ସରିଲା ଧାନ କିଣା ପ୍ରକ୍ରିୟା, ସରିଲାନି ମଣ୍ଡି ଯନ୍ତ୍ରଣା
ସରିଲା ଧାନ କିଣା ପ୍ରକ୍ରିୟା, ସରିଲାନି ମଣ୍ଡି ଯନ୍ତ୍ରଣା
ନନ୍ଦିଘୋଷ ବ୍ୟୁରୋ: ସରୁନି ଚାଷୀଙ୍କ ମଣ୍ଡି ଯନ୍ତ୍ରଣା । ଖୋଲା ଆକାଶ ତଳେ ପଡ଼ି ରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ବସ୍ତା । ବର୍ଷାରେ ଭିଜି ହୋଇଗଲାଣି ଗଜା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲାମଣ୍ଡିରେ ସୁଧୁରୁନି ମଣ୍ଡି ସମସ୍ୟା । ଧାନ କିଣା ପ୍ରକ୍ରିୟା ବି ସରିଲା, ହେଲେ ମଣ୍ଡିରୁ ଉଠିଲାନି ଧାନ । ଜରିପାଲ ସାଜିଛି ଏକମାତ୍ର ଭରସା । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇଥିବା ଚାଷୀ ଏବେ ଚିନ୍ତାରେ । ଗୁଜୁରାଣ ମେଣ୍ଟାଇବାକୁ ଆଶା ରଖିଥିବା ଚାଷୀ ମିଲର୍ସ ଓ ଏଜେଣ୍ଟର ଶୋଷଣର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛି ।
ଚଳିତ ରବି ଋତୁ ପାଇଁ ମେ’ ୨୦ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁନ ୩୦ତାରିଖରେ ଶେଷ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବଢ଼ାଇ ଯୁଦ୍ଧକାଳୀନ ଭିତ୍ତିରେ ଧାନ କ୍ରୟ କରିଦେଲେ । କିନ୍ତୁ ଆଜି ବି ଅନେକ ଚାଷୀଙ୍କ ଧାନ ପଡିରହିଛି l ବିଶେଷ କରି ଧର୍ମଗଡ ଉପଖଣ୍ଡର ବୋଡେ଼ନ ମଣ୍ଡିରେ ୧୭୫ ଜଣ ଚାଷୀଙ୍କ ୭ ହଜାର ୮୪୩ କୁଇଣ୍ଟାଲ ଓ ପର୍ଲା ମଣ୍ଡିରେ ୪୦ ଜଣ ଚାଷୀଙ୍କ ହଜାରେ ୯ ଶହ କୁଇଣ୍ଟାଲ ଧାନ ପଡିରହିଛି । ସେପଟେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଓ କୌଣସି ଚାଷୀଙ୍କଠାରୁ ଟଙ୍କା ନେଉ ନଥିବା କ୍ରୟ ଅଧିକାରୀ କହିଛନ୍ତି ।
ରବି ଯାଇ ଖରିଫ ଋତୁ ଆସିଥିବା ବେଳେ ଅନେକ ଚାଷୀଙ୍କ ଧାନ ଏବେ ବି ବିକ୍ରି ନ ହୋଇ ମଣ୍ଡିରେ ପଡିରହିଛି l କେବେ ଚାଷୀଙ୍କ ଦୁଃଖ ଶୁଣିବେ ସରକାର ? ନା ଚାଷୀ ଶୋଷଣର ଶିକାର ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।