Editorial: ସିସେରୋ, ସତ ଲାଗନ୍ତି ନାହିଁ କି?: ଗୋଧନେଶ୍ବର ହୋତାଙ୍କ ସମ୍ପାଦକୀୟରେ ପଢ଼ନ୍ତୁ ଏଥର...
ସିସେରୋ, ସତ ଲାଗନ୍ତି ନାହିଁ କି?
ଗୋଧନେଶ୍ବର ହୋତା
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଇନ୍ ଲାଗାର୍ଡେ ଥରେ କହିଥିଲେ ଯେ, ପୃଥିବୀରେ ତିନି ପ୍ରକାରର ଦେଶ ରହିଛନ୍ତି। କିଛି ଦେଶ ବିକଶିତ ହେଉଛନ୍ତି, କିଛି ଦେଶ ବିକଶିତ ହୋଇପାରୁନାହାନ୍ତି ଓ ତୃତୀୟରେ କିଛି ଦେଶ ବିକଶିତ ହେବାକୁ ପ୍ରୟାସ କରୁନାହାନ୍ତି। ଆମ ଦେଶ ଏପରି ଏକ ଦେଶ ଯେଉଁଠାରେ ଏହି ତିନିଟି ଯାକ ଉପାଦାନ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ପରିଲକ୍ଷିତ ହେଉଛି। ଦେଶର କେତୋଟି ଅଞ୍ଚଳ ବିକଶିତ ହୋଇଛି ତ ଆଉ କେତୋଟି ଅଞ୍ଚଳରେ ପ୍ରଗତି ହୋଇପାରୁନାହିଁ ତଥା ଏପରି କେତେକ ଅଞ୍ଚଳ ରହିଛି, ଯେଉଁଠାରେ ବିକାଶ ପାଇଁ ପ୍ରୟାସ ମଧ୍ୟ କରାଯାଉନାହିଁ। ଯଦି ସାଧାରଣ ଭାବେ ଆମ ଦେଶର କଥା କହିବାକୁ ଚେଷ୍ଟା କରାଯାଏ, ତେବେ ଜର୍ଜ ବର୍ଣ୍ଣାଡ ସ’ ସ୍ମରଣକୁ ଆସିବେ। ଜର୍ଜ ବର୍ଣ୍ଣାଡ ସ’ ଥରେ ସେକ୍ସପିଅରଙ୍କ ଏକ ନାଟକ ଦେଖିବାକୁ ଯାଇଥିଲେ। ନାଟକ ସରିବା ପରେ, ତାଙ୍କୁ ପଚରାଗଲା, ନାଟକଟି କିପରି ଲାଗିଲା? ଉତ୍ତରରେ ସେ କହିଥିଲେ, ‘ଏହା ଏକ ଏକ ଉତ୍କୃଷ୍ଟ ନାଟକ, କିନ୍ତୁ ଦର୍ଶକମାନେ ନାଟକଟିକୁ ନଷ୍ଟ କରିଦେଲେ।’ ସେହି ଅନୁସାରେ ଆମେ ଯଦି ଆମ ଦେଶ କଥା କହିବା, ତେବେ କହି ହେବ ଯେ ଆମ ଦେଶ ଏକ ମହାନ ଦେଶ, କିନ୍ତୁ ଦେଶର କିଛି ଲୋକ ଏହି ମହାନତାକୁ ନଷ୍ଟ କରିଦେଉଛନ୍ତି।
ବିଶ୍ୱ ସ୍ରଷ୍ଟା ବ୍ରହ୍ମାଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ରହିଛି। ଥରେ ଭାରତ ଛଡ଼ା, ବିଶ୍ୱର ଅନ୍ୟାନ୍ୟ ସବୁ ଦେଶର ଲୋକେ ଯାଇ ବ୍ରହ୍ମାଙ୍କ ନିକଟରେ ଅଭିଯୋଗ କଲେ ଯେ ସେ ଭାତରକୁ ସବୁ ପ୍ରକାରର ପ୍ରାକୃତିକ ସମ୍ପଦ ଦେଇଦେଲେ। ସେଠାରେ ଦୀର୍ଘ ଚିରସ୍ରୋତା ନଦନଦୀ ଦେଲେ, ଆକାଶକୁ ଛୁଉଁଥିବା ପାହାଡ଼ ପର୍ବତ ଦେଲେ, ଗଭୀରତମ ସାଗର ଦେଲେ ଓ ଅଗନା ଅଗନି ବନସ୍ତ ତଥା ଖଣିଖାଦାନ ଦେଲେ; ଯାହା ଫଳରେ ଭାରତରେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ରହିଲା। କିନ୍ତୁ ଅନ୍ୟ ଦେଶଗୁଡ଼ିକୁ ତାହା ଦେଲେ ନାହିଁ। ଏହା ଅନ୍ୟାୟ। ବ୍ରହ୍ମା ଇଷଦ୍ ହସି କହିଲେ, “ତମେ ସବୁ ସତ କହୁଛ। କିନ୍ତୁ ସନ୍ତୁଳନ ରକ୍ଷା କରିବା ପାଇଁ ତମେ ଦେଖୁନ ଭାରତରେ ମୁଁ କିଭଳି ଲୋକଙ୍କୁ ସୃଷ୍ଟିି କରିଛି। ତେଣୁ ଆଦୌ ଅନ୍ୟାୟ କରିନି। ତମେ ଦେଖିବ ଭାରତକୁ ମୁଁ ଯାହା ସବୁ ଦେଇଛି, ସେଠାକାର ବାସିନ୍ଦାମାନେ ସେ ସବୁର ରକ୍ଷଣାବେକ୍ଷଣ ନ କରି ଏକେ ତ ସବୁ କିଛି ବରବାଦ୍ କରିଦେବେ ନତୁବା ସେ ସବୁ ବିକି ଭାଙ୍ଗି ଖାଇଯିବେ। ଆଉ ତୁମେ ତୁମ ଦେଶର ବିକାଶ ପାଇଁ ଅବିରତ ଉଦ୍ୟମ କରି ବହୁତ ଆଗକୁ ବଢ଼ିଯିବ।’’
ଗୋଟିଏ ଦେଶର ପରିଚିତି କେବଳ ତାହାର ଭୂଗୋଳ ବା ଇତିହାସ ଯୋଗୁଁ ହୋଇ ନ ଥାଏ। ତା’ ବାହାରେ ସେଠାକାର ବାସିନ୍ଦାମାନଙ୍କ ଯୋଗୁଁ ମଧ୍ୟ ହୋଇଥାଏ। ସ୍ୱାଧୀନତା ଓ ସମ୍ବିଧାନ ପ୍ରଣୟନ ବେଳେ ଆମେ ଥିଲେ ୩୩ କୋଟି। ସ୍ୱାଧୀନତା ବେଳେ ସ୍ଥିତି ଯାହା ଥିଲା, ତହିଁରେ ଚଳି ଯାଉଥିଲା। ଆଜି ଆମେ ୧୪୦ କୋଟି। ତେଣୁ ଆମ ସବୁ ସାଂପ୍ରତିକ ସମସ୍ୟାର ମୂଳ କାରଣ ହେଲା ଆମ ଜନସଂଖ୍ୟା। ଦେଶର ସ୍ବାଧୀନତା ସମୟରେ ଆମ ଭିତ୍ତିଭୂମି ଓ ମୌଳିକ ସୁବିଧା ପର୍ଯ୍ୟାପ୍ତ ନ ଥିଲା। କିନ୍ତୁ ଯେନତେନ ପ୍ରକାରେଣ ଚଳି ଯାଉଥିଲା। ଜନସଂଖ୍ୟା ବୃଦ୍ଧି ସହିତ ଭିତ୍ତିଭୂମିର ବିକାଶ ଓ ସର୍ବନିମ୍ନ ମୌଳିକ ସୁବିଧା ବୃଦ୍ଧି ପାଇଛି ସତ, କିନ୍ତୁ ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ବଢ଼ି ପାରିନାହିଁ। ଏତଦ୍ବ୍ୟତୀତ ଦେଶରେ ଅସାଧୁତା, କପଟାଚାର ଓ କୁଟିଳତା ବୃଦ୍ଧି ପାଇ ବିକାଶରେ ବାଧକ ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ- Blast: ବାଣ ବିସ୍ଫୋରଣରେ ଜଳିଗଲା ଘର, ବୃଦ୍ଧା ଆହତ
ଏହି ଆଲୋଚନା ବେଳେ ଆଉ ଏକ କାହାଣୀ ମନକୁ ଆସୁଛି। କାହାଣୀଟି ହେଲା, ଥରେ ଜଣେ ନାପିତ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବାଳ କାଟିଲା ବେଳେ ପଚାରିଲା: ଆଜ୍ଞା! ସୁଇସ୍ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଯାହା ଚର୍ଚ୍ଚା ହେଉଛି ତାହା କ’ଣ ସତ? ମନ୍ତ୍ରୀ ମହୋଦୟ ବିରକ୍ତ ହୋଇ କହିଲେ, ‘ଆରେ, ତୁ ମୋ ଚୂଳ କାଟୁଛୁ ନା ତଦନ୍ତ କରୁଛୁ?’ ବାରିକ ମନ୍ତ୍ରୀଙ୍କୁ କ୍ଷମା ମାଗିଲା। ତା’ ପର ଦିନ ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଚୂଳ କାଟିଲା ବେଳେ ବାରିକ ପୁଣି ପଚାରିଲା, ‘ହଜୁର! ଏଇ କଳା ଧନ ବିଷୟରେ ଚାରିଆଡ଼େ ଯେଉଁ ଆଲୋଚନା ହେଉଛି ତାହା କ’ଣ ସତ?’ ମନ୍ତ୍ରୀ ରାଗି ପାଚି ବାରିକକୁ ତା’ କାମରେ ମନ ଦେବା ଲାଗି ତାଗିଦ କଲେ। ବାରିକ ପୁଣି କ୍ଷମା ମାଗିଲା। ବାରିକ ଏମିତି ପ୍ରଶ୍ନମାନ ବାରମ୍ବାର ପଚାରୁଥିବାରୁ ଦିନେ ଜଣେ ଭଦ୍ର ବ୍ୟକ୍ତି ତାକୁ ପଚାରିଲେ, ‘ତୁ କ’ଣ ଗୁଇନ୍ଦା ନା ଆନ୍ନା ହଜାରେଙ୍କ ଏଜେଣ୍ଟ? ତୁ ଏତେ କଥା ପଚାରୁଛୁ କାହିଁକି?’
ବାରିକ କହିଲା, ‘ଆଜ୍ଞା ମୁଁ ମୂର୍ଖ ଲୋକ। ଏତେ କଥା ବୁଝେ ନାହିଁ। କେବଳ ଦେଖୁଛି ଯେ ମନ୍ତ୍ରୀ ବା ବଡ଼ ବଡ଼ ଲୋକଙ୍କୁ ଏଭଳି କଥା ପଚାରିଲେ ସେମାନଙ୍କ ଚୂଳ ଛିଡ଼ା ହୋଇଯାଉଛି, ତେଣୁ କାଟିବାକୁ ସୁବିଧା ହେଉଛି।’
ଏହା ଏକ ନିରୋଳା ଗୁଲି ଗପ ସତ, କିନ୍ତୁ ଏଥିରେ ଦାୟିତ୍ବବାନ ପଦାସୀନଙ୍କ ଅସାଧୁତା ପ୍ରତି କଟାକ୍ଷ କରାଯାଇଛି।
ଆମେମାନେ ଆମ ସମ୍ବିଧାନର ମହାନତା ନେଇ ରାଣ ଖାଉଁ। କହିବା ବାହୁଲ୍ୟ ଯେ ଏହା ଏକ ସାଧାରଣ ଦସ୍ତାବେଜ ମାତ୍ର ନୁହେଁ। ଏହା ପାରଦର୍ଶୀ, ଦୂରଦର୍ଶୀ ଏବଂ ସାମାଜିକ ନ୍ୟାୟର ବାର୍ତ୍ତାବହ। କିନ୍ତୁ କଥା ହେଲା, ସମ୍ବିଧାନ ଆପଣା ଛାଏଁ କାର୍ଯ୍ୟ କରି ନଥାଏ। ଯେ କୌଣସି ବ୍ୟବସ୍ଥା ପରିଭାଷା ଓ ଲେଖାରେ ଯେତେ ଚମତ୍କାର ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ସଫଳ ହୋଇଥାଏ, ତାକୁ କାର୍ଯ୍ୟକାରୀ କରୁଥିବା ଲୋକଙ୍କ ମାର୍ଫତରେ। ତେଣୁ ମଣିଷ ରୂପକ ମାଧ୍ୟମଟିର ଚେତନା ଓ ଚରିତ୍ର ପରିଚ୍ଛନ୍ନ ହୋଇ ନଥିଲେ ବ୍ୟବସ୍ଥା ଆକ୍ରାନ୍ତ ହେବ, ଯୋଜନା ରୂପାନ୍ବିତ ହେବ ନାହିଁ, ମାଳ ମାଳ ଯୋଜନା ଥିଲେ ହେଁ ଦେଶ ବିକଶିତ ହେବ ନାହିଁ କି ମନୁଷ୍ୟ ସୁଖୀ ହେବନାହିଁ। ତେଣୁ ମୂଳ କଥା ହେଲା ସମ୍ବିଧାନ ଅନୁସାରେ ନାଗରିକମାନେ ଦେଶ ଚଳାଇବାର ଦାୟିତ୍ବ ଯେଉଁମାନଙ୍କୁ ଅର୍ପଣ କରିଛନ୍ତି, ସେମାନେ ହିଁ ନ୍ୟାୟୋଚିତ ଶାସନ ଓ ଦେଶର ବିକାଶ ସମ୍ଭବ କରାଇ ସମ୍ବିଧାନର ଗରିମା ରକ୍ଷା କରିବାକୁ ଉଦ୍ୟମଶୀଳ ହେବା ଉଚିତ। ବ୍ରିଟିସ ସରକାର ଯେଉଁ ରୀତିରେ ଭାରତକୁ ସ୍ୱାଧୀନତା ପ୍ରଦାନ କରିଥିଲେ, ଅବିକଳ ସେହି ରୀତିରେ ପାକିସ୍ତାନକୁ ମଧ୍ୟ ସ୍ୱାଧୀନତା ମିଳିଥିଲା। ପାକିସ୍ତାନର ମଧ୍ୟ ଏକ ସମ୍ବିଧାନ ପ୍ରଣୟନ ସଭା ଥିଲା। କିନ୍ତୁ ଏକ ଲିଖିତ ସମ୍ବିଧାନ ପ୍ରଣୟନ କରିବା ପୂର୍ବରୁ ଉକ୍ତ ସଭାକୁ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ଭାଙ୍ଗି ଦେଇଥିଲେ। ପୁଣି ଛଅ ବର୍ଷ ପରେ ‘ଇସ୍ଲାମିକ ରିପବ୍ଲିକ୍ ଅଫ ପାକିସ୍ତାନ’ର ଏକ ସମ୍ବିଧାନ, ୧୯୫୬ ମସିହାରେ ପ୍ରଚଳିତ ହେଲା। ସେହି ସମ୍ବିଧାନ ଅନୁସାରେ ସେଠାରେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଚାଲିବ ବୋଲି ନିଷ୍ପତ୍ତି ନିଆଗଲା। କିନ୍ତୁ ଅଳ୍ପ କିଛି ବର୍ଷ ପରେ ପାକିସ୍ତାନର ରାଷ୍ଟ୍ରପତି ଅନଧିକାର ଭାବେ ଉକ୍ତ ସମ୍ବିଧାନକୁ ରଦ୍ଦ କରିଦେଲେ। ଫଳରେ ପାକିସ୍ତାନକୁ ୩୫ ବର୍ଷ ଧରି ସାମରିକ ଶାସନ ଅଧୀନରେ ରହିବାକୁ ପଡ଼ିଲା। କହିବାର ତାତ୍ପର୍ଯ୍ୟ ହେଲା ସେମିତି ଦେଖିଲେ ସମ୍ବିଧାନ ହେଉଛି କେବଳ ଏକ ପୁସ୍ତକ ମାତ୍ର। କିନ୍ତୁ ସୁଶାସକଙ୍କ ହାତରେ ତାହା ଶାସନ ପରିଚାଳନାର ଆଧାର ହେଲେ ଦେଶର ଭାଗ୍ୟ ବଦଳି ଯାଇଥାଏ।
ନଭେମ୍ବର ୧୯୪୯ ମସିହାରେ ଆମ ସମ୍ବିଧାନ ପ୍ରଣୟନ ସଭା ଆମ ସମ୍ବିଧାନକୁ ଯେତେବେଳେ ଚୂଡ଼ାନ୍ତ ରୂପ ଦେଉଥିଲେ, ସେତେବେଳେ ଡ୍ରାଫଟିଂ କମିଟିର ଅଧ୍ୟକ୍ଷ ଡ. ଆମ୍ବେଦକର, ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ‘ଯେହେତୁ ସମ୍ବିଧାନରେ ଯାହା କିଛି ଉଲ୍ଲିଖିତ ହୋଇଛି ତାହାର କାର୍ଯ୍ୟକାରିତା ଲେଖା ଉପରେ ନିର୍ଭର କରେ ନାହିଁ, ସେ ବ୍ୟବସ୍ଥାଗୁଡ଼ିକ କେତେ ଠିକ୍, ତା’ ଉପରେ ସେ କୌଣସି ଆଲୋଚନା କରିବାରୁ ଦୂରେଇ ରହିବେ। କାରଣ ସେ ଅନୁଭବ କରନ୍ତି ଯେ, ଗୋଟିଏ ସମ୍ବିଧାନ ଯେତେ ଭଲ ଭାବେ ଲିଖିତ ହେଲେ ମଧ୍ୟ ତାହା ବୃଥା ହୋଇଯିବ ଯଦି ସମ୍ବିଧାନଟିକୁ କାର୍ଯ୍ୟକାରୀ କରୁଥିବା ଲୋକେ ଉପଯୁକ୍ତ ହୋଇ ନଥିବେ।’
ଆହୁରି ପଢ଼ନ୍ତୁ- Captain Amarinder Singh: ବିଜେପିକୁ ଝଟ୍କା, କଂଗ୍ରେସକୁ ଫେରିବେ କ୍ୟାପ୍ଟେନ ଅମରିନ୍ଦର ସିଂହ!
