ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ବେତନଟୀରୁ ଆସିଲା ସାଂଘାତିକ ଖବର। ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରବଳ ରକ୍ତସ୍ରାବ ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ସଂଘାତିକ ଘଟଣାରେ ପୋଲିସ ମହିଳାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଗତ ଶୁକ୍ରବାର ସକାଳୁ ଲୁଗା କିଣିବାକୁ କହି ମହିଳା ଜଣକ ଘରୁ ବାହାରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ବିଳମ୍ବିତ ରାତିରେ ପୁରୁଷବନ୍ଧୁ ଜିତେନ୍ଦ୍ର ମହାନ୍ତ ଓରଫ କଟି ପରିବାରକୁ ଫୋନ୍ କରି ମୃତ୍ୟୁ ଖବର ଦେଇଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସେ କହିଥିଲା। ପରେ ବେତନଟୀ ପୋଲିସ ଓ ମହିଳାଙ୍କ ସ୍ୱାମୀ ଡାକ୍ତରଖାନାରେ ପହଞ୍ଚିଥିଲେ। ତଦନ୍ତ ବେଳେ ମହିଳାଙ୍କର ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ତେଣୁ ପୁରୁଷବନ୍ଧୁ ଜିତେନ୍ଦ୍ର ହିଁ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ଜିତେନ୍ଦ୍ର ମହାନ୍ତକୁ ଅଟକ ରଖି ପଚରାଉଚରା କରୁଛି।