Editorial: ବାବୁଙ୍କ ସେଲିବ୍ରିଟି ହେବାର ମୋହ: ସରୋଜ କୁମାର ସାମଲଙ୍କ ସମ୍ପାଦକୀୟ କଲମରୁ ପଢ଼ନ୍ତୁ...
"ବାବୁଙ୍କ ସେଲିବ୍ରିଟି ହେବାର ମୋହ ସରୋଜ କୁମାର ସାମଲ କ୍ଷମତାର ଚଉକି ଉପରେ ରହି ଅନ୍ୟଠାରୁ ତା"ର ଦୂରତ୍ବ ମାପିବା କେବଳ ଦୁରୂହ ନୁହେଁ, ସେହି ପରିମାଣରେ ଆଶ୍ଚର୍ଯ୍ୟ ମିଶା ଉତ୍କଣ୍ଠାର ବିଷୟ ମଧ୍ୟ।
ଅଧସ୍ତନଙ୍କୁ ନିକିତିରେ ସହକର୍ମୀର ମର୍ଯ୍ୟାଦା ଦେବା ଓ ଦରଜା ବନ୍ଦ କୋଠରିର ତଥାକଥିତ ବୈଶିଷ୍ଟ୍ୟକୁ ଛାଡ଼ି ଅନେକଙ୍କ ମଧ୍ୟରେ ଏକ ହେବା ସପକ୍ଷରେ, ଏକ ଚମତ୍କାର ଇଂରେଜୀ ଆଲେଖ୍ୟରେ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଲେଖିଛନ୍ତି।
ସ୍ତର ବିନ୍ୟସ୍ତ ଲୋକ ପ୍ରଶାସନରେ "କ୍ଷମତାର ଅନ୍ତର" ଓ ବିକାଶକାମୀ ଅର୍ଥନୀତି ପରିପ୍ରେକ୍ଷୀରେ ନୀତି ନିର୍ଦ୍ଧାରଣ ପାଇଁ ଆବଶ୍ୟକ ସହଭାଗିତାର ଦୁର୍ଦ୍ଦଶାକୁ ନେଇ ତାହା ଏକ ସୁନ୍ଦର ଅବତାରଣା।
ଲେଖାଟିର ମର୍ମ ହେଲା, ଚଉକିରୁ ଏକପାଖିଆ ଆଦେଶ ନୁହେଁ, ବରଂ ପାରସ୍ପରିକତାର ସମ୍ମାନବୋଧ ସହିତ ଆଲୋଚନା ଓ ଏକ ସହଭାଗୀ ନିଷ୍ପତ୍ତିର ନିଷ୍ପାଦନ ଆମ ଶାସନ ପାଇଁ କାମ୍ୟ।Advertisment "କ୍ଷମତାର ଅନ୍ତର" ମାପକର ସୂଚକାଙ୍କ ଯେତେ ଅଧିକ, ପ୍ରଶାସନରେ ସଂଭ୍ରାନ୍ତପଣିଆ ସେତେ ବେଶୀ।
ଏହି ସାଆନ୍ତିଆ ବା "ହିଜ୍ ଅର୍ ହର୍ ମାଜେଷ୍ଟି" ଅବହାୱା ପାଇଁ ନିର୍ଦ୍ଧାରକ ଉପାଦନ ହେଉଛି "ସାର୍" ବା "ମାଡାମ୍"ଙ୍କ ପ୍ରକୋଷ୍ଠରେ ଅନ୍ୟ ପାଇଁ ଚୌକି ଅଛି କି ନାହିଁ!; ଯଦି ଅଛି ତାହା କେତେ ଦୂରରେ!
