26 OCTOBER 2026

Welcome!

Unlock your personalized experience.
Sign Up

Editorial: ପ୍ରକୃତ ମୁକାବିଲା

Oct 26, 2026 - 03:08
Editorial: ପ୍ରକୃତ ମୁକାବିଲା

ଏକ କଠିନ ବାସ୍ତବତା ହେଲା, ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ଘଟାଇବାକୁ ଆଗଭର ହେଲେ ମଧ୍ୟ ଭାରତକୁ ଚୀନ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ; କାରଣ ଏଠାରେ ଉତ୍ପାଦିତ ହେଉଥିବା ଆଇଫୋନ ବା ଇଲେକ୍ଟ୍ରିକ ଭେଇକଲ ସକାଶେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ କିମ୍ବା ଔଷଧ ଉତ୍ପାଦନ ସକାଶେ ଲୋଡ଼ା‌ ମୂଳ ଉପାଦାନ ଲାଗି ଚୀନର ଯୋଗାଣ ହିଁ ଏକମାତ୍ର ମାଧ୍ୟମ। ଏହା ମଧ୍ୟ ସତ ଯେ ପୃଥିବୀର ଅନତିକ୍ରମ୍ୟ ଉତ୍ପାଦନ ଓ ଯୋଗାଣ କେନ୍ଦ୍ର ରୂପେ ଚୀନ, କେବଳ ଭାରତକୁ ନୁହେଁ, ପ୍ରାୟ ସମସ୍ତ ଦେଶକୁ ଏକ ପ୍ରକାର ଅସହାୟତା ମଧ୍ୟକୁ ଠେଲି ଦେଇଥାଏ। ଏଭଳି ସ୍ଥିତିରେ ମୁକ୍ତିିର ଏକମାତ୍ର ବାଟ ହେଉଛି ଯନ୍ତ୍ରାଂଶ, କଞ୍ଚାମାଲ ଓ ମୂଳ ଉପାଦାନ ଉତ୍ପାଦନ କ୍ଷେତ୍ରରେ ନିଜସ୍ବ ସାମର୍ଥ୍ୟ ଲାଭ।

Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା

ନିକଟରେ ଏକ ସମାବେଶରେ ଉଦ୍‌ବୋଧନ ଦେଉଥିବା ସମୟରେ ‘ଆଇ.ଟି.ବି.ପି.’ (ଇଣ୍ଡୋ ତିବେତାନ ବର୍ଡର ପୁଲିସ)ର ମୁଖ୍ୟ(‘ଡାଈରେକ୍ଟର ଜେନେରାଲ’ ବା ଡି.ଜି.) ଶତ୍ରୁଜିତ ସିଂହ କପୁରଙ୍କ ଯେଉଁ ଏକ ବକ୍ତବ୍ୟ ଲୋକକ୍ଷେତ୍ରରେ ଉଦ୍‌ବେଗ ସୃଷ୍ଟି କରିଛି, ତାହା ହେଲା, ଗଲା ଜୁଲାଇ ମାସଠାରୁ ଅରୁଣାଚଳ ପ୍ରଦେଶଠାରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ.ଏ.