Editorial: ସଂସ୍କୃତିର ସ୍ବାଦ

Jul 14, 2026 - 03:17
Editorial: ସଂସ୍କୃତିର ସ୍ବାଦ

"ସୁଦୂର ଆମେରିକା ବା ନିଉଜିଲାଣ୍ଡରୁ ଆପ୍‌ଲ ଆମଦାନି ହୋଇ ଭାରତୀୟମାନଙ୍କ ଖାଦ୍ୟ ଥାଳିରେ ପହଞ୍ଚି ଯାଉଥିବା ବେଳେ କିମ୍ବା କାଲିଫର୍ନିଆର ବାଦାମ ସ୍ବାସ୍ଥ୍ୟ ସଚେତନ ଭାରତୀୟମାନଙ୍କର ‌େଦୖନିକ ଆହାରରେ ପରିଣତ ହେଉଥିବା ବେଳେ ଭାରତୀୟ ଅମୃତସମ ଆମ୍ବ ମଧ୍ୟ କାହିଁକି ବିଦେଶୀ ଖାଉଟିଙ୍କ ଖାଇବା ଟେବୁଲରେ ଆସ୍ଥାନ ନ ଜମାଇବ, ତାହାର କୌଣସି ପ୍ରାକୃତିକ କାରଣ ନାହିଁ।

ସରକାର ଓ ନୀତି ନିର୍ଦ୍ଧାରକମାନେ ଏ ଦିଗରେ ଥିବା ସମସ୍ତ କୃତ୍ରିମ ପ୍ରତିବନ୍ଧକମାନଙ୍କୁ ଦୂର କରି ଭାରତୀୟ ସଂସ୍କୃତିର ଅନବଦ୍ୟ ସ୍ବାଦର ବାହକ ଆମ୍ବର ସମ୍ମାନରକ୍ଷା କରିବା ହେଉଛି ସେମାନଙ୍କର ଜାତୀୟତାବାଦୀ ଦାୟିତ୍ବ।Advertisment Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା" ଏକ ସଂସ୍କୃତିର ବିଭିନ୍ନ ପରିଚୟମାନଙ୍କ ମଧ୍ୟରୁ ଏକ ମୁଖ୍ୟ ପରିଚୟ ହେଉଛି ଖାଦ୍ୟ।

ସେଇ ଦୃଷ୍ଟିରୁ ଦେଖିଲେ ଯେଉଁ ଏକ ଫଳକୁ ଭାରତର ଅନ୍ୟତମ ସାଂସ୍କୃତିକ ପରିଚୟ ରୂପେ ବିଚାର କରାଯାଇ ପାରିବ, ତାହା ହେଉଛି- ଆମ୍ବ।

ଏଇ ଋତୁକାଳୀନ ସୁମିଷ୍ଟ, ସ୍ବାଦିଷ୍ଟ ଫଳ ଭାରତୀୟ ଦେବଦେବୀମାନଙ୍କରୁ ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ମଧ୍ୟରେ ଯେଉଁଭଳି ଆଦରଲାଭ କରିଥାଏ, ଖୁବ୍ କମ୍ ଅନ୍ୟ କୌଣସି ଖାଦ୍ୟ ତା" ସହିତ ତୁଳନୀୟ ହୋଇଥାନ୍ତି।

ଦେବଦେବୀମାନଙ୍କ ପାଇଁ ରସାଳ ନାମରେ ପରିଚିତ ଏଇ ଫଳ କିପରି ଏକ ଈପ୍‌ସିତ ଆହାରର ମର୍ଯ୍ୟାଦା ଲାଭ କରିଥାଏ, ତାହାର ଏକ ରୋଚକ ପ୍ରମାଣ ବହନ କରିଥାଏ ଏଇ ସୁପରିଚିତ କାହାଣୀଟି।ଶିବ ଓ ପାର୍ବତୀ ଦିନେ ସେମାନଙ୍କର ଦୁଇ ପୁତ୍ର କାର୍ତ୍ତିକେୟ ଓ ଗଣେଶଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆୟୋଜନ କରି, ସେଥିରେ ବିଜେତାଙ୍କୁ ଯେଉଁ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାହା ଥିଲା ଏକ ଦିବ୍ୟ ଆମ୍ବ।

