EPFO: ଅବସର ପରେ ସବୁ ଇପିଏଫ୍ ଟଙ୍କା ଉଠାଇବାକୁ ପଡ଼ିବନି; କିସ୍ତିରେ ଉଠାଇବା ସୁବିଧା ମିଳିବ
ନୂଆଦିଲ୍ଲୀ: ଚାକିରିରୁ ଅବସର ନେବା ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ( ଇପିଏଫ୍ଓ ) ସଦସ୍ୟମାନଙ୍କୁ ପିଏଫ୍ ଖାତାରେ ଥିବା ସବୁ ଟଙ୍କା ଏକାଥରେ ଆଉ ଉଠାଇବାକୁ ପଡ଼ିବ ନାହିଁ। ସେମାନେ ଚାହିଲେ, ନିୟମିତ ବ୍ୟବଧାନରେ ସେହି ଟଙ୍କା ପାଇପାରିବେ।
ନିଜ ଆବଶ୍ୟକତା ଅନୁସାରେ ଖାତାରୁ ଟଙ୍କା ଉଠାଇବେ ଓ ଅବଶିଷ୍ଟ ଟଙ୍କା ଉପରେ ସୁଧ ପାଇପାରିବେ।
ଏହି ଉଠାଣ ସୁବିଧା ଇପିଏଫ୍ ସଦସ୍ୟଙ୍କ ପରିବାରର ଅନ୍ୟ ସଦସ୍ୟ/ହିତାଧିକାରୀଙ୍କୁମ ମଧ୍ୟ ମିଳିପାରିବ।
Advertisment ଏହି ଯୋଜନା ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଏଫ୍ ଜମା ରାଶିକୁ ଅବସର ପରବର୍ତ୍ତୀ ସମୟ ପାଇଁ ଏକ ନିୟମିତ ଆୟ ଉତ୍ସ ଓ ସାମାଜିକ ସୁରକ୍ଷା ପାଣ୍ଠିରେ ପରିଣତ କରିବା।
ଏଥିପାଇଁ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୪୦ତମ ବୈଠକରେ ଇପିଏଫ୍ଓର 'ବ୍ୟବସ୍ଥିତ ଉଠାଣ ଯୋଜନା'କୁ ମଞ୍ଜୁର କରାଯାଇଛି।
ଏହି ଉଠାଣ ଯୋଜନା ଅଧୀନରେ ଇପିଏଫ୍ଓ ସଦସ୍ୟମାନେ ଚାକିରିରୁ ଅବସର ଗ୍ରହଣ କରିବା ପରେ ପିଏଫ୍ ଟଙ୍କାକୁ ନିଜ ସୁବିଧା ଅନୁସାରେ ମାସିକ, ତୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଭିତ୍ତିରେ ଉଠାଇପାରିବେ।
କେଉଁମାନଙ୍କୁ ମିଳିବ ଲାଭ?
ପ୍ରତିଥର ଉଠାଣ ପରେ ଖାତାରେ ଯେତିକି ଟଙ୍କା ରହିବ ତାହା ଉପରେ ସେମାନେ ଆୟ କରିପାରିବେ।
ଏହି ସୁବିଧା ସମ୍ପୂର୍ଣ୍ଣ ରୂପେ ସ୍ବେଚ୍ଛାଧୀନ ରହିଛି।
କୌଣସି ସଦସ୍ୟଙ୍କୁ ସେଥିପାଇଁ ବାଧ୍ୟ କରାଯିବ ନାହିଁ।
ତେଣୁ ଯେଉଁ ସଦସ୍ୟମାନେ ଚାହିବେ ସେମାନେ ଏକାଥରେ ମଧ୍ୟ ଖାତାର ସବୁ ଟଙ୍କା ଉଠାଇପାରିବେ।
୫୫ ବର୍ଷରୁ ଅଧିକ ବୟସର ୬.୩୨ ଲକ୍ଷ ଇପିଏଫ୍ ସଦସ୍ୟ, ଯେଉଁମାନଙ୍କ ଖାତାରେ ୫ ଲକ୍ଷ ଟଙ୍କାରୁ ଅଧିକ ଜମାରାଶି ରହିଛି, ସେମାନେ ଏହି ଯୋଜନାର ଲାଭ ପାଇପାରିବେ।
ଉଠାଣ ଅବଧି ସମୟରେ ସଦସ୍ୟଙ୍କ ଦେହାନ୍ତ ଘଟିଲେ, ନୋମିନି କିମ୍ବା ପରିବାର ସଦସ୍ୟ ଅବଶିଷ୍ଟ ଟଙ୍କା ଉଠାଇପାରିବେ।
EPFO UPI Withdrawal: ଇପିଏଫ୍ଓର ବଡ଼ ଅପଡେଟ୍!
ଏଣିକି ୟୁପିଆଇ ଜରିଆରେ ଉଠାଇପାରିବେ ପିଏଫ୍ ଟଙ୍କା, ଜାଣନ୍ତୁ ନୂଆ ନିୟମ… ସର୍ବନିମ୍ନ ବାଲାନ୍ସକୁ ରାଶିକୁ ୨୫%ରୁ ହ୍ରାସ ଆଜିର ବୈଠକରେ ପିଏଫ୍ ଖାତାର ସର୍ବନିମ୍ନ ବାଲାନ୍ସକୁ ରାଶିକୁ ୨୫%ରୁ ହ୍ରାସ କରି ୧୦% କରାଯାଇଛି ଓ ଚୂଡ଼ାନ୍ତ ପିଏଫ୍ ଟଙ୍କା ଉଠାଣର ପ୍ରତୀକ୍ଷା ସମୟକୁ ୧୨ ମାସରୁ କମାଇ ୨ ମାସକୁ ହ୍ରାସ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।
ସର୍ବନିମ୍ନ ବାଲାନ୍ସ ଆହୁରି ହ୍ରାସ କରାଯାଇଥିବାରୁ ସଦସ୍ୟମାନେ ନିଜ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଯଥା ସନ୍ତାନମାନଙ୍କ ବିବାହ, ପାଠପଢ଼ା ଆଦି ପାଇଁ ଖାତାରୁ ଅଧିକ ପାଣ୍ଠି ଉଠାଇପାରିବେ।
ବୈଠକରେ ଇପିଏଫ୍ର ନିବେଶ ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି।
ଏକ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ଆସୁଥିବା ନୂଆ ପାଣ୍ଠିର ୩% ପର୍ଯ୍ୟନ୍ତ ରାଶିକୁ ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍)ରେ ନିବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଛି।
ତେବେ କେବଳ ସରକାର ସମର୍ଥିତ ସଂସ୍ଥାଗୁଡ଼ିକରେ ସେହି ନିବେଶ କରାଯାଇପାରିବ।
ଇଡିଏଲ୍ଆଇ ସ୍କିମ୍, କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା (ସାଇଟ୍ସ) ୨.୦, ଇପିଏଫ୍ଓର ୨୦୨୬-୨୭ ଓ ୨୦୨୭-୨୮ ବଜେଟ୍ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
