Ganjam: ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଓ ବନ୍ୟା ସ୍ଥିତି ସମୀକ୍ଷା: ସପ୍ତାହକରେ ସରିବ କ୍ଷୟକ୍ଷତି ଆକଳନ
ବ୍ରହ୍ମପୁର/ପୁରୁଷୋତ୍ତମପୁର/ଛତ୍ରପୁର: ବାତ୍ୟା 'ଅର୍ଣ୍ଣବ' ଓ 'ଅକ୍ଭାନ୍' ଜନିତ ବର୍ଷା ଓ ବନ୍ୟା ମୁକାବିଲାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ସମସ୍ତ ଉଦ୍ଧାରକାରୀ ଦଳର ସମନ୍ୱିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି।
ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀକକ୍ଷରେ ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ସହ ପୁନରୁଦ୍ଧାର କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତି, ଲୋକଙ୍କ ସମସ୍ୟା ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ନେଇଥିଲେ।
ଏହା ପୂର୍ବରୁ ଛତ୍ରପୁର ବ୍ଲକର ବଉଳଗାଁ ଓ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।
କ୍ଷୟକ୍ଷତି ସମ୍ପର୍କରେ ଜନପ୍ରତିନିଧି, ଜିଲ୍ଲାପାଳ ଓ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
Advertisment ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କୁ ଚିହ୍ନଟ କରି ନ୍ୟାୟସଙ୍ଗତ ସହାୟତା ଦିଆଯିବ।
ରାସନକାର୍ଡ ନଥିବା ପରିବାରକୁ ମଧ୍ୟ ପ୍ରାଧାନ୍ୟ ଦେଇ ସହାୟତା ଦିଆଯିବ।
କୃଷି ଇନ୍ପୁଟ୍ ସବ୍ସିଡି, ଘରଭଙ୍ଗା ସହାୟତା ଓ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପ୍ରକୃତ କ୍ଷତିର ଆକଳନ ସପ୍ତାହକ ମଧ୍ୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଥିଲେ।
କ୍ଷତିଗ୍ରସ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତାର ବିଭିନ୍ନ ମାନଦଣ୍ଡରେ ପରିବର୍ତ୍ତନ ଅଣାଯାଇଛି।
ବାଲିଚର ଓ ଅନ୍ୟାନ୍ୟ ସଫେଇ କାର୍ଯ୍ୟ ପାଇଁ ୨୩ ହଜାର ଟଙ୍କା, କୃଷି କ୍ଷତିପୂରଣ ହେକ୍ଟର ପିଛା ସହାୟତା ୮ ହଜାରରୁ ୧୧ ହଜାର ଟଙ୍କାକୁ ଏବଂ ଘରଭଙ୍ଗା ସହାୟତା ୧.୨ ଲକ୍ଷରୁ ୧.୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ପ୍ରାଥମିକ ଆକଳନ ଅନୁଯାୟୀ ଆଗୁଆ ସହାୟତା ପ୍ରଦାନ କରାଯିବ ଏବଂ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଆବଶ୍ୟକ ଅର୍ଥ ତୁରନ୍ତ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
'ଭବିଷ୍ୟତ ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ହେବ' ଭବିଷ୍ୟତରେ ଏଭଳି ବିପର୍ଯ୍ୟୟରୁ ଗଞ୍ଜାମକୁ ସୁରକ୍ଷା ଦେବା ପାଇଁ ସ୍ଥାୟୀ ପ୍ରତିକାରମୂଳକ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ।
ଋଷିକୁଲ୍ୟା ନଦୀର ସମଗ୍ର ଜଳପ୍ରବାହ ଅଞ୍ଚଳର ବିସ୍ତୃତ ଅଧ୍ୟୟନ କରି ଏକ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ଯୋଜନା ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ କହିଥିଲେ।
ଆବଶ୍ୟକ ସ୍ଥାନରେ ଆଡ଼ିବନ୍ଧ, ନଦୀବନ୍ଧ ଓ ଅନ୍ୟାନ୍ୟ ଜଳ ନିୟନ୍ତ୍ରଣ ଭିତ୍ତିଭୂମି ନିର୍ମାଣ କରି ନଦୀର ଜଳ ଯେପରି ଚାଷଜମି ଓ ଜନବସତିକୁ ପ୍ରବେଶ ନକରେ, ସେଥିପାଇଁ ବୈଷୟିକ ଅଧ୍ୟୟନଭିତ୍ତିକ ଯୋଜନା ଉପରେ ଗୁରୁତ୍ବାରୋପ କରିଥିଲେ।
ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ପାଇଁ ଏକ ସମନ୍ୱିତ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବିଧାୟକମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ବିପର୍ଯ୍ୟୟ ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
