ଦିନେ ଲୋକଙ୍କ ସମସ୍ୟା ବୁଝୁଥିବା ପୂର୍ବତନ ସରପଞ୍ଚ ବଞ୍ଚିବା ପାଇଁ ଚରାଉଛନ୍ତି ଛେଳି

Jul 09, 2026 - 18:07
ଦିନେ ଲୋକଙ୍କ ସମସ୍ୟା ବୁଝୁଥିବା ପୂର୍ବତନ ସରପଞ୍ଚ ବଞ୍ଚିବା ପାଇଁ ଚରାଉଛନ୍ତି ଛେଳି

ଦିନେ ଲୋକଙ୍କ ସମସ୍ୟା ବୁଝୁଥିବା ପୂର୍ବତନ ସରପଞ୍ଚ ବଞ୍ଚିବା ପାଇଁ ଚରାଉଛନ୍ତି ଛେଳି

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସେବାରେ ସରିଗଲା ଜୀବନ । ଏବେ ବଞ୍ଚିବାକୁ ଛେଳି, ମେଣ୍ଢା ଚରାଉଛନ୍ତି ପୂର୍ବତନ ସରପଞ୍ଚ । ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଅର୍ଥ ଉପାର୍ଜନ ସମୟରେ ସେବାକୁ ବ୍ରତ କରି ଆଜି ଅର୍ଥହୀନ । ଜନସେବା କରି ନିଜର ସର୍ବସ୍ବ ହରାଇ ଆଜି ବାର୍ଦ୍ଧକ୍ୟରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଜଟରାପାଳ ଗାଁର ବାହାଦୂର ମୁଣ୍ଡା । ବୟସ ୭୬ ବର୍ଷ । ପେଟର ଜ୍ବାଳା ମେଣ୍ଟାଇବା ପାଇଁ ପରିଣତ ବୟସରେ ଛେଳି ଓ ମେଣ୍ଢା ପଲ ଧରି ଦିନ ତମାମ ଚରାଇବାକୁ ହେଉଛନ୍ତି ବାଧ୍ୟ ।

ବାହାଦୂର ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପଙ୍କପାଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ ବର୍ଷ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ । ଦିନେ ଯେଉଁ ଜନପ୍ରତିନିଧି ସମଗ୍ର ପଞ୍ଚାୟତର ବିକାଶର ମଙ୍ଗ ଧରିଥିଲେ । ଆଜି ପ୍ରଶାସନିକ ଅବହେଳା ଓ ଦାରିଦ୍ର୍ୟର ଚରମସୀମାରେ ତାଙ୍କ ଜୀବନ କାହାଣୀ ଅତି ଶୋଚନୀୟ ହୋଇପଡ଼ିଛି ।

ଦିନଥିଲା ସେ ଲୋକଙ୍କ ସମସ୍ୟା ବୁଝୁଥିଲେ, ହେଲେ ଆଜି ନିଜେ ସମସ୍ୟାରେ । ଭଙ୍ଗା ଦଦରା ନୂଆଁଣିଆ ଚାଳ ଘରେ ବିତୁଛି ଜୀବନ । ବାର୍ଦ୍ଧକ୍ୟ ସମୟରେ ପ୍ରଶାସନ ଆଜି ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି । ଗତ ପ୍ରାୟ ୪୦ ବର୍ଷ ପୂର୍ବେ କଂଗ୍ରେସ ସରକାର ଅମଳରେ ତାଙ୍କୁ ଏକ ସରକାରୀ ଆବାସ ଗୃହ ମିଳିଥିଲା । ବର୍ତ୍ତମାନ ସେହି ଘରଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ । ତେଣୁ ବାଧ୍ୟ ହୋଇ ଏହି ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ତୁରନ୍ତ ବାହାଦୂରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।