Guns Roar: ଗର୍ଜୁଛି ବନ୍ଧୁକ ଗଡ଼ୁଛି ମୁଣ୍ଡ: ମୁଣ୍ଡ ନେଲା ଗ୍ୟାଙ୍ଗଵାର
ଭୁବନେଶ୍ବର: ମାତ୍ର ୨୪ଘଣ୍ଟାର ବ୍ୟବଧାନରେ ପୁଣି ରାଜଧାନୀରେ ବନ୍ଧୁକ ଗର୍ଜିଛି।
ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ରାଧିକା ଏନକ୍ଲେଭ୍ ପାଖ ମଲ୍ ସମ୍ମୁଖରେ ଗୁଳିମାଡ଼ରେ ହଳଦୀପଡ଼ିଆ ବସ୍ତିର ସୋନୁ ନାୟକ(୧୭) ନାମକ ଜଣେ ନାବାଳକ ଘଟଣାସ୍ଥଳରେ ଟଳିପଡ଼ିଛନ୍ତି।
ପଏଣ୍ଟ୍ ବ୍ଲାଙ୍କ୍ରୁ ତାଙ୍କ ମୁଣ୍ଡକୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ଗୁଳି ଫୁଟାଇଥିବା ଝାରପଡ଼ାର ମୁଖ୍ୟ ଅଭିଯୁକ୍ତ କୁନା ରତନ, ସତ୍ୟଜିତ ବେହେରା, ମନୋଜ ବେହେରା, ଦିବ୍ୟ କୁମ୍ଭାର, ବିଶ୍ବଜିତ ହାତି, ଜଗତଜୀବନ ଜେନା ଓରଫ ଲିପୁନାଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି।
ସେହିଭଳି ଜଣେ ନାବାଳକଙ୍କୁ ଜେଜେବି (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ) ପଠାଯାଇଛି।
ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ୍ ଅଫୁଟା ଗୁଳି ଜବତ କରାଯାଇଛି।
ଅପରପଟେ ସୋନୁଙ୍କ ମା' ଶାନ୍ତି ନାୟକ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment ଗୋଟେ ଗୋଷ୍ଠୀ ବୋମା ମାଡ଼ କଲେ ଅପରଗୋଷ୍ଠୀ ଗୁଳି ଫୁଟାଇଲେ ମୁଖ୍ୟ ଅଭିଯୁକ୍ତ କୁନା ସମେତ ୬ ଗିରଫ, ବନ୍ଧୁକ ଜବତ ଭୁବନେଶ୍ବର ଡିସିପି ଡା.
ସର୍ବଣା ବିବେକ୍ ଏମ୍ କହିଛନ୍ତି, ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା।
ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି।
ଗତ ୪ଦିନ ହେବ ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।
ପରେ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା।
ମାତ୍ର ପରେ ମୃତକ ସୋନୁ ଓ ତା' ଗ୍ୟାଙ୍ଗ୍ ଗତକାଲି ରାତି ପ୍ରାୟ ୨ଟା ୩୦ମିନିଟ୍ରେ କୁନା ଜେନା ଗୋଷ୍ଠୀକୁ ଫୋନ୍ କରି ଧମକ ଦେଇଥିଲେ।
କୁନା ଗ୍ୟାଙ୍ଗ୍ ସେହି ମଲ୍ ନିକଟରେ ପହଞ୍ଚିବା କ୍ଷଣି ସୋନୁ ଗ୍ୟାଙ୍ଗ୍ ସେମାନଙ୍କ ଉପରକୁ ବୋମା ଫିଙ୍ଗିଥିଲେ।
ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
କିଛି ସମୟ ପରେ ପୁଣି ସୋନୁ ଓ ତା'ର ଗ୍ୟାଙ୍ଗ୍ କିଛି ସହଯୋଗୀଙ୍କୁ ସାଙ୍ଗରେ ନେଇ ସେହି ମଲ୍ ନିକଟକୁ ଆସିଥିଲେ।
ସୋନୁ ଆସିବା କ୍ଷଣି, ପୂର୍ବରୁ ବନ୍ଧୁକ ଓ ମାରଣାସ୍ତ୍ର ଧରି ଅପେକ୍ଷା କରିଥିବା କୁନା ଗ୍ୟାଙ୍ଗ୍ ସେମାନଙ୍କୁ ଗୋଡ଼ାଇଥିଲେ।
ମାତ୍ର କିଛି ବାଟ ବ୍ୟବଧାନରେ ସୋନୁ ଓ ତା'ର ସହଯୋଗୀଙ୍କୁ ଧରିପକାଇଥିଲେ।
ପରେ ସୋନୁ ମୁଣ୍ଡକୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ।
ଗୁଳି ସୋନୁଙ୍କ ମୁଣ୍ଡ ଖପୁରିରେ ପଶି ପଦାକୁ ବାହାରି ଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସୋନୁଙ୍କର ସହଯୋଗୀ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପରପଟେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହିତ ଖୋକା ଜବତ କରିଛି।
ସେହିଭଳି ବମ୍ ସ୍କ୍ବାଡ୍ ମଧ୍ୟ ଘଟଣାସ୍ଥଳରୁ ଏକ ଅଫୁଟା ବୋମା ଜବତ କରିଛି।
ଘଟଣାସ୍ଥଳରେ ପୁଲିସ କମିିସନର ସୁରେଶ ଦେବଦତ୍ତ ସିଂହ, ଜୋନ୍ ଏସିପି ଅଭିମନ୍ୟୁ ନାୟକ ପହଞ୍ଚି ପରିସ୍ଥିତିକୁ ନଜରରେ ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
