Fish: ଇନ୍ଦ୍ରଦ୍ୟୁମ୍ନରେ ମାଛ ମଡ଼କ: ପରୀକ୍ଷା ପାଇଁ ‘ସିଫା’କୁ ଗଲା ନମୁନା, ସ୍ଥିତି ନିରୀକ୍ଷଣ କଲେ ମତ୍ସ୍ୟ ଅଧିକାରୀ
ପୁରୀ: ଶ୍ବେତଗଙ୍ଗା ପରେ ଇନ୍ଦ୍ରଦ୍ୟୁମ୍ନରେ ମାଛ ମଡ଼କ। ଲକ୍ଷଲକ୍ଷ ପର୍ଯ୍ୟଟକ ବର୍ଷସାରା ଯେଉଁ ପାଣିକୁ ତୀର୍ଥଜଳ ବୋଲି ସିଞ୍ଚି ହେଉଛନ୍ତି, ସ୍ନାନ କରୁଛନ୍ତି ସେ ପାଣି ମାଛଙ୍କ ପାଇଁ ଅସୁରକ୍ଷିତ। ସପ୍ତାହେ ହେଲା ମହାନ୍ତିସାହି କୋଣରେ କିଛି ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ତୀର୍ଥ ଜଳରାଶି ଯେ ପ୍ରଦୂଷିତ, ତାହା ପୁଳାପୁଳା ମାଛ ମରି ଭାସିବା ପରେ ସ୍ପଷ୍ଟ ହୋଇଛି। ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀମାନେ ଯାଇ ମାଛର ନମୁନା ସଂଗ୍ରହ କରି ସିଫା (ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଫ୍ରେସୱାଟର୍ ଆକ୍ବାକଲ୍ଚର)କୁ ପଠାଇଛନ୍ତି। ରିପୋର୍ଟ ଆସିବା ପରେ ମାଛ ମଡ଼କର କାରଣ ସ୍ପଷ୍ଟ ହେବ। ମାଛମାନେ କୌଣସି ରୋଗ ଯୋଗୁଁ ମରୁଛନ୍ତି, ନା ପାଣିର ମାନ ମାଛଙ୍କ ପାଇଁ ବିପଦ ସାଜିଛି, ତାହା ଏବେ ବଡ଼ ପ୍ରଶ୍ନ। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପାରିପାର୍ଶ୍ବିକ ବିକାଶ ହେଲା ସତ, କିନ୍ତୁ ପାଣିର ବିଶୋଧନ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏହି ତୀର୍ଥ ସରୋବରର ପାଣିରେ ନୀଳ ଆସ୍ତରଣ ଜମିଗଲାଣି। କିଛିମାସ ତଳେ ଶ୍ବେତଗଙ୍ଗାରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଶ୍ବେତଗଙ୍ଗା ପୁଷ୍କରିଣୀରେ ଅମ୍ଳଜାନ ପରିମାଣ ହ୍ରାସ ମାଛ ମରିବାର ପ୍ରମୁଖ କାରଣ ବୋଲି ଜଣାପଡ଼ିଥିଲା। ଏହାବ୍ୟତୀତ ପୁଷ୍କରିଣୀର ଜଳରାଶିରେ ନାଇଟ୍ରୋଜେନ୍ ଓ ଡିଜଲ୍ଭ ଫସଫେଟ୍ ଆବଶ୍ୟକତାଠାରୁ ଅଧିକ ରହିଥିବା ସ୍ପଷ୍ଟ ହୋଇଥିଲା।
Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍ ଆମ୍ବାସଡର୍
ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଐତିହ୍ୟ ବହୁ ପ୍ରାଚୀନ। କିଂବଦନ୍ତି ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ସହସ୍ର ଅଶ୍ବମେଧ ଯଜ୍ଞ କରିବା ସମୟରେ ଅସଂଖ୍ୟ ଗୋଦାନ କରିଥିଲେ। ସେଇ ଗୋରୁମାନଙ୍କ ଖୁରା ବାଜି ଗର୍ତ୍ତ ସୃଷ୍ଟି ହୋଇଥିଲା। ଗୋମୂତ୍ର ଦ୍ବାରା ସେଠାରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇଥିଲା। ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, ସ୍ମୃତି ଦର୍ପଣ, ନୀଳାଦ୍ରି ମହୋଦୟ ଆଦି ଗ୍ରନ୍ଥରେ ଇନ୍ଦ୍ରଦ୍ୟୁମ୍ନ ସରୋବରରର ମାହାତ୍ମ୍ୟ ବର୍ଣ୍ଣନା ରହିଛି। ୪୮୫ ଫୁଟ ଦୈର୍ଘ୍ୟ ଓ ୩୯୬ ଫୁଟ ପ୍ରସ୍ଥ ବିଶିଷ୍ଟ ପୁଷ୍କରିଣୀ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ମଧ୍ୟରେ ସର୍ବ ପୁଣ୍ୟପଦ ତୀର୍ଥ ଭାବେ ବିଦିତ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କଲେ ମନୁଷ୍ୟ ସହସ୍ର ଯଜ୍ଞର ଫଳଭାଗୀ ହୁଏ। ପିଣ୍ଡଦାନ କଲେ କୁଳ ଉଦ୍ଧାର ହେବା ସହ ମନୁଷ୍ୟ ବ୍ରହ୍ମଲୋକକୁ ଗମନ କରେ ବୋଲି ଉଲ୍ଲେଖ ରହିଛି। ତୀର୍ଥ ପୁଷ୍କରିଣୀର ମହତ୍ତ୍ବକୁ ଉପଲବ୍ଧି କରି ପାରିପାର୍ଶ୍ବିକ ଉନ୍ନତୀକରଣ କରାଯାଇଛି। ମାତ୍ର ଜଳ ବିଶୋଧନ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ମଧ୍ୟ ପ୍ରତିଦିନ ଶହଶହ ଲୋକେ ଏଥିରେ ସ୍ନାନ କରନ୍ତି। ପ୍ରତିଦିନ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ ଏହି ସରୋବରରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି।
Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର
ଅନ୍ତତଃ ଭକ୍ତ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସରୋବରର ବିଶୋଧନ ଜରୁରି ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ କହିଛନ୍ତି, ସ୍ଥାନୀୟ ବାସିନ୍ଦାଙ୍କଠାରୁ ଖବର ପାଇବା ପରେ ଏଏଫ୍ଓ ପ୍ରଭାତ ମିଶ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ଏଥିସହ ମରିଥିବା ମାଛକୁ ନମୁନା ଭାବେ ସିଫାକୁ ପଠାଯାଇଛି। ସପ୍ତାହେ ମଧ୍ୟରେ ରିପୋର୍ଟ ଆସିବା ପରେ ମାଛ ମରିବାର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
