Gen Z Without Instagram: ଇନ୍ଷ୍ଟାଗ୍ରାମ ଯୁଗରେ ବିନା ଆକାଉଣ୍ଟରେ ଜୀବନ! କେମିତି ଜୀବନ ବଞ୍ଚିବେ ଜେନ୍-ଜି
ଆଜିର ଡିଜିଟାଲ୍ ଯୁଗରେ ଇନ୍ଷ୍ଟାଗ୍ରାମ ଯେମିତି ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି।
ସକାଳୁ ନିଦ ଭାଙ୍ଗିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅନେକଙ୍କ ହାତରେ ରହୁଛି ସ୍ମାର୍ଟଫୋନ୍ ।
କିଏ କେଉଁଠି ବୁଲିବାକୁ ଗଲା, କାହାର ନୂଆ ଫଟୋ ଆସିଲା, କେଉଁ ରିଲ୍ସ ଭାଇରାଲ୍ ହେଲା, ଏସବୁ ଜାଣିବାରେ ବିତିଯାଉଛି ଘଣ୍ଟା ଘଣ୍ଟା ସମୟ।
ଏପରିକି ଗୋଟିଏ ନୋଟିଫିକେସନ୍ ଚେକ୍ କରିବାକୁ ଫୋନ୍ ଖୋଲି ୪୦ ମିନିଟ୍ ରିଲ୍ସ ଦେଖିବା ଏବେ ଅନେକଙ୍କ ଅଭ୍ୟାସ।
Advertisment କିନ୍ତୁ ଏହି ଇନ୍ଷ୍ଟାଗ୍ରାମ ଯୁଗରେ ଏମିତି କିଛି ଜେନ୍-ଜି ଯୁବପିଢ଼ି ଅଛନ୍ତି, ଯେଉଁମାନେ ଜୀବନରେ କେବେ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଖୋଲିନାହାନ୍ତି।
ନା ରିଲ୍ସର ମାୟା, ନା ଲାଇକ୍ର ଚିନ୍ତା, ନା ଅନ୍ୟମାନଙ୍କ ଲାଇଫ୍ଷ୍ଟାଇଲ୍କୁ ଦେଖି ନିଜ ଜୀବନ ସହ ତୁଳନା କରିବାର ଚାପ।
ତେବେ ଇନ୍ଷ୍ଟାଗ୍ରାମ ବିନା କେମିତି କଟୁଛି ଏହି ଯୁବପିଢ଼ିଙ୍କ ଜୀବନ?
ସତରେ କ'ଣ ସେମାନେ କିଛି ମିସ୍ କରୁନାହାନ୍ତି?
କିଛି ଲୋକଙ୍କୁ ନେଇ ହୋଇଥିବା ରିସର୍ଚ୍ଚ ବେଳେ ଜଣେ ବ୍ୟକ୍ତି କହିଛନ୍ତି, ତାଙ୍କ ପାଇଁ ଇନ୍ଷ୍ଟାଗ୍ରାମ ବ୍ୟବହାର ନକରିବା କୌଣସି ବଡ଼ କଥା ନୁହେଁ।
ସୋସିଆଲ୍ ମିଡିଆ ପ୍ରତି ତାଙ୍କର ବିଶେଷ ଆଗ୍ରହ ନାହିଁ।
ତେବେ ହ୍ୱାଟ୍ସଆପ୍ ବିନା ତାଙ୍କ କାମ ଚଳେନାହିଁ।
ଫଟୋଠାରୁ ଆରମ୍ଭ କରି ଡେଲିଭରି ବୟଙ୍କୁ ଲୋକେସନ୍ ପଠାଇବା ପର୍ଯ୍ୟନ୍ତ ସବୁ କାମ ହ୍ୱାଟ୍ସଆପ୍ରେ ହୋଇଥାଏ।
Advertisment ତେଣୁ ଇନ୍ଷ୍ଟାଗ୍ରାମ ନଥିଲେ ମଧ୍ୟ ହ୍ୱାଟ୍ସଆପ୍ ତାଙ୍କ ପାଇଁ ଯଥେଷ୍ଟ।
ବେଳେବେଳେ ସାଙ୍ଗମାନଙ୍କ ଭାଇରାଲ୍ ମିମ୍ସ ଓ ଇଣ୍ଟରନେଟ୍ ଟ୍ରେଣ୍ଡ ବୁଝିବାରେ ସମସ୍ୟା ହୁଏ।
କିନ୍ତୁ ଏଥିପାଇଁ ସେ ଆଦୌ ଚିନ୍ତିତ ନୁହନ୍ତି।
ବରଂ ଇନ୍ଷ୍ଟାଗ୍ରାମରୁ ଦୂରେଇ ରହିବା ତାଙ୍କୁ ମାନସିକ ଶାନ୍ତି ଦେଇଛି।
ଅନ୍ୟମାନଙ୍କ ଜୀବନଶୈଳୀ ଦେଖି ନିଜକୁ ତୁଳନା କରିବା କିମ୍ବା ଘଣ୍ଟା ଘଣ୍ଟା ସ୍କ୍ରୋଲିଂ କରିବାର ଝାମେଲା ନାହିଁ।
ସେହିପରି ରିସର୍ଚ୍ଚରେ ସାମିଲ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ନାହିଁ।
