Elephant: ଲାଗିଲା ସୌରଚାଳିତ ସାଇରନ୍‌; ହାତୀ ଆସିବା ମାତ୍ରେ ସତର୍କ ହେବେ ଲୋକେ

Jun 26, 2026 - 23:00
Elephant: ଲାଗିଲା ସୌରଚାଳିତ ସାଇରନ୍‌; ହାତୀ ଆସିବା ମାତ୍ରେ ସତର୍କ ହେବେ ଲୋକେ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାରେ ବଢ଼ୁଥିବା ହାତୀ ଉପଦ୍ରବ ଓ ମଣିଷ ହାତୀ ସଂଘର୍ଷକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।

ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳଗୁଡ଼ିକରେ ସୌରଚାଳିତ ସାଇରନ ବ୍ୟବସ୍ଥା ସ୍ଥାପନ କରାଯାଇଥିବା ବେଳେ ହାତୀ ଗ୍ରାମ ମୁହାଁ ହେବାର ସୂଚନା ମିଳିବା ମାତ୍ରେ ସାଇରନ୍‌ ବାଜି ଲୋକଙ୍କୁ ସତର୍କ କରିବ।

Advertisment ଘୁ.ଉଦୟଗିରି ବନାଞ୍ଚଳର ପଦାସାହି, ପୀଡ଼ିକାମାହା ନିକଟରେ ହାତୀ ଚଳାଚଳ କରୁଥିବା ସ୍ଥାନରେ ଏହି ସାଇରନ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି।

ବନ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଅଞ୍ଚଳର ବିଭିନ୍ନ ହାତୀ ପ୍ରବଣ ଅଞ୍ଚଳରେ ପ୍ରାୟ ୬ଟି ସୌରଚାଳିତ ସାଇରନ ସ୍ଥାପନ କରାଯାଇଛି।

ସୂଚନା ଅନୁସାରେ ଲିଙ୍ଗା, ମାଲାନସୁଗା, ପୁକୁଲିଙ୍ଗିଆ, ଗାମୁଲି, ରେଟୁଡି ଓ ପିଡ଼ିକାମାହା ଅଞ୍ଚଳରେ ଏହି ସାଇରନ୍‌ ବ୍ୟବସ୍ଥା କରାଯାଇଛି।

ଏହି ସ୍ଥାନଗୁଡ଼ିକ ହାତୀଙ୍କ ନିୟମିତ ଚଲାପଥ ଓ ଉପଦ୍ରବ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାରୁ ସେଠାରେ ଏହି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି।

ଏହି ସୌରଚାଳିତ ସାଇରନ୍‌ ଯନ୍ତ୍ରରେ ୫ଟି ମୋବାଇଲ ନମ୍ବର ଫିଡ୍ କରାଯାଇଛି।

ଗ୍ରାମବାସୀ କିମ୍ବା ବନ କର୍ମଚାରୀମାନେ ହାତୀ ଆସୁଥିବା ସୂଚନା ପାଇଲେ, ସେହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରରୁ ସାଇରନ ଯନ୍ତ୍ରକୁ ଫୋନ୍ କରିବେ।

ଫୋନ୍ କଲ୍ ପହଞ୍ଚିବା ମାତ୍ରେ ସାଇରନ ଉଚ୍ଚ ଶବ୍ଦରେ ବାଜିବ ଏବଂ ଆଖପାଖର ଲୋକମାନେ ହାତୀର ଉପସ୍ଥିତି ସମ୍ପର୍କରେ ସତର୍କ ହୋଇପାରିବେ।

Elephant: ଚିକିତ୍ସା ପାଇଁ ବନତାରା ଆସିଲା ଅସୁସ୍ଥ ହାତୀ ଏହି ବ୍ୟବସ୍ଥା ଫଳରେ ଗ୍ରାମବାସୀମାନେ ପୂର୍ବରୁ ସଚେତନ ହୋଇ ସୁରକ୍ଷିତ ସ୍ଥାନକୁ ଯାଇପାରିବେ ଓ ହାତୀ ଆକ୍ରମଣ ଜନିତ ଅଘଟଣ, ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତିକୁ ଅନେକାଂଶରେ ରୋକାଯାଇପାରିବ ବୋଲି ବନ ବିଭାଗ ଆଶା ପ୍ରକାଶ କରିଛି।

ହାତୀ ଉପଦ୍ରବରେ ପୀଡ଼ିତ ଅଞ୍ଚଳଗୁଡ଼ିକରେ ଏଭଳି ଆଧୁନିକ ସତର୍କୀକରଣ ବ୍ୟବସ୍ଥାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ବେଳେ ଏହା ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ କମାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

"