ବୃଥା ମହିମା କାଙ୍ଗାଳ ଓ ଜାଣି-ସିଆଣିଆ ଅଧ୍ୟୁଷିତ ଆମ ଶାସନ ବ୍ୟବସ୍ଥାରେ "କ୍ଷମତାର ଅନ୍ତର" ଯେମିତି ବିଶେଷ ଭାବରେ ଦୃଷ୍ଟ ଏକ ଅଲକ୍ଷଣ, ସେହିଭଳି ଓଲଟା ଧାବିତ ଆଉ ଗୋଟିଏ ସ୍ରୋତ ହେଉଛି, ପ୍ରଚାରର ମାଧ୍ୟମ ପ୍ରତି ଦୁର୍ବାର ଆକର୍ଷଣ; ଯହିଁରେ ସ୍ବାର୍ଥ ହେଉଛି ନିଜର ଛବିକୁ ଉଜ୍ଜ୍ବଳ କରିବା।
ସୁସଂହତ ପରିଚାଳନା ରହିତ ଲୋକ ପ୍ରଶାସନେର ଏହା ଅଭିସନ୍ଧିରେ ପରିଣତ ହୁଏ।
ସଂଯୋଗ ଓ ସଂଚାର ନାଁରେ ଗଣ ମାନସରେ ନିଜକୁ ବିମ୍ବିତ କରିବାର ପ୍ରବଳ ଉଦ୍ୟମ ହୁଏ।
ଆହୁରି ପଢ଼ନ୍ତୁ- Karni Sena Protest: କଡ଼ ଲେଉଟାଉଛି କୋଟା ବିରୋଧୀ ସ୍ୱର: ରାଜରାସ୍ତାକୁ ଓହ୍ଲାଇଲେ ପ୍ରତିବାଦକାରୀ ସରକାରୀ ଉଦ୍ଯୋଗର ପ୍ରସାର ଦିଗରେ ଗଣମାଧ୍ୟମଗୁଡ଼ିକର ଭୂମିକା ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ।
ଉଭୟ ମଧ୍ୟରେ ସହଯୋଗ ଓ ସଂଘାତର ତିନିଟି ବିନ୍ଦୁ ରହିଛି।
ସମସ୍ୟା ଆଗରେ ବ୍ୟବସ୍ଥାର ଦୁର୍ବଳତାକୁ ମିଡିଆ ଅତିରଞ୍ଜନ କଲେ, ଶାସନତନ୍ତ୍ର ତା"ର ସଂହତ ଉତ୍ତର ଦେବାକୁ ଚେଷ୍ଟା କରେ; ଯାହା ବିଧେୟ ମଧ୍ୟ।
ଗଣମାଧ୍ୟମ ଦୁର୍ନୀତିର ଛିଟା ଦେଖାଇଲେ ପ୍ରତିକ୍ରିୟା ସାଧାରଣତଃ ହୋଇଯାଏ ମପାଚୁପା; କାରଣ ଲକ୍ଷ୍ୟ ଥାଏ, ଆଉ କିଛି ପଦାକୁ ନ ଆସୁ।
ଆଲୋଚନା ସ୍ବୀକୃତିର ହେଲେ, ପ୍ରଶାସନ ମିଡିଆ ସହିତ ଅଧିକ ନସରପସର ହୋଇ କାନ୍ଧର ଭାର ବଢ଼େଇବାକୁ ଚାହେଁ ନାହିଁ।
ଏହି ତ୍ରିବିଧ ଅମଲାତାନ୍ତ୍ରିକ ଆଭିମୁଖ୍ୟର ଲମ୍ବା ଇତିହାସ ରହିଛି।
କିନ୍ତୁ, ଆତ୍ମପ୍ରଚାରର କ୍ଷୁଧା ପ୍ରଶାସକଙ୍କ ମଧ୍ୟରେ ଏକ ବଡ଼ ଅଂଶକୁ ଏବେ ଗିଳି ସାରିଲାଣି।
ଏହାର ପରିଣାମ ହେଉଛି, କାର୍ଯ୍ୟ ନିର୍ବାହକ ନୁହେଁ, ପ୍ରବର୍ତ୍ତକର ମିଛ ଭୂମିକାରେ ନିଜକୁ ଆବିଷ୍କାର କରିବାର ପ୍ରବୃତ୍ତି।
ଉଚ୍ଚ ଅମଲାତନ୍ତ୍ରରେ ଏହି ଅଭିଳାଷୀ ବିଳାସର ପଦଧ୍ବନି ଲର୍ଡ ହିୱାଟ୍ ପ୍ରାୟ ଶହେ ବର୍ଷ ତଳେ ଶୁଣିଥିଲେ।
