Gandhamardan: ଅଦାନିର ଏମ୍ଓୟୁ ପରେ..: ଚର୍ଚ୍ଚାକୁ ଫେରିଲା ଗନ୍ଧମାର୍ଦ୍ଦନ
"ଅଞ୍ଜନ କୁମାର ପ୍ରଧାନ ବଲାଙ୍ଗୀର: କିଛି ଦିନ ତଳେ ଓଡ଼ିଶା ସରକାର ଅଦାନି ଏଣ୍ଟରପ୍ରାଇଜେସ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନି ସହ ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି।
ଉଭୟ ବ୍ୟବସାୟିକ ସଂସ୍ଥା ମିଶି ୧.୦୮ ଲକ୍ଷ କୋଟି ଟଙ୍କାର ଏକ ଗ୍ରିନ୍ ଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ କରିବେ।
ଏହା ରାଜ୍ୟର ସର୍ବବୃହତ୍ ଔଦ୍ୟୋଗିକ ନିବେଶ ମଧ୍ୟରୁ ଗୋଟିଏ ରୂପେ ପରିଗଣିତ ହେଉଛି।
କିନ୍ତୁ ଏହି ଏମ୍ଓୟୁକୁ ନେଇ "ଗନ୍ଧମାର୍ଦ୍ଦନ" ଚର୍ଚ୍ଚା ମୁଣ୍ଡ ଟେକିଛି।
ଗନ୍ଧମାର୍ଦ୍ଦନ ପାଦଦେଶରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ଏମ୍ଓୟୁ ପୁଣି ଏକ ଆଶଙ୍କା ସୃଷ୍ଟି କରିଛି।
ଗନ୍ଧମାର୍ଦ୍ଦନରେ ପୁଣି ବକ୍ସାଇଟ୍ ଖନନ ହେବ ନା ନାହିଁ, ତାକୁ ନେଇ ଆକଳନ ଆରମ୍ଭ ହୋଇଛି।
ଏହି ଆଶଙ୍କାର ପୃଷ୍ଠଭୂମି ଗତବର୍ଷ ସୃଷ୍ଟି ହୋଇଥିଲା।
ଅଦାନି ଗ୍ରୁପ୍ର ସହଯୋଗୀ ସଂସ୍ଥା ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଲିମିଟେଡ୍ ଗନ୍ଧମାର୍ଦ୍ଦନ ଅଞ୍ଚଳର ବିଭିନ୍ନ ଗ୍ରାମରେ ୪୫ ହେକ୍ଟରରୁ ଅଧିକ ଜମି କ୍ରୟ କରିଥିଲା।
ପ୍ରକଳ୍ପ ପାଇଁ କ୍ଷତିପୂରଣମୂଳକ ବନୀକରଣ ପାଇଁ ଜମି କିଣାଯାଇଥିବା ସଫେଇ ଦିଆଯାଇଥିଲା।
ବନୀକରଣ ସକାଶେ ଆହୁରି ୩ଶହ ହେକ୍ଟର ଜମି କିଣିବା ଯୋଜନା ରହିଛି।
ଷ୍ଟେଜ୍-୧ ଅନୁମତି ପରେ ଏସବୁ ଜମିରେ କମ୍ପାନି ବନୀକରଣ କରିବ ଏବଂ ୧୦ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜମା କରିବା ପରେ ଜମି ହସ୍ତାନ୍ତର କରିବ ବୋଲି ବନ ବିଭାଗ କହିଥିଲା।
ତେବେ ସବୁ ଜମିରେ ବନୀକରଣ କରିବା ପରେ କମ୍ପାନି ତାକୁ ବନ ବିଭାଗକୁ ହସ୍ତାନ୍ତର କରିବ ନା ନାହିଁ?
ଜମି କେବେ ପଞ୍ଜୀକରଣ ହେଲା?
କମ୍ପାନିର କେଉଁମାନେ ଏବଂ କେବେ ଏସବୁ ପ୍ରକ୍ରିୟାରେ ସାମିଲ ହେଲେ?
ସୁନ୍ଦରଗଡ଼ରେ ଖଣି ଖନନ ବେଳେ ଜଙ୍ଗଲ କାଟ୍ର ଭରଣା ପାଇଁ କମ୍ପାନି ବଲାଙ୍ଗୀରକୁ ହିଁ କାହିଁକି ବାଛିଲା?
ପାହାଡ଼ ପାଦ ଦେଶରେ କେବଳ ଜମି ମିିଳିଲା କେମିତି?