ସି.) ନିକଟରେ ଚୀନ ଓ ଭାରତୀୟ ସୁରକ୍ଷା ବାହିନୀ ଅନେକ ବାର ମୁହାଁମୁହିଁ ସ୍ଥିତିକୁ ଆସିଲେଣି। କହିବା ବାହୁଲ୍ୟ, ସମୁଦ୍ର ପତ୍ତନଠାରୁ ୧୦ ହଜାରରୁ ୧୮ ହଜାର ଫୁଟ ଉଚ୍ଚତାରେ, ହିମାଳୟର ଘନ ବରଫାବୃତ ଏହି ଅଞ୍ଚଳରେ ପରମ ଶାନ୍ତି ବିରାଜମାନ କରୁଛି ବୋଲି ସମତଳ ଅଞ୍ଚଳରେ ଆପଣା ଆପଣା କାରବାରରେ ନିମଗ୍ନ ଭାରତୀୟମାନଙ୍କ ସୁଖପ୍ରଦ ଧାରଣା ଏହା ଦ୍ବାରା ସତେ ଯେମିତି ଭାଙ୍ଗିରୁଜି ଯାଇଛି; ଯାହା ଉଦ୍‌ବେଗର କାରଣ। ତେବେ, ଏଭଳି ସ୍ଥିତିରେ ଉଦ୍‌ବେଗ ଓ ତାତ୍କାଳିକ ଅବେଗକୁ ଅତିକ୍ରମ କରି ପ୍ରକୃତ ବାସ୍ତବତାକୁ ହୃଦୟଙ୍ଗମ କରିବା ବିଜ୍ଞତାର ପରିଚାୟକ ବୋଲି ମନେ ହୋଇଥାଏ। 
ଏଥରେ ଦ୍ବିରୁକ୍ତି ନାହିଁ ଯେ ୨୦୨୦ ମସିହାରେ, ପୂର୍ବ ଲଦାଖର ଗଲୱାନଠାରେ, ଚୀନ ଓ ଭାରତୀୟ ସୀମା ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ, ପ୍ରାଣପାତ ଏବଂ ବର୍ଷାଧିକ କାଳ ଉଭୟ ପକ୍ଷ, ଡୋଳାରେ ଡୋଳାକୁ ମିଶାଇ ଛିଡ଼ା ହୋଇ ରହିବା ଭଳି ଘଟଣାକ୍ରମ ଜନିତ ଅପ୍ରୀତିକର ସ୍ମୃତି ହେତୁ ଏଭଳି ବକ୍ତବ୍ୟରେ ଅଧିକାଂଶ ଭାରତୀୟ ଉଦ୍‌ବିଗ୍ନ ହୋଇ ଉଠିବା ସ୍ବାଭାବିକ। ହେଲେ, ସୀମା ସୁରକ୍ଷା ନେଇ ଅଭିଜ୍ଞତାଧାରୀମାନଙ୍କ ମତରେ ଏଭଳି ‘ଫେସ ଅଫ’ ବା ‘ମୁହାଁମୁହିଁ’ ହେବା ଭଳି ସ୍ଥିତି ଅନେକ ସମୟରେ ଉପୁଜିଥାଏ, ଯଦିଓ ତାହା ପ୍ରାୟତଃ କୌଣସି ସଂଘର୍ଷର ରୂପ ନେଇ ନ ଥାଏ; ଏବଂ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଲେ, ଆଲୋଚନା ମାଧ୍ୟମରେ, ଉଭୟ ସୁରକ୍ଷା ବାହିନୀର କମାଣ୍ଡରମାନେ ସମାଧାନର ମାର୍ଗ ବାହାର କରନ୍ତି। କିନ୍ତୁ, ବାସ୍ତବତା ସହିତ ଅପରିଚିତ, ସମତଳରେ ବସବାସ କରୁଥିବା, ଭାରତୀୟମାନଙ୍କ ମଧ୍ୟରେ କୌଣସି ‘ଫେସ ଅଫ’ ବା ‘ମୁହାଁମୁହିଁ’ ସ୍ଥିତିର ଇଙ୍ଗିତରୁ ଉଦ୍‌ବେଗ ସୃଷ୍ଟି ହେବା ସ୍ବାଭାବିକ ଏବଂ ଏଭଳି ଧାରଣା ଜନ୍ମିବା ଅବାନ୍ତର ନୁହେଁ ଯେ ସରକାର, ଭାରତ-ଚୀନ ସୀମା ବିବାଦ ବ୍ୟାପାରରେ, ଗୋପନୀୟତା ଅବଲମ୍ବନ କରୁଛନ୍ତି! ଅବଶ୍ୟ, ଇତି ମଧ୍ୟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦିଆ ଯାଇ ସାରିଲାଣି ଯେ ଏଲ.ଏ.ସି.