Permanent faculty: ପ୍ରଶିକ୍ଷଣଠାରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ସବୁ ବନ୍ଦ: କେମିତି ହେବ ଛଉ ନୃତ୍ୟର ବିକାଶ!
"ଭୁବନେଶ୍ବର: ମୟୂରଭଞ୍ଜର ସାମରିକ ଲୋକନୃତ୍ୟ "ଛଉ" ବିଶ୍ବ ଦରବାରରେ ସୁପରିଚିତ।
କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ମଧ୍ୟ ସ୍ଥାନ ପାଇଛି ଛଉ ନୃତ୍ୟ।
ହେଲେ ରାଜ୍ୟରେ ଛଉ ନୃତ୍ୟର ବିକାଶ, ପ୍ରଶିକ୍ଷଣ ଓ ମୌଳିକତା ରକ୍ଷା ପାଇଁ ଯେତିକି କସରତ ହେବା କଥା ତାହା ହେଉନାହିଁ।
ଫଳରେ ଦିନକୁ ଦିନ ଛଉ ନୃତ୍ୟଶିଳ୍ପୀଙ୍କ ସଂଖ୍ୟା କମିବାରେ ଲାଗିଛି।
ମୟୂରଭଞ୍ଜରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦ କରିଥିବା ବେଳେ ଦିନକୁ ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସଂସ୍କୃତି ବିଶ୍ବିବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି।
ରାଜ୍ୟରେ ଛଉ ନୃତ୍ୟର ସ୍ଥିତି ଖରାପ ହେବାରେ ଲାଗିଛି।Advertisment Bhubaneswar DCP: ଭୁବନେଶ୍ବର ଡିସିପି ଜଗମୋହନଙ୍କ ଇସ୍ତଫା; ଚାପ କି ବିମୁଖ ନୁହେଁ, ବ୍ୟକ୍ତିଗତ: ମୀନା ଛଉ ନୃତ୍ୟକୁ ଆଗକୁ ନେବାକୁ ମୟୂରଭଞ୍ଜରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ପ୍ରକଳ୍ପମାନେ ଖୋଲେ।
ହେଲେ ୨୦୨୪ ମସିହାଠାରୁ ଛଉ ପ୍ରଶିକ୍ଷଣ ପ୍ରକଳ୍ପ ବନ୍ଦ ରହିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୬ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିଲା "ପ୍ରୋଜେକ୍ଟ ଛାଉଣୀ"।
ଏହି ପ୍ରୋଜେକ୍ଟ ଅଧୀନରେ ପୁରୁଣା ନୃତ୍ୟର ରେକର୍ଡିଂ ସହ ଛଉ ନୃତ୍ୟକୁ ନେଇ ବହୁ ଦସ୍ତାବିଜକରଣ କରାଗଲା।
ଏଥିରେ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା।
ତେବେ ଏହି ଦସ୍ତାବିଜ କେବେ ବାହାରକୁ ଆସିଲାନାହିଁ ଏବଂ ଛଉ ନୃତ୍ୟର ବିକାଶ, ପ୍ରଚାରପ୍ରସାରରେ ଲାଗିଲା ନାହିଁ।
ପରବର୍ତ୍ତୀ ସମୟରେ ପୁଣି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୨୨ ମସିହାରେ ଆରମ୍ଭ ହେଲା ଛଉ ପ୍ରଶିକ୍ଷଣ।
ଯାହାକି ୨୦୨୪ ମସିହା ପର୍ଯ୍ୟନ୍ତ ଚାଲିଲା।
ଏବେ ୨ ବର୍ଷ ହେଲା ଜିଲ୍ଲାରେ କୌଣସି ଛଉ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉନଥିବାରୁ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେପଟେ ଛଉ ନୃତ୍ୟକୁ ନେଇ ଜୀବିକା ନିର୍ବାହର ସମ୍ଭାବନା ଧୀରେଧୀରେ କ୍ଷୀଣ ହେବାକୁ ଲାଗିଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛଉ ବିଭାଗର ସିଟ୍ ସଂଖ୍ୟା ୩୦% ବି ପୂରଣ ହେଉନାହିଁ।
