Education: ନବରଂଗପୁର ଜିଲ୍ଲାର ୫୪ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବି ଖାଲି
ନବରଙ୍ଗପୁର (ସୁରେଶ ନାଇଡୁ): ବାଟବଣା ହୋଇ ପଡ଼ିଛି ନବରଂଗପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା। କେଉଁଠି ଅନୁସଙ୍ଗିକ ଭିତ୍ତିଭୁମି ନାହିଁ ତ ଆଉ କେଉଁଟି ଶିକ୍ଷକ ଅଭାବ। ଜିଲ୍ଲାରେ ଦୀର୍ଘ ଦିନ ହେବ ଖାଲି ପଡିଥିବା ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ଗଣିତ, ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଂରାଜୀ ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ନାହାନ୍ତି ଶିକ୍ଷକ। ଏମାନଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ମାର୍ଗଦର୍ଶନ ଦେବାକୁ ଥିବା ବିଇଓ ଓ ଏବିଇଓ ପଦବି ବି ଖାଲି ପଡିଛି।
ଜିଲ୍ଲାରେ ଶିକ୍ଷାବିଭାଗ ଅଧିନରେ ଥିବା ୧୩୫ଟି ହାଇସ୍କୁଲରେ ୨୫ଜଣ ପ୍ରଧାନଶିକ୍ଷକ ରହିଥିବା ବେଳେ ଗତ କିଛି ମାସ ମଧ୍ୟରେ ୪ଜଣ ଅବସର ନେଇଛନ୍ତି। ୧୧୪ଟି ସ୍କୁଲରେ ପ୍ରଧାନଶିକ୍ଷକ ଖାଲି ରହିଥିବା ବେଳେ ଏହାରି ମଧ୍ୟରେ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରୁ ୬୧ଜଣ ବରିଷ୍ଠ ସହାୟକ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦନ୍ନୋତି ଦେଇଥିଲେ। ଏଥିରୁ ଜଣେ ସୋନପୁର ଜିଲ୍ଲାକୁ ବଦଳି ହୋଇଯିବା ପରେ ୬୦ଜଣ ସହକାରୀ ଶିକ୍ଷକ ପ୍ରଧାନଶିକ୍ଷକ ପଦନ୍ନୋତି ପାଇବା ପରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଯୋଗ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Farewell: ପ୍ରଧାନଶିକ୍ଷକଙ୍କ ଅବସରରେ ୬କିମି ଶୋଭାଯାତ୍ରା, ଶୁଭେଚ୍ଛା ଜଣାଇଲେ ୮୦୦ ପୁରାତନ ଛାତ୍ର
ଏବେ ଜିଲ୍ଲାରେ ୮୧ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବି ପୂରଣ ହୋଇଛି। ୫୪ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବି ଖାଲି ପଡିଥିବାରୁ ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ ଥିବା ହାଇସ୍କୁଲ ଗୁଡିକରେ ୧୦୩୬ସହକାରୀ ଶିକ୍ଷକଙ୍କ ମଧ୍ୟରୁ ୭୯୫ ଜଣ ରହିଥିଲେ। ଏମାନଙ୍କ ମଧ୍ୟରୁ ୬୧ଜଣ ପଦନ୍ନୋତି ପାଇଥିଲେ। ଏବେ ଏହି ୬୧ଟି ପଦବି ବି ଖାଲି ପଡିଛି। ଏଭଳି ଜିଲ୍ଲାରେ ୩୦୨ଟି ପଦବି ଖାଲି ପଡିଥିବା ସୂଚନା ମିଳିଛି।