ସ୍ବପ୍ରକାଶିତ ବହିରେ ସେ "ନିଉ ଡେସ୍ପୋଟିଜିମ୍"ର ଆଦ୍ୟ ରେଖାଙ୍କନ କରିଥିଲେ।
ସ୍ବାଧୀନତୋତ୍ତର କାଳ ଥିଲା ଅନୁନ୍ନତ ସମାଜର ଚେହେରା ବଦଳେଇବାର ସମୟ।
ପିତୃ କର୍ତ୍ତୃକ ପାଳନ ଓ ମା" ସୁଲଭ ଅସଂଖ୍ୟ ଶୁଖିଲା ମୁହଁରେ ପୋଷଣର ବୋକ ଦେବାର ସୁଯୋଗରୁ ଅମଲାତନ୍ତ୍ରକୁ ମିଳିଲା ଉଭୟ ବାପା ଓ ମାଆର ଦ୍ବୈତ ଭୂମିକା; ଯହିଁରୁ ସୃଷ୍ଟି ହେଲା କ୍ଷମତାର ପରିସର ଓ ଆତ୍ମଶ୍ଳାଘାର ପ୍ରବୃତ୍ତି।
ସାମାଜିକ ଗଣମାଧ୍ୟମ ଠାରୁ ମୁଖ୍ୟ ସ୍ରୋତର ମିଡିଆ, ସବୁଠି ପ୍ରଶାସକମାନଙ୍କ ଠାରେ ନିଜ ଭାବମୂର୍ତ୍ତି ଗଢ଼ିବାର ପ୍ରବଣତା।
ପ୍ରଦର୍ଶନ ସହିତ ମାଧ୍ୟମର କୌଶଳଗତ ଉପଯୋଗ କରାଗଲେ ଜନମାନସରେ ଛାୟା ସୃଷ୍ଟି କରାଯାଇପାରେ।
ପ୍ରଦର୍ଶନ ପାଇଁ ପ୍ରକୋଷ୍ଠ ନୁହେଁ, ଦୁଆର ବନ୍ଧ ବା ବାତାୟନର ସଜ୍ଜୀକରଣ ଯଥେଷ୍ଟ।
ଏହି କୁବିଦ୍ୟାଟି ବ୍ୟକ୍ତି ଜୀବନରେ ମଧ୍ୟ ପ୍ରାସଙ୍ଗିକ।
ଗତ ଶତାବ୍ଦୀର ସମାଜଶାସ୍ତ୍ରୀ ଗ୍ରଫ୍ମ୍ୟାନ୍ଙ୍କର ତତ୍ତ୍ବ ଅନୁସାରେ ଏହାକୁ "ସାମନା ମଞ୍ଚର ପ୍ରଦର୍ଶନ" ବୋଲି ଅଭିହିତ କରାଯାଇଛି।
ମୁଖଶାଳାର ଅନ୍ତରାଳରେ ଭଙ୍ଗା ମନ୍ଦିରକୁ ଲୁଚେଇବାର ପ୍ରୟାସ।
ଅଭିଜ୍ଞତାରୁ କହୁଛି।
କୋଭିଡ୍ ସମୟରେ କିଛି ଜିଲ୍ଲାପାଳ ବାହାବା ନେବା ପାଇଁ ପ୍ରତିଦ୍ବନ୍ଦ୍ବିତାରେ ମାତିଥିଲେ।
ମିଡିଆର ଖାଦ୍ୟ ପାଇଁ କିଛି ଅବାସ୍ତବ ସଂରଚନାର ଗଳ୍ପ ସବୁ ପରଷି ଥିଲେ।
ସାମାଜିକ ଗଣମାଧ୍ୟମ ନିମିଷକେ ଲକ୍ଷ ଲକ୍ଷ ମନ ଓ ଆଖିକୁ ବାନ୍ଧିବାର ସାମର୍ଥ୍ୟ ରଖିଛି।
କିନ୍ତୁ ଏକାଧାରରେ ଏହା ଅନୁଷ୍ଠାନ ଓ ବ୍ୟକ୍ତି ନିରପେକ୍ଷ ନୁହେଁ।
ରଚନା ଓ ରଟନାରେ ନିଜକୁ ଚଉଦ ପାଆ କରିବାର ଯେତିକି ଝୁଙ୍କ ନିଜ ଭିତରେ ଉଚ୍ଚାଟ ହୁଏ, ନିଷ୍ପତ୍ତି ଓ କାର୍ଯ୍ୟାନ୍ବୟନକୁ ନିରନ୍ତର କରି ରଖିବା ପାଇଁ ଉଦ୍ଦିଷ୍ଟ ସେତିକି ପ୍ରାତିଷ୍ଠାନିକ ନିଷ୍ଠା ପଦାଧିକାରୀଙ୍କ ଅନ୍ତରରେ ନ ଥାଏ।
ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ପ୍ରଭୃତି ପ୍ଲାଟଫର୍ମ ବ୍ୟକ୍ତିକୈନ୍ଦ୍ରିକ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ସଦା ପ୍ରସ୍ତୁତ।
ବିଶେଷତଃ ଫେସବୁକରେ ଫଟୋ ଓ ଅନ୍ୟ ଦୁଇଟି ହ୍ୟାଣ୍ଡଲରେ ଲେଖାର ଆକର୍ଷଣୀୟ ସାବଲୀଳତାରେ ରୁଟିନ୍ କାର୍ଯ୍ୟକୁ କୃତିତ୍ବର ଦାବିରେ ପରିଭାଷିତ କରିବାର ପ୍ରବଣତା ବେଶ୍ ପ୍ରାତିଷ୍ଠାନିକ ହୋଇଯାଇଛି।
ବ୍ୟକ୍ତିଗତ ରୁଚି କି ଅଭ୍ୟାସ ସେମିତି କିଛି ଥାଉ କି ନ ଥାଉ, ତାହାର କିଛି ଚେଷ୍ଟିତ ପ୍ରଦର୍ଶନ ମଧ୍ୟ ଦକ୍ଷତାର ପ୍ରଚାର ମଣ୍ଡଳକୁ ଅନୁପ୍ରବେଶ କରୁଛି।
କିଏ ସରକାରୀ ଯାତ୍ରା ଅବକାଶରେ କେଉଁଠି ପ୍ରକୃତି ସନ୍ଦର୍ଶନରୁ କବିତା ଲେଖିଲେଣି ତ, କିଏ ନିଜେ ସଂପୃକ୍ତ ନ ଥିବା ଯୋଜନା ଉପରେ ତୁଚ୍ଛା ଅଭିବ୍ୟକ୍ତି ଦେଲେଣି।
କିଛି ତରୁଣ ଓ ତରୁଣୀ ପ୍ରଶାସକଙ୍କ ଏହି ଅପ୍ରତିହତ ନିଶା ପରିପ୍ରେକ୍ଷୀରେ ମନସ୍ତତ୍ତ୍ବବିତ୍ ଶେରି ଟର୍କଲଙ୍କ "ଲାଇଫ୍ ଅନ ଦି ସ୍କ୍ରିନ"ର ସମ୍ୟକ୍ ଆଲୋଚନା କରାଯାଇପାରେ।
ସତରେ ସ୍କ୍ରିନ୍ ଆସକ୍ତ ଅଧିକାରୀମାନେ "ଇମ୍ପ୍ରେସନ ମ୍ୟାନେଜମେଣ୍ଟ"ରେ ମାତିଛନ୍ତି।
ଟର୍କଲ ଏହାକୁ, ଅନ୍ତଃସାର ଥାଉ ବା ନ ଥାଉ, ନିଜର ବିବିଧ ବିମ୍ବ ତିଆରି ପାଇଁ ଏକ "ପରିବ୍ୟାପ୍ତ ଡିଜିଟାଲ ମଣ୍ଡଳ" ଭାବରେ ନାମିତ କରିଛନ୍ତି।
ନଗଣ୍ୟ, ଉଲ୍ଲେଖ ଅଯୋଗ୍ୟ କାର୍ଯ୍ୟକୁ ନେଇ ବି ସାମାଜିକ ଗଣମାଧ୍ୟମରେ କୋଳାହଳ ପାଇଁ ବୋତାମ ଦବାଯାଉଛି।
ସାଧାରଣ ପ୍ରତିବନ୍ଧକକୁ ଅତିକ୍ରମ କରି ସଂପାଦିତ କରାଯାଉଥିବା କାର୍ଯ୍ୟକୁ ନାଟକୀୟ ଢଙ୍ଗରେ ପରିବେଷଣ କରାଯାଉଛି।
ଏଭଳି ଆପଣା ଆପଣାର ମସୁଧାରେ ପ୍ରଚାର ପାଇଁ ନିୟୋଜିତ ସାମାଜିକ ଗଣମାଧ୍ୟମକୁ ସାମ୍ବାଦିକ ମାକ୍ସ ଫିସର "ଦି କ୍ୟାଓସ ମେସିନ" ବୋଲି କହୁଛନ୍ତି।