ଆମ ପାଇଁ ଏହା ଏକ ବଡ଼ ସାନ୍ତ୍ୱନା ଯେ, ନାନା ବାଧାବିଘ୍ନ ସତ୍ତ୍ୱେ ଆମେ ଆଜି ଯାଏଁ ଆମ ସମ୍ବିଧାନକୁ ନେଇ ଦେଶ ଚଳାଉଛେ ଓ ବିବିଧତାରେ ଭରା ଆମେ ଦେଶକୁ ଚଳାଇବା ଲାଗି ସମ୍ବିଧାନର ବ୍ୟାପକ ତର୍ଜମା, ବ୍ୟାଖ୍ୟା ଓ କିଛି ସଂଶୋଧନ କରିଛୁ। ତା’ ସତ୍ତ୍ବେ ବିଗତ ୭୯ ବର୍ଷ ମଧ୍ୟରେ ଆମେ ହାସଲ କରିଥିବା ରାଜନୈତିକ ସ୍ୱାଧୀନତାକୁ ସାଇତି ରଖିବାର ସୂକ୍ଷ୍ମ କଳାକୁ ହରାଇଛେ। ଜନସାଧାରଣଙ୍କ ଭିତରେ ଏକତା, ସଦ୍ଭାବ ଓ ସଂହତି ମଜଭୁତ କରି, ସମସ୍ତଙ୍କୁ ସାଥିରେ ନେଇ ଦେଶ ଗଠନ କରିବାର ଯେଉଁ ପବିତ୍ର ଲକ୍ଷ୍ୟ ରଖିଥିଲେ, ତାହା ଯେମିତି ଦୂରେଇ ଯାଉଥିବା ଭଳି ମନେ ହେଉଛି।
ରୋମ ସାମ୍ରାଜ୍ୟ କାଳରେ (ଖ୍ରୀଷ୍ଟପୂର୍ବ ୧୦୬-୪୬) ବିଚକ୍ଷଣ ସିନେଟର ସିସେରୋ ଯେଉଁ ଦଶଟି ପରିଭାଷା ଦେଇଥିଲେ ବୋଲି କଥିତ ଅଛି, ତାହା ଏବେ ବି ସତ ଭଳି ଲାଗେ। ସେ କୁଆଡ଼େ କହିଥିଲେ, ଗରିବ, ସବୁବେଳେ ଖଟିବେ। ଧନୀ, ସବୁବେଳେ ଗରିବଙ୍କୁ ଶୋଷଣ କରିବେ। ସୈନିକ, ଉଭୟଙ୍କୁ ସୁରକ୍ଷା ଦେବ। କରଦାତା, ଉପରୋକ୍ତ ତିନି ବର୍ଗର ସମସ୍ତ ଲୋକଙ୍କ ପାଇଁ କର ଦେବ। ବାରବୁଲା ଲୋକ ଉପରୋକ୍ତ ଚାରି ବର୍ଗର ସମସ୍ତ ଲୋକଙ୍କ ପାଇଁ ଅକର୍ମା ରହିବ। ମଦ୍ୟପ ଉପରୋକ୍ତ ସମସ୍ତ ପାଞ୍ଚ ବର୍ଗର ଲୋକଙ୍କ ପାଇଁ ମଦ୍ୟପାନ କରିବ। ବ୍ୟାଙ୍କ ବା ବିତ୍ତୀୟ ଅନୁଷ୍ଠାନ ଉପରୋକ୍ତ ସମସ୍ତ ଛଅ ବର୍ଗର ଲୋକଙ୍କୁ ଲୁଟିବେ। ଚିକିତ୍ସକ ଉପରୋକ୍ତ ସମସ୍ତ ସାତ ବର୍ଗର ଲୋକଙ୍କୁ ମାରିବେ। ଶ୍ମଶାନ ସେବକ, ଉପରୋକ୍ତ ସମସ୍ତ ଆଠ ବର୍ଗର ଲୋକଙ୍କ ଦାହ ସଂସ୍କାର କରିବ। ଓକିଲ ଓ ରାଜନୈତିକ ବ୍ୟକ୍ତି, ଉପରୋକ୍ତ ସମସ୍ତ ବର୍ଗର ଲୋକଙ୍କ ଯୋଗୁଁ ଖୁସି ଓ ଅନାୟାସରେ ସମୃଦ୍ଧିଶାଳୀ ହେବେ। ଏବେ ଆମ ଦେଶକୁ ଚାହାନ୍ତୁ। ସିସେରୋଙ୍କ ଧାରଣା ଅତିଶୟୋକ୍ତି ଭଳି ଲାଗୁଛି କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୧୬୫୬୬୪
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।