ନଦୀରେ କୁମ୍ଭୀର: ଜୀବନକୁ ବାଜି ଲଗାଇ ଲୋକେ କରୁଛନ୍ତି ଜଳଯାତ୍ରା
ନଦୀରେ କୁମ୍ଭୀର: ଜୀବନକୁ ବାଜି ଲଗାଇ ଲୋକେ କରୁଛନ୍ତି ଜଳଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ-ବିଞ୍ଝାରପୁରକୁ ସଂଯୋଗ କରୁଥିବା ବାଳୁଙ୍ଗାପାଟିଆ ନଦୀରେ ଜୀବନକୁ ପାଣି ଛଡ଼ାଇ ଜଳଯାତ୍ରା କରୁଛନ୍ତି ଲୋକେ । ନା ଅଛି ଲାଇଫ୍ ଜ୍ୟାକେଟ, ନା ଅଛନ୍ତି ଲାଇଫ ବୟ । ଡଙ୍ଗାରେ କୌଣସି ସୁରକ୍ଷା ଉପକରଣ ନାହିଁ । ଓଭର ଲୋଡିଂ କଟକଣା ଏଠି କାଗଜକଲମରେ ଚାଲିଛି । ଆଉ ନଦୀର ଶାନ୍ତ ପାଣି ତଳେ, ମୃତ୍ୟୁର ଦୂତ ସାଜି ଅନାଇ ବସିଛନ୍ତି କୁମ୍ଭୀର । ଏମିତି ସ୍ଥିତିରେ କୌଣସି ଅଘଟଣ ଘଟିଲେ, ଯାତ୍ରୀଙ୍କ କ’ଣ ହେବ ଆପଣ ନିଜେ ଚିନ୍ତା କରନ୍ତୁ ।
କୁମ୍ଭୀର ଥିବା ନଦୀରେ ପ୍ରତିଦିନ ହଜାର ହଜାର ଲୋକେ ଜୀବନକୁ ବାଜି ଲଗାଇ ହୁଲି ଡଙ୍ଗାରେ ହେଉଛନ୍ତି ନଦୀ ପାର । କେବଳ ଯାତ୍ରୀ ନୁହଁନ୍ତି ଦୂର ଦୂରାନ୍ତକୁ ଯିବା ପାଇଁ ଗାଡି ମଟର ମଧ୍ୟ ପାର କରାଯାଉଛି । ନଦୀ ଉପରେ ବ୍ରିଜଟିଏ ନାହିଁ । ନଦୀ ଅପର ପାର୍ଶ୍ୱରେ ବିଦ୍ୟାଳୟ ରହିଥିବାରୁ ଛାତ୍ରୀଛାତ୍ର ବାଧ୍ୟ ହୋଇ ଏହି ଡଙ୍ଗାରେ ନଦୀ ପାରହୋଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ।
ପୂର୍ବ ସରକାର ସମୟରେ ବରୀରୁ ବିଂଝାରପୁରକୁ ସୁବିଧାରେ ଯିବା ପାଇଁ ବରୀ-ବିଂଝାରପୁର ରୋଡର ପରି କଳ୍ପନା କରାଯାଇଥିଲା । ଏହାକୁ ଫଳପ୍ରଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନଦୀ ଉପରେ ଏକ ଢଳାଇ ପୋଲର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ସରକାର ବଦଳିବା ପରେ ପୋଲ କାମ ଅଧାରେ ବନ୍ଦ ହୋଇଯାଇଛି । ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ପୋଲ ନିର୍ମାଣ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖରାଦିନେ ଗ୍ରାମବାସୀ ନଦୀ ଉପରେ ଏକ ବାଉଁଶରେ ବାଡ଼ା ନିର୍ମାଣ କରି ଯାତୟାତ କରୁଥିବାବେଳେ ବର୍ଷା ଦିନେ ହୁଲି ଡଙ୍ଗା ଏକମାତ୍ର ଭରସା ।
ଏଠି ପ୍ରଶ୍ନ ଉଠୁଛି, ଡଙ୍ଗା ଚାଳକଙ୍କ ଲାଇସେନ୍ସ ଅଛି କି ନାହିଁ ? ବଡ଼ ଅଘଟଣ ଘଟିଲେ ଦାୟୀ ରହିବ କିଏ ? ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।