Gundi Gatha: ଗୁଣ୍ଡି ଗାଥା

Sep 06, 2026 - 07:17
Gundi Gatha: ଗୁଣ୍ଡି ଗାଥା

"ଓଡ଼ିଶାରେ ପ୍ରଚଳିତ କଡ଼ାପାନର ସ୍ବାଦ ଏହାର ମୁଖ୍ୟ ଉପାଦାନ "ଗୁଣ୍ଡି" ଉପରେ ନିର୍ଭର କରେ।

ଫକୀର ମୋହନ ସେନାପତିଙ୍କ ଉପନ୍ୟାସଠାରୁ ଅକ୍ଷୟ ମହାନ୍ତିଙ୍କ ଗୀତ ଯାଏ ଗୁଣ୍ଡିପାନଖିଆ ରସିକ ରସିକାଙ୍କ କଥା ରହିଛି।

ଓଡ଼ିଶାରେ ଧନିଆ ଗୁଣ୍ଡି, ଚୋପି ଗୁଣ୍ଡି, ମୋତିହାରୀ ଗୁଣ୍ଡି ବା ଧୂଆଁପତ୍ର ଗୁଣ୍ଡି, ଖାଡ଼ି ଗୁଣ୍ଡି, ନୂଆ ଗୁଣ୍ଡି, କେତକୀ ଗୁଣ୍ଡି ଆଦି ବିଭିନ୍ନ କିସମର ଗୁଣ୍ଡି ଉପଲବ୍ଧ ଥିଲା।

କଟକର ଧୂଳିଗୁଣ୍ଡି ଓ ବୋତଲ ଗୁଣ୍ଡି, ଗଞ୍ଜାମର ପାଣ୍ଡିଆ ସୁବୁଦ୍ଧି ଓ ହରିଡ଼ାଖଣ୍ଡି ଗୁଣ୍ଡି ଓ ଯାଜପୁରର ରାଉଳ ଗୁଣ୍ଡି ଏକ ସମୟରେ ବେଶ୍‌ ନାଁ କମେଇଥିଲା।

ତେବେ ଓଡ଼ିଶାର ନିଜସ୍ବ ପାନ ମସଲା ଗୁଣ୍ଡି ଏବେ ବଜାରରୁ ପ୍ରାୟତଃ ଉଭେଇଗଲାଣି।

ଏକଦା ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶକୁ ଯାଉଥିବା ଏ ପ୍ରଖ୍ୟାତ ଗୁଣ୍ଡି ସବୁ ନାଁ ହଜାଇବାକୁ ବସିଲାଣି।

ଏହା ପଛରେ କି କାରଣ ରହିଛି?

ଗୁଣ୍ଡିର ନାନାଦି କଥାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...

Advertisment ଅକ୍ଷୟ ମହାନ୍ତିଙ୍କର ଏ ଲୋକପ୍ରିୟ ଗୀତ ଆପଣ ଶୁଣିଛନ୍ତି? "ଆଲୋ ହୁଣ୍ଡି!

ପଇସାରେ ପାନ କେତେ ଖଣ୍ଡି, ମହରଗ କାଳେ ଅମଳି କରିଛୁ, ପୂରା ଚଉଷଠି ମସଲା ଗୁଣ୍ଡି"।

ଏ ଗୀତରେ ଗୀତିକାର ଅକ୍ଷୟ ପାନରସିକା ପତ୍ନୀ ପ୍ରତି ପତିର ମିଠା ଆକଟ ମାଧ୍ୟମରେ ଓଡ଼ିଶାର ସ୍ବକୀୟ ପାନମସଲା "ଗୁଣ୍ଡି" ବିଷୟରେ ଚଟୁଳ ବର୍ଣ୍ଣନା କରିଛନ୍ତି।

ଓଡ଼ିଆଙ୍କ ମଣ୍ଡାପିଠାର ସ୍ବାଦ ଯେମିତି ନଡ଼ିଆ ପୂର ଉପରେ ନିର୍ଭରଶୀଳ ଠିକ୍‌ ସେମିତି ଓଡ଼ିଶାରେ ପ୍ରଚଳିତ କଡ଼ାପାନର ସ୍ବାଦ ଏହାର ମୁଖ୍ୟ ଉପାଦାନ "ଗୁଣ୍ଡି" ଉପରେ ନିର୍ଭର କରେ।

ତେବେ ଏହାର ଢେର୍‌ ପୂର୍ବରୁ ଓଡ଼ିଶାର ମହିଳାମାନେ ପାନରସିକ ଥିବାର ପ୍ରମାଣ ଦିଏ ଫକୀରମୋହନ ସେନାପତିଙ୍କ ଛ"ମାଣ ଆଠଗୁଣ୍ଠ ଉପନ୍ୟାସ।

