Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

Aug 20, 2026 - 00:45
Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

"ବୈଶିଙ୍ଗା (ଦୀପକ କୁମାର ସିଂହ): ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଅଭାବ ଓ ଶିକ୍ଷକଙ୍କ ଅନିୟମିତତାକୁ ନେଇ ପୁଣି ସାମ୍ନାକୁ ଆସିଛି ଗୁରୁତର ଅଭିଯୋଗ।

ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଗଡଦେଉଳିଆ ପଞ୍ଚାୟତର ଭାନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ଦୁଇଜଣ ଶିକ୍ଷକ।

ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଭାବକ ଓ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।Advertisment ବିଦ୍ୟାଳୟରେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଜଣେ ବହୁଭାଷୀ ଶିକ୍ଷା (ଏମଏଲଇ) ଶିକ୍ଷକ ରହିଛନ୍ତି।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ସରକାରୀ ଓ ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ୁଥିବାରୁ ନିୟମିତ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି।

ଅନ୍ୟପଟେ ଏମଏଲଇ ଶିକ୍ଷକଙ୍କ ବିରୋଧରେ ମଧ୍ୟ ଅନିୟମିତ ଉପସ୍ଥାନ ଓ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସିବା ଭଳି ଗୁରୁତର ଅଭିଯୋଗ ଉଠିଛି।

ଅଭିଭାବକଙ୍କ କହିବା ଅନୁସାରେ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ପାଠପଢ଼ାଇବାରେ ସମ୍ପୂର୍ଣ୍ଣ ସମୟ ଦେଇପାରୁନଥିବା ଓ ଅନ୍ୟଜଣଙ୍କ ଉପସ୍ଥାନକୁ ନେଇ ପ୍ରଶ୍ନ ଉଠୁଥିବାରୁ ୭୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଶିକ୍ଷାଦାନ ଏକପ୍ରକାର ଅସୁବିଧାରେ ପଡ଼ିଛି।

ଏପରିକି ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକାଠି କରି ଗୋଟିଏ କୋଠରୀରେ ପାଠ ପଢ଼ାଇବାକୁ ପଡ଼ୁଥିବାରୁ ଶିକ୍ଷାର ଗୁଣାତ୍ମକମାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ବିଦ୍ୟାଳୟରେ ଶିକ୍ଷକ ଅଭାବ: ଧାରଣା ଦେଲେ ଗ୍ରାମବାସୀ ଓ ଅଭିଭାବକ ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ କିଛିଦିନ ପୂର୍ବରୁ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରି ଶୀଘ୍ର ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ସହ ଅନିୟମିତତାର ତଦନ୍ତ ପାଇଁ ଦାବି କରାଯାଇଛି।

ଏନେଇ ବେତନଟୀ ବିଇଓ ବିପ୍ଳବ କର କହିଛନ୍ତି ଯେ, ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯିବ।

ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଭାନୁପୁର ବିଦ୍ୟାଳୟରେ ଆବଶ୍ୟକ ଅନ୍ୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରୟାସ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media