Editorial: ଜନ-ଅବିଶ୍ବାସ

Jun 24, 2026 - 06:28
Editorial: ଜନ-ଅବିଶ୍ବାସ

"ଜୀବନ ମରଣ ସହିତ ସଂପୃକ୍ତ ଔଷଧ ଉତ୍ପାଦନକୁ ଯେ କୌଣସି ଏକ ଶିଳ୍ପ ରୂପେ ବିଚାର କରାଯାଇ ପାରିବ ନାହିଁ କିମ୍ବା ଜନବିଶ୍ବାସ ଆଇନ ଅନୁସାରେ ‌କୋମଳ ଆଭିମୁଖ୍ୟ ପ୍ରଦର୍ଶନ କରାଯାଇ ପାରିବ ନାହିଁ।

ସେପରି ହେଲେ ଜନବିଶ୍ବାସ ପରିଣତ ହେବ ଜନ-ଅବିଶ୍ବାସରେ।Advertisment ବିଗତ କେତେ ବର୍ଷ ଧରି ଭାରତରେ ପ୍ରସ୍ତୁତ ଓ ବହୁଳ ବ୍ୟବହୃତ କଫ୍ ସିରପ୍‌ମାନଙ୍କୁ କେନ୍ଦ୍ର କରି ଦେଶ ଭିତରେ ଓ ବିଦେଶରେ ଯେଉଁ କେଳେଙ୍କାରୀମାନ ନିୟମିତ ଭାବରେ ଆବିର୍ଭୂତ ହେବା ଦେଖାଯାଇଛି, ତାହାର ଏକ ସମାଧାନର ସୂତ୍ର ସ୍ବରୂପ କେନ୍ଦ୍ର ସରକାର ଏବେ ଆମ ଦେଶରେ ବିନା ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନରେ କଫ୍ ସିରପ୍ ବିକ୍ରୟକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

୨୦୨୨ରେ ଆଫ୍ରିକାର ଗାମ୍ବିଆରେ ବିଷାକ୍ତ କଫ୍ ସିରପ୍ ସେବନ କରି ପ୍ରାୟ ୭୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ପରେ "ବିଶ୍ବ ସ୍ବାସ୍ଥ୍ୟ ସଂଗଠନ" ("ହୁ") ଦ୍ବାରା କରାଯାଇଥିବା ଅନୁସନ୍ଧାନ ଭାରତର "ମଡର୍ନ ଫାର୍ମାସିଉଟିକାଲ୍‌ସ" ଦ୍ବାରା ପ୍ରସ୍ତୁତ ଚାରିଟି କଫ୍ ସିରପ୍‌କୁ ଏଥିପାଇଁ ଦାୟୀ କରିଥିଲା।

ଗବେଷଣାଗାରରେ କରାଯାଇଥିବା ପରୀକ୍ଷାରୁ ଏଇ ବିଷାକ୍ତ କଫ୍ ସିରପ୍‌ଗୁଡ଼ିକରେ "ଡାଇଏଥିଲିନ୍ ଗ୍ଲାଇକଲ୍" ("ଡିଇଜି") ଓ "ଏଥିଲିନ୍ ଗ୍ଲାଇକଲ୍" ("ଇଜି") ବିପଜ୍ଜନକ ମାତ୍ରାରେ ଉପସ୍ଥିତ ଥିବା ଆବିଷ୍କୃତ ହୋଇଥିଲା।ଏହା ପରେ ପରେ ୨୦୨୨-୨୩ରେ ଅନୁରୂପ କାରଣରୁ ଭାରତରୁ ଆମଦାନି ହୋଇଥିବା କଫ୍ ସିରପ୍ ସେବନ କରି ଏସିଆର ଉଜ୍‌ବେକିସ୍ତାନରେ ୬୮ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

ଏଥର ଅପରାଧୀ ଥିଲେ ଭାରତର ଅନ୍ୟ ଏକ ଔଷଧ ନିର୍ମାତା କଂପାନି- "ମାରିଅନ୍ ବାୟୋଟେକ୍"।

ଏହା ପରେ ୨୦୨୫ରେ ଭାରତର ମଧ୍ୟପ୍ରଦେଶରେ ସେଇଭଳି ବିଷାକ୍ତ କଫ୍ ସିରପ୍ ସେବନ କରି ୨୦ ଜଣରୁ ଅଧିକ ଶିଶୁଙ୍କର ଅକାଳ ମୃତ୍ୟୁ ଘଟିଲା।

