Register: ଚଳନ୍ତିକା: ମନୋକାମନା ରେଜିଷ୍ଟର୍‌

Jul 05, 2026 - 07:19
Register: ଚଳନ୍ତିକା: ମନୋକାମନା ରେଜିଷ୍ଟର୍‌

"ଗୁରୁତର ଅସୁସ୍ଥତା କ"ଣ କେବଳ ଚିକିତ୍ସା ଓ  ଉପଯୁକ୍ତ ଔଷଧ ଦ୍ବାରା ଭଲ ହୋଇପାରେ?

ରୋଗ ଭଲ ହେବା କ୍ଷେତ୍ରରେ ରୋଗୀଙ୍କର ପ୍ରତିବଦ୍ଧତା ଓ ଆତ୍ମବିଶ୍ବାସ କିଛି ଭୂମିକା ତୁଲାଏ ନାହିଁ?

ଔଷଧ ଏବଂ ଉପଚାର ବ୍ୟତିରେକେ ବିଶ୍ବାସ ଓ ସକାରାତ୍ମକ ଭାବନା ତଥା ମାନସିକ ସାମର୍ଥ୍ୟ ମଧ୍ୟ ରୋଗ ଦୂର କରିବାରେ ସହାୟକ ହୁଏ ବୋଲି ରାଜସ୍ଥାନର ଜୟପୁରସ୍ଥିତ "ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ" ମତ ଦେଇଛି।

କେବଳ ମତବ୍ୟକ୍ତ କରିନାହିଁ, ରୋଗୀଙ୍କ ମନୋବଳ ଦୃଢ଼ କରିବା ସହ ସେମାନଙ୍କ ଭିତରେ ସକାରାତ୍ମକତା ଭରି ଦେବା ଲାଗି "ମନୋକାମନା ରେଜିଷ୍ଟର୍‌" ନାମରେ ଅଭିନବ ବ୍ୟବସ୍ଥା ବି ପ୍ରଚଳନ କରିଛି।

ସେଠାରେ ରୋଗୀ ଔଷଧ ଖାଇବା ଓ ଚିକିତ୍ସା ଗ୍ରହଣ କରିବା ସହିତ "ମନୋକାମନା ରେଜିଷ୍ଟର୍‌"ରେ ନିଜ ଆନ୍ତରିକ ଇଚ୍ଛା ଲିପିବଦ୍ଧ କରୁଛନ୍ତି।Advertisment Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଔଷଧ ସେବନ ଓ ପଞ୍ଚକର୍ମ ଉପଚାର ସହିତ ଏ ପ୍ରତିଷ୍ଠାନ ବିଶ୍ବାସ, ସକାରାତ୍ମକ ଭାବନା ଓ ମାନସିକ ସାମର୍ଥ୍ୟ ଆଦିକୁ ମଧ୍ୟ ଚିକିତ୍ସାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗୃହୀତ କରିଛି।

ଚିକିତ୍ସାଳୟ ପରିସରରେ ଥିବା ଭୋମିୟାଜୀ ଓ ପ୍ରଭୁ ଧନ୍ବନ୍ତରୀଙ୍କ ମନ୍ଦିରରେ ପ୍ରାୟ ଦୁଇବର୍ଷ ତଳେ "ମନୋକାମନା ରେଜିଷ୍ଟର୍‌" ନାମ ଦିଆଯାଇ ଏକ ମୋଟା ଖାତା ରଖାଯାଇଥିଲା।

ଏଥିରେ ରୋଗୀମାନଙ୍କୁ ସେମାନଙ୍କର ମନର ଭାବନା ଓ ଇଚ୍ଛା ଲେଖିବାକୁ କୁହାଯାଇଥିଲା।

କ୍ରମେ ଏହା ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ଆଶାର ସଙ୍କେତ ହୋଇପାରିଛି।

ପଞ୍ଚକର୍ମ ବିଭାଗର ମୁଖ୍ୟ ପ୍ରଫେସର୍‌ ଗୋପେଶ ମଙ୍ଗଲ୍‌ କହନ୍ତି, ""ଏ ଅଭିନବ ଉପକ୍ରମ ରୋଗୀଙ୍କୁ କେବଳ ଆବେଗିକ ଓ ମାନସିକ ସାମର୍ଥ୍ୟ ଯୋଗାଉ ନାହିଁ, ସାମଗ୍ରିକ ଚିକିତ୍ସା ପ୍ରକ୍ରିୟାକୁ ଅଧିକ ଫଳପ୍ରସୂ କରୁଛି।

ଏହି ରେଜିଷ୍ଟର୍‌ରେ ରୋଗୀମାନେ ସେମାନଙ୍କ ନିବେଦନ, ଆରୋଗ୍ୟ କାମନା ଓ ସକାରାତ୍ମକ ଅନୁଭୂତି ଲିପିବଦ୍ଧ କରୁଛନ୍ତି।

ଏ ପ୍ରକ୍ରିୟାର ସୁନ୍ଦର ଦିଗଟି ହେଉଛି- ଏହା ଆଦୌ ଏକତରଫା ନିବେଦନ ନୁହେଁ।

ଚିକିତ୍ସା ଦ୍ବାରା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଧ୍ୟ ଏଠାକୁ ପ୍ରତ୍ୟାବର୍ତ୍ତନ କରି ମନସ୍କାମନା ପୂରଣ ହୋଇଛି ବୋଲି କୃତଜ୍ଞତା ଜଣାଉଛନ୍ତି।

