ମାଲକାନଗିରିରେ ପୁଣି ମାଓବାଦୀଙ୍କ ବଡ଼ ଅସ୍ତ୍ର ଗୋଦାମ ଠାବ ; ବିପୁଳ ପରିମାଣର ଅସ୍ତ୍ର, ବିସ୍ଫୋରକ ଓ ସାମଗ୍ରୀ ଜବତ
ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ପୁଣି ମାଓବାଦୀଙ୍କ ବଡ଼ ଅସ୍ତ୍ର ଗୋଦାମ ଠାବ। ବିପୁଳ ପରିମାଣର ଅସ୍ତ୍ର, ବିସ୍ଫୋରକ ଓ ସାମଗ୍ରୀ ଜବତ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରବିବାର ସକାଳେ ଡିଭିଏଫ୍ ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଛି। ଏହି ଅଞ୍ଚଳ ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ମୋଟୁଗୁଡେମ ଓ ଡୋଙ୍କରାଇ ଥାନା ସୀମା ସହ ସଂଲଗ୍ନ। ଠାବ ହୋଇଥିବା ଏହି ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ୱାକି-ଟକି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସ୍ଏଲ୍ଆର୍ ରାଇଫଲ୍, ଆମେରିକା ନିର୍ମିତ ୩ଟି ପିସ୍ତଲ, ୩୦୩ ବନ୍ଧୁକ ବ୍ୟାରେଲ୍, ୨ କିଲୋ ଓ ୫ କିଲୋର ୨ଟି ଆଇଇଡି, ଗୋଟିଏ କ୍ଲେମୋର ମାଇନ୍, ୪ଟି ବିଜିଏଲ୍ ସେଲ୍, ୭ଟି ୱାକି-ଟକି, ୪୫ଟି ପେନ୍ଡ୍ରାଇଭ୍, ହାର୍ଡ ଡିସ୍କ, ପାୱାର ବ୍ୟାଙ୍କ, ବ୍ୟାଟେରୀ, ମେଡିସିନ୍ କିଟ୍ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାରର ଉପକରଣ ରହିଛି।