ପୁରାତନ ସ୍କୁଲରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ
ଜିଲ୍ଲାର ପ୍ରମୁଖ ଦୁଇଟି ହାଇସ୍କୁଲ ନବରଙ୍ଗପୁରର ପିଏମଶ୍ରୀ ଆରସିଡି ନୋଡାଲ ହାଇସ୍କୁଲ ଓ ଉମରକୋଟ ସଦାଶିବ ସୁକୁମାର ହାଇସ୍କୁଲରେ ଓଇଏସ୍ -୨ମାନେ ପ୍ରଧାନଶିକ୍ଷକ ଦାୟିତ୍ବରେ ରହିବେ। ଉମରକୋଟ ହାଇସ୍କୁଲରେ ଓଇଏସ୍ -୨ ପ୍ରଧାନଶିକ୍ଷକ ଦାୟିତ୍ବରେ ରହିଛନ୍ତି। ତେବେ ଜିଲ୍ଲା ସଦରମହକୁମାର ଗୁରୁତ୍ବପୂର୍ଣ୍ଣ ସର୍ବପୁରାତନ ହାଇସ୍କୁଲରେ ଓଇଏସ-୨ ବରିଷ୍ଠ ପ୍ରଧାନଶିକ୍ଷକ ନଥିବାରୁ ସହକାରୀ ଶିକ୍ଷକ ଶିବପ୍ରସାଦ ପାଣିଗ୍ରାହୀ ଭାରପ୍ରାପ୍ତ ଭାବେ ସମ୍ଭାଳିଛନ୍ତି। ଅପରପକ୍ଷରେ ଜିଲ୍ଲାର ଶିକ୍ଷାର ମଙ୍ଗ ସମ୍ଭାଳୁଥିବା ଡିଇଓ, ୩ଏଡିଇଓଙ୍କ ପରେ ରହିଥିବା ବିଇଓ ଓ ଏବିଇଓ ପଦବି ବି ଖାଲି ପଡିଛି। ୧୦ଟି ବ୍ଲକରେ ୧୦ଜଣ ଓଇଏସ-୨ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ସ୍ଥାନରେ ତିନି ଜଣ ରହିଛନ୍ତି। ଡାବୁଗାଁରେ ରଶ୍ମିତା ନେତମ, ତେନ୍ତୁଳିଖୁଣ୍ଟିରେ ସୁଦୀପ୍ତ ଦାଶ ଓ ଉମରକୋଟରେ ଇଶ୍ବର ମାଝୀ ରହିଛନ୍ତି। ନବରଙ୍ଗପୁରର ବିଇଓ ଶ୍ରୀକାନ୍ତ ଜାନୀ ଏଡିଇଓ ଭାବେ ପଦନ୍ନୋତି ପାଇବା ପରେ ଜିଲ୍ଲାସଦରମହକୁମା ବିଇଓ ପଦବୀ ଖାଲି ପଡିଛି। ଏହାରି ମଧ୍ୟରେ ଓଇଏସ-୨ ପ୍ରଧାନଶିକ୍ଷକଙ୍କୁ ବିଇଓ ଭାବେ ପଦନ୍ନୋତି ଓ ବଦଳି ହୋଇଥିଲା। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ୩ଜଣଙ୍କୁ ପୋଷ୍ଟିଂ ହୋଇଥିବା ବେଳେ ଏଯାଏଁ ଜଣେ ବି ଯୋଗଦେଇନାନ୍ତି।
କେବେ ପୂରଣ ହେବ ବିଇଓ ପଦ?
ନବରଂଗପୁର ଜିଲ୍ଲାର ୧୦ ବ୍ଲକରେ ୩ଜଣ ଲେଖାଏଁ ଏଭଳି ୩୦ଜଣ ଏବିଇଓଙ୍କ ସ୍ଥାନରେ ୧୯ଜଣ ରହିଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ। ଖାଲି ପଡିଥିବା ପଦବି ପୂରଣ କରିବା ପାଇଁ ସେ ବାରମ୍ବାର ଚିଠି ଦେଇ ଆସୁଥିବା ବେଳେ ରାଜ୍ୟରେ ୨୪୭୯ଟି ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦନ୍ନୋତି ଦିଆଯାଇଥିବାବେଳେ ନବରଙ୍ଗପୁର ଜିଲ୍ଲା ଭାଗରେ ୬୧ଜଣ ମିଳିଛି। ଶିକ୍ଷାମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଶିକ୍ଷାବ୍ୟବସ୍ଥାକୁ ସଜାଡିବାକୁ ଥିବା ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ପଦବି ଶତପ୍ରତିଶତ କେବେ ପୂରଣ ହେବ ତାହା ସମୟ କହିବ।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।