ସେକଥା ମନୋକାମନା ରେଜିଷ୍ଟର୍‌ରେ ଲିପିବଦ୍ଧ କରୁଛନ୍ତି।

ପ୍ରାକ୍ତନ ରୋଗୀମାନଙ୍କର ଏତାଦୃଶ ସକାରାତ୍ମକ ଅନୁଭୂତି ନୂଆ ରୋଗୀଙ୍କ ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତି ଉଲ୍ଲେଖନୀୟ ଭାବେ ବୃଦ୍ଧି କରୁଛି।

ତେଣୁ ଚିକିତ୍ସା କେବଳ ଶାରୀରିକ ଅସୁସ୍ଥତାର ଉପଶମ ମଧ୍ୟରେ ସୀମିତ ନୁହେଁ, ମାନସିକ ଓ ଆବେଗିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ସମ ଗୁରୁତ୍ବ ରହିଛି।"" UDAN Scheme: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍‌ଡିଂ ଉଦ୍‌ଘାଟିତ ପ୍ରଫେସର୍‌ ମଙ୍ଗଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରେଜିଷ୍ଟର୍‌ରେ ଅଧିକାଂଶ ରୋଗୀ ଆଶୁ ଆରୋଗ୍ୟ, ରୋଗରୁ ମୁକ୍ତି ଓ ପୂର୍ଣ୍ଣ ସ୍ବାସ୍ଥ୍ୟ କାମନା ଉଲ୍ଲେଖ କରୁଛନ୍ତି।

ଚିକିତ୍ସା ସମୟରେ ସେମାନଙ୍କ ମନୋଭାବ ଉଲ୍ଲେଖ କରି ଅନେକେ ମାନସିକ ଶାନ୍ତି ପାଉଛନ୍ତି।

ଥରେ ପଞ୍ଚକର୍ମ ଚିକିତ୍ସା ଗ୍ରହଣ କରୁଥିବା ଜଣେ ପକ୍ଷାଘାତ ରୋଗୀ କହିଲେ ଯେ ପ୍ରଭୁ ଧନ୍ବନ୍ତରୀଙ୍କ ନାମ ଉଚ୍ଚାରଣ କରିବା ଏବଂ ମନୋଭାବନା ଲେଖିବା ଯୋଗୁଁ ସେ ମାନସିକ ଶାନ୍ତି ଓ ତୃପ୍ତି ପାଉଛନ୍ତି।

ଏହି ବିଶ୍ବାସ ତାଙ୍କ ସୁସ୍ଥତାକୁ ତ୍ବରାନ୍ବିତ କରିଥିଲା।

ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦକୁ ଦୈନିକ ହାରାହାରି ୨୦୦ ରୋଗୀ ଆସୁଛନ୍ତି।

ଏହି ପ୍ରତିଷ୍ଠାନରେ ପ୍ରାୟ ୪୦ ପ୍ରକାର ନୂତନ ଓ ପୁରାତନ ଚିକିତ୍ସା ପଦ୍ଧତି ଉପଲବ୍ଧ।

ଦୀର୍ଘ ଦଶନ୍ଧି ଧରି ରୋଗୀ ଉପଚାର କରୁଥିବା ଅନ୍ୟ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ କେବଳ ଔଷଧ ଓ ଚିକିତ୍ସା ଉପରେ ନିର୍ଭର କରି ରୋଗ ଭଲ ହୁଏନାହିଁ।

ରୋଗୀର ମନୋଭାବ ଯଦି ସକାରାତ୍ମକ ରହେ ଓ ରୋଗରୁ ଆରୋଗ୍ୟ ହେବ ବୋଲି ସେ ବିଶ୍ବାସ ବଜାୟ ରଖେ ତେବେ ଯାଇ ଚିକିତ୍ସା ପ୍ରଭାବ ଅଧିକ କ୍ରିୟାଶୀଳ ହୁଏ।

ଅନ୍ୟପକ୍ଷରେ ପ୍ରଫେସର ମଙ୍ଗଲ୍‌ ଦର୍ଶାଇଛନ୍ତି ଯେ ‌େପ୍ଲସିବୋ ଇଫେକ୍ଟ୍‌ (ଔଷଧ ନ ଥିବା ଔଷଧ) ଓ ସକାରାତ୍ମକ ମନୋଭାବ ଆରୋଗ୍ୟ ପ୍ରକ୍ରିୟା ଦ୍ରୁତତର କରୁଛି ବୋଲି ଆଧୁନିକ ଡାକ୍ତରୀ ବିଜ୍ଞାନ ମଧ୍ୟ ବର୍ତ୍ତମାନ ସ୍ବୀକୃତି ଦେଲାଣି।

ଏହି ବିଜ୍ଞାନସମ୍ମତ ସତ୍ୟ ସହିତ ପ୍ରାଚୀନ ଔଷଧର ସମନ୍ବୟରେ ଗୋଟାଏ ଆଦର୍ଶ ଚିକିତ୍ସା ପଦ୍ଧତି ବିକଶିତ କରିଛି ଏହି ପ୍ରତିଷ୍ଠାନ।

ଏହା ଶାରୀରିକ, ମାନସିକ ଓ ଅାଧ୍ୟାତ୍ମିକ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଫଳପ୍ରଦ ହେଉଛି।

ଏ କ୍ଷେତ୍ରରେ ମନୋକାମନା ରେଜିଷ୍ଟର୍‌ ରୋଗୀମାନଙ୍କ ଆଶା ଓ ବିଶ୍ବାସର ସଜୀବ ସ୍ବାକ୍ଷର ହୋଇ ରହିଛି।

"