ଠାରେ ଚୀନ ଦ୍ବାରା କରାଯାଉଥିବା ଶୃଙ୍ଖଳା ଭଙ୍ଗ ପରିପ୍ରେକ୍ଷୀରେ ‘ଆଇ.ଟି.ବି.ପି.’ କିଭଳି ସଦା ପ୍ରସ୍ତୁତ ରହିଥାଏ, ତାହା ହିଁ ଡି.ଜି.ଙ୍କ ବକ୍ତବ୍ୟରେ ପ୍ରକାଶିତ, ଯହିଁରେ ଉଦ୍‌ବିଗ୍ନ ହେବା କୌଣସି କାରଣ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଆଜିକୁ ଠିକ୍‌ ଚଉଷଠି ବର୍ଷ ତଳେ (୧୯୬୨ ମସିହା, ଅକ୍‌ଟୋବର ୨୪ ତାରିଖରେ), ଭାରତ ଓ ଚୀନ ମଧ୍ୟରେ ସଂଘଟିତ ଯୁଦ୍ଧ ପରେ ପରେ, ଅତି ତରବରିଆ ଭାବରେ ମାତ୍ର ତିନି ବାଟାଲିଅନ ବିଶିଷ୍ଟ ‘ଆଇ.ଟି.ବି.ପି.’ର ଗଠନ କରାଯାଇଥିଲା, ଯହିଁରେ ଏକମାତ୍ର ଲକ୍ଷ୍ୟ ଥିଲା ଭାରତ-ଚୀନ ସୀମାରେ ମୁତୟନ ହେବା ସକାଶେ ଏକ ସୁଦକ୍ଷ ପ୍ରହରୀ ବାହିନୀର ସୃଷ୍ଟି। ସଂପ୍ରତି ୬୪ ବାଟାଲିଅନରେ କାର୍ଯ୍ୟରତ ପ୍ରାୟ ଏକ ଲକ୍ଷ (୯୪ ହଜାର) ସଂଖ୍ୟକ ଉଚ୍ଚ ପ୍ରଶିକ୍ଷିତ କମାଣ୍ଡୋ ସଂବଳିତ ଆଇ.ଟି.ବି.ପି., ୩,୪୮୮ କିଲୋମିଟର ଦୀର୍ଘ ଏଲ.ଏ.ସି.ଠାରେ ଅହୋରାତ୍ର ଉପସ୍ଥିତ ଏବଂ ଜାଗ୍ରତ। ସେହି ଦୃଷ୍ଟିରୁ ଆଇ.ଟି.ବି.ପି.ର କାହାଣୀ ଅଭିନବ ସଫଳତାର ଦୃଷ୍ଟାନ୍ତ ହୋଇଥିଲେ ହେଁ ସେହି ଦିନ ଡି.ଜି.ଙ୍କ ବକ୍ତବ୍ୟରେ ଯେଉଁ ପ୍ରସଙ୍ଗ ଧ୍ୟାନ ଆକର୍ଷଣ କଲା ଭଳି ହୋଇଥାଏ, ତାହା ହେଲା ଆଇ.ଟି.ବି.ପି. ସକାଶେ ଅତ୍ୟାଧୁନିକ ଡ୍ରୋନ ଓ ଆଣ୍ଟି-ଡ୍ରୋନ ପ୍ରଯୁକ୍ତିର ଉପଲବ୍‌ଧତା, ତାହାର ବ୍ୟବହାର ନେଇ ସମୁଚିତ ପ୍ରଶିକ୍ଷଣ ଓ ପରିଚାଳନାଗତ ସାମର୍ଥ୍ୟରେ ବୃଦ୍ଧି। କହିବା ବାହୁଲ୍ୟ ଯେ ଏଲ.ଏ.ସି. ନିକଟରେ ଚୀନର ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ସୀମା ବିବାଦକୁ ଜ୍ବଳନ୍ତ ରଖି ଭାରତକୁ ଅସ୍ଥିର କରି ରଖିବା ଚୀନର ଏକ ସୁପରିଚିତ ରଣକୌଶଳ ଓ ଅଭିସନ୍ଧି ହୋଇଥାଏ। ସୁତରାଂ, ଆଇ.ଟି.ବି.ପି.ର ଡି.ଜି.ଙ୍କ ଆଗ୍ରହ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ, ଯଦ୍ଦ୍ବାରା, ଚୀନ ଓ ଭାରତ ମଧ୍ୟରେ ରହିଥିବା ସାମର୍ଥ୍ୟଗତ ବ୍ୟବଧାନକୁ ହ୍ରାସ କରାଯାଇପାରିବ।