ଏହି ଉପନ୍ୟାସର ଚର୍ଚ୍ଚିତ ନାରୀ ଚରିତ୍ର ଚମ୍ପାର ରୂପ ବର୍ଣ୍ଣନା କରିବାକୁ ଯାଇ ବ୍ୟାସକବି ଲେଖିଛନ୍ତି- “କଜ୍ଜଳପୂରିତ ଲୋଚନଭାଲେ, ଗୁଣ୍ଡିମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ।” ସେହିପରି "ଉତ୍କଳ ଭ୍ରମଣଂ" କାବ୍ୟରେ ଫକୀରମୋହନ ଯାଜପୁରର ପାର୍ବତୀ ମା" ଗୁଣ୍ଡିର ଆଦ୍ୟ ଆବିଷ୍କର୍ତ୍ତ୍ରୀ ବୋଲି ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି- “ମନେ ପଡ଼ିଗଲା ଫେରି ଆସୁ ଅଧା ଦୂରେ/ ପାର୍ବତୀ ମା" ଥିଲା ପରା ଏହି ଯାଜପୁରେ।

ପାନଗୁଣ୍ଡି କରି ଯାଇଅଛି ଆବିଷ୍କାର/ ଧନ୍ୟ ଧନ୍ୟ ଧନ୍ୟ ଧନ୍ୟ ମହିମା ତାହାର।”  ଗୁଣ୍ଡି ଉତ୍କଳୀୟ ଜନଜୀବନ ସହ କିଭଳି ଜଡ଼ିତ ଥିଲା ଏବଂ ବି‌ଶେଷକରି ମହିଳାମାନଙ୍କ ପ୍ରିୟ ଥିଲା, ତାହା ଉଦାହରଣ ଏଇ ଲୋକପ୍ରିୟ ପଲ୍ଲୀବଚନରେ ପ୍ରକାଶିତ- “ଗୁଣ୍ଡିମିଶା ପାନଖିଲେ ଗାଲଯାଏ ଫାଟି/ ପାନବୋଳ ଲାଗି କଳା ଦିଶେ ଦାନ୍ତ ପାଟି।

ଏପରି ରମଣୀ ଯେବେ ନ ଦେଖିଚ ଭାଇ/ ଦେଖ ଦେଖ ଓଡ଼ିଆଣୀ ଧାଇଁ ଚାଲୁଥାଇ।” ଏହି କ୍ରମରେ ଅକ୍ଷୟ ମହାନ୍ତିଙ୍କ "ଆଲୋ ହୁଣ୍ଡି" ଗୀତର ଶେଷ ଧାଡ଼ିକୁ ବି ଆଲୋଚନାର ପରିସରକୁ ଅଣାଯାଇପାରେ।

ସେ ଲେଖିଛନ୍ତି,""ବାଛି ବାଛି ଆଣିଥିଲି ହିସାବୀ ଘରଣୀ/ପାନର ରସିକା ସିଏ ଗୁଣ୍ଡିର ବାୟାଣୀ।"" ‌କୌତୂହଳର ବିଷୟ ହେଲା, ଗୁଣ୍ଡିକୁ ନେଇ ଫକୀରମୋହନଙ୍କ ରଚନା ହେଉ ବା ଅକ୍ଷୟ ମହାନ୍ତିଙ୍କ ଗୀତ, ସବୁଠି ମହିଳାଙ୍କୁ ଗୁଣ୍ଡିରସିକା ଭାବେ ଉପସ୍ଥାପନ କରାଯାଇଛି।

ତେଣୁ ଏହା ସ୍ପଷ୍ଟ କରେ ଯେ ଗୋଟିଏ ସମୟରେ ଓଡ଼ିଶାର ପୁରପଲ୍ଲୀରେ କଡ଼ାପାନ ସେବନ ଖୁବ୍‌ ଲୋକପ୍ରିୟ ଥିଲା।

କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଗୁଣ୍ଡିମିଶା ପାନଖିଆରେ ଅଭ୍ୟସ୍ତ ଥିଲେ।

ବୈଷ୍ଣବ ଚରଣ ମହାନ୍ତିଙ୍କ ଲିଖିତ "ପାନ ଓ ପ୍ରିୟତମା" ପୁସ୍ତକରେ ଉଲ୍ଲେଖ ରହିଛି, ""ଗୁଣ୍ଡି ହେଉଛି ଓଡ଼ିଶାର ଏକ ସ୍ବତନ୍ତ୍ର ସୃଷ୍ଟି।