ଏଇ ଘାତକ ସିରପ୍‌ର ନିର୍ମାତା ଥିଲା ଆଉ ଏକ କଂପାନି- "ଶ୍ରେସନ୍ ଫାର୍ମାସିଉଟିକାଲ୍‌ସ"।

ପ୍ରତ୍ୟେକ ଘଟଣାରେ ସଂପୃକ୍ତ କଫ୍‌ ସିରପ୍‌ରେ ମାତ୍ରାଧିକ ପରିମାଣରେ "ଡିଇଜି" ଓ "ଇଜି"ର ଉପସ୍ଥିତି ଯୋଗୁଁ ସେବନକାରୀ ଶିଶୁଙ୍କର କିଡ୍‌ନି ଓ ଲିଭର୍ କ୍ଷତିଗ୍ରସ୍ତ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

Sakhi: ୧୦ ମହିଳା ଉଦ୍ୟୋଗୀଙ୍କୁ ୫ ଲକ୍ଷ ଲେଖାଏଁ ଅନୁଦାନ ମିଳିବ ସମସ୍ୟାର ଗୁରୁତ୍ବ ଉପଲବ୍‌ଧି କରି ଚଳିତ ବର୍ଷ ଫେବ୍ରୁଆରିରେ ସୁପ୍ରିମ୍ କୋର୍ଟ ଏଥିପାଇଁ ଭାରତର ସଂପୃକ୍ତ ଫାର୍ମା କଂପାନିମାନଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ।

ଲାଭ ପଛରେ ଧାଇଁ ସେମାନେ ଦେଶର ଭାବମୂର୍ତ୍ତିରେ କଳଙ୍କ ଲଗାଉଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଘୋର ନିନ୍ଦା କରିଥିଲେ।

ଏହା ପରେ ପ୍ରତିକ୍ରିୟା ସ୍ବରୂପ କେନ୍ଦ୍ର ସରକାର ଏବେ ଉପରୋକ୍ତ ନିଷେଧାଦେଶ ଜାରି କରିଛନ୍ତି।

ଏହାର ଉଦ୍ଦେଶ୍ୟ- କେବଳ ନିୟନ୍ତ୍ରିତ ଲାଇସେନ୍‌ସପ୍ରାପ୍ତ ଔଷଧ ବିକ୍ରେତାମାନଙ୍କ ମାଧ୍ୟମ ଦେଇ କଫ୍ ସିରପ୍‌ର ବିକ୍ରୟ ନିଶ୍ଚିତ କରିବା।

ଏହାଦ୍ବାରା କେବଳ ନିୟନ୍ତ୍ରିତ ମାର୍ଗ ଦେଇ କଫ୍ ସିରପ୍ ସବୁର ଚଳନ ଘଟିବ, ଉପଭୋକ୍ତାମାନେ ମନଇଚ୍ଛା ଏହାକୁ ବ୍ୟବହାର କରିପାରିବେ ନାହିଁ, ଏବଂ ଯେତେବେଳେ ଏହାର ସେବନ ଯୋଗୁଁ କୌଣସି ଅଘଟଣ ଘଟିବ, ସେତେବେଳେ ଦୋଷୀକୁ ତୁରନ୍ତ ଚିହ୍ନଟ କରାଯାଇ ପାରିବ।କିନ୍ତୁ ଆମ ଦେଶରେ ଔଷଧପତ୍ରର ଖୁଚୁରା ବିକ୍ରୟ ବ୍ୟବସ୍ଥାର ବାସ୍ତବତା ଓ ପ୍ରେସ୍‌କ୍ରିପ୍‌ସନ ଲେଖିବାରେ ଅନୁସୃତ ‌ହୁଗୁଳା ପରମ୍ପରା ପୃଷ୍ଠଭୂମିରେ ସରକାରଙ୍କର ଏହି ଉଦ୍ୟମ କେତେଦୂର ଫଳପ୍ରଦ ହେବ, ତାହା ସନ୍ଦେହଜନକ।

ଉଦାହରଣ ସ୍ବରୂପ ଔଷଧପତ୍ରର ମାନ ନିୟନ୍ତ୍ରଣ ଦାୟିତ୍ବ ନିର୍ବାହ କରୁଥିବା "ସେଣ୍ଟ୍ରାଲ୍ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍" ଉପରୋକ୍ତ କେଳେଙ୍କାରୀମାନ ଘଟିବା ପରେ ଦେଶରେ ସକ୍ରିୟ ଥିବା ପ୍ରାୟ ୧୩୦୦ ସରିକି କଫ୍‌ ସିରପ୍ ଉତ୍ପାଦନକାରୀମାନଙ୍କର ଉତ୍ପାଦନକୁ ଯାଞ୍ଚ କରିବାରେ ବିଶେଷ ତତ୍ପରତା ପ୍ରଦର୍ଶନ କରିନାହିଁ।