ହେଲେ ସେ ସମ୍ପୂର୍ଣ୍ଣ ଅଫଲାଇନ୍ ମଧ୍ୟ ନୁହନ୍ତି।
ତାଙ୍କର ଛୋଟ ଛୋଟ ଭିଡିଓ ଦେଖିବାର ସଉକ ପୂରଣ କରୁଛି ୟୁଟ୍ୟୁବ୍ ଶର୍ଟ୍ସ।
ୟୁଟ୍ୟୁବ୍ ଶର୍ଟ୍ସର ଆଲଗୋରିଦମ୍ ତାଙ୍କ ପସନ୍ଦ ଅନୁସାରେ ଭିଡିଓ ଦେଖାଏ।
ତେଣୁ ଇନ୍ଷ୍ଟାଗ୍ରାମର ଅଭାବ ଅନୁଭବ କରନ୍ତି ନାହିଁ।
ଅନ୍ୟପଟେ ଚୀନ୍ର ଜଣେ ଯୁବତୀ କହିଛନ୍ତି ଚୀନ୍ରେ ଇନ୍ଷ୍ଟାଗ୍ରାମ ବ୍ୟବହାର ଉପରେ କଟକଣା ଥିବାରୁ ସେ ଏହାଠାରୁ ଦୂରେଇ ରହିଛନ୍ତି।
ତେବେ ଚୀନ୍ରେ Douyin ଭଳି ବିକଳ୍ପ ଥିଲେ ମଧ୍ୟ ସେ ତାହା ବ୍ୟବହାର କରନ୍ତି ନାହିଁ।
ତାଙ୍କ ପାଇଁ ସୋସିଆଲ୍ ମିଡିଆରେ ସମୟ ନଷ୍ଟ କରିବା ଅପେକ୍ଷା ବାସ୍ତବ ଜୀବନରେ କିଛି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସେ ବକ୍ସିଂ କରନ୍ତି, ସାଙ୍ଗମାନଙ୍କ ସହ ବ୍ୟାଡମିଣ୍ଟନ୍ ଖେଳନ୍ତି ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପରେ ସମୟ ବିତାନ୍ତି।
ଇନ୍ଷ୍ଟାଗ୍ରାମ ବିନା କ'ଣ ସତରେ କିଛି ଅସୁବିଧା ହେଉନି?
ଏହି ତିନିଜଣଙ୍କ ଜୀବନଶୈଳୀ ଭିନ୍ନ ହୋଇଥିଲେ ମଧ୍ୟ ଗୋଟିଏ କଥା ସମାନ।
ଇନ୍ଷ୍ଟାଗ୍ରାମ ନଥିଲେ ମଧ୍ୟ ଜୀବନ ଅଟକି ଯାଉନାହିଁ।
ଜଣେ ହ୍ୱାଟ୍ସଆପ୍ରେ ସନ୍ତୁଷ୍ଟ, ଆଉ ଜଣେ ୟୁଟ୍ୟୁବ୍ ଶର୍ଟ୍ସରେ ମନୋରଞ୍ଜନ ଖୋଜୁଛନ୍ତି।
ଅନ୍ୟ ଜଣେ ଅଫଲାଇନ୍ କାର୍ଯ୍ୟକଳାପକୁ ନିଜ ଜୀବନର ଅଂଶ କରିଛନ୍ତି।
ଏଥିରୁ ଏକ କଥା ସ୍ପଷ୍ଟ ଯେ, ଇନ୍ଷ୍ଟାଗ୍ରାମ ବ୍ୟବହାର ନକରିବାର ଅର୍ଥ ଇଣ୍ଟରନେଟ୍ରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ନୁହେଁ।
ପ୍ରକୃତ କଥା ହେଉଛି, ନିଜ ସମୟକୁ କିପରି ବ୍ୟବହାର କରିବେ, ତାହା ନିଜ ଉପରେ ନିର୍ଭର କରେ।
ସବୁବେଳେ ଫୋନ୍ରେ ବ୍ୟସ୍ତ ରହୁଥିବା ଜେନ୍-ଜି ପିଢ଼ି ମଧ୍ୟରେ ଏହି ତିନିଜଣଙ୍କ ଜୀବନଶୈଳୀ ଏକ ଭିନ୍ନ ବାର୍ତ୍ତା ଦେଉଛି।
ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ହିଁ ଜୀବନ ନୁହେଁ।
ବେଳେବେଳେ ଅନ୍ୟମାନଙ୍କ ଜୀବନର ଅପଡେଟ୍ ଜାଣିବା ଅପେକ୍ଷା ନିଜ ଜୀବନକୁ ଉପଭୋଗ କରିବା ଅଧିକ ଜରୁରୀ।
ଶେଷରେ, ଅନ୍ୟମାନେ କେଉଁଠି ବୁଲିଲେ, କ'ଣ ଖାଇଲେ କିମ୍ବା କେତେ ଲାଇକ୍ ପାଇଲେ, ଏସବୁ ନଜାଣି ମଧ୍ୟ ଜୀବନ ବେଶ୍ ସୁନ୍ଦର ହୋଇପାରେ।
କାରଣ ରିଲ୍ସରେ ଜୀବନ ଦେଖିବା ଅପେକ୍ଷା ରିଅଲ୍ ଲାଇଫ୍ରେ ଜୀବନ ବଞ୍ଚିବା ଅଧିକ ମଜାଦାର!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
