ତାମିଲନାଡୁରେ ଗୋହତ୍ୟା ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ନାହିଁ! ହାଇକୋର୍ଟଙ୍କ ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଥିବା ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସୋମବାର (୧୩ ଜୁଲାଇ) ରୋକ ଲଗାଇଛନ୍ତି। ରାଜ୍ୟ ସରକାର ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟର ନିୟମାବଳୀକୁ ଦର୍ଶାଇ ସରକାର କହିଥିଲେ ଯେ, ୧୦ ବର୍ଷରୁ ଅଧିକ ବୟସର ଗୋବଂଶ ହତ୍ୟା ଉପରେ ଆଇନଗତ ପ୍ରତିବନ୍ଧକ ନାହିଁ। ମାତ୍ର ହାଇକୋର୍ଟ ଏହା ବାହାରକୁ ଯାଇ ନିର୍ଦ୍ଦେଶ ଜାରି କରିଦେଇଛନ୍ତି।
‘ବାର୍ ଆଣ୍ଡ ବେଞ୍ଚ’ର ରିପୋର୍ଟ ଅନୁଯାୟୀ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଗଠିତ ପୀଠ ତାମିଲନାଡୁ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିଷ୍ପତ୍ତିର ପ୍ରଭାବ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ ତାମିଲନାଡୁ ସରକାର କ’ଣ ଯୁକ୍ତି ବାଢ଼ିଥିଲେ?
ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ମୂଳ ଆବେଦନଟି କେବଳ ବକ୍ରିଦ୍ ଅବସରରେ ବୈଧ କସେଇଖାନା (ବୁଚଡ଼ଖାନା) ବାହାରେ ଗାଈ ଏବଂ ବାଛୁରୀମାନଙ୍କର କଥିତ ବଳିଦାନ ସମସ୍ୟା ମଧ୍ୟରେ ସୀମିତ ଥିଲା। ସରକାରଙ୍କ କହିବା କଥା ଯେ, ମାଡ୍ରାସ ହାଇକୋର୍ଟଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରୁ ଆଗକୁ ବଢ଼ି ସମଗ୍ର ରାଜ୍ୟରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆବେଦନର ପରିସର ବାହାରେ ଏବଂ ଆଇନ ଅନୁଯାୟୀ ଠିକ୍ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟ ମେ ୨୭ରେ ଦେଇଥିବା ନିଜ ନିର୍ଦ୍ଦେଶରେ ସମ୍ବିଧାନର ଅନୁଚ୍ଛେଦ ୪୮ ଏବଂ ୧୯୭୬ରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗୋହତ୍ୟା ନିଷେଧ ସମ୍ବନ୍ଧୀୟ ଆଦେଶକୁ ଦର୍ଶାଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ବକ୍ରିଦ୍ ସହିତ କୌଣସି ବି ଦିନ ଯେପରି ଗାଈ ଏବଂ ବାଛୁରୀ ହତ୍ୟା ନ ହୁଏ।
ସୁପ୍ରିମକୋର୍ଟଙ୍କ ଏହି ସଦ୍ୟ ନିର୍ଦ୍ଦେଶ ପରେ ବର୍ତ୍ତମାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥିର କରିବେ ଯେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଇନ ଏବଂ ସମ୍ବିଧାନ ଅନୁଯାୟୀ ଠିକ୍ ଥିଲା କି ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।