ଯାଞ୍ଚ ସମୟରେ ଧରାପଡ଼ିଥିବା ନିମ୍ନମାନର ଔଷଧ ନିର୍ମାତାମାନଙ୍କ ସମ୍ବନ୍ଧରେ ସୂଚନା ମଧ୍ୟ ଏହି ନିୟନ୍ତ୍ରକ ସଂସ୍ଥା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିନାହିଁ।

ଏଥିପାଇଁ କେଉଁ କେଉଁ ଔଷଧ ନିର୍ମାତାମାନଙ୍କୁ ଚେତାବନୀ ଦିଆଯାଇଛି, ସେ ସମ୍ବନ୍ଧରେ ମଧ୍ୟ କୌଣସି ସୂଚନା ପ୍ରକାଶ ପାଇନାହିଁ।

କେବଳ ଔଷଧର ବିତରଣକୁ ନିୟନ୍ତ୍ରିତ କରିବା ଦ୍ବାରା ଉତ୍ପାଦନର ମାନ ନିୟନ୍ତ୍ରଣରେ ପରିଦୃଷ୍ଟ ଏଭଳି ହୁଗୁଳା ଅବସ୍ଥାରେ ଉନ୍ନତି ସାଧନ କରାଯାଇ ପାରିବ ନାହିଁ।ଆଇନରେ ଥିବା ଦୁର୍ବଳତା ହେଉଛି ଆମ ଦେଶରେ ଔଷଧପତ୍ରର ମାନରେ ରହିଥିବା ଦୁର୍ବଳତାର ଏକ ମୁଖ୍ୟ କାରଣ।

ଉପରୋକ୍ତ ନିୟନ୍ତ୍ରକ ସଂସ୍ଥାକୁ ଦେଶରେ ଔଷଧ ନିର୍ମାଣ ପ୍ରକ୍ରିୟା ଓ ଗୁଣାତ୍ମକ ମାନ ନିୟନ୍ତ୍ରଣ କରିବାକୁ କ୍ଷମତା ପ୍ରଦାନ କରାଯାଇଥିଲେ ହେଁ, ଯଦି କୌଣସି ଏକ ରାଜ୍ୟରେ କୌଣସି ଏକ ନିର୍ଦ୍ଦିଷ୍ଟ ନିର୍ମାତାଙ୍କର ଔଷଧରେ କୌଣସି ଗୁଣାତ୍ମକ ସମସ୍ୟା ରହିଥିବା ଆବିଷ୍କୃତ ହୁଏ, ଦେଶର ସବୁଗୁଡ଼ିକ ରାଜ୍ୟରେ ତାହାର ପ୍ରସାର ଉପରେ ଅଙ୍କୁଶ ଲାଗୁ ହେବା ପାଇଁ କୌଣସି ବ୍ୟବସ୍ଥା ଉପଲବ୍‌ଧ ନାହିଁ।

ଉଦାହରଣ ସ୍ବରୂପ ଯଦି ଓଡ଼ିଶାର ଡ୍ରଗ୍‌ସ କଣ୍ଟ୍ରୋଲ୍ କର୍ତ୍ତୃପକ୍ଷ ହିମାଚଳପ୍ରଦେଶରେ ଉତ୍ପାଦିତ ହୋଇଥିବା କୌଣସି ଏକ ଔଷଧର ଗୁଣାତ୍ମକ ମାନ ନିମ୍ନ ଶ୍ରେଣୀର କିମ୍ବା ବିପଜ୍ଜନକ ହୋଇଥିବା ଆବିଷ୍କାର କରନ୍ତି, ସେମାନେ କେବଳ ହିମାଚଳପ୍ରଦେଶର ଡ୍ରଗ୍‌ସ କଣ୍ଟ୍ରୋଲ୍ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଜଣାଇ ଦେଇପାରିବେ; ଓଡ଼ିଶା କର୍ତ୍ତୃପକ୍ଷ ସିଧାସଳଖ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ।

