05 JULY 2026

Welcome!

Unlock your personalized experience.
Sign Up

Environment: ପରିବେଶ ସୁରକ୍ଷା ପାଇଁ ବ୍ୟକ୍ତିଗତସ୍ତରରୁ ଉଦ୍ୟମ ଆରମ୍ଭ ହେଉ: ପ୍ରଦ୍ୟୁମ୍ନ

Jul 05, 2026 - 06:39
Environment: ପରିବେଶ ସୁରକ୍ଷା ପାଇଁ ବ୍ୟକ୍ତିଗତସ୍ତରରୁ ଉଦ୍ୟମ ଆରମ୍ଭ ହେଉ: ପ୍ରଦ୍ୟୁମ୍ନ

ଭଞ୍ଜନଗର: ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ମାନବ ସମାଜ ପାଇଁ ଏକ ବଡ଼ ଆହ୍ବାନ୍‌। ପାଣି, ମାଟି, ପବନ ଓ ପୂରା ବାୟୁମଣ୍ଡଳ ଦୂଷିତ ହେଉଛି। ଏହି କ୍ଷତକୁ ଭରଣା  ପାଇଁ ସାମୂହିକ ଉଦ୍ୟମ ଓ ସଚେତନତା ନିତାନ୍ତ ଆବଶ୍ୟକ। ତେବେ ପ୍ରଥମେ ବ୍ୟକ୍ତିଗତସ୍ତରରୁ ଉଦ୍ୟମ ଆରମ୍ଭ ‌ହେଲେ, ଆଗକୁ ପରିବେଶ ସୁରକ୍ଷା ନିଶ୍ଚିତ ଭାବେ ଏକ ବଡ଼ ଅଭିଯାନର ରୂପ ନେଇପାରିବ। ‘ସମ୍ବାଦ’ ପକ୍ଷରୁ ଆଜି ଗଞ୍ଜାମଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। 

Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଭଞ୍ଜନଗରରେ ପରିବେଶ ପଞ୍ଚାୟତ

ଭଞ୍ଜନଗର କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ସମ୍ବାଦ’ର ଏହି ପ୍ରୟାସ ଓ ପରିକଳ୍ପନାକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ ବୋଲି ବିଧାୟକ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଏବେ ମାଆଙ୍କ ନାମରେ ସାରା ଦେଶରେ ଗଛ ରୋପଣ ହେଉଛି। ବିଧାୟକ କହିଥିଲେ, ଗ୍ରାମାଞ୍ଚଳରେ ଛୋଟ ପିଲାଙ୍କୁ ଥଣ୍ଡାହେଲେ ତୁଳସୀପତ୍ର ବାଟି ପିଆଯାଉଥିଲା। ହଜମ ନହେଲେ ଲୋକେ ବେଲପତ୍ର ଖାଇବା ସହ ରକ୍ତ ସଫା ପାଇଁ ଅଶୋକ ଛାଲି ଓ ହୃଦ୍‌ରୋଗରୁ ଉପଶମ ପାଇଁ ଅର୍ଜୁନ ଛାଲି ବ୍ୟବହାର ହେଉଥିଲା। ବର୍ତ୍ତମାନ ପୁଣିଥରେ ସେହି ଦେଶୀ ଚିକିତ୍ସାକୁ ଲୋକେ ଆପଣାଇଲେଣି। ଫଳରେ ଗୋଟିଏ ଗଛ ଆମ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାହା ଏଥିରୁ ପ୍ରମାଣିତ ହେଉଛି। ପରିବେଶକୁ ଆମେ ଯେତେ ଭଲ ପାଇବା ସେ ମଧ୍ୟ ଆମକୁ ସେତିକି ଭଲ ପାଇବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।

Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା

କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୃତ୍ତିବାସ ବିଶ୍ବାଳ ସଭାପତିତ୍ବ ଓ ଶିକ୍ଷାବିତ୍‌ ସନ୍ତୋଷ ଜେନା ସଂଯୋଜନା କରିଥିଲେ। ‘ସମ୍ବାଦ’ ଭଞ୍ଜନଗର ଜିଲ୍ଲା ପ୍ରତିନିଧି ବିଶ୍ବମ୍ବର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅଲୋଷ୍ଟା ରାଜ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ପରିବେଶ ପାଇଁ ଦେଶକୁୁ ୩୩ ପ୍ରତିଶତ ଗଛରେ ପରିପୂର୍ଣ୍ଣ କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼, ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, ପରିବେଶବିତ୍‌ ସୁରେଶ ଚନ୍ଦ୍ର ସ୍ବାଇଁ, ରୋଟାରି କ୍ଲବ୍ ସଭାପତି ରଞ୍ଜିତ କୁମାର ବାରିକ, ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶତପଥୀ ଓ ବିଇଡି କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଅମିତ ମିଶ୍ର ପ୍ରମୁଖ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।