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏବେ ୩୨ଟି ସିଟ୍ ରହିଥିବା ବେଳେ ପିଲା ପଢ଼ୁଛନ୍ତି ୮ ଜଣ।
ଯାହାକି ୩୦%ରୁ କମ୍।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଛଉ ଶିକ୍ଷା ପାଇଁ ସିଟ୍ ସଂଖ୍ୟା ରହିଛି ୩୨।
ହେଲେ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି ୯ ଜଣ ଏବଂ ଯୁକ୍ତ ୩ରେ ୪୮ଟି ସିଟ୍ରେ ଶିକ୍ଷାଗ୍ରହଣ କରୁଛନ୍ତି ମାତ୍ର ୮ ଜଣ।
ଯେହେତୁ ସଙ୍ଗୀତ ମହାବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବଢ଼ୁନାହିଁ, ତେଣୁ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏହା ବଢ଼ିବା ସମ୍ଭବ ହେଉନାହିଁ।
Environmental Panchayat: ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ଜଙ୍ଗଲ ସୃଷ୍ଟି ପାଇଁ ବିଧାୟକଙ୍କ ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା ସଙ୍ଗୀତ ମହାବିଦ୍ୟାଳୟରେ ଛଉ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ମାସିକ ଷ୍ଟାଇପେଣ୍ଡ୍ ପାଇଛନ୍ତି ୫୦୦ ଟଙ୍କା।
ବିଶେଷ କରି ବାରିପଦା, ମୟୂରଭଞ୍ଜ ଆଦି ଉପାନ୍ତ ଅଞ୍ଚଳରୁ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଆସି ଛଉ ଶିକ୍ଷା ନେଉଥିବା ବେଳେ ମାସିକ ଏତେ କମ୍ ଟଙ୍କା ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେଉନି ବୋଲି ଶିକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସଂସ୍କୃତି ବିଶ୍ବବିଦ୍ୟାଳୟ ଉଭୟରେ ସ୍ଥାୟୀ ନୃତ୍ୟଗୁରୁ ନଥିବା ବେଳେ ଅତିଥି ଅଧ୍ୟାପକରେ କାମ ଚଳୁଛି।
ଛଉ ନୃତ୍ୟର ପ୍ରଚାର ପ୍ରସାରରେ ସବୁଠାରୁ ବଡ଼ ସମସ୍ୟା ହୋଇଛି ଏହି ନୃତ୍ୟର ଶୈଳୀ, ଟେକ୍ନିକ୍ ଓ ମୌଳିକତା ସମ୍ପର୍କରେ ବିଶେଷ ପୁସ୍ତକ ନାହିଁ।
ବିଶିଷ୍ଟ ଛଉ ଗବେଷକ ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କ କିଛି ବହି ଓ ପ୍ରବନ୍ଧକୁ ଅନୁସରଣ କରି ପାଠ ପଢ଼ାଯାଉଛି।
ଯାହାକି ଛଉ ନୃତ୍ୟକୁ ଆଗକୁ ନେବାରେ ପର୍ଯ୍ୟାପ୍ତ ନୁହେଁ।
ଏନେଇ ସଙ୍ଗୀତ ମହାବିଦ୍ୟାଳୟର ଛଉ ନୃତ୍ୟ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ କହିଛନ୍ତି, ଛଉ ନୃତ୍ୟକୁ ନେଇ ରାଜ୍ୟରେ ଯେଉଁ ସବୁ ସୁବିଧା ସୁଯୋଗ ରହିବା କଥା ରହିନାହିଁ।
ଭିତ୍ତିଭୂମିର ବିକାଶ ହେଉନାହିଁ।
ଚାକିରି ତ" ନାହିଁ, ରାଜ୍ୟ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ ପାଇଁ ହାତଗଣତି କିଛି ଛଉ ଗ୍ରୁପ୍କୁ ଚୟନ କରୁଛନ୍ତି।
ଫଳରେ ଛଉନୃତ୍ୟ ପ୍ରତି ଯୁବପିଢ଼ିଙ୍କ ଆବର୍ଷଣ ଧୀରେଧୀରେ କମିବାରେ ଲାଗିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।