ଏଭଳି କୋଳାହଳ ମୁଖର ହାଟରେ ବ୍ୟବସ୍ଥା ହୁଏତ ବିପନ୍ନ ହୁଏ, କିନ୍ତୁ ତା"ର ବିନିମୟରେ ବେେଳବେଳେ ବ୍ୟକ୍ତି ଅବାଞ୍ଛିତ ଭାବରେ ମହିମାନ୍ବିତ ହୁଏ।
କୌଣସି ଯୋଜନାର ଜନାଭିମୁଖୀକରଣ ପାଇଁ ପ୍ରସାର ଆବଶ୍ୟକ।
କିନ୍ତୁ ପ୍ରଚାର ବହୁଳାଂଶରେ ଆପଣାର ସିଦ୍ଧି ପାଇଁ।
ବ୍ୟୁରୋକ୍ରାସିରେ ଆତ୍ମପ୍ରଚାରର ପରିଣତି ହେଉଛି "ସେଲିବୋକ୍ରାସି" ଅର୍ଥାତ୍ "ସେଲିବ୍ରିଟି" ସୁଲଭ ମହିମା ପାଇଥିବା ଅଧିକାରୀମାନଙ୍କ ରାଜୁତି।
ଏଥିରେ "ନାମହୀନତା" ଧ୍ବସ୍ତ ହୋଇଥାଏ, ଯାହା ପ୍ରକୃତରେ ଲୋକ ପ୍ରଶାସନର ଗରିମା।
ଚିନ୍ତକମାନେ ବର୍ତ୍ତମାନର ସମୟକୁ "ନିରୀକ୍ଷଣ ପୁଞ୍ଜିବାଦ" ବା "ସର୍ଭେଲାନ୍ସ କ୍ୟାପିଟାଲଜିମ୍"ର ଯୁଗ ବୋଲି କହୁଛନ୍ତି।
ତଥ୍ୟ ଶୁଦ୍ଧ ଓ ଆଡ଼ମ୍ବର ବିବର୍ଜିତ ନ ହେଲେ, ସେହି ଅର୍ଦ୍ଧସତ୍ୟ ତଥା ଅଭିସନ୍ଧିମୂଳକ ରଟନାକୁ ନେଇ ପ୍ରକରଣର ମଡେଲ ତିଆରି ହେବ ଓ ତାକୁ ନେଇ ବେପାର ହେବ।
ଏହା ପ୍ରଶାସନର ଉତ୍ତର ପିଢ଼ିକୁ ବାଟବଣା କରିବ।
ଆହୁରି ପଢ଼ନ୍ତୁ- Bombay High Court : ତରୁଣ ତେଜପାଲଙ୍କୁ ବଡ଼ ଝଟକା: ଓଲଟି ଗଲା ନିଷ୍ପତ୍ତି ରାଜନେତାଙ୍କ ଭଳି ସାଧାରଣରେ ଦୃଷ୍ଟ ହେବାର ଦାୟକୁ କେବଳ ଅଧିକାରୀମାନଙ୍କର ଆଗ୍ରହ ଓ ଉତ୍କଣ୍ଠା ଉପରେ ନ୍ୟସ୍ତ କରାଯାଇ ପାରିବ ନାହିଁ।
ମିଡିଆର ସଂଖ୍ୟାବହୁଳତା ମଧ୍ୟ ଏହି ଭେଟଘାଟକୁ ସହଜଲଭ୍ୟ କରିଛି।
ବିଶେଷତଃ ୨୪x୭ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଖୋରାକ ପାଇଁ ଏହି ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଣୋଦିତ କରାଯାଉଛି।
ଡିଜିଟାଲ ମିଡିଆଗୁଡ଼ିକ ଅହରହ ଅଧିକାରୀଙ୍କ ନିକଟରେ ହାଜର।
ଅଧିକାଂଶ କ୍ଷୁଦ୍ର ଗଣମାଧ୍ୟମର ପ୍ରତିନିଧିମାନେ ଆଗ୍ରହୀ ସାହେବ, ସାହେବାଣୀଙ୍କ ସାଙ୍ଗରେ ସ୍ବାର୍ଥ ବିଜଡ଼ିତ ଉଦ୍ଦେଶ୍ୟର ସେତୁ ବାନ୍ଧନ୍ତି।
ଯେଉଁ କାରଣରୁ ପ୍ରଚାରର ଧାରା ଅବିରତ ଜାରି ରହେ।
