Welcome!

Unlock your personalized experience.
Sign Up

Alarming facts found in RTI: ଗିଳିଦେଲେ ୫୮୬ କୋଟି: ଆର୍‌ଟିଆଇରେ ମିଳିଲା ଚିନ୍ତାଜନକ ତଥ୍ୟ

Jul 14, 2026 - 02:37
Alarming facts found in RTI: ଗିଳିଦେଲେ ୫୮୬ କୋଟି: ଆର୍‌ଟିଆଇରେ ମିଳିଲା ଚିନ୍ତାଜନକ ତଥ୍ୟ

ଭୁବନେଶ୍ବର: ରାଜ୍ୟରେ ଆର୍ଥିକ ଅନିୟମିତା ଓ ଦୁର୍ନୀତିକୁ ରୋକିବା ପାଇଁ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାରେ ଅଡିଟ୍‌ କରାଯାଉଛି। ଗାଇଡ୍‌ଲାଇନ୍‌ ବାହାରେ ହେଉଥିବା ଅନେକ ଖର୍ଚ୍ଚକୁ ଅଡିଟ୍‌ରେ ବି ଧରାଯାଉଛି। ବିଡ଼ମ୍ବନାର ବିଷୟ ହେଲା ଅଡିଟ୍‌ରେ ଧରାପଡ଼ିଲେ ବି ସରକାର ସଂପୃକ୍ତ ଅର୍ଥ ରାଜକୋଷକୁ ଫେରାଇ ଆଣିବାରେ ସମର୍ଥ ହେଉନାହାନ୍ତି। ୨୦୨୧-୨୨ରୁ ୨୦୨୪-୨୫ ଆର୍ଥିକବର୍ଷ ମଧ୍ୟରେ ଅଡିଟ୍‌ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକରେ ହୋଇଥିବା ୬୧୧. ୧୧ ଲକ୍ଷ  କୋଟି ଟଙ୍କାର ନିୟମ ବହିର୍ଭୂତ ଖର୍ଚ୍ଚ ରାଶି ଆଦାୟ କରିବା ଲାଗି ସୁପାରିସ କରିଥିଲେ। ତେବେ ସେଥିରୁ ମାତ୍ର ୨୪ କୋଟି ୭୫ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ଅର୍ଥାତ୍‌ ଏବେ ବି ପ୍ରାୟ ୫୮୬ କୋଟି ୩୫ ଲକ୍ଷ ଆଦାୟ ନହୋଇ ପଡ଼ି ରହିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ସୂଚନାରୁ ଏହି ଚିନ୍ତାଜନକ ତଥ୍ୟ ସାମନାକୁ ଆସିଛି।

Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ

ସୂଚନା ଅଧିକାର କର୍ମୀ ସୁବାସ ଚନ୍ଦ୍ର ପ୍ରଧାନ ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ ବା ସ୍ଥାନୀୟ ପାଣ୍ଠି ସମୀକ୍ଷା ନି‌ର୍ଦ୍ଦେଶାଳୟରୁ ହାସଲ କରିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୧୩୨ କୋଟି ୭୩ ଲକ୍ଷ ଆଦାୟ ପାଇଁ ଅଡିଟ୍‌ରେ ସୁପାରିସ କରାଯାଇଥିଲା। କିନ୍ତୁ ସେଥିରୁ ମାତ୍ର ୫ କୋଟି ୨୨ ଲକ୍ଷ ଟଙ୍କା ବା ୩.୯୩ ପ୍ରତିଶତ ଆଦାୟ ହୋଇଛି। ଅବଶିଷ୍ଟ ୧୨୭ କୋଟି ୫୧ ଲକ୍ଷ ଟଙ୍କା ଆଦାୟ ହୋଇପାରି ନାହିଁ। ସେହିଭଳି ୨୦୨୨-୨୩ରେ ୨୨୭ କୋଟି ୧୭ ଲକ୍ଷ ଟଙ୍କା ଆଦାୟ ପାଇଁ ସୁପାରିସ ହୋଇଥିବାବେଳେ ସେଥିରୁ ୭ କୋଟି ୧୧ ଲକ୍ଷ ଟଙ୍କା (୩.୧୩ପ୍ରତିଶତ) ଆଦାୟ ହୋଇଛି ଏବଂ ୨୨୦ କୋଟି ଟଙ୍କା ଆଦାୟ ହୋଇପାରି ନାହିଁ। ୨୦୨୩-୨୪ରେ ୧୫୪ କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ଅଡିଟ୍‌ରେ ସୁପାରିସ କରାଯାଇଥିବାବେଳେ ଆଦାୟ ହୋଇଛି ମାତ୍ର ୪ କୋଟି ୯୮ ଲକ୍ଷ ଟଙ୍କା (୩.୨୨ ପ୍ରତିଶତ)  ଏବଂ ପଡ଼ି ରହିଛି ୧୪୯ କୋଟି ୬୭ ଲକ୍ଷ ଟଙ୍କା। ୨୦୨୪-୨୫ରେ ୯୬ କୋଟି ୫୪ ଲକ୍ଷ ଟଙ୍କା ଆଦାୟ ପାଇଁ ସୁପାରିସ ହୋଇଥିବାବେଳେ ୭.୭୧ ପ୍ରତିଶତ ବା ୭ କୋଟି ୪୪ ଲକ୍ଷ ଟଙ୍କା ଆଦାୟ ହୋଇଛି ଏବଂ ୮୯ କୋଟି ୧୦ ଲକ୍ଷ ଟଙ୍କା ପଡ଼ି ରହିଛି। ଓପିଡିଆର୍ (ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ୍‌ ରିକଭରି) ଆଇନ ୧୯୬୨ର ୯(୨)(ଖ) ଧାରା  ଅନୁଯାୟୀ, ଆଲୋଚ୍ୟ ୪ବର୍ଷରେ ୮୧୭.୭୯ କୋଟି ଟଙ୍କାର ମାମଲାରେ ୩୫୯୮୫ଟି କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ସେହିଭଳି ୨୧୧.୨୦ କୋଟି ଟଙ୍କାର ମାମଲାରେ ଆଇନର ୯(୩) ଧାରା ଅନୁସାରେ ସର୍‌ଚାର୍ଜ ଅର୍ଡର ଜାରି ହୋଇଛି। ଧାରା ୧୦(୧) ଅଧୀନରେ ୧୧.୭୮ କୋଟି ଟଙ୍କା ସହ ଜଡ଼ିତ ୧୮୯୫ଟି ମାମଲା ସଂପର୍କରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ତେବେ ୧୦.୧୬ କୋଟି ଟଙ୍କା ଆଦାୟ ହୋଇଥିବା ଆର୍‌ଟିଆଇ ତଥ୍ୟରେ ଉଲ୍ଲେଖ ରହିଛି। 

ଆର୍‌ଟିଆଇରେ ମିଳିଲା ଚିନ୍ତାଜନକ ତଥ୍ୟ
ଅଡିଟ୍‌ ଧରିବା ପରେ ବି ହୋଇପାରୁନି ଆଦାୟ
୪ ବର୍ଷରେ ଫେରିଛି ମାତ୍ର ୨୪ କୋଟି

ଆର୍‌ଟିଆଇ କର୍ମୀ ଶ୍ରୀ ପ୍ରଧାନ ଏହି ମର୍ମରେ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କୁ ଇମେଲ୍‌ ଜରିଆରେ ଅବଗତ କରିଛନ୍ତି। ଏହାର ନକଲ ସେ ମୁଖ୍ୟ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ ନିର୍ଦ୍ଦେଶକ, ପ୍ରିନ୍ସିପାଲ ଏଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଆଦିଙ୍କୁ ପଠାଇଥିବା ଦର୍ଶାଇଛନ୍ତି।
ଉକ୍ତ ଆର୍‌ଟିଆଇ ତଥ୍ୟ ଏହା ପ୍ରମାଣ କରୁଛି ଯେ ରାଜ୍ୟରେ ପଞ୍ଚାୟତଠାରୁ ଆରମ୍ଭ କରି ବଡ଼ ବଡ଼ କାର୍ଯ୍ୟାଳୟରେ ଅଧିକାରୀମାନେ ଗାଇଡଲାଇନ୍‌ ବାହାରକୁ ଯାଇ ଖର୍ଚ୍ଚ କରୁଛନ୍ତି କିମ୍ବା ବଳକା ଅର୍ଥକୁ ରାଜକୋଷରେ ଜମା କରୁନାହାନ୍ତି। ଆଉ ଅଡିଟ୍‌ରେ ତାହା ଧରାପଡ଼ିବା ପରେ ବି ସଂପୃକ୍ତ ବ୍ୟକ୍ତିମାନଙ୍କଠାରୁ ସେହି ଅର୍ଥ ନଫେରିବା କାରଣରୁ ରାଜକୋଷକୁ କ୍ଷତି ପହଞ୍ଚୁଛି। ଏଥିସହିତ ଅଡିଟ୍‌ ଅଧିକାରୀମାନେ ମାସ ମାସ ଧରି ହିସାବ ସମୀକ୍ଷା କରି ଯେଉଁ ସବୁ ଆର୍ଥିକ ଅନିୟମିତତାକୁ ଧରୁଛନ୍ତି ତାହାର ସେମିତି କିଛି ଅର୍ଥ ରହୁନାହିଁ। ପଡ଼ି ରହିଥିବା ଅର୍ଥକୁ ଆଦାୟ କରିବା ଲାଗି ବିଭାଗୀୟ ଅଧିକାରୀମାନେ ଯେତିକି ତତ୍ପରତା ପ୍ରକାଶ କରିବା କଥା ତାହା କରୁନାହାନ୍ତି। ଏଭଳି ସ୍ଥିତିରେ ଅଡିଟ୍‌ ବ୍ୟବସ୍ଥା କ’ଣ ପ୍ରହସନ ପାଲଟିଛି କି ବୋଲି ବୁଦ୍ଧିଜୀବୀ ମତ ଦେ‌ଇଛନ୍ତି। 

Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ

ଗାଇଡଲାଇନ୍‌ ବାହାରେ ହୋଇଥିବା ଖର୍ଚ୍ଚ କିମ୍ବା ପକେଟସ୍ଥ କରାଯାଇଥିବା ଅର୍ଥକୁ ରାଜକୋଷକୁ ଫେରାଇ ଆଣିବାର ନିୟମ ଥିଲେ ମଧ୍ୟ ତାହା କାହିଁକି ସଫଳ ହେଉନାହିଁ? ସରକାରୀ ଅର୍ଥ ଭାବି ଅଧିକାରୀମାନେ ସଲାସୁତୁରାରେ ଜାଣିଶୁଣି ମାମଲାଗୁଡ଼ିକୁ ଚାପି ‌ଦେଉ ନାହାନ୍ତି ତ? ଅଡିଟ୍‌ରେ ଧରାପଡ଼ିଥିବା ଅର୍ଥ ଆଦାୟ ହୋଇ ନଥିଲେ ସଂପୃକ୍ତ ଅଧିକାରୀମାନଙ୍କୁ ବଦଳି ବେଳେ କ୍ଲିଅରାନ୍ସ କିଭଳି ମିଳୁଛି? ଦରମାରୁ ‌ବା ସେମାନଙ୍କ ପକେଟରୁ କାହିଁକି ଅର୍ଥ ଆଦାୟ କରାଯାଉ ନାହିଁ? ଆଇନରେ ଅନେକ ବ୍ୟବସ୍ଥା ଥିବା ସତ୍ତ୍ବେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି?  ଏଥିସହିତ ରାଜକୋଷକୁ ଅର୍ଥ ଫେରାଇ ଆଣିବାରେ ଯଦି ବିଭାଗୀୟ ଅଧିକାରୀମାନେ ସଫଳ ହେଉନାହାନ୍ତି ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କାହିଁକି? ଏଭଳି ମାଳମାଳ ପ୍ରଶ୍ନ ସ୍ବାଭାବିକ ଭାବେ ମନକୁ ଆନ୍ଦୋଳିତ କରୁଛି। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ, ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ ବା ସ୍ଥାନୀୟ ପାଣ୍ଠି ସମୀକ୍ଷା ନି‌ର୍ଦ୍ଦେଶାଳୟ ଅଧୀନରେ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ରାଜ୍ୟରେ ସରକାରୀ ବା ଅନୁଦାନ ପ୍ରାପ୍ତ ଅନୁଷ୍ଠାନ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ, ପୌର ନିଗମ, ବିଶ୍ୱବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ, ବିଦ୍ୟାଳୟ, ଉନ୍ନୟନ କର୍ତ୍ତୃପକ୍ଷ, ଦେବୋତ୍ତର ଅନୁଷ୍ଠାନ ଇତ୍ୟାଦିର ହିସାବ ସମୀକ୍ଷା କରନ୍ତି । ସଂପ୍ରତି ପ୍ରାୟ ୧୨, ୯୬୭ଟି ଅନୁଷ୍ଠାନ ଏହି ସଂସ୍ଥାର ସମୀକ୍ଷା ପରିସରଭୁକ୍ତ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।