Five Questions For Teen: କିଶୋର ବୟସରେ ପିଲା କାହିଁକି ଦୂରେଇ ଯାଆନ୍ତି? ସମ୍ପର୍କକୁ ମଜବୁତ କରିବ ଏହି ୫ଟି ପ୍ରଶ୍ନ
୧୫ ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରାୟତଃ ଏକାକୀ ଅନୁଭବ କରିବା ଆରମ୍ଭ କରନ୍ତି। ସେମାନେ ନିଜ ସମସ୍ୟାକୁ ବାପାମାଆଙ୍କୁ(Parenting Tips) ପାଖରେ ଲୁଚାଇବାକୁ ଚାହାନ୍ତି। ତେବେ ଏହାର କାରଣ ଏହା ନୁହେଁ ଯେ ସେମାନେ କହିବାକୁ ଚାହାନ୍ତି ନାହିଁ, ବରଂ ଗାଳି ଶୁଣିବା କିମ୍ବା ଭୁଲ୍ ବୁଝାଯିବା ଭୟରେ ନିଜର ସମସ୍ୟାଗୁଡ଼ିକୁ ବାପାମାଆଙ୍କଠାରୁ ଲୁଚାଇ ରଖନ୍ତି। ଏଭଳି କ୍ଷେତ୍ରରେ ବାପାମାଆମାନେ ଉପଦେଶ ଦେବା ପରିବର୍ତ୍ତେ ଜଣେ ଭଲ ଶ୍ରୋତା ଭାବରେ ଭୂମିକା ଗ୍ରହଣ କରିବା ଉଚିତ୍।
ମନସ୍ତତ୍ତ୍ୱ ବିଶେଷଜ୍ଞମାନଙ୍କ ମତରେ, କିଶୋର(Teenagers) ଅବସ୍ଥାରେ (୧୫-୧୮ ବର୍ଷ ବୟସ) ଥିବା ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କ ମାର୍ଗଦର୍ଶନ ଏବଂ ଭାବଗତ ସମର୍ଥନର ସବୁଠାରୁ ଅଧିକ ଆବଶ୍ୟକତା ରହିଥାଏ। କିନ୍ତୁ ପ୍ରଶ୍ନ ହେଉଛି, ଆପଣ ସେମାନଙ୍କ ସହ କଥାବାର୍ତ୍ତା କିପରି ଆରମ୍ଭ କରିବେ? ଯଦି ଆପଣ ନିଜ ପିଲାଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଜଣେ ବନ୍ଧୁର ଭୂମିକା ଗ୍ରହଣ କରନ୍ତୁ ଏବଂ ସେମାନଙ୍କୁ ଏହି ପାଞ୍ଚୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରନ୍ତୁ।
ଆପଣଙ୍କ କିଶୋର ବୟସର ସନ୍ତାନଙ୍କୁ ଏହି ୫ଟି ପ୍ରଶ୍ନ ପଚାରନ୍ତୁ:
- "ଆଜିକାଲି କେଉଁ କଥା ତୁମକୁ ସବୁଠାରୁ ଅଧିକ ଚିନ୍ତା ବା ଚାପ ଦେଉଛି?"
ଏହା କାହିଁକି ପଚାରିବେ: ଏହି ବୟସରେ ପାଠପଢ଼ା, ପ୍ରବେଶିକା ପରୀକ୍ଷା, ନିଜର ଚେହେରା ଏବଂ ସାଙ୍ଗସାଥୀଙ୍କ ଗହଣରେ ନିଜକୁ ଖାପ ଖୁଆଇ ଚଳିବାକୁ ନେଇ ବହୁତ ଚାପ ରହିଥାଏ।
ଲାଭ: ଯେତେବେଳେ ଆପଣ ସିଧାସଳଖ ଚାପ ବିଷୟରେ ପଚାରିବେ, ସେତେବେଳେ ଆପଣଙ୍କ ସନ୍ତାନ ବୁଝିପାରିବେ ଯେ ଆପଣ ତାଙ୍କର ମାନସିକ ସ୍ୱାସ୍ଥ୍ୟ(Mental Health) ଓ ମଙ୍ଗଳକୁ ନେଇ ଚିନ୍ତିତ ଅଛନ୍ତି। ଏହା ସେମାନଙ୍କୁ ମନ ଖୋଲି ନିଜର ଚିନ୍ତାଗୁଡ଼ିକ ଆପଣଙ୍କ ସହ ବାଣ୍ଟିବାକୁ ସାହାଯ୍ୟ କରିବ।
- "ଆମର କୌଣସି କଥା କିମ୍ବା କିଛି ଅଭ୍ୟାସ ତୁମକୁ ବିରକ୍ତ କରୁଛି କି?"
