Government schemes: ବସ୍ତିବାସିନ୍ଦା ନାଁରେ ସରକାରୀ ଯୋଜନାକୁ ଚୂନ: ଜବରଦଖଲ ଜାଗାରେ ଦୋକାନ ଓ ଘର ଭଡ଼ା
ଭୁବନେଶ୍ୱର: ବସ୍ତି ଘରେ ଲାଗିଛି ଦାମୀ ଏସି, ରହିଛି ରେଫ୍ରିଜରେଟର।
ଘର ସାମ୍ନାରେ ଲାଗୁଛି କାର୍।
କେଉଁଠି କଂକ୍ରିଟ୍ ଘର ତିଆରି ହୋଇଛି ତ ଆଉ କେଉଁଠି ଜବରଦଖଲ ଜମିରେ ଦୋକାନ ଘର ତିଆରି କରି ଭଡ଼ା ଦିଆଯାଇଛି।
ଏମାନେ କ'ଣ ସରକାରୀ ସହାୟତା ଅପେକ୍ଷାରେ ଥିବା ଗରିବ ବସ୍ତିବାସିନ୍ଦା, ନା ବସ୍ତିବାସିନ୍ଦା ପରିଚୟକୁ ଢାଲ କରି ସରକାରୀ ଜମି ମାଡ଼ି ବସିଥିବା ସ୍ୱଚ୍ଛଳବର୍ଗର ଲୋକ?
ରାଜଧାନୀର ବିଭିନ୍ନ ବସ୍ତିର ଚିତ୍ର ଏଭଳି ଅନେକ ପ୍ରଶ୍ନ ଉଠାଇଛି।
ଗରିବଙ୍କୁ ଘର ଯୋଗାଇଦେବାକୁ ସରକାରଙ୍କ ଯୋଜନା ଥିବାବେଳେ ଏହାର ସୁଯୋଗ ନେଇ କିଛି ଲୋକ ଜମି ଜବରଦଖଲ କରିବା ସହ ଭଡ଼ା ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି।
ଏସବୁ ଉପରେ ରୋକ୍ ଲଗାଇବା ଏବଂ ଅଯୋଗ୍ୟଙ୍କୁ ଚିହ୍ନଟ କରିବାରେ ନିୟୋଜିତ ସଂସ୍ଥାଗୁଡ଼ିକର ନିଷ୍କ୍ରିୟତା ଏବେ ସନ୍ଦେହ ଘେରକୁ ଆସିଛି।
Advertisment ସକାଳୁ ଖାଲି ପେଟରେ ଚା ପିଉଛନ୍ତି କି?
ସରକାର ବସ୍ତିବାସିନ୍ଦାଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକ ଭାବେ ବିଚାର କରି ସେମାନଙ୍କୁ ଉନ୍ନତ ଆବାସ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କରିଛନ୍ତି।
ବସ୍ତିରୁ ଆଣି ଛାତ ଘରେ ଥଇଥାନ କରିବା ପାଇଁ ସ୍ବତନ୍ତ୍ର ବସ୍ତିବାସିନ୍ଦା ପ୍ରକଳ୍ପ (ଆଫୋର୍ଡେବଲ୍ ହାଉସିଂ ଯୋଜନା) ମଧ୍ୟ ରହିଛି।
ହେଲେ କାଗଜପତ୍ର ଯାଞ୍ଚଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ ପର୍ଯ୍ୟନ୍ତ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ ଏହି ଯୋଜନାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କିଛି ଅଧିକାରୀ ଓ ରାଜନେତାଙ୍କ ସହଯୋଗରେ ଏଭଳି ଲୋକ ସୁଯୋଗ ନେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାର ନିରପେକ୍ଷ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜରୁରି ହୋଇପଡ଼ିଛି।
ଏହା ଭିତରେ ରାଜଧାନୀରେ ନୂଆ ବସ୍ତି ଗଢ଼ିଉଠିବା ସହ ପୁରୁଣା ବସ୍ତିରେ ନୂଆ ଘର ନିର୍ମାଣ ଏବଂ ନୂଆ ବସ୍ତିବାସିନ୍ଦାଙ୍କ ଉପସ୍ଥିତି ବଢ଼ୁଥିବା ଦେଖାଯାଉଛି।
ଜବରଦଖଲ ଜାଗାରେ ଦୋକାନ ଓ ଘର ଭଡ଼ା ଉଚ୍ଛେଦରେ ଶିଥିଳତା, ନିରବ ବିଡିଏ, ବିଏମ୍ସି ବାଣୀବିହାର ବିଶ୍ୱବିଦ୍ୟାଳୟ ପ୍ରବେଶପଥର ବାମପାର୍ଶ୍ୱରେ ଥିବା ବସ୍ତିରେ ଏକାଧିକ ଘରେ ଏସି ଲାଗିଛି, ଘରେ ଦାମୀ ରେଫ୍ରିଜରେଟର୍ ରହିଛି।