ଏସବୁ ପ୍ରଶ୍ନ ଏବେ ମଧ୍ୟ ଅସମାହିତ ହୋଇ ରହିଛି।
ଯାହାକୁ ନେଇ ବିଭିନ୍ନ ସମୟରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ତେବେ, ଗନ୍ଧମାର୍ଦ୍ଦନରେ କୌଣସି ଖଣି ଖନନକୁ ଅନୁମତି ଦିଆଯିବ ନାହିଁ ବୋଲି ବିଜେପି ବିଧାୟକମାନେ କହିଥିଲେ।
ବିଧାନସଭାର ଅଧିବେଶନ ପରେ ଅଧିବେଶନ ଗଡ଼ିଗଲା।
ସରକାର ଏନେଇ କିଛି ଶ୍ବେତପତ୍ର ଜାରି କରିନାହାନ୍ତି।
ବର୍ତ୍ତମାନ ଯାଏଁ ଅଦାନି କମ୍ପାନି କିଣିଥିବା ଜମିରେ ଗଛ ଲାଗିନାହିଁ।
ଏଣେ ଏମ୍ଓୟୁ ସ୍ବାକ୍ଷର ହୋଇଥିବାରୁ ସ୍ଥାନୀୟ ଲୋକେ ଭିନ୍ନ ମତ ରଖିଛନ୍ତି।
ପୁନର୍ବାର ଖନନ ଆରମ୍ଭ କରିବାର ପ୍ରଥମ ପଦକ୍ଷେପ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
Advertisment Education: ବର୍ଷା କାଦୁଅ ପାଇଁ ଅଧାବାଟରୁ ଫେରିଆସିଲେ ଛାତ୍ରଛାତ୍ରୀ ପ୍ରକାଶ ଯେ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବିସ୍ତୃତ ପ୍ରାୟ ୧୯,୦୦୦ ହେକ୍ଟର ଅଞ୍ଚଳକୁ ୨୦୨୩ ମସିହାରେ ଓଡ଼ିଶା ସରକାର ଜୈବ ବିବିଧତା ଐତିହ୍ୟ କ୍ଷେତ୍ର ଭାବେ ଘୋଷଣା କରିଛନ୍ତି।
ଏଠାରେ ଶତାଧିକ ଔଷଧୀୟ ଉଦ୍ଭିଦ, ସମୃଦ୍ଧ ଜୈବ ବିବିଧତା, ୨୨ଟି ଚିରପ୍ରବାହୀ ଝରଣା ଓ ୫୪ଟି ଋତୁକାଳୀନ ଝରଣାର ଉତ୍ସ ରହିଛି।
ପର୍ବତମାଳା ଭୂତଳ ଜଳକୁ ପୁନଃଭରଣ କରେ।
ବନ୍ୟଜନ୍ତୁଙ୍କୁ ଆଶ୍ରୟ ଦିଏ ଏବଂ ପଶ୍ଚିମ ଓଡ଼ିଶାର ଜଳବାୟୁକୁ ସନ୍ତୁଳିତ ରଖେ।
ସବୁଠାରୁ ବଡ଼ କଥା ହେଉଛି, ଏହି ପର୍ବତ ଉପରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭରଶୀଳ।
୧୯୮୦ ଦଶକରେ ବାଲକୋ ଗନ୍ଧମାର୍ଦ୍ଦନରେ ଖନନ କରିବାକୁ ଚେଷ୍ଟା କରିଥିଲା।
ପ୍ରାୟ ୨୦୦ଟି ଗ୍ରାମର ଲୋକେ ଗନ୍ଧମାର୍ଦ୍ଦନ ଯୁବ ସୁରକ୍ଷା ପରିଷଦ ବ୍ୟାନରରେ ପାଞ୍ଚ ବର୍ଷ ଧରି ଆନ୍ଦୋଳନ କରି ସେହି ପ୍ରୟାସକୁ ବିଫଳ କରିଥିଲେ।
ଆଜି ବି ବରଗଡ଼ ଜିଲ୍ଲା ପାଇକମାଲ ଓ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ଲୋକଙ୍କ ବିରୋଧ ରହିଛି।
ତେବେ ଶିଳ୍ପାୟନ ସହିତ ପ୍ରକୃତିର ଅମୂଲ୍ୟ ସମ୍ପଦକୁ ସୁରକ୍ଷା ଦେବା ସମୟର ଆହ୍ବାନ।
ଗନ୍ଧମାର୍ଦ୍ଦନର ମାଟି ତଳେ ୧୦୫ ମିଲିୟନ୍ ଟନ୍ ବକ୍ସାଇଟ୍ ରହିଛି।
ଗନ୍ଧମାର୍ଦ୍ଦନରେ ଖନନ ସମ୍ଭବ କି ନୁହେଁ ତାହା ବଡ଼ ପ୍ରସଙ୍ଗ ନୁହେଁ; ଜୈବ ବିବିଧତା, ଐତିହ୍ୟ କ୍ଷେତ୍ର ଭାବେ ଏହି ପର୍ବତମାଳାର ଘୋଷଣା ନେଇ ଉଭୟ ଜିଲ୍ଲାବାସୀ ଅନେଇ ରହିଛନ୍ତି।
Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରିପୋର୍ଟ ଦାଖଲ କଲା ଏନ୍ଆଇଏ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।