Ganjam's Badi Ramayana Sparks Controversy: ଗଞ୍ଜାମର ବାଦି ରାମାୟଣରେ ବିପଜ୍ଜନକ ଷ୍ଟଣ୍ଟ, ଜୀବଜନ୍ତୁଙ୍କୁ କାମୁଡ଼ିବା ଦୃଶ୍ୟ ଭାଇରାଲ୍
ଦର୍ଶକଙ୍କ ତାଳି ପାଇଁ ସୀମା ଲଂଘୁଛନ୍ତି କି କଳାକାର?
ଗଞ୍ଜାମରେ ବାଦି ରାମାୟଣ ନାଟକକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ।
ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ ତାଜୁବ୍।
ରାକ୍ଷସ ବେଶରେ ଅଭିନୟ କରୁଥିବା କଳାକାର ସାପ ଭଳି ଦେଖାଯାଉଥିବା ଏ ଜୀବକୁ ଜୀଅନ୍ତ ଖାଉଛନ୍ତି।
ଏପଟେ JCB ଉପରେ କଳାକାରଙ୍କ ବିପଜ୍ଜନକ ପ୍ରଦର୍ଶନ।
ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।
ଗଞ୍ଜାମ ଜିଲ୍ଲା ଲାଞ୍ଜିଆ ଗାଁରେ କୁଠାଶାଳ ଯାତ୍ରାରେ ଦୁଇ ଦଳ ମଧ୍ୟରେ ଆୟୋଜିତ ହୋଇଥିଲା ବାଦି ରାମାୟଣ ନାଟକ।
ଗୋଟିଏ ପଟେ ବଉଳଝୁଳି, ଅନ୍ୟପଟେ ଅଡ଼ବା ଗାଁର ଦଳ।
ପ୍ରତିଯୋଗିତାରେ ଶ୍ରେଷ୍ଠତା ପ୍ରମାଣ କରିବାକୁ ଯାଇ ଏବେ ବିବାଦରେ।
ସେପଟେ ବୁଦ୍ଧିଜୀବୀ କହିଛନ୍ତି ରାମାୟଣ ଭଳି ପୌରାଣିକ କଥାବସ୍ତୁରେ ଅଶାଳୀନ ଇଙ୍ଗିତ, ଉତ୍ତେଜକ ଦୃଶ୍ୟ ଆମ ସଂସ୍କୃତି ଓ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ଏହା ଉପରେ ତୁରନ୍ତ ରୋକ୍ ଲାଗିବା ଦରକାର।
ସେପଟେ ଭିଡିଓରେ ଦେଖାଯାଉଥିବା ଜୀବଟି ସାପ ନୁହେଁ, ବରଂ ଏକ ଇଲ୍ ମାଛ ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଡିଏଫ୍ଓ।
Advertisment କେବଳ ଏତିକି ନୁହେଁ, କିଛିଦିନ ତଳେ ଲାଞ୍ଜିଆ ଗାଁରେ ମଞ୍ଚ ତଳେ ବାଣ ଫୁଟାଯିବା ବେଳେ ହଠାତ୍ ଷ୍ଟେଜରେ ଲାଗିଯାଇଥିଲା ନିଆଁ।
ଜଳି ପୋଡ଼ି ନଷ୍ଟ ହୋଇଥିଲା ଅନେକ ସାମଗ୍ରୀ।
ପ୍ରଶ୍ନ ଉଠୁଛି, ଏଭଳି ଘଟଣା ପରେ ବି କାହିଁକି ଚେତୁନାହାନ୍ତି ଆୟୋଜକ?
କାହା ଅନୁମତିରେ ଚାଲୁଛି ଏଭଳି ବିପଜ୍ଜନକ ପ୍ରଦର୍ଶନ?
ସେପଟେ ଘଟଣାକୁ ଗମ୍ଭୀରତାର ସହ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
ନାଟକ ମଞ୍ଚରେ ପଶୁପକ୍ଷୀଙ୍କୁ ମାରି ସର୍ବସମ୍ମୁଖରେ ଖାଇବା ଭଳି ଘଟଣା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।
ସେହିପରି ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କଳାକାର ଓ ବିଭିନ୍ନ ସଂଗଠନକୁ ଡାକି ଏକ ନିୟମାବଳୀ ପ୍ରସ୍ତୁତ କରାଯିବ।
ନାଟକ ମାଧ୍ୟମରେ ସମାଜକୁ ଭଲ ବାର୍ତ୍ତା ଦେବା କଳାକାରଙ୍କ ଦାୟିତ୍ୱ।
ହେଲେ ଦର୍ଶକଙ୍କ ତାଳି ପାଇଁ ଯଦି ଜୀବଜନ୍ତୁ ଓ ନିଜ ଜୀବନକୁ ବିପଦରେ ପକାଯାଏ, ତେବେ ତାହା କଳା ନୁହେଁ, ବରଂ ଦାୟିତ୍ୱହୀନତା ବୋଲି ମତ ପ୍ରକାଶ ପାଇଛି।
ଏବେ ଅପେକ୍ଷା, ପ୍ରଶାସନର ନିୟମ କେବେ ଆସିବ ଏବଂ ଏଭଳି ବିପଜ୍ଜନକ ପ୍ରଦର୍ଶନ ଉପରେ କେବେ ଲାଗିବ ରୋକ୍।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