ଆଚାର୍ଯ୍ୟବିହାର ଛକରୁ ପ୍ଲାନେଟାରିୟମ୍ ଯିବା ରାସ୍ତାର ଡାହାଣ ପାର୍ଶ୍ୱ ବସ୍ତିରେ ମଧ୍ୟ ସମାନ ସ୍ଥିତି।
ସେହିପରି ଦୟା ୱେଷ୍ଟ କେନାଲ୍ ରାସ୍ତାରେ ଜବରଦଖଲ କରି ଘର ତିଆରି କରାଯାଇଥିବା ଏବଂ କେତେକ ସ୍ଥାନରେ କଂକ୍ରିଟ୍ ଘର ନିର୍ମାଣ କରି ଲୋକେ ଏସି ଲଗାଇ ରହୁଥିବା ଦେଖିବାକୁ ମିଳୁଛି।
ଦୟା ୱେଷ୍ଟ କେନାଲ୍ ରାସ୍ତାରେ ଅନେକ ଦୋକାନ ଘର ଭଡ଼ାରେ ଲଗାଯାଇଛି।
ବିଏମ୍ସି ତାଲିକା ଅନୁଯାୟୀ, ଏବେ ସୁଦ୍ଧା ରାଜଧାନୀରେ ୪୮୬ଟି ପଞ୍ଜୀକୃତ ବସ୍ତି ରହିଛି।
ଅଣପଞ୍ଜୀକୃତ ବସ୍ତିର ସଂଖ୍ୟା ଚାରିଗୁଣ ଅଧିକ ବୋଲି କୁହାଯାଉଛି।
ଯେଉଁଠି ଖାଲି ଜାଗା ମିଳୁଛି, ସେଠାରେ ରାତାରାତି ବସ୍ତି ଗଢ଼ି ଉଠୁଛି।
ଏଭଳି ଜବରଦଖଲ ଚିହ୍ନଟ ଓ ଉଚ୍ଛେଦ ପାଇଁ ବିଡିଏ ଅଫିସରେ ବ୍ଲୁଇସ୍ ଆପ୍ କାର୍ଯ୍ୟାଳୟ ରହିଛି।
ହେଲେ ଏହି ଆପ୍ ଓ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉନାହିଁ।
ଅନ୍ୟପଟେ ବିଏମ୍ସି ଓ ବିଡିଏର ଏନ୍ଫୋର୍ସମେଣ୍ଟ ଦଳ ମଧ୍ୟ ଜବରଦଖଲ ରୋକିବା ଦିଗରେ ଆବଶ୍ୟକ ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି।
Kailash Kher: ମୁଁ ନାଗସାପକୁ ପୋଷା କରି ରଖିଥିଲି: କୈଳାସ ଖେର ସରକାରୀ ଆବାସ ଯୋଜନାରେ ଏଯାଏଁ ୩୦ଟି ବସ୍ତିର ୫ ହଜାରରୁ ଅଧିକ ଲୋକଙ୍କୁ ବୁଦ୍ଧବିହାର, କେଶରୀ ରେସିଡେନ୍ସି ଭଳି ୫ରୁ ଅଧିକ ବସ୍ତିବାସିନ୍ଦା ଆବାସିକ ପ୍ରକଳ୍ପରେ ଥଇଥାନ କରାଯାଇଛି।
ନିୟମ ଅନୁଯାୟୀ, ଯେଉଁ ବସ୍ତିର ବାସିନ୍ଦାଙ୍କୁ ଥଇଥାନ କରାଯାଉଛି, ସେହି ବସ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା କଥା।
କିନ୍ତୁ ଏହି ପ୍ରକ୍ରିୟା ଠିକ୍ ଭାବେ ସମ୍ପାଦନ ହେଉନଥିବାରୁ ଉଚ୍ଛେଦ ହୋଇଥିବା ବସ୍ତିରେ ପୁଣି ନୂଆ ଘର ତିଆରି ହେବା ସହ ଲୋକେ ଜାଗା ମାଡ଼ି ବସିବାର ସୁଯୋଗ ପାଉଛନ୍ତି।
ଏନ୍ଫୋର୍ସମେଣ୍ଟ ଡେପୁଟି କମିସନର ଅଜୟ ମହାନ୍ତି କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ପୂର୍ବରୁ ଏଲ୍ଆର୍ସି (ଲ୍ୟାଣ୍ଡ ରେକର୍ଡ ପ୍ରମାଣପତ୍ର) ଯାଞ୍ଚ କରାଯାଉଛି।
ଯେଉଁମାନଙ୍କ ପାଖରେ ଏହି ପ୍ରମାଣପତ୍ର ରହିଛି, ସେମାନଙ୍କୁ ଘର ଦିଆଯାଉଛି।
ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ତାହାର ଯାଞ୍ଚ କରିବା ସହଜ ହେବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