ସର୍ବଭାରତୀୟ ସେବାର ଅଧିକାରୀମାନଙ୍କ ୟୁଟ୍ୟୁବ ଓ "ପଡକାଷ୍ଟ", ଏପରିକି କେତେକଙ୍କ କଥିତ ସଂଘର୍ଷର କାହାଣୀକୁ ନେଇ ନେଟଫ୍ଲିକ୍ସ ସିନେମା ପ୍ରତି ଆଗ୍ରହର ଆତିଶଯ୍ୟ ଆଜି ଆମ ସମକ୍ଷରେ।
ରାଜସ୍ଥାନର ଜଣେ ମହିଳା ପ୍ରଶାସନିକ ଅଧିକାରୀ ନିଜର ବ୍ୟକ୍ତିଗତ ଜୀବନକୁ ନାଟକୀୟତାର ଛଟାରେ ସ୍କ୍ରିନ୍ରେ ଆଣିବାକୁ ବ୍ୟସ୍ତ।
ସାମାଜିକ ଗଣମାଧ୍ୟମର ଲୋଭରୁ ଆମ ରାଜ୍ୟରେ ପ୍ରାଦେଶିକ ସେବାର ଅଧିକାରୀମାନେ ମଧ୍ୟ ମୁକ୍ତ ନୁହନ୍ତି।
ନିରାଶ୍ରୟ ପାଇଁ ଜମିର ପଟ୍ଟା ଆଉ ଘରଟିଏ, ପୁଣି ଅସହାୟ ପାଇଁ ଭତ୍ତା ମଞ୍ଜୁରି ଭଳି ଧରାବନ୍ଧା ରୁଟିନଗତ କାର୍ଯ୍ୟଟିକୁ ମଧ୍ୟ କାହାଣୀର ଉପସର୍ଗ ସହିତ ଉପସ୍ଥାପନ କରାଯାଉଛି।
ଉପରବାଲା ସିନା ସାଂଭ୍ରାନ୍ତ୍ୟ ଚମକର ମାୟା ବୁଣି ପାରୁଛନ୍ତି, କିନ୍ତୁ ମଝି ସ୍ତରଟିର ପ୍ରଚାର, ଲୋକ ଆଖିରେ, ଧରା ପଡ଼ିଯାଉଛି।
କଥାରେ ଅଛି ଗୂଢ଼େ ତରନ୍ତି, ମୂଢ଼େ ତରନ୍ତି, ମଝିମଝିଆ ବୁଡ଼ି ମରନ୍ତି।
ଦରମା ମିଳେ ସେବା, ବୃତ୍ତି ପାଇଁ, ନିଜର ମହିମା ଗାୟନ ପାଇଁ ନୁହେଁ।
ପେସା ନିଶା ହୋଇପାରେ, କିନ୍ତୁ ବ୍ୟକ୍ତିଗତ ନିଶା ପେସାର ଭୂଷଣ ହେଇପାରିବ ନାହିଁ।
ଅଧସ୍ତନଙ୍କ ଠାରୁ ପ୍ରଶାସକଙ୍କ ଦୂରତ୍ବ ଯେଉଁଭଳି କ୍ଷମତାର ଆଭରଣ ତିଆରି କରେ, ଆତ୍ମପୂଜନ ଦ୍ବାରା ବଶମ୍ବଦ କରିବାର ପ୍ରହେଳିକା ସୃଷ୍ଟି କରାଯାଏ।
ଉଭୟ ହେଉଛନ୍ତି ଲୋକ ପ୍ରଶାସନ ପାଇଁ ଅପମୃତ୍ୟୁର ଘଣ୍ଟି ଭଳି।
ଅନ୍ୟ ଠାରୁ ଚଉକିର ଦୂରତା କମ୍ ହେବା ଦ୍ବାରା ବ୍ୟୁରୋକ୍ରାସି ନିଃସନ୍ଦେହରେ ଗୌରାବାନ୍ବିତ ହେବ।
ଅଧିକନ୍ତୁ, ଲୋକ ପ୍ରଶାସନର ସଂପଦ ହେବାକୁ ହେଲେ, ପ୍ରଶାସକମାନଙ୍କୁ "ସେଲିବୋକ୍ରାଟ୍" ହେବାର ମୋହକୁ ସମ୍ବରଣ କରିବାକୁ ପଡ଼ିବ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୨୨୬୬୪୪ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।