Floods Wash Away 3,000 LPG Cylinders: ବନ୍ୟାରେ ଭାସିଗଲା ୩,୦୦୦ ଏଲପିଜି ସିଲିଣ୍ଡର; ଲୋକଙ୍କୁ ଛୁଇଁବାକୁ ବାରଣ କଲେ ଜିଲ୍ଲାପାଳ
ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ଆସିଛି। ବନ୍ୟା ଘେରରେ ଅନେକ ଲୋକ ଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ରାଜ୍ୟର ରାୟଗଡ଼ ଜିଲ୍ଲାରେ ଭାସିଯାଇଛି ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର।
HPCLର ପାତାଳଗଙ୍ଗା ଏଲପିଜି ବଟଲିଂ ପ୍ଲାଣ୍ଟ ଜଳମଗ୍ନ ହୋଇଯିବାରୁ ପ୍ରାୟ ୩,୦୦୦ଏଲପିଜି ସିଲିଣ୍ଡର ବନ୍ୟା ପାଣିରେ ଭାସି ପାତାଳଗଙ୍ଗା ନଦୀକୁ ଚାଲିଯାଇଛି।
ଏହି ଘଟଣା ପରେ ପ୍ରଶାସନ ସତର୍କ ସୂଚନା ଜାରି କରି ଲୋକଙ୍କୁ ନଦୀ କିମ୍ବା ଏହାର ଆଖପାଖରେ ଥିବା କୌଣସି ସିଲିଣ୍ଡରକୁ ନ ଛୁଇଁବାକୁ ଅନୁରୋଧ କରିଛି।
ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲାର ପାନଭେଲ ତାଲୁକା ଅନ୍ତର୍ଗତ MIDC ଚାଭାନେ ଅଞ୍ଚଳର ପ୍ଲଟ୍ ନଂ. E-1/7ରେ ଅବସ୍ଥିତ HPCL ପାତାଳଗଙ୍ଗା ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରବଳ ବର୍ଷାରେ ଜଳମଗ୍ନ ହୋଇଥିଲା। ଏହା ଫଳରେ ଖାଲି ଟାଙ୍କି ସହ ଗ୍ୟାସ ଭର୍ତ୍ତି ହୋଇଥିବା ପ୍ରାୟ ୩,୦୦୦ ସିଲିଣ୍ଡର ବନ୍ୟା ପାଣିରେ ଭାସି ନଦୀକୁ ଚାଲିଯାଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ରାୟଗଡ଼ ଜିଲ୍ଲାପାଳ କିଶନ ଜାୱାଲେ ଲୋକଙ୍କୁ ସତର୍କ କରିଛନ୍ତି। ସେ କହିଛନ୍ତି, ନଦୀ କୂଳରେ କିମ୍ବା ଆଖପାଖରେ ଭାସି ଆସିଥିବା କୌଣସି ଏଲପିଜି ସିଲିଣ୍ଡରକୁ ଉଠାନ୍ତୁ ନାହିଁ କିମ୍ବା ଘରକୁ ନିଅନ୍ତୁ ନାହିଁ।
ଜିଲ୍ଲାପାଳ କହିଛନ୍ତି, "ଭାସିଯାଇଥିବା ସିଲିଣ୍ଡରଗୁଡ଼ିକରେ ଗ୍ୟାସ ଅଛି କି ନାହିଁ କିମ୍ବା ସେଗୁଡ଼ିକ ସୁରକ୍ଷିତ ଅବସ୍ଥାରେ ଅଛି କି ନାହିଁ, ତାହାର କୌଣସି ନିଶ୍ଚିତତା ନାହିଁ। ସେଗୁଡ଼ିକୁ ଉଠାଇବା, ଖୋଲିବା କିମ୍ବା ଘରକୁ ନେଇଯିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।"
ଏଥିସହ ସେ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ଯେ, ନଦୀ କିମ୍ବା ଏହାର ଆଖପାଖରେ କୌଣସି ଏଲପିଜି ସିଲିଣ୍ଡର ଦେଖିଲେ ତୁରନ୍ତ ପ୍ରଶାସନ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଅନ୍ତୁ।
ଏପଟେ ବନ୍ୟା ପାଣିରେ ଭାସିଯାଇଥିବା ସିଲିଣ୍ଡରଗୁଡ଼ିକୁ ଚିହ୍ନଟ ଓ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଚାଲିଛି।
ଦେଖନ୍ତୁ ସିଲିଣ୍ତର ଭାସିଯିବାର ଦୃଶ୍ୟ:-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।