EPFO: ୩ ଦିନ ଅଚଳ ରହିବ ଇପିଏଫ୍ଓ ପୋର୍ଟାଲ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପୋର୍ଟାଲ ଚଳିତ ମାସ ୨୬ରୁ ୨୮ ପର୍ଯ୍ୟନ୍ତ ତିନି ଦିନ ପାଇଁ ଅଚଳ ରହିବ। ଏହି ସମୟରେ ପୋର୍ଟାଲରେ ନୂଆ ଦାବି ଉପସ୍ଥାପନ କରାଯାଇପାରିବ ନାହିଁ। ସଂଗଠନ ପକ୍ଷରୁ ପୋର୍ଟାଲରେ ପପ୍-ଅପ୍ ମେସେଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ସେବା ପ୍ରଦାନରେ ଉନ୍ନତି ଆଣିବା, ପ୍ରକ୍ରିୟାକରଣ ଦକ୍ଷତା ବଢ଼ାଇବା ଓ ସଦସ୍ୟମାନଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବା ପାଇଁ ଇପିଏଫ୍ଓ ଏହାର ଡାଟାବେସ୍କୁ ସଂଗଠିତ କରୁଥିବା ବେଳେ ଦାବି ପ୍ରକ୍ରିୟାକରଣ ବ୍ୟବସ୍ଥାର ସଫ୍ଟୱେରକୁ ଅପ୍ଗ୍ରେଡ୍ କରୁଛି।
ସେଥିପାଇଁ ଆଲୋଚ୍ୟ ତିନି ଦିନରେ ପୋର୍ଟାଲ୍ ଜରିଆରେ ଦାବି ଦାଖଲ ଓ ପ୍ରକ୍ରିୟାକରଣ ହୋଇପାରିବ ନାହିଁ। ପୂର୍ବରୁ ଦାଖଲ ହୋଇଥିବା ଦାବିର ପ୍ରକ୍ରିୟାକରଣ ପୋର୍ଟାଲ ସ୍ବାଭାବିକ ହେବା ପରେ ଆରମ୍ଭ ହେବ। ଏଥିପାଇଁ ହେବାକୁ ଥିବା ଅସୁବିଧା ପାଇଁ ଇପିଏଫ୍ଓ ଆଗୁଆ କ୍ଷମା ପ୍ରାର୍ଥନା କରିଛି। ଇପିଏଫ୍ଓ ଏହାର ସଦସ୍ୟମାନଙ୍କୁ ୟୁପିଆଇ ଓ ଏଟିଏମ୍ ଜରିଆରେ ପାଣ୍ଠି ଉଠାଣ ସୁବିଧା ପ୍ରଦାନ କରିବା ଉପରେ କାମ କରୁଛି। ଏଟିଏମ୍ରୁ ପାଣ୍ଠି ଉଠାଣର ପରୀକ୍ଷଣ ମଧ୍ୟ ହୋଇସାରିଛି। ଯେକୌଣସି ସମୟରେ ତାହାର ଶୁଭାରମ୍ଭ କରାଯିବ। ଇପିଏଫ୍ଓ ୩.୦ ଅଧୀନ ସେବାରେ ଉନ୍ନତି ଆଣିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ସ୍ବତନ୍ତ୍ର ମାମଲାରେ ୧୦୦ ପ୍ରତିଶତ ଇପିଏଫ୍ ପାଣ୍ଠି ଉଠାଣ ପାଇଁ ମଧ୍ୟ ଅନୁମତି ଦିଆଯିବ। ଚାକିରି ହରାଇବା ପରେ ସଦସ୍ୟମାନେ ୭୫ ପ୍ରତିଶତ ପର୍ଯ୍ୟନ୍ତ ପାଣ୍ଠି ଉଠାଇପାରିବେ।