ଏଇ ପଥଭ୍ରଷ୍ଟ ଔଷଧ ନିର୍ମାତାଙ୍କ ସଂପର୍କରେ ଦେଶର ସମସ୍ତ ରାଜ୍ୟମାନଙ୍କୁ ଅବଗତ କରାଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।ଏଥିରେ ସନ୍ଦେହ ନାହିଁ ଯେ ଏ କ୍ଷେତ୍ରରେ ଅନୁସୃତ "ଡ୍ରଗ୍‌ସ ଆଣ୍ଡ୍ କସ୍‌ମେଟିକ୍‌ସ ଆକ୍ଟ, ୧୯୪୦" ବର୍ତ୍ତମାନର ପରିବର୍ତ୍ତିତ ସମୟ ସହିତ ତାଳଦେଇ କାର୍ଯ୍ୟ କରିବାରେ ଅସମର୍ଥ ହୋଇପଡ଼ିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ଇତିମଧ୍ୟରେ ଦେଶର ଜନସଂଖ୍ୟାରେ ଘଟିଥିବା ବିସ୍ଫୋରକ ବୃଦ୍ଧି ଓ ଅସୁମାରି ନୂତନ ଔଷଧପତ୍ରର ଆବିର୍ଭାବ ସହିତ ଖାପ ଖାଇବା ପାଇଁ ସେଇ ପୁରୁଣାକାଳର ଆଇନର ଆଧୁନିକୀକରଣ ଜରୁରି ହୋଇପଡ଼ିଲାଣି।

Horoscope 2026 June 24: ଜାଣନ୍ତୁ ଆଜିର ରାଶିଫଳ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପ୍ରଣୀତ ହୋଇଥିବା ଜନବିଶ୍ବାସ ଆକ୍ଟ, ୨୦୨୩ ଦ୍ବାରା ୪୨ଟି କେନ୍ଦ୍ରୀୟ ଆଇନରେ ଥିବା ୧୮୩ଟି ଗୌଣ ଓ ପ୍ରକ୍ରିୟାଗତ ଅପରାଧର ଅଣ-ଅପରାଧକରଣ କରାଯାଇଛି।

ଦେଶରେ ଶିଳ୍ପ ବ୍ୟବସାୟକୁ ସୁଗମ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ସରକାର ଏଇ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହାଦ୍ବାରା ଗୁରୁତର ବିବେଚିତ ହେଉ ନ ଥିବା ସେମାନଙ୍କର ତ୍ରୁଟିବିଚ୍ୟୁତି ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ଆଉ ପୂର୍ବଭଳି ଅାପରାଧିକ ମାମଲାରେ ଛନ୍ଦି ହେବାକୁ ପଡୁ ନାହିଁ କିମ୍ବା ଦଣ୍ଡ ଭୋଗ କରିବାକୁ ପଡୁ ନାହିଁ।

କିନ୍ତୁ ଔଷଧପତ୍ର ଉତ୍ପାଦନକାରୀମାନେ ଏହାର ସୁଯୋଗ ନେଇ ଯଦି ସେମାନଙ୍କର ଉତ୍ପାଦନର ମାନ ନିୟନ୍ତ୍ରଣରେ ଅବହେଳା କରନ୍ତି କିମ୍ବା ଜାଣିଶୁଣି ଲାଭ ଅନ୍ବେଷଣରେ ନିମ୍ନମାନର ଔଷଧ ଉତ୍ପାଦନ କରନ୍ତି, ତାହାର ପରିଣାମ ବିପଜ୍ଜନକ ହେବା ଅନିବାର୍ଯ୍ୟ।

ଜୀବନ ମରଣ ସହିତ ସଂପୃକ୍ତ ଔଷଧ ଉତ୍ପାଦନକୁ ଯେ କୌଣସି ଏକ ଶିଳ୍ପ ରୂପେ ବିଚାର କରାଯାଇ ପାରିବ ନାହିଁ କିମ୍ବା ଜନବିଶ୍ବାସ ଆଇନ ଅନୁସାରେ ‌କୋମଳ ଆଭିମୁଖ୍ୟ ପ୍ରଦର୍ଶନ କରାଯାଇ ପାରିବ ନାହିଁ।

ସେପରି ହେଲେ ଜନବିଶ୍ବାସ ପରିଣତ ହେବ ଜନ-ଅବିଶ୍ବାସରେ।ସରକାର ତେଣୁ ମାନ ନିୟନ୍ତ୍ରଣକୁ କଡ଼ାକଡ଼ି ନ କରି କେବଳ କଫ୍ ସିରପ୍ ବିକ୍ରୟ ପାଇଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନକୁ ବାଧ୍ୟତାମୂଳକ କରିଦେଲେ ଆପେ ଆପେ ସେଇ ଔଷଧର ଗୁଣାତ୍ମକ ମାନରେ ଉନ୍ନତି ଘଟିବ ନାହିଁ।

ଏଥିପାଇଁ ମାନ ନିୟନ୍ତ୍ରଣ ଆଇନକୁ ଯୁଗୋପଯୋଗୀ ଓ କଠୋର କରାଯିବା ଜରୁରି।"