Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
ଆମ ସମସ୍ୟାର ଗହନ କଥା
ଲେଖକ: ଶ୍ରୀକାନ୍ତ କୁମାର ମହାଳିକ
ପ୍ରକାଶିକା: ମାଣିକଲତା ମହାଳିକ
ଚାନ୍ଦବାଲି, ଭଦ୍ରକ
ମୂଲ୍ୟ: ୧୦୦ ଟଙ୍କା, ପୃଷ୍ଠା: ୧୦୦
ଆମେ ଆମର ସମସ୍ୟାକୁ କେତେ ମାତ୍ରାରେ ଜାଣୁ, ଆଉ ତା’ର ସମାଧାନ ପାଇଁ ଆମେ କେତେ ମାତ୍ରାରେ ଚେଷ୍ଟିତ? ଏହି ସଂକଳନରେ ସ୍ଥାନିତ ପ୍ରବନ୍ଧଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସମସ୍ୟାବଳୀ ଉପରେ ଆଲୋକପାତ କରିଛି। ଅସଜଡ଼ା ଜୀବନ ଓ ସମାଜକୁ ସୁଧାରିବା ପ୍ରବନ୍ଧଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ। ମଣିଷ ଜୀବନକୁ ଆଧ୍ୟାତ୍ମିକ ମାର୍ଗରେ ନେଇ ତାକୁ ସୁଖ ସମୃଦ୍ଧି ପ୍ରଦାନ କରିବା ଲାଗି ଏଥିରେ ରହିଛି ‘ଯେମିତି ବୁଣିବା ସେମିତି କାଟିବା’, ‘ଆସ୍ତିକ ବନାମ ନାସ୍ତିକ’, ‘ଆସ୍ତିକତାରୁ ଲାଭ’, ‘ଭଗବତ୍ କୃପା’ ପରି ଅନେକ ପ୍ରବନ୍ଧ। ମଣିଷକୁ ସୁସ୍ଥ, ନିରାମୟ ଏବଂ ଚରିତ୍ରବାନ୍ କରି ଗଢ଼ିବା ଲାଗି ଏଥିରେ ରହିଛି ‘ବଦଭ୍ୟାସ ଛାଡ଼ିବାର ଉପାୟ’, ‘ଚରିତ୍ର ଗଠନର ଆବଶ୍ୟକତା’, ‘ବିବାହ ଉଚ୍ଚ ଆଦର୍ଶ ସମ୍ପନ୍ନ ହେଉ’ ପରି ପ୍ରବନ୍ଧ। ‘ବୃଦ୍ଧ ପିତାମାତା ଏବଂ ଆମେ’, ‘ଶୈଶବକୁ ଅବହେଳା ରାଷ୍ଟ୍ର ପ୍ରତି ବିପଦ’, ‘ମୋବାଇଲ୍ର ଦୁଃଖ’ ଆଦି ପ୍ରବନ୍ଧ ଗୁଡ଼ିକେର ଲେଖକ ସାମାଜିକ ଜୀବନର ଅନେକ ସମସ୍ୟା ଏବଂ ତା’ର ନିରାକରଣକୁ ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି। ଏହାବାଦ୍ ଆହୁରି ଅନେକ ଦିଗକୁ ନେଇ ଲେଖା ଏହି ପ୍ରବନ୍ଧ ସଂକଳନରେ ସ୍ଥାନ ପାଇଛି। ସଂକଳନଟିରେ ରହିଛି ଚାଳିଶଟି ପ୍ରବନ୍ଧ।
ଗୀତି ଗନ୍ଧବତୀ
କବି: ଦିବାକର ମାନସିଂହ
ପ୍ରକାଶକ: ଏଥେନା ବୁକ୍ସ, ଭୁବନେଶ୍ବର-୨
ମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୬୮
ପ୍ରେମ ସତରେ କମନୀୟ। ସେ ପ୍ରେମ କେତେବେଳେ ପ୍ରେମିକା ପାଇଁ, କେତେବେଳେ ବନ୍ଧୁ ପାଇଁ, ପୁଣି କେତେବେଳେ ପ୍ରକୃତି ପାଇଁ। ପ୍ରେମିକାର ଶାଶ୍ବତ ପ୍ରେମ ଲୋଡ଼େ କବିତାର ନାୟକ। ‘‘ପ୍ରିୟାର ଶାଶ୍ବତ ପ୍ରେମ ମୋତେ ମିଳୁ/ ମଧୁର ଚୁମ୍ବନ ମୁଖେ/ ଅନାବିଳ ପ୍ରେମ ଅକପଟ ସ୍ନେହ/ ଯଦିଥାଏ ପ୍ରିୟା ପାଖେ।’’ ବନ୍ଧୁଙ୍କ ଭଲପାଇବା ଏବଂ ତାଙ୍କୁ ହରାଇବାର ଦୁଃଖ ପ୍ରତିଫଳିତ ହୋଇଛି କବିତା ‘ବନ୍ଧୁର ଦୁଃଖରେ’। ‘‘ଆଜି ବନ୍ଧୁ ଛାଡ଼ି ଚାଲିଗଲୁ/ ବିଦାୟ ପୂର୍ବରୁ ଦେଖା ହେଲାନାହିଁ/ ଏକାଏକା ନିଜପଥ ବାଛିନେଲୁ/ କହିଲୁନି କିଛି ତୋ ମନର କଥା/ ଯାହାକିଛି ଅକୁହା ରହିଗଲା ସବୁଦିନ ପାଇଁ।’’ ପ୍ରକୃତି ଭିତରେ ବି ପ୍ରେମ ଖୋଜନ୍ତି କବି। ବର୍ଷାକୁ ସଜାଇ ଦିଅନ୍ତି ପ୍ରେମିକା ଭାବେ। କବି କହନ୍ତି, ‘‘ବର୍ଷା, ତମେ ପ୍ରେମିକା ସାଜି/ ଅନ୍ୟକୁ କନ୍ଦାଇ ପାର ହସାଇ ବି ପାର/ ତୁମ ବିନା ତୁମ ପ୍ରେମିକ ଅସହାୟ ହୁଏ/ ତୁମ ବିନା ଭଲ ଲାଗେନା/ ଏ ପୃଥିବୀ ଏ ପ୍ରାଣୀଜଗତ।’’ ଜୀବନର ଆହୁରି ଅନେକ ଅନୁଭବକୁ କବି କବିତା ଛଳରେ ବାଢ଼ି ଦେଇଛନ୍ତି। ସଂକଳନରେ ସ୍ଥାନ ପାଇଥିବା କବିତାଗୁଡ଼ିକ ସରଳ ଓ ସାବଲୀଳ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।