ପ୍ରତିଯୋଗିତା ଥିଲା ସମଗ୍ର ବ୍ରହ୍ମାଣ୍ଡର ପରିକ୍ରମା- ଦୁଇ ଭାଇଙ୍କ ମଧ୍ୟରୁ ଯିଏ ବ୍ରହ୍ମାଣ୍ଡ ଚତୁର୍ଦ୍ଦିଗରେ ଘୂରି ଆସିବାରେ ପ୍ରଥମ ହେବ, ସେ ହିଁ ଆମ୍ବଟିକୁ ପୁରସ୍କାର ସ୍ବରୂପ ପାଇବ ବୋଲି ଘୋଷଣା କରାଯାଇଥିଲା।

କାର୍ତ୍ତିକେୟ ତାଙ୍କର ବାହନ ମୟୂର ପିଠିରେ ବସିପଡ଼ିଲେ ଓ ସେଇ ଶକ୍ତିଶାଳୀ ପକ୍ଷୀଟି ତୀର ବେଗରେ ଉଡ଼ି ବ୍ରହ୍ମାଣ୍ଡକୁ ପରିକ୍ରମା କରିବା ଆରମ୍ଭ କରିଦେଲା।

କିନ୍ତୁ ପ୍ରଖର ବୁଦ୍ଧିମାନ କିନ୍ତୁ ପୃଥୁଳକାୟ ଗଣେଶ ଧୀରମନ୍ଥର ଗତିରେ ନିମିଷକ ମଧ୍ୟରେ ତାଙ୍କର ପିତାମାତାଙ୍କ ଚତୁର୍ଦ୍ଦିଗରେ ଘୂରି ଆସି ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ।

କାରଣ ଗଣେଶଙ୍କ ବିଚାରରେ ତାଙ୍କର ପିତାମାତା ହେଉଛନ୍ତି ବ୍ରହ୍ମାଣ୍ଡର ସ୍ବରୂପ।

ପୁରସ୍କାର ସ୍ବରୂପ ସେଇ ଦିବ୍ୟ ଆମ୍ବଟି ମିଳିଥିଲା ଗଣେଶଙ୍କୁ।

ଏଇ ପୌରାଣିକ କାହାଣୀଟି ଗଣେଶଙ୍କର ବୁଦ୍ଧିମତ୍ତାକୁ ପ୍ରମାଣିତ କରୁଥିବା ବେଳେ ଆମ୍ବର ଦେବଯୋଗ୍ୟତାକୁ ପ୍ରତିପାଦିତ କରିଥାଏ।

ଅପରପକ୍ଷେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧବନିତା ସାଧାରଣ ଭାରତୀୟମାନଙ୍କ ମଧ୍ୟରେ ଆମ୍ବର ଲୋକପ୍ରିୟତାକୁ ସ୍ବୀକୃତି ପ୍ରଦାନ ସ୍ବରୂପ ହିନ୍ଦୀରେ "ଆମ୍ବ" ଓ "ସାଧାରଣ" ଏକାର୍ଥବୋଧକ ଶବ୍ଦ ରୂପେ ବ୍ୟବହୃତ ହୋଇଥାନ୍ତି: "ଆମ୍"।

କେତେ ବର୍ଷ ତଳେ ଏହି ସାଦୃଶ୍ୟକୁ ଏକ ପରିହାସର ବିଷୟବସ୍ତୁରେ ପରିଣତ କରି ରାହୁଳ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା କିପରି ଏକ ବ୍ୟାପକ ପ୍ରତିକୂଳ ପ୍ରତିକ୍ରିୟାର ଝଡ଼ ସୃଷ୍ଟି କରିଥିଲେ, ତାହା ଏବେ ବି ଅନେକଙ୍କ ସ୍ମୃତିରେ ତାଜା ଥିବ।

ଆମ୍ବର ଇଂରେଜୀ ନାମ "ମ୍ୟାଙ୍ଗୋ"କୁ ବ୍ୟବହାର କରି ଭାରତର ସାଧାରଣ ଲୋକମାନଙ୍କୁ ଭଦ୍ରା ବିଦ୍ରୂପ କରି "ମ୍ୟାଙ୍ଗୋ ପିପୁଲ୍" ରୂପେ ଅଭିହିତ କରି ଏଇ ବିବାଦ ସୃଷ୍ଟି କରିଥିଲେ।

ହିନ୍ଦୀରେ ସାଧାରଣ ଲୋକଙ୍କୁ କୁହାଯାଇଥାଏ- "ଆମ୍ ଆଦ୍‌ମୀ", ଭଦ୍ରା ଯାହାର ବ୍ୟଙ୍ଗାତ୍ମକ ଆକ୍ଷରିକ ଅନୁବାଦ କରିଥିଲେ- "ମ୍ୟାଙ୍ଗୋ ପିପୁଲ୍"!ରବର୍ଟ ଭଦ୍ରାଙ୍କ ଏଇ ପରିହାସ ‌େସତେବେଳେ ଦୁଇଟି କାରଣରୁ ଏଭଳି ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ଗୋଟିଏ ହେଲା- ସେ ଏହାଦ୍ବାରା ଭାରତର ସାଧାରଣ ଲୋକ ବା "ଆମ୍ ଆଦ୍‌ମୀ"ମାନଙ୍କ ପ୍ରତି ହେୟଜ୍ଞାନ ପ୍ରଦର୍ଶନ କରିଥିଲେ।

ଅନ୍ୟଟି ହେଲା- ସେ ଭାରତର ସର୍ବଶ୍ରେଷ୍ଠ ଫଳ ଆମ୍ବ ପ୍ରତି ଏହାଦ୍ବାରା ଅସମ୍ମାନ ପ୍ରଦର୍ଶନ କରିଥିଲେ।ସେତେବେଳେ ଆମ୍ବ ପ୍ରତି ରବର୍ଟ ଭଦ୍ରାଙ୍କର ପରିହାସ ଯଦି ଏପରି ଏକ ଆଲୋଡ଼ନ ସୃଷ୍ଟି କରିଥିଲା, ବର୍ତ୍ତମାନ ବିଦେଶରେ ଗୋଟିକ ପରେ ଗୋଟିଏ ଦେଶରେ ଭାରତୀୟ ଆମ୍ବ ସମ୍ମୁଖୀନ ହେଉଥିବା ପ୍ରତ୍ୟାଖ୍ୟାନ ଭାରତୀୟମାନଙ୍କୁ ବହୁ ଅଧିକ ବ୍ୟଥିତ କରିବା ଉଚିତ।

ପ୍ରଥମେ ଜାପାନ ଭାରତରୁ ଆମ୍ବ ଆମଦାନି ଉପରେ ନିଷେଧାଦେଶ ଜାରି କରିବା ପରେ ପରେ ପଡ଼ୋଶୀ ଦେଶ ନେପାଳ ମଧ୍ୟ ଭାରତରୁ ଆମ୍ବ ଆମଦାନି ଉପରେ ନିଷେଧାଦେଶ ଲାଗୁ କରିବା ଘୋଷଣା କରିଛି।

ଉନ୍ନତ ଦେଶ ଜାପାନ ଓ ଦରିଦ୍ର ଦେଶ ନେପାଳ ଭାରତୀୟ ଆମ୍ବ ପ୍ରତି ପ୍ରଦର୍ଶନ କରିଥିବା ଏଭଳି ବିରୋଧ ପଛରେ ସମାନ କାରଣ ନିହିତ ଅଛି- ଭାରତୀୟ ଆମ୍ବ‌େର ଆବିଷ୍କୃତ ହେଉଥିବା ମାତ୍ରାଧିକ ପରିମାଣରେ କୀଟନାଶକର ଉପସ୍ଥିତି ଓ ଆମ୍ବର ପାଚିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥମାନଙ୍କର ଉପସ୍ଥିତି।

ଏଥିପୂର୍ବରୁ ଏଇ କାରଣରୁ ଅାମେରିକା ମଧ୍ୟ ଭାରତୀୟ ଆମ୍ବର ଆମଦାନି ପ୍ରତି କଟକଣା ଲାଗୁ କରିଥିବା ବେଳେ ବର୍ତ୍ତମାନ ତାହାକୁ କେତେକାଂଶରେ କୋହଳ କରିଛି।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ ଏଥିରୁ ପ୍ରମାଣିତ ହୋଇଥାଏ ଯେ ଆନ୍ତର୍ଜାତିକ ବାଣିଜ୍ୟ କାହାରି ପ୍ରତି ଦୟା ପ୍ରଦର୍ଶନ କରି ନ ଥାଏ- ଉଭୟ ବିକଶିତ ଦେଶ ଓ ବିକାଶଶୀଳ ଦେଶମାନଙ୍କର ଖାଉଟିମାନେ ଆବେଗ ଦ୍ବାରା ପରିଚାଳିତ ନ ହୋଇ କିମ୍ବା କୌଣସି ପଦାର୍ଥର ସାଂସ୍କୃତିକ ଐତିହ୍ୟ ଦ୍ବାରା ପ୍ରଭାବିତ ନ ହୋଇ ଆମଦାନି ଦ୍ରବ୍ୟର କଠୋର ମାନ ପରୀକ୍ଷାର ଫଳାଫଳ ଭିତ୍ତିରେ ନିଷ୍ପତ୍ତି ନେଇଥାନ୍ତି।

