର୍ଗେଟ୍ ତୁଳନାରେ ୫୯.୮୮ ପ୍ରତିଶତ ଜମିରେ ଚାଷ ହୋଇଛି।
ବାକି ଜମିରେ ଚାଷୀର ପାଦ ପଡ଼ିନି।
ଆଠମଲ୍ଲିକରେ ୪୨.୨୨ ପ୍ରତିଶତ, ଛେଣ୍ଡିପଦାରେ ୪୯.୮୨ ପ୍ରତିଶତ, ପାଳଲହଡ଼ାରେ ୫୨.୧୩ ପ୍ରତିଶତ ଓ ତାଳଚେରରେ ୫୭.୬୧ ପ୍ରତିଶତ ଜମିରେ ଚାଷ କରାଯାଇଛି।
କଣିହାଁ ବ୍ଲକ୍ରେ ସର୍ବାଧିକ ୮୩ ପ୍ରତିଶତ ଜମିରେ ଚାଷ ଆରମ୍ଭ ହେଲାଣି।
ବର୍ଷା ପାଇଁ ଧାନ ଚାଷ ଅଧିକ ପ୍ରଭାବିତ ହୋଇଛି।
ଅନୁଗୋଳ ଜିଲ୍ଲାରେ ୯୦,୨୮୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ୬୧,୨୧୯ ହେକ୍ଟର ଜମିରେ ଚାଷ ହୋଇଛି।
ସମୟ ଗଡ଼ିଯାଇଥିବାରୁ ବାକି ଜମିରେ ଧାନ ଚାଷ ହେବା ସମ୍ଭାବନା କମ୍।
ପୁଣି ଚାଷ ହୋଇଥିବା ୬୧,୨୧୯ ହେକ୍ଟର ଜମିରୁ ମାତ୍ର ୨୯,୯୬୨ ହେକ୍ଟର ଜମିରେ ଧାନରୁଆ ଶେଷ ହୋଇଛି।
ଅଧିକାଂଶ ସ୍ଥାନରେ ବିଲରେ ପାଣି ଜମି ରହିଥିବାରୁ ରୁଆ, ବେଉଷଣ ହୋଇପାରୁନି।
କଣିହାଁରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଧାନ ଚାଷ ହୋଇଥିଲା ବେଳେ ଛେଣ୍ଡିପଦା ବ୍ଲକ୍ରେ ମାତ୍ର ୩୧ ପ୍ରତିଶତ ଜମିରେ ଧାନ ଚାଷ ହୋଇଛି।
ଏଠାରେ ଧାନ ବୁଣାବୁଣି କାମ ଠିକ୍ ଭାବେ ହୋଇ ନ ପାରିବାରୁ ଏଥର ଅଧା ଜମି ପଡ଼ିଆ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି।
Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ପଞ୍ଜାବ ହାଇକୋର୍ଟ ଏପଟେ ଅଣଧାନ ଚାଷ ଅବସ୍ଥା ମଧ୍ୟ ଭଲ ନାହିଁ।
ଜିଲ୍ଲାରେ ୫୩,୬୬୨ ହେକ୍ଟର ଜମିରେ ମୁଗ, ବିରି, ବାଦାମ ଆଦି ଅର୍ଥକାରୀ ଫସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ୨୪,୮୮୦ ହେକ୍ଟର ଜମିରେ ଚାଷ କରାଯାଇଛି।
ପାଳଲହଡ଼ାରେ ମାତ୍ର ୧୩ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି।
ଏଠାରେ ୬,୧୧୪ ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ୍ୟ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାତ୍ର ୮୦୯ ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଛି।
କଣିହାଁ ବ୍ଲକ୍ରେ ୨,୯୦୦ ହେକ୍ଟର ଜମିରେ ଅଣଧାନ କରିବାକୁ ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଥିଲା ବେଳେ ଏଥିରୁ ମାତ୍ର ୫୨୪ ହେକ୍ଟର ଜମିରେ ଚାଷ କରାଯାଇଛି।
ଅର୍ଥାତ୍ ୮୦ ପ୍ରତିଶତରୁ ଅଧିକ ଜମି ପଡ଼ିଆ।
ଏନେଇ ଅନୁଗୋଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିନୋଦ ଦଳେଇ କହିଛନ୍ତି, ଠିକ୍ ସମୟରେ ବର୍ଷା ନ ହେବା ଏବଂ ହଠାତ୍ ଅଧିକ ବର୍ଷା ହେବା ଯୋଗୁଁ ଚାଷ କାମ ପ୍ରଭାବିତ ହୋଇଛି।
ବର୍ଷା କମିଲେ ପୁଣି ଚାଷ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