ଅନ୍ୟ ପ୍ରଦେଶରେ ଗୁଣ୍ଡିର ବ୍ୟବହାର ନାହିଁ କହିଲେ ଚଳେ, ସେମାନେ ଜର୍ଦ୍ଦା ବା ଖଇନି ବ୍ୟବହାର କରନ୍ତି।

ଖିଲ୍ଲୀପାନରେ ଗୁଣ୍ଡି ଦିଆଗଲେ ତାକୁ ଗୁଣ୍ଡିଆପାନ ବା କଡ଼ାପାନ ବୋଲି କୁହାଯାଏ।

ଏଣୁ ଗୁଣ୍ଡିକୁ କଡ଼ା କରିବା ପାଇଁ ଏଥିରେ ମୋତିଆରା ବା ଧୂଆଁପତ୍ର ମିଶା ଯାଇଥାଏ।

ଗୁଣ୍ଡିରେ ପ୍ରାୟ ଶତକଡ଼ା ପଚିଶ ଭାଗ ଥାଏ ଏଇ ଧୂଆଁପତ୍ର।"" ଦିନ ଥିଲା ଅଧିକାଂଶ ଓଡ଼ିଆ ଘରେ ପାନ ବଟୁଆ ଥିଲା ଓ ପରିବାରର କେହି ନା କେହି ଗୁଣ୍ଡିମିଶା ପାନ ଖାଉଥିଲେ।

ଗୁଣ୍ଡି ବଜାରରୁ କିଣା ହୋଇ ଆସୁନଥିଲା, ଘରେ ତିଆରି ହେଉଥିଲା।

କଟକ ଜିଲ୍ଲାର ସୁନ୍ଦରଗ୍ରାମ ନିବାସୀ କିରଣବାଳା ମହାନ୍ତି କହନ୍ତି, ""ଆମେ ଘରେ ଗୁଣ୍ଡି ତିଆରି କରୁଥିଲୁ।

ସେଥିରେ ଧୂଆଁପତ୍ର, ଧନିଆ, ମୋତିହାରୀ, ପାନମଧୁରୀ, କଳାଜିରା ପଡୁଥିଲା।

ପ୍ରଥମେ ଏସବୁକୁ ଭଜାଯାଏ, ତା"ପରେ ସେଥିରେ ଧୂଆଁପତ୍ର ଗୁଣ୍ଡହୋଇ ମିଶେ।

ଏଥିପାଇଁ ପୂର୍ବରୁ କୁଲାରେ ଧୂଆଁପତ୍ରକୁ ଖରାରେ ଦିଆଯାଇ ରଡ଼ କରାଯାଇଥାଏ।

ଗୁଣ୍ଡିକୁ ବାସ୍ନା କରିବାକୁ ସେଥିରେ ଗୁରୁରାତି, ଅଳେଇଚ ଓ ଲବଙ୍ଗ ବି ପଡ଼େ।

କେହି କେହି ଜାୟତ୍ରୀ ବି ପକାନ୍ତି।"" ପାନରସିକମାନେ ପାନ ଖାଇସାରିବା ପରେ ପାଟି ଯେମିତି ବାସିବ ସେକଥାକୁ ଢେର୍‌ ଗୁରୁତ୍ବ ଦେଇଥାଆନ୍ତି।

ଗୁଣ୍ଡିକୁ ସୁଗନ୍ଧିତ କରିବା ଲାଗି ଏଥିରେ ଚୁଆ ପକାଇ ଘଷାଯାଏ।

କେତେକ ଗନ୍ଧଶୁଣ୍ଠି ଭାଜି ଗୁଣ୍ଡିରେ ମିଶାଇଥାନ୍ତି।

କେତେକ ଗୁଣ୍ଡିକୁ ସୁବାସିତ କରିବା ପାଇଁ ଏଥିରେ କେତକୀ ଫୁଲର ପାଖୁଡ଼ା ବି ମିଶାନ୍ତି।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ ବଡ଼କୁଶସ୍ଥଳୀର ବାସିନ୍ଦା ବଶିଷ୍ଠ ପାତ୍ର କହନ୍ତି,""ଆମ ଅଞ୍ଚଳରେ ଗୁଣ୍ଡି ତିଆରିବା ପରେ ସେଥିରେ ଶୁଖିଲା କେତକୀ ଫୁଲ ପକାଯାଇ ଗୋଟାଏ ମୁହଁବନ୍ଧା ହାଣ୍ଡିରେ ମାସେ ରଖି ଦିଆଯାଏ ଏବଂ ତା"ପରେ ଗୁଣ୍ଡି ଖିଆଯାଏ।

