ବିମାନ ଦୁର୍ଘଟଣା: ୨ଟି ଦେଶ, ୨ଟି ଦୁର୍ଘଟଣା ଆଉ ୨୫ ଜୀବନ ଶେଷ!
ରବିବାର ଦିନ ବିଶ୍ୱର ଦୁଇଟି ଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର। ଫ୍ରାନ୍ସ ଏବଂ ସାଉଦି ଆରବରେ ଦୁଇଟି ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଭୟଙ୍କର ଦୁର୍ଘଟଣାରେ ମୋଟ ୨୫ ରୁ ଅଧିକ ଲୋକ ନିଜର ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଉଭୟ ଘଟଣାର ତଦନ୍ତ ଜାରି ରହିଛି।
ଫ୍ରାନ୍ସର ଟମ୍ବଲେନ୍ ସହର ନିକଟରେ ସ୍କାଇଡାଇଭରମାନଙ୍କୁ ନେଇ ଯାଉଥିବା ଏକ ବେସାମରିକ ବିମାନ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ସମୟ ସକାଳ ପ୍ରାୟ ୧୧ଟାରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ୍, ୫ ଜଣ ଟ୍ରେନି ସ୍କାଇଡାଇଭର ଏବଂ ୫ ଜଣ ଇନଷ୍ଟ୍ରକ୍ଟର ଥିଲେ।
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ବିମାନରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାର ଆଶଙ୍କା ଦେଖାଦେଇଥିଲା। ଏହାକୁ ନଜରରେ ରଖି ସ୍ଥାନୀୟ ପୋଲିସ ସାଲଭାଡୋର ଆଲେନ୍ଦେ ଷ୍ଟ୍ରିଟ୍ ଆଖପାଖ ଅଞ୍ଚଳକୁ ସିଲ୍ କରିଦେଇଥିଲା ଏବଂ ଲୋକଙ୍କୁ ସେହି ସ୍ଥାନଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଅନ୍ୟପଟେ ସାଉଦି ଆରବର ରାସ୍ ତନୁରା ସହରରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶ୍ୱର ସବୁଠାରୁ ବଡ଼ ତେଲ କମ୍ପାନୀ ‘ସାଉଦି ଆରାମକୋ’ର ଏହି ହେଲିକପ୍ଟରଟି କ୍ରାଶ୍ ହେବା ଫଳରେ ଅତିକମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ସୂତ୍ର ଅନୁଯାୟୀ, ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ସାଉଦି ଆରବର ନାଗରିକ ଥିଲେ।
ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। ଏହି ହେଲିକପ୍ଟରଟି କେଉଁ କାରଣରୁ କ୍ରାଶ୍ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବୈଷୟିକ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି, ଯାହାର ତଦନ୍ତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା କରାଯାଉଛି।