 ତେବେ, ଏଭଳି ସଂଦର୍ଭରେ ଏକ ପରିଚିତ ଅଭିଯୋଗର ସ୍ବର ଉଠିଥାଏ ଯେ ଚୀନ ସହିତ ସଂପର୍କ କ୍ଷେତ୍ରରେ ସରକାର କଠୋରତା ଅବଲମ୍ବନ କରିବାକୁ ଅନିଚ୍ଛୁକ କାହିଁକି? ତାହା ହୋଇ ନ ଥିଲେ ଚୀନଠାରୁ କରାଯାଉଥିବା ଆମଦାନିରେ କ୍ରମାଗତ ବୃଦ୍ଧି ବା ସିଧାସଳଖ ପୁଞ୍ଜି ଲଗାଣ ଲାଗି ଚୀନୀୟ କଂପାନିଗୁଡ଼ିକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ ବା ଦୀର୍ଘ ପାଞ୍ଚ ବର୍ଷର ରହିତାଦେଶ ପରେ, ଗଲା ବର୍ଷ ଅକ୍‌ଟୋବର ୨୬ ତାରିଖରେ, ଚୀନ ସହିତ ବିମାନ ଚଳାଚଳର ପୁନର୍ବାହଲ ଇତ୍ୟାଦି ଘଟନ୍ତା ନାହିଁ। କିନ୍ତୁ, ଏକ କଠିନ ବାସ୍ତବତା ହେଲା, ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ଘଟାଇବାକୁ ଆଗଭର ହେଲେ ମଧ୍ୟ ଭାରତକୁ ଚୀନ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ; କାରଣ ଏଠାରେ ଉତ୍ପାଦିତ ହେଉଥିବା ଆଇଫୋନ ବା ଇଲେକ୍ଟ୍ରିକ ଭେଇକଲ ସକାଶେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ କିମ୍ବା ଔଷଧ ଉତ୍ପାଦନ ସକାଶେ ଲୋଡ଼ା‌ ମୂଳ ଉପାଦାନ ଲାଗି ଚୀନର ଯୋଗାଣ ହିଁ ଏକମାତ୍ର ମାଧ୍ୟମ। ଏହା ମଧ୍ୟ ସତ ଯେ ପୃଥିବୀର ଅନତିକ୍ରମ୍ୟ ଉତ୍ପାଦନ ଓ ଯୋଗାଣ କେନ୍ଦ୍ର ରୂପେ ଚୀନ, କେବଳ ଭାରତକୁ ନୁହେଁ, ପ୍ରାୟ ସମସ୍ତ ଦେଶକୁ ଏକ ପ୍ରକାର ଅସହାୟତା ମଧ୍ୟକୁ ଠେଲି ଦେଇଥାଏ। ଏଭଳି ସ୍ଥିତିରେ ମୁକ୍ତିିର ଏକମାତ୍ର ବାଟ ହେଉଛି ଯନ୍ତ୍ରାଂଶ, କଞ୍ଚାମାଲ ଓ ମୂଳ ଉପାଦାନ ଉତ୍ପାଦନ କ୍ଷେତ୍ରରେ ନିଜସ୍ବ ସାମର୍ଥ୍ୟ ଲାଭ। ଅବଶ୍ୟ, ଇତିମଧ୍ୟରେ, ଏଲ.ଏ.