ଏ ଗୁଣ୍ଡିକୁ କେତକୀ ଗୁଣ୍ଡି କୁହାଯାଏ ଓ ଏଥିରୁ କେତକୀ ଫୁଲର ବାସ୍ନା ବାହାରେ।"" ଓଡ଼ିଶାରେ ଧନିଆ ଗୁଣ୍ଡି, ଚୋପି ଗୁଣ୍ଡି, ମୋତିହାରୀ ଗୁଣ୍ଡି ବା ଧୂଆଁପତ୍ର ଗୁଣ୍ଡି, ଖାଡ଼ି ଗୁଣ୍ଡି, ନୂଆ ଗୁଣ୍ଡି, କେତକୀ ଗୁଣ୍ଡି ଆଦି ବିଭିନ୍ନ କିସମର ଗୁଣ୍ଡି ଉପଲବ୍ଧ ଥିଲା।

ପୁଣି ଗୁଣ୍ଡିର ପ୍ରସ୍ତୁତି, ସଂରକ୍ଷଣ ଆଦିକୁ ଭିତ୍ତିକରି କଞ୍ଚାଗୁଣ୍ଡି, ଭଜାଗୁଣ୍ଡି, ବୋତଲଗୁଣ୍ଡି, ଧୂଳିଗୁଣ୍ଡି ଆଦି ଗୁଣ୍ଡିର ବିଭିନ୍ନ ପ୍ରକାରଭେଦ ରହିଛି।ଓଡ଼ିଶାର ଏହି ଲୋକସଂସ୍କୃତି ସମୟକ୍ରମେ ଘରର ଚଉକାଠ ଡେଇଁଥିଲା।

ସଉକରୁ ରୋଜଗାରର ସାଧନ ହେଲା ଗୁଣ୍ଡି।

ଚାହିଦା ଦେଖି କିଛି ବ୍ୟବସାୟୀ ଘରେ ଗୁଣ୍ଡି ତିଆରି କରି ବିକ୍ରି ଆରମ୍ଭ କଲେ।

ଓଡ଼ିଶାର ଗାଁଗହଳିରୁ ନେଇ ସହର ବଜାର ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପାନଦୋକାନ ଖୋଲିବା ଧାରାର ସୁରୁଆତ୍‌ ହୋଇଗଲା।

ତେଣୁ ଗୁଣ୍ଡି ପାଇଁ ବଜାରଟିଏ ସୃଷ୍ଟି ହେଲା।

ଯାହାଙ୍କର ଘର ପାନଡ଼ାଲାରେ ମନ ମାନିଲାନି ସେମାନେ ଖିଲ୍ଲୀପାନ ଦୋକାନର ପାନକୁ ସରାଗ କଲେ।

ଫଳରେ ଦୋକାନର ଚାହିଦା ମେଣ୍ଟାଇବାକୁ ବ୍ୟାବସାୟିକ ଭାବେ ଗୁଣ୍ଡି ତିଆରି ହେଲା।

ସମୟ ସ୍ରୋତରେ ଗୁଣ୍ଡି ପ୍ରସ୍ତୁତି ଲାଭଦାୟକ କୁଟୀର ଶିଳ୍ପରେ ପରିଣତ ହେଲା।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ହାତ ତିଆରି ଗୁଣ୍ଡି ଲୋକପ୍ରିୟ ହେବାରେ ଲାଗିଲା।

କଟକର ଧୂଳିଗୁଣ୍ଡି ଓ ବୋତଲ ଗୁଣ୍ଡି, ଗଞ୍ଜାମର ପାଣ୍ଡିଆ ସୁବୁଦ୍ଧି ଓ ହରିଡ଼ାଖଣ୍ଡି ଗୁଣ୍ଡି ଓ ଯାଜପୁରର ରାଉଳ ଗୁଣ୍ଡି ଏକ ସମୟରେ ବେଶ୍‌ ନାଁ କମେଇ ଥିଲା।

ଏ ପ୍ରସଙ୍ଗରେ ଲୋକ ସଂସ୍କୃତି ଗବେଷକ ବୈଷ୍ଣବ ମହାନ୍ତି କହନ୍ତି, ""ଯୋଉ କେତେଜଣ ଆଦ୍ୟ ଉଦ୍ୟକ୍ତା ବ୍ୟାବସାୟିକ ଭାବେ ଗୁଣ୍ଡି ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ସେମାନଙ୍କ ଭିତରୁ ଗଞ୍ଜାମର ପାଣ୍ଡିଆ ସୁବୁଦ୍ଧି ଅନ୍ୟତମ।

ସମଗ୍ର ଦକ୍ଷିଣ ଓଡ଼ିଶାରେ "ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି" ବେଶ୍ ଜନପ୍ରିୟ ଥିଲା।