ଏହା କାହିଁକି ପଚାରିବେ: ଏହି ପ୍ରଶ୍ନ ପଚାରିବା ପ୍ରତ୍ୟେକ ବାପାମାଆଙ୍କ ପାଇଁ ସହଜ ନୁହେଁ, କିନ୍ତୁ ଏହା ଆପଣ ଏବଂ ଆପଣଙ୍କ ପିଲାଙ୍କ ମଧ୍ୟରେ ସମ୍ପର୍କକୁ ଯଥେଷ୍ଟ ମଜବୁତ କରିପାରିବ।
ଲାଭ: ଯେତେବେଳେ ଆପଣ ନିଜର ଭୁଲ ବିଷୟରେ ଶୁଣିବାକୁ ପ୍ରସ୍ତୁତ ଥାଆନ୍ତି, ଏହା ପିଲାର ଆପଣଙ୍କ ପ୍ରତି ଥିବା ଭୟକୁ ଦୂର କରେ ଏବଂ ପାରସ୍ପରିକ ବିଶ୍ୱାସକୁ ବୃଦ୍ଧି କରେ।
- "ତୁମ କ୍ୟାରିୟର ବା ବୃତ୍ତିଗତ ଜୀବନ ପାଇଁ ତୁମର ନିଜସ୍ୱ ଯୋଜନା କ’ଣ? ମୁଁ ତୁମକୁ କିପରି ସାହାଯ୍ୟ କରିପାରିବି?"
ଏହା କାହିଁକି ପଚାରିବେ: ଦଶମ ଓ ଦ୍ୱାଦଶ ଶ୍ରେଣୀ ସମୟରେ, ଅଭିଭାବକମାନେ ପ୍ରାୟତଃ ନିଜ ପିଲାଙ୍କ ଉପରେ ନିଜ ପସନ୍ଦର କ୍ୟାରିୟର (ଯେପରିକି ଇଞ୍ଜିନିୟର କିମ୍ବା ଡାକ୍ତର ହେବା ଇତ୍ୟାଦି) ବାଛିବା ପାଇଁ ଚାପ ପକାଇବା ଆରମ୍ଭ କରନ୍ତି।
ଲାଭ: ଏହି ପ୍ରଶ୍ନ ପିଲାଙ୍କୁ ଅନୁଭବ କରାଏ ଯେ ଆପଣ ସେମାନଙ୍କ ସ୍ୱପ୍ନକୁ ଗୁରୁତ୍ୱ ଦିଅନ୍ତି। ଏହା ସେମାନଙ୍କୁ କୌଣସି ଚାପ ବିନା ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଖୋଲାଖୋଲି ଭାବେ କହିବାର ସୁଯୋଗ ଦିଏ।
- "ତୁମ ବନ୍ଧୁମହଲରେ ସବୁକିଛି ଠିକ୍ଠାକ୍ ଚାଲିଛି ତ?"
ଏହା କାହିଁକି ପଚାରିବେ: କିଶୋର ଅବସ୍ଥାରେ ସାଙ୍ଗସାଥୀଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ଏହି ବୟସରେ ଅନ୍ୟକୁ ହଇରାଣ କରିବା (bullying), ନକାରାତ୍ମକ ପ୍ରଭାବ କିମ୍ବା ସମ୍ପର୍କଜନିତ ଚାପ ଭଳି ସମସ୍ୟା ଦେଖାଦେବା ସ୍ୱାଭାବିକ।
ଲାଭ: ବନ୍ଧୁମାନଙ୍କ ବିଷୟରେ କଥାବାର୍ତ୍ତା କରିବା ଦ୍ୱାରା, ଆପଣ ପିଲା ଉପରେ ନଜର ରଖି ପାରିବେ ଏବଂ ଆପଣ ସେମାନଙ୍କ ସାମାଜିକ ପରିବେଶ ବିଷୟରେ ଜାଣିପାରିବେ।
- "ତୁମକୁ କ’ଣ ଲାଗୁଛି ଯେ ଆମେ ତୁମକୁ ଯଥେଷ୍ଟ ସମୟ ଏବଂ ସ୍ୱାଧୀନତା (space) ଦେଉଛୁ?"
ଏହା କାହିଁକି ପଚାରିବେ: ଏହି ବୟସରେ ପିଲାମାନେ ନିଜର ଗୋପନୀୟତା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ବହୁତ ଗୁରୁତ୍ୱ ଦିଅନ୍ତି, ତଥାପି ସେମାନେ ନିଜ ବାପାମାଆଙ୍କ ସାଥ୍ ମଧ୍ୟ ଚାହାଁନ୍ତି।
ଲାଭ: ଏହି ପ୍ରଶ୍ନଟି ଏକ ଉଚିତ୍ ସନ୍ତୁଳନ ବଜାୟ ରଖିଥାଏ। ଏହା ପିଲାଙ୍କ ମନରେ ଏହି ଭାବନା ସୃଷ୍ଟି କରେ ଯେ ଆପଣ ସେମାନଙ୍କ ସ୍ୱାଧୀନତାକୁ ସମ୍ମାନ କରନ୍ତି।
କିଶୋର ବୟସରେ ପିଲାଙ୍କୁ ସବୁବେଳେ ଉପଦେଶ ଦେବାଠାରୁ ଅଧିକ ଜରୁରୀ ହେଉଛି ସେମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା। ସଠିକ୍ ପ୍ରଶ୍ନ ପଚାରିବା ଏବଂ ବିଚାର ନ କରି ସେମାନଙ୍କ ଅନୁଭୂତିକୁ ବୁଝିବା ଦ୍ୱାରା ଅଭିଭାବକ ଓ ସନ୍ତାନଙ୍କ ମଧ୍ୟରେ ବିଶ୍ୱାସ ଓ ଆତ୍ମୀୟତା ଅଧିକ ଦୃଢ଼ ହୋଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।