ସି. ନିକଟରେ, ଭାରତ ପକ୍ଷରୁ ଭିତ୍ତିଭୂମିଗତ ବିକାଶ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସାଧନ କରାଗଲାଣି। ଯୁଦ୍ଧ, ସଂଘର୍ଷ ଓ ପଇଁତରା ଲାଗି ଆବଶ୍ୟକ ‘ଡ୍ରୋନ’ ଓ ‘ଆଣ୍ଟି ଡ୍ରୋନ’ ପ୍ରଯୁକ୍ତିର ବିକାଶ ଓ ଉତ୍ପାଦନ ଦିଗରେ ସଘନ ଉଦ୍ୟମ ଆରମ୍ଭ ହୋଇଯାଇଛି, ଯାହାର ପ୍ରମାଣ ହେଲା ଏ କ୍ଷେତ୍ରରେ ପ୍ରାୟ ୨ ବିଲିଅନ ଡଲାର ପରିମାଣର ବିପୁଳ ପୁଞ୍ଜି ଲଗାଣର ଲକ୍ଷ୍ୟ। କହିବାର ତାତ୍ପର୍ଯ୍ୟ ହେଲା, ଦୃଢ଼ ହୋଇ ଛିଡ଼ା ହେବା ଲାଗି ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ ହେଲାଣି, ଯାହା ପୂର୍ବରୁ ଅବଲମ୍ବନକୁ ଦୂରେଇ ଦେବା କେବଳ ଅବିମୃଶ୍ୟକାରିତା ହିଁ ହେବ।
ଏଥିରେ ଦ୍ବିମତ ନାହିଁ ଯେ ଚୀନ ସର୍ବଦା ଭାରତକୁ ଖର୍ବକାୟ କରି ରଖିବାକୁ ଚାହେଁ, କାରଣ ଏକମାତ୍ର ଏସୀୟ ରାଷ୍ଟ୍ର ରୂପେ ଚୀନର ପ୍ରାଧାନ୍ୟକୁ ଆହ୍ବାନ ଦେବାକୁ ଯେ ଭାରତ ସମର୍ଥ, ସେ ନେଇ ଚୀନ ସୁନିଶ୍ଚିତ। ଚୀନର ଏକ ବିକଳ ମାନସିକତାର ଉଦାହରଣ ମିଳିଥାଏ ଏଥିରୁ ଯେ ପର୍ବତରେ ସୁଡ଼ଙ୍ଗ ଖୋଳିବା ଲାଗି ଆବଶ୍ୟକ ଭାରୀ ଯନ୍ତ୍ରପାତିର ଭାରତ ରପ୍ତାନି ଉପରେ ଚୀନ ପକ୍ଷରୁ କଟକଣା ଲଗାଯାଇଛି। ଏହାର କାରଣ, ହିମାଳୟରେ ସୁଡ଼ଙ୍ଗ ଖନନ କରି ଭିତ୍ତିଭୂମିଗତ ବିକାଶ ହାସଲରେ ଭାରତର ଅଗ୍ରଗତିକୁ ବାଧା ଦେବା। ଉ‌ଲ୍ଲେଖଯୋଗ୍ୟ ଯେ ଜର୍ମାନିର ମୂଳ କଂପାନି ‘ହେରେନ୍‌କ‌େନକ୍‌ଟ’ ସଂପ୍ରତି ଚୀନରେ କାରଖାନା ବସାଇ ତାହା ଉତ୍ପାଦନ କରୁଛି। ଏଭଳି ସ୍ଥିତିରେ, ‘ହେରେନ୍‌କ‌େନକ୍‌ଟ’ ସହିତ ରାଜିନାମା କରାଯାଇ ଭାରତରେ କାରଖାନା ସ୍ଥାପନ ସକାଶେ ସରକାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। କହିବା ଅନାବଶ୍ୟକ ଯେ ଏହା ହିଁ ହେଉଛି ଯଥାର୍ଥ ମୁକାବିଲାର ଉଦାହରଣ। ଆଇ.ଟି.ବି.ପି.ର ଡି.ଜି. ଶତ୍ରୁଜିତ ସିଂହ କପୁର, ସେହି ବକ୍ତବ୍ୟରେ, ଯେଉଁ ସାମର୍ଥ୍ୟ ହାସଲ ସକାଶେ ଆଗ୍ରହ ପ୍ରକାଶ କରିଛନ୍ତି, ତାହା ପ୍ରକାରାନ୍ତରେ ଭାରତକୁ ନିର୍ମାଣ କ୍ଷେତ୍ରରେ ଦୃଢ଼ ପେଶୀବନ୍ତ କରିବ ଏବଂ ତାହା ହିଁ ହେବ ଚୀନ ସହିତ ପ୍ରକୃତ ମୁକାବିଲାର ରୂପରେଖ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)