ଭାରତୀୟ ଆମ୍ବ ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଐତିହ୍ୟର ପ୍ରତିନିଧିତ୍ବ କରୁଥାଇପାରେ, କିନ୍ତୁ ଆମଦାନିକାରୀମାନେ ଏହାଦ୍ବାରା ପ୍ରଭାବିତ ନ ହୋଇ କେତେକ ସରଳ ପ୍ରଶ୍ନ ପଚାରିଥାନ୍ତି: ଏହା ନିରାପଦ କି?

ଏହାର ଗୁଣାତ୍ମକ ମାନରେ ସ୍ଥିରତା ଥାଏ କି?

ଏହାର ସମଗ୍ର ଯୋଗାଣ ଶୃଙ୍ଖଳକୁ ଚିହ୍ନଟ କରାଯାଇ ପାରିବ କି?

ଏହା ନିର୍ଦ୍ଧାରିତ "ଫାଇଟୋସାନିଟାରି" ମାନଦଣ୍ଡ ଅନୁସାରେ ଗ୍ରହଣୀୟ ଗୁଣାତ୍ମକ ମାନର ଅଧିକାରୀ ହୋଇଥାଏ କି?

ଭାରତୀୟ ଆମ୍ବକୁ ପ୍ରତ୍ୟାଖ୍ୟାନ ତେଣୁ ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରତ୍ୟାଖ୍ୟାନ ନୁହେଁ; ଜାପାନ ବା ନେପାଳ ଭଳି ଦେଶମାନେ ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ହେଲା ଭାରତରେ ଆମ୍ବ ଉତ୍ପାଦନ, ସଂଗ୍ରହ, ସଂରକ୍ଷଣ, ପରିବହନ ଓ ରପ୍ତାନି ଆଦିରେ ସଂପୃକ୍ତ ବ୍ୟବସ୍ଥାମାନଙ୍କର ନିର୍ଭରଯୋଗ୍ୟତା।

ଭାରତ ତେଣୁ ତା"ର ଆମ୍ବ ପ୍ରତି ବିରୋଧକୁ ଏକ ଅପମାନ ରୂପେ ବିଚାର ନ କରି ଏଇ ସମସ୍ତ ବ୍ୟବସ୍ଥାରେ ଉନ୍ନତି ଘଟାଇ ସେମାନଙ୍କର ବିଶ୍ବସନୀୟତାରେ ବୃଦ୍ଧି ଘଟାଇବାକୁ ଉଦ୍ୟମ କରିବା ଜରୁରି।ସୁଦୂର ଆମେରିକା ବା ନିଉଜିଲାଣ୍ଡରୁ ଆପ୍‌ଲ ଆମଦାନି ହୋଇ ଭାରତୀୟମାନଙ୍କ ଖାଦ୍ୟ ଥାଳିରେ ପହଞ୍ଚି ଯାଉଥିବା ବେଳେ କିମ୍ବା କାଲିଫର୍ନିଆର ବାଦାମ ସ୍ବାସ୍ଥ୍ୟ ସଚେତନ ଭାରତୀୟମାନଙ୍କର ‌େଦୖନିକ ଆହାରରେ ପରିଣତ ହେଉଥିବା ବେଳେ ଭାରତୀୟ ଅମୃତସମ ଆମ୍ବ ମଧ୍ୟ କାହିଁକି ବିଦେଶୀ ଖାଉଟିଙ୍କ ଖାଇବା ଟେବୁଲରେ ଆସ୍ଥାନ ନ ଜମାଇବ, ତାହାର କୌଣସି ପ୍ରାକୃତିକ କାରଣ ନାହିଁ।

ସରକାର ଓ ନୀତି ନିର୍ଦ୍ଧାରକମାନେ ଏ ଦିଗରେ ଥିବା ସମସ୍ତ କୃତ୍ରିମ ପ୍ରତିବନ୍ଧକମାନଙ୍କୁ ଦୂର କରି ଭାରତୀୟ ସଂସ୍କୃତିର ଅନବଦ୍ୟ ସ୍ବାଦର ବାହକ ଆମ୍ବର ସମ୍ମାନରକ୍ଷା କରିବା ହେଉଛି ସେମାନଙ୍କର ଜାତୀୟତାବାଦୀ ଦାୟିତ୍ବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।