ଗୁଣ୍ଡି ପ୍ରସ୍ତୁତିରେ ସୁବୁଦ୍ଧିଙ୍କୁ ସହାୟତା କରୁଥିବା ହରିଡ଼ାଖଣ୍ଡି ଗାଆଁର ଅର୍ଜୁନ ସାହୁ ବ୍ୟବସାୟ ବୁଦ୍ଧି ଓ ଗୁଣ୍ଡି ପ୍ରସ୍ତୁତି କୌଶଳ ହାସଲକରି "ଶ୍ରୀ ଲକ୍ଷ୍ମୀନୃସିଂହ କେତେକୀ ଖାରା ମସଲା" ନାମରେ ଗୁଣ୍ଡି ପ୍ରସ୍ତୁତକରି ପ୍ରଚୁର ବ୍ୟାବସାୟିକ ସଫଳତା ଲାଭ କଲେ।

ତାଙ୍କ "ଶ୍ରୀ ଲକ୍ଷ୍ମୀ ନୃସିଂହ କେତେକୀ ଖାରା ମସଲା" କିନ୍ତୁ "ହରିଡ଼ାଖଣ୍ଡି ଗୁଣ୍ଡି" ନାମରେ ଖୁବ୍ ଲୋକପ୍ରିୟ ହେଇଉଠିଲା।"" ଏହି ଆଲେଖ୍ୟ ସହିତ ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି, ହରିଡ଼ାଖଣ୍ଡି ଗୁଣ୍ଡି ଓ ରାଉଳ ଗୁଣ୍ଡି ସଂପର୍କରେ ସ୍ବତନ୍ତ୍ର ରିପୋର୍ଟ ସଂଯୋଜିତ ହୋଇଛି।

ଓଡ଼ିଶାର ନିଜସ୍ବ ପାନ ମସଲା ଗୁଣ୍ଡି ଏବେ ବଜାରରୁ ପ୍ରାୟତଃ ଉଭେଇ ଗଲାଣି।

ଏକଦା ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶକୁ ଯାଉଥିବା ଏ ପ୍ରଖ୍ୟାତ ଗୁଣ୍ଡି ସବୁ ଅଖ୍ୟାତ ହୋଇଗଲାଣି।

ବଜାରରେ ପରିଚୟ ହାସଲ କରିଥିବା ଓଡ଼ିଶାର ଗୁଣ୍ଡି ବ୍ରାଣ୍ଡ୍‌ଗୁଡ଼ିକ ବନ୍ଦ ହୋଇଗଲାଣି।

୧୯୦୦ ଅଶୀ ଦଶକରେ ବାହାର ରାଜ୍ୟରୁ ବଜାରକୁ ଚକଚକିଆ ଡବାରେ ସୁଗନ୍ଧିତ ଜର୍ଦ୍ଦା ଆସିବା ପରେ ଲୋକେ ତା"ଆଡ଼କୁ ଆକୃଷ୍ଟ ହେଲେ।

