Ekalabya Puraskar: ୩୪ତମ ଏକଲବ୍ୟ ପୁରସ୍କାର: ସୁନେଲିତା ଟପ୍ପୋ ବିଜେତା
ଭୁବନେଶ୍ୱର: ଓଡ଼ିଶାର ଅସାଧାରଣ କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଦେଇ ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପ୍ରତିଷ୍ଠିତ ୩୪ତମ ଏକଲବ୍ୟ ପୁରସ୍କାର ୨୦୨୬ ପାଇଁ ମନୋନୀତ କରାଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଜୁରୀ ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଦ୍ୱାରା ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ ) ଦ୍ୱାରା ପ୍ରତିଷ୍ଠିତ ଏବଂ ଭାରତର ସର୍ବବୃହତ ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନି ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।
ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ସୁନେଲିତା ଟପ୍ପୋ କ୍ରୀଡ଼ାରେ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ଏହି ସ୍ୱୀକୃତି ଲାଭ କରିଛନ୍ତି। ଏହି ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କାର ନଗଦ ସାହାଯ୍ୟ ସହ ଏକ ଟ୍ରଫି ପ୍ରଦାନ କରାଯିବ, ଯାହା ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ପ୍ରଦାନ କରାଯିବ।
ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର: ବାପି ଓ ଜ୍ୟୋସ୍ନା ଉପବିଜେତା
ଏହାବ୍ୟତୀତ ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶସ୍ତିପତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ଉପବିଜେତାଙ୍କୁ ସମାରୋହରେ ମାନପତ୍ର ସହ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ।
ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରି ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ତଥା ' ଇମ୍ପାକ୍ଟ' ର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାରେ ଅପାର କ୍ରୀଡ଼ା ସମ୍ଭାବନା ରହିଛି ଏବଂ ଯୁବ ଆଥଲେଟ୍ମାନେ ସେମାନଙ୍କର ପ୍ରାପ୍ୟ ସ୍ୱୀକୃତି ଓ ପ୍ରୋତ୍ସାହନ ପାଇବା ଅତ୍ୟନ୍ତ ଜରୁରୀ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକଲବ୍ୟ ପୁରସ୍କାର ଅସାଧାରଣ ପ୍ରତିଭାକୁ ସେଲିବ୍ରେଟ୍ କରିଆସୁଛି ଏବଂ ଆଶାୟୀ କ୍ରୀଡ଼ାବିତ୍ମାନଙ୍କୁ ଉଚ୍ଚ ଆଶା ରଖିବାକୁ ଅନୁପ୍ରାଣିତ କରିଆସୁଛି। ଏହି ପଦକ୍ଷେପ ମାଧ୍ୟମରେ ଆମେ ସେମାନଙ୍କ ସଫଳତାକୁ ସ୍ୱୀକୃତି ଦେବା ଏବଂ ଆଗାମୀ ପିଢ଼ିକୁ ରାଜ୍ୟ ପାଇଁ ଅଧିକ କ୍ରୀଡ଼ା ଗୌରବ ଆଣିବାକୁ ଉତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଚୟନ କମିଟି ବୈଠକର କାର୍ଯ୍ୟଧାରାକୁ ଏକଲବ୍ୟ ପୁରସ୍କାର କମିଟିର ଆବାହକ ଅଶ୍ୱିନୀ ପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
