Editorial: ଅସ୍ତ୍ର ତ୍ୟାଗ?

Nov 18, 2026 - 03:09
Editorial: ଅସ୍ତ୍ର ତ୍ୟାଗ?

ବର୍ତ୍ତମାନ ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ଯୋଗାଣ ପାର୍ଶ୍ବ ବିଭ୍ରାଟ ଯୋଗୁଁ ସୃଷ୍ଟି ହୋଇଥିବାରୁ ସେ ସବୁ ଦେଶମାନେ ଆଉ 'ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ନୀତିକୁ କଠୋର ଭାବରେ ଅନୁସରଣ ନ କରି 'ସର୍ଜନାତ୍ମକ ଭାବରେ' ସେଥିପ୍ରତି ଏକ ନମନୀୟ ଆଭିମୁଖ୍ୟ ଗ୍ରହଣ କରିବାର ଦୃଢ଼ ସମ୍ଭାବନା ଉପସ୍ଥିତ ବୋଲି 'ସିଇଏ' ନାଗେଶ୍ବରନ କହିଛନ୍ତି।

ସ୍ବାଭାବିକ ଭାବରେ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଭାରତ ମଧ୍ୟ ଏଭଳି ଏକ ନମନୀୟ ନୀତି ଅବଲମ୍ବନ କରିବା ଉଚିତ ବୋଲି 'ସିଇଏ' ବିଚାର କରୁଛନ୍ତି।

Advertisment ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅକ୍‌ଟୋବରରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଅନୁସରଣ କରୁଥିବା ଉପ‌ର ସହନ ସୀମା ୬ ଶତାଂଶ ଅତିକ୍ରମ କରିଛି ବୋଲି ଜଣାପଡ଼ିଛି।

ପୂର୍ବ ମାସ ସେପ୍‌ଟେମ୍ବରରେ ଏଇ ମୁଦ୍ରାସ୍ଫୀତିର ସୂଚକ 'କନ୍‌ସ୍ୟୁମର ପ୍ରାଇସ ଇଣ୍ଡେକ୍‌ସ' ('ସିପିଆଇ') ୫.୫୪ ଶତାଂଶରେ ପହଞ୍ଚି ଅବି‌ଳମ୍ବେ ଏଇ ଲକ୍ଷ୍ମଣରେଖା ଅତିକ୍ରମ କରିବାର ଯେଉଁ ଆଶଙ୍କା ସୃଷ୍ଟି କରିଥିଲା, ଅକ୍‌ଟୋବରରେ ତାହା ୬.୦୯ ଶତାଂଶ ହୋଇ ସେଇ ଅାଶଙ୍କାକୁ ସତ୍ୟରେ ପରିଣତ କରିଛି।

ଏଇ ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ଏହାଠାରୁ ମଧ୍ୟ ବେଶ୍ ଅଧିକ ହୋଇ ୮.୯୪ ଶତାଂଶ ହୋଇଥିବା ପ୍ରକାଶ ପାଇଛି।

ତେବେ ଏଇ ଦରବୃଦ୍ଧି କେବଳ ଖାଦ୍ୟଦ୍ରବ୍ୟରେ ସୀମିତ ନ ରହି 'ସିପିଆଇ' ସହ ସଂପୃକ୍ତ ୧୨ଟି ମୁଖ୍ୟ ଦ୍ରବ୍ୟ ବିଭାଗମାନଙ୍କ ମଧ୍ୟରୁ ୧୧ ଶ୍ରେଣୀରେ ଅଳ୍ପବହୁ‌ତ ପରିଲକ୍ଷିତ ହୋଇଥିଲା।

ପ୍ରକାଶିତ ପରିସଂଖ୍ୟାନ ତେଣୁ ମୁଦ୍ରାସ୍ଫୀତି କେବଳ ଖାଦ୍ୟଦ୍ରବ୍ୟ ମଧ୍ୟରେ ସୀମିତ ନୁହେଁ, ଏହା ମଧ୍ୟ ବିଭିନ୍ନ ମାତ୍ରାରେ ଅନ୍ୟାନ୍ୟ ଦ୍ରବ୍ୟ ଓ ସେବାମାନଙ୍କୁ ସ୍ପର୍ଶ କରିଛି ବୋଲି ଦର୍ଶାଇଥାଏ।

ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏଇ ସଦ୍ୟତମ ପରିସଂଖ୍ୟାନ ଉପଲବ୍‌ଧ ହେବା ପୂର୍ବରୁ ମୁଦ୍ରାସ୍ଫୀତି ସମ୍ଭାବନାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କର 'ମନିଟାରି ପଲିସି କମିଟି' ('ଏମ୍‌ପିସି') ତା'ର ଅକ୍‌ଟୋବରରେ ଅନୁଷ୍ଠିତ ଦ୍ବିମାସିକ ବୈଠକରେ ତାହାକୁ ନିୟନ୍ତ୍ରଣ କରିବାକୁ ନିର୍ଣ୍ଣାୟକ ସୁଧ ହାର 'ରେପୋ ରେଟ୍'ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘଟାଇ ତାହାକୁ ୫.୫ ଶତାଂଶ କରିଦେଇଥିଲା।

ସୁଧ ହାର ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରତିକୂଳ ସାବ୍ୟସ୍ତ ହୋଇଥିଲେ ହେଁ, ମୁଦ୍ରାସ୍ଫୀତି ଭଳି ଏକ ମନ୍ଦ ଶକ୍ତିକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ଏକ ପଦକ୍ଷେପ ନେବା ଉଚିତ ହେବ ବୋଲି ବିଚାର କରିଥିଲା।

ବର୍ତ୍ତମାନ ଖାଉଟି ମୁଦ୍ରାସ୍ଫୀତିର ଏଭଳି ଊର୍ଦ୍ଧ୍ବଗତି ଦେଖାଯିବା ପରେ, ଏକ ପ୍ରଶ୍ନ ଉଙ୍କି ମାରିବାକୁ ଆରମ୍ଭ କଲାଣି ଯେ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା ତା'ର ପରବର୍ତ୍ତୀ ବୈଠକରେ 'ଏମ୍‌ପିସି' କ'ଣ ପୁନରାୟ 'ରେପୋ‌ ରେଟ୍'ରେ ବୃଦ୍ଧି ଘଟାଇବ କି?

ଏଇ ସମୟରେ କେନ୍ଦ୍ର ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରମର୍ଶଦାତା ('ଚିଫ୍ ଇକୋନମିକ୍ ଆଡ୍‌ଭାଇଜର'- 'ସିଇଏ') ଭି ଅନନ୍ତ ନାଗେଶ୍ବରନ ଏ ସଂପର୍କରେ ଏପରି ଏକ ମନ୍ତବ୍ୟ ପ୍ରଦାନ କରିଛନ୍ତି, ଯାହା 'ଏମ୍‌ପିସି' ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଏକ ଜଟିଳ ଆହ୍ବାନ ଛିଡ଼ା କରିଛି କହିଲେ ଭୁଲ୍ ହେବ ନାହିଁ।

ଚୁମ୍ବକରେ କହିଲେ, ଅନନ୍ତ ନାଗେଶ୍ବରନ ବର୍ତ୍ତମାନ ପରିସ୍ଥିତିରେ ସୁଧ ହାର ବୃଦ୍ଧିକୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣର ଏକ ପାରମ୍ପରିକ ଆୟୁଧ ରୂପେ ବ୍ୟବହାର କରିବାର ଫଳପ୍ରଦତା ତଥା ବିଜ୍ଞତା ଉପରେ ଏକ ପ୍ରଶ୍ନଚିହ୍ନ ଲଗାଇଛନ୍ତି।

ସେ ୧୩ ନଭେମ୍ବରରେ 'ଆନୁଆଲ ଫୁଡ୍ ସିଷ୍ଟମ୍‌ସ ଡାଏଲଗ' ମଞ୍ଚରେ ନିଜର ଅଭିଭାଷଣ ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଯେତେବେଳେ ଯୋଗାଣ ପାର୍ଶ୍ବରେ ବିଭ୍ରାଟ ଯୋଗୁଁ ଆଜିର ମୁଦ୍ରାସ୍ଫୀତି ଭଳି ମୁଦ୍ରାସ୍ଫୀତି ସୃଷ୍ଟି ହୋଇଥାଏ, ସେତେବେଳେ ସୁଧ ହାରରେ ବୃଦ୍ଧି ଭଳି ଚାହିଦା ନିୟନ୍ତ୍ରଣକାରୀ ଅସ୍ତ୍ରର ପ୍ରୟୋଗ ତାହାକୁ ନିୟନ୍ତ୍ରଣ କରିବାରେ ସଫଳ ହେବାର ସମ୍ଭାବନା କ୍ଷୀଣ।