ଜର୍ଦ୍ଦାର ସୁନେଲି ଚେହେରା ଆଗରେ ଫିକା ପଡ଼ିଗଲା ଗୁଣ୍ଡିର କଳା ସ୍ବରୂପ।

ଗାଁ କନିଆ ସିଙ୍ଘାଣି ନାକୀ ନ୍ୟାୟରେ ପାନରସିକ ଜର୍ଦ୍ଦାକୁ ଅଧିକ ଗୁରୁତ୍ବ ଦେଲେ।

ଜର୍ଦ୍ଦାର ପ୍ରାବଲ୍ୟ ଭିତରେ ବି ଅସ୍ତିତ୍ବ ହରାଇ ନଥିଲା ଗୁଣ୍ଡି।

କିନ୍ତୁ ୧୯୦୦ ନବେ ଦଶକର ମଧ୍ୟଭାଗରେ ଓଡ଼ିଶା ବଜାରରେ ପଶିଲା ଗୁଟ୍‌କା।

ସୁନ୍ଦର ପ୍ୟାକିଂ ଓ ଛୋଟପାଉଚ୍‌ରେ ଆସିଲା ଗୁଟ୍‌କା।

ବ୍ୟବହାର ବି ସୁବିଧାଜନକ ହେଲା।

ଫଳରେ ଦ୍ରୁତ ବେଗରେ ଏହା କଡ଼ାପାନର ଏକ ସୁଲଭ ବିକଳ୍ପ ପାଲଟିଗଲା।

ସିଂହଭାଗ କଡ଼ାପାନ ଖିଆଳି ଗୁଟ୍‌କାକୁ ଆଦରି ନେଲେ।

ଦୋକାନୀଙ୍କୁ ବି କାରବାର କରିବାକୁ ସୁବିଧା ହେଲା।

କଡ଼ାପାନଟେ ଭାଙ୍ଗିବା ସମୟ ସାପେକ୍ଷ, କିନ୍ତୁ ଗରାଖକୁ ଗୁଟ୍‌କାଟେ ‌ବିକିବା ଅତି ସହଜ।

ଫଳରେ ଶସ୍ତା, ସୁନ୍ଦର ଓ ମଜଭୁତ ବିକଳ୍ପଟେ ପାଇ ପାନରସିକ ଗୁଣ୍ଡିଠାରୁ ମୁହଁ ଫେରେଇ ନେଲେ।

ଗୁଟ୍‌କା ମାଡ଼ରେ ଗୁଣ୍ଡି ଚେପା ହେଇଗଲା!

ଆମର ନିଜସ୍ବ ପାନ ମସଲାଟି ଏବେ ଶେଷ ନିଃଶ୍ବାସ ନେଉଛି କହିଲେ ଅତ୍ୟୁକ୍ତି ହେବନାହିଁ। "ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି" ଆଜି ଇତିହାସପାମ୍ପଡ଼ ଓ ଆଚାର ଭଳି ବ୍ରହ୍ମପୁରରେ ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି ପାରମ୍ପରିକ ପାନ ମସଲା (ଦକ୍ଷିଣ ଓଡ଼ିଶାରେ ଖାରା ମସଲା କୁହାଯାଏ)ର ଏକ ସ୍ବତନ୍ତ୍ର ପରିଚୟ ରହିଥିଲା।

୧୯୦୧ ମସିହାରୁ  ଦୀର୍ଘ ୧୧୩ ବର୍ଷ ଧରି ଏହା ସାରା ଓଡ଼ିଶାର କୋଣ ଅନୁକୋଣରେ ବେଶ୍ ଆଦୃତ ଥିଲା।

ଚାରି ପିଢ଼ି ଧରି ଚାଲିଥିବା ଏହି ପାରିବାରିକ ବ୍ୟବସାୟ ୨୦୧୩ ମସିହାରେ ବନ୍ଦ ହୋଇଯାଇଥିଲା ସତ, ହେଲେ ଆଜି ବି "ପାଣ୍ଡିଆ ସୁବୁଦ୍ଧି" ଗୁଣ୍ଡିର ସ୍ବାଦକୁ ଭୁଲିପାରିନାହାନ୍ତି ସେକାଳର ପାନରସିକ।ଇତିହାସକୁ ଅବ‌ଲୋକନ କଲେ, ୧୯୦୧ରେ ସୁବୁଦ୍ଧି ‌ଯୌଥ ପରିବାର ଏହି ବ୍ୟବସାୟକୁ ଆରମ୍ଭ କରିଥିଲେ।

ବଡ଼ଭାଇ ପାଣ୍ଡିଆ ସୁବୁଦ୍ଧିଙ୍କ ନାମରେ ଏହି ପାରମ୍ପରିକ ବ୍ୟବସାୟକୁ ନାମିତ କରାଯାଇଥିଲା।

ଚାରି ପିଢ଼ି ବର୍ଷ ବର୍ଷ ଧରି ଏହାକୁ ଜାରି ରଖିଥିଲେ।

ପଞ୍ଚମ ପିଢ଼ିରେ ଏହା ବନ୍ଦ ହୋଇଯାଇଥିଲା।

୧୯୪୨ ମସିହାରେ ଟ୍ରେଡ୍‌ ମାର୍କ ଆକ୍ଟ୍‌ରେ ଏହା ପଞ୍ଜିକୃତ ହୋଇଥିଲା।

ଯାହାକୁ "ଟବାକୋ ମିଶ୍ରିତ ମସଲା" ବୋଲି କୁହାଯାଇଥିଲା।

ଏଥିରେ ଟବାକୋର ପରିମାଣ ମାତ୍ର ୨୦ ପ୍ରତିଶତ ରହୁଥିବା ବେଳେ ପ୍ରାକୃତିକ ମସଲାର ମିଶ୍ରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା।

ଧନିଆ, ଜାଇଫଳ, ଚାପତ୍ରି, ଗୁଜୁରାତି, ଲବଙ୍ଗ ଓ କେସର ସମେତ ଏଥିରେ ଅନ୍ୟାନ୍ୟ ମସଲା ସହ କଟକରୁ ଆସୁଥିବା ଚୁଆ ତେଲ ବ୍ୟବହାର କରାଯାଉଥିଲା।

କାଠଚୁଲିରେ ମସଲା ଭଜା ଯାଉଥିବା ସହ ଧନିଆକୁ ଢିଙ୍କିରେ କୁଟାଯାଉଥିଲା। ‌ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଧନିଆ, ପଲାସାରୁ ପାନମଧୁରି (ଯାହା ଅଧିକ ମିଠା) ଓ ଶ୍ରୀକାକୁଲମର ଟବାକୋ ଅଣାଯାଇ ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଉଥିଲା।

କିଆଫୁଲ କିମ୍ବା କେତକୀଫୁଲକୁ ପ୍ରକ୍ରିୟାକରଣ କରି ଏହାର ସୁଗନ୍ଧକୁ ବ୍ୟବହାର କରାଯାଉଥିଲା।

ଏହାକୁ ପ୍ୟାକିଂ କରି ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା।

ସମୟଚକ୍ରରେ ବ୍ରହ୍ମପୁର ସହରରେ ଅନ୍ୟ ବ୍ୟବସାୟୀମାନେ ବି ପାନଗୁଣ୍ଡି ମସଲା ବ୍ୟବସାୟ ଏବଂ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସୁବୁଦ୍ଧି ପରିବାରର ଉତ୍ତରାଧିକାରୀ କେ.

ଶିବପ୍ରସାଦ ସୁବୁଦ୍ଧି କହିଛନ୍ତି, ""ବ୍ୟବସାୟ ବନ୍ଦ ହେବାର ଅନେକ କାରଣ ରହିଛି।

ରାଜ୍ୟ ସରକାର ୨୦୧୩ ଜାନୁଆରିରେ ଗୁଟ୍‌କା ଉତ୍ପାଦ ସାମଗ୍ରୀ ଉପରେ ନିଷିଦ୍ଧାଦେଶ ଜାରି କରିବାକୁ କଟୋପା ଆଇନ ପ୍ରଚଳନ କରିଥିଲେ।

ଆଉ ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡିମସଲା ମଧ୍ୟ ଏକ ଅବକାରୀ ଉତ୍ପାଦ ହୋଇଥିବାରୁ ଲୋକଙ୍କ ସ୍ବାର୍ଥକୁ ହିତରେ ରଖି ଏବଂ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ୨୦୧୩ ମାର୍ଚ୍ଚ ମାସରେ ବ୍ୟବସାୟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା।

ଏଥିରେ ପରିବାରର ସମସ୍ତ ସଦସ୍ୟ ସେମାନଙ୍କ ସମ୍ମତି ବି ଜଣାଇଥିଲେ।

ତେବେ ବ୍ୟବସାୟରେ ସ୍ବଚ୍ଛତା ଅବଲମ୍ବନ ଓ ଲୋକଙ୍କୁ ଉତ୍ତମ ଉତ୍ପାଦ ଯୋଗାଇବାରେ ସୁବୁଦ୍ଧି ପରିବାର ପ୍ରତିବଦ୍ଧ ଥିଲେ।

ଏହି କୁଟୀରଶିଳ୍ପ ଅନେକ ଲୋକଙ୍କୁ ରୋଜଗାରକ୍ଷମ କରିଥିଲା।"" -ଦୁର୍ଗାମାଧବ ବେହେରା ସ୍ମୃତିରେ ସୀମିତ "ରାଉଳ ଗୁଣ୍ଡି"ଏକଦା ସାରା ରାଜ୍ୟରେ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ପାଇଥିବା "ରାଉଳ ଗୁଣ୍ଡି" ଏବେ କେବଳ ସ୍ମୃତିରେ ସୀମିତ ହୋଇଛି।

ଯାଜପୁର ବ୍ଲକ୍‌ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଜାଲପୁର ଗ୍ରାମରେ ପ୍ରତିଷ୍ଠିତ ଏହି ଗୁଣ୍ଡି କାରଖାନା ୨୦୧୫ ପରଠୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଗୁଟ୍‌କା ଓ ଆଧୁନିକ ତମାଖୁ ଜାତୀୟ ପଦାର୍ଥର ବଢୁଥିବା ଚାହିଦା ଓ ପରିଚାଳନା ତ୍ରୁଟି ଏହାର ପତନର ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି।

୧୯୩୦ ମସିହା ପାଖାପାଖି ସ୍ୱର୍ଗତ ଜଗବନ୍ଧୁ ରାଉଳଙ୍କ ଉଦ୍ୟମରେ "ସୂର୍ଯ୍ୟମାର୍କା ରାଉଳ ଗୁଣ୍ଡି"ର ଆରମ୍ଭ ହୋଇଥିଲା।

ଧଣିଆ, ମୋତିଚୁର, ଚୂନ, ସୋରିଷ ତେଲ ଓ ପାନମଧୁରୀର ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ଗୁଣ୍ଡି ନିଜର ଗୁଣବତ୍ତା ଓ ସ୍ୱାଦ ପାଇଁ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଇଥିଲା। "ଏକ ନଂ", "ଚନ୍ଦ୍ରଭାଗା", "ଚାଲୁ" ଓ "ମିଠା" ନାମରେ ଚାରି ପ୍ରକାର ଗୁଣ୍ଡି ପ୍ରସ୍ତୁତ ହେଉଥିଲା।

ଏକ ସମୟରେ ରାଉଳ ଗୁଣ୍ଡି ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ଯାଉଥିଲା।

ପ୍ରବାସୀ ଭାରତୀୟଙ୍କ ଆବଶ୍ୟକତା ଅନୁସାରେ ଆମେରିକା ଓ ରୁଷ୍‌କୁ ମଧ୍ୟ ଏହା ପାର୍ସଲ୍‌ ଯୋଗେ ପଠାଯାଉଥିଲା।

ଟ୍ରେନ୍‌ ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗୁଣ୍ଡି ପଠାଯାଉଥିବା ବେଳେ ଯାଜପୁରର ବିରଜା ହାଟରେ ଗୋଟିଏ ପାଳିରେ ୩୫ କ୍ୱିଣ୍ଟାଲ୍‌ରୁ ଅଧିକ ଗୁଣ୍ଡି ଖୁଚୁରା ବିକ୍ରି ହେଉଥିଲା।

ସେଥିପାଇଁ ୮ ଜଣ କର୍ମଚାରୀ ନିୟୋଜିତ ରହୁଥିଲେ।

ସେ ସମୟରେ ପ୍ରଚାରପ୍ରସାରର ଆଧୁନିକ ସୁବିଧା ନଥିଲେ ମଧ୍ୟ ସାରା ରାଜ୍ୟର ସିନେମା ହଲ୍‌ରେ ବିରତି ସମୟରେ ରାଉଳ ଗୁଣ୍ଡିର ବିଜ୍ଞାପନ ଦେଖାଯାଉଥିଲା।

ସରକାରୀ ପଞ୍ଜିକୃତ ଏହି କାରଖାନାରେ ୧୫୦ରୁ ଅଧିକ କର୍ମଚାରୀ କାମ କରୁଥିଲେ।

ପ୍ରାରମ୍ଭିକ କାଳରେ ୧ ପଇସାରେ ୫୦ ଗ୍ରାମ୍‌ ଗୁଣ୍ଡି ମିଳୁଥିବା ବେଳେ କାରଖାନା ବନ୍ଦ ହେବା ସମୟରେ ୫୦ ଗ୍ରାମ୍‌ର ଦର ୧୫ ଟଙ୍କାରେ ପହଞ୍ଚିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୁଣ୍ଡି ଖାଇଲେ ପେଟ ସଫା ରହିବା ସହ ଥଣ୍ଡା ଓ ଛିଙ୍କ ହୁଏନାହିଁ।

ତେବେ ୨୦୦୦ ମସିହାରେ ପ୍ରତିଷ୍ଠାତା ଜଗବନ୍ଧୁ ରାଉଳଙ୍କ ଦେହାନ୍ତ ଓ ୨୦୧୦ରେ ତାଙ୍କ ଭାଇ ଭଗବାନ ରାଉଳଙ୍କ ବିୟୋଗ ପରେ କାରଖାନାର ପରିଚାଳନାରେ ସମସ୍ୟା ଦେଖାଦେଇଥିଲା।

ଧୀରେ ଧୀରେ କର୍ମଚାରୀମାନେ କାମ ଛାଡ଼ିବା ସହ ୨୦୧୫ ବେଳକୁ କାରଖାନା ବନ୍ଦ ହୋଇଯାଇଥିଲା।

ବର୍ତ୍ତମାନ କେତେକ ପୂର୍ବତନ କର୍ମଚାରୀ ନିଜସ୍ୱ ଗୁଣ୍ଡି ବ୍ୟବସାୟ ଚଳାଇଥିବା ବେଳେ କେତେକ "ରାଉଳ ଗୁଣ୍ଡି" ନାମ ବ୍ୟବହାର କରୁଥିବା ପରିବାର ପକ୍ଷରୁ ସ୍ବର୍ଗତ ରାଉଳଙ୍କ ପୁଅ ଅଜୟ ରାଉଳ ଅଭିଯୋଗ କରିଛନ୍ତି। -ଅନିଲ କୁମାର ପଣ୍ଡା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)