Heavy to Extremely Heavy Rain Lashes Several Areas: ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ, ସବୁଠୁ ଅଧିକ ଆଠଗଡ଼ରେ

Jul 22, 2026 - 15:23
Heavy to Extremely Heavy Rain Lashes Several Areas: ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ, ସବୁଠୁ ଅଧିକ ଆଠଗଡ଼ରେ

ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବ। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସବୁଠାରୁ ଅଧିକ ବର୍ଷା ହୋଇଛି କଟକ ଜିଲ୍ଲାର ଆଠଗଡ଼ରେ। ସେଠାରେ ୨୦୬ ଦଶମିକ ୬ ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ୧୯୦ ଦଶମିକ ୨ ମିଲିମିଟର ଓ ସୁନ୍ଦରଗଡ଼ର ଗୁରୁଣ୍ଡିଆରେ ୧୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାର ଖଇରାରେ ୧୩୯ ମିଲିମିଟର, ବରଗଡ଼ ଜିଲ୍ଲାର ଭଟଲୀରେ ୧୨୪ ଦଶମିକ ୮ ମିଲିମିଟର, ସୋନପୁର ଜିଲ୍ଲାର ତରଭାରେ ୧୨୪ ଦଶମିକ ୮ ମିଲିମିଟର ଏବଂ ଦେବଗଡ଼ରେ ୧୨୩ ମିଲିମିଟର ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନରେ ଚାଷଜମି ଜଳମଗ୍ନ ହୋଇଛି। 

ଲଗାଣ ବର୍ଷାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ବହୁଛି ପାଣି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି ପୂରା ଘର। ସୋଫାଠାରୁ ଫ୍ରିଜ୍, ଡାଇନିଂ ଟେବୁଲଠାରୁ ବାସନକୁସନ—ସବୁକିଛି ପାଣିରେ ଭାସୁଛି। ଲଘୁଚାପ ଜନିତ ଲଗାଣ ବର୍ଷା ପରେ କାମାକ୍ଷାନଗର ନୂଆ ଆଳତୁମା କରଣସାହିରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି।

ଲୋକଙ୍କ ପାଇଁ ଘର ଏବେ ଜଳବନ୍ଦୀ ପାଲଟିଛି। ଦରକାରୀ ସାମଗ୍ରୀକୁ ଖଟ ଉପରେ ରଖି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନେକ ପରିବାର ଏଭଳି ଜଳବନ୍ଦୀ ଜୀବନ ବିତାଉଥିବାବେଳେ ସ୍ଥାୟୀ ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଲଗାଣ ବର୍ଷାରେ ଉଜୁଡ଼ିଲା ତଳି । ମାଟିରେ ମିଶିଲା ଚାଷୀର ସ୍ୱପ୍ନ। ବାଲେଶ୍ୱର ଜିଲ୍ଲା ଖଇରା, ସିମୁଳିଆ ଓ ସୋର ବ୍ଲକରେ ଲଗାଣ ବର୍ଷା ଚାଷୀଙ୍କ ଆଶା ପାଣିରେ ଭସାଇ ନେଇଛି । ଯେଉଁ ତଳିରୁ ସବୁଜ ଫସଲର ସ୍ୱପ୍ନ ଦେଖିଥିଲେ ସେହି ତଳି ଏବେ ବର୍ଷା ପାଣିରେ ପଚି ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ଫଳରେ ବିହନ ମଧ୍ୟ ପାଣିରେ ବର୍ବାଦ ହୋଇଯାଇଛି।

ତଳି ନଷ୍ଟ ହୋଇଯିବା ପରେ ଏବେ ଚାଷୀଙ୍କ ପାଖରେ ପୁଣିଥରେ ତଳି ପକାଇବାକୁ ବିହନ ନାହିଁ। ଫଳରେ ଚଳିତ ଖରିଫ ଋତୁରେ ଚାଷକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସରକାର ବିହନ ଓ ସାର ଯୋଗାଇଦେଲେ ପୁଣିଥରେ ଚାଷ କାମ ଆରମ୍ଭ କରିପାରିବେ ବୋଲି ଚାଷୀ ଆଶା ରଖିଛନ୍ତି। 

କେନ୍ଦୁଝରରେ ରାସ୍ତା ଉପରେ ପାଣି, ଯାତାୟାତ ଠପ୍ । ପୋଲ ଅଛି... ହେଲେ ପାରି ହେବା ମୁସ୍କିଲ। ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ବହୁଛି ବନ୍ୟାଜଳ। ଫଳରେ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଲଘୁଚାପଜନିତ ଲଗାଣ ବର୍ଷା ପରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ପୋଲଟି ବିପଦପୂର୍ଣ୍ଣ ପାଲଟିଯାଇଛି।

ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଗତ ତିନି ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ସେପଟେ ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାରୁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।