ନିଜର ଏଇ ସନ୍ଦେହକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ନାଗେଶ୍ବରନ କହିଛନ୍ତି, ସୁଧ ହାରରେ ବୃଦ୍ଧି ଦ୍ବାରା ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ବୃଦ୍ଧି ଘଟେ ନାହିଁ କିମ୍ବା ଆନ୍ତର୍ଜାତିକ ଅଶୋଧିତ ତୈଳ ଦରରେ ହ୍ରାସ ଘଟିବ ନାହିଁ।

ଅପରପକ୍ଷେ ଏଥିରୁ ବିପରୀତ ଫଳ ଉତ୍ପନ୍ନ ହୋଇପାରେ, କାରଣ ଏହାଦ୍ବାରା ପୁଞ୍ଜି ନିବେଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥାଏ।

ଏଇ ଯୁକ୍ତିକୁ ଆଗେଇ ନେଇ ନାଗେଶ୍ବରନ ସନ୍ତର୍ପଣର ସହିତ ପ୍ରଚଳିତ ମୁଦ୍ରାସ୍ଫୀତି-ନିୟନ୍ତ୍ରଣ ନୀତିରେ ଏପରି ଏକ ପରିବର୍ତ୍ତନ ଘଟାଇବା ପାଇଁ ଇସାରା ଦେଇଛନ୍ତି, ଯାହା ଅର୍ଥନୀତିଜ୍ଞ ମହଲରେ ଏକ ଅସ୍ବସ୍ତିକର ଅସ୍ଥିରତା ସୃଷ୍ଟି କରିବା ଆରମ୍ଭ କରିଛି।

ଏହି ନୀତିର ନାମ ହେଉଛି: 'ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ଅର୍ଥାତ୍ ମୁଦ୍ରାସ୍ଫୀତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ଆବଦ୍ଧ କରିବାକୁ ଲକ୍ଷ୍ୟ ରୂପେ ଗ୍ରହଣ କରି ଅର୍ଥନୈତିକ ନୀତି ନିର୍ଦ୍ଧାରଣ କରିବା।

ପୃଥିବୀରେ ଏଇ 'ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ନୀତି ଅବଲମ୍ବନର ଇତିହାସ ଦୀର୍ଘ ନୁହେଁ।

ନିଉଜିଲାଣ୍ଡ ହେଉଛି ସର୍ବପ୍ରଥମ ଦେଶ ଯିଏ ୧୯୯୦ରେ ଏଇ ନୀତି ଅନୁସରଣ ଆରମ୍ଭ କରିଥିଲା।

ପରେ ପରେ ୧୯୯୧ରେ କାନାଡା, ୧୯୯୨ରେ ବ୍ରିଟେନ, ୧୯୯୩ରେ ସ୍ବିଡେନ ଏହି ନୀତି ଅବଲମ୍ବନ କରିଥିଲେ।

ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଅନେକ ଦେଶରେ ମଧ୍ୟ ଏହା ଅନୁସୃତ ହେବା ଦେଖାଯାଇଛି।

ଏହି ନୀତି ପଛରେ ନିହିତ ଯୁକ୍ତି ସରଳ ତଥା ଅକାଟ୍ୟ ମନେ ହୋଇଥାଏ: ଯଦି ପରିବାରମାନେ, ବ୍ୟବସାୟମାନେ, ଶ୍ରମଜୀବୀମାନେ ଏବଂ ପୁଞ୍ଜି ନିବେଶକମାନେ ବିଶ୍ବାସ କରନ୍ତି ଯେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଛଞ୍ଚାଣ ଭଳି ମୁଦ୍ରାସ୍ଫୀତି ଉପରେ ନଜର ରଖିଛି, ତେବେ ସେମାନଙ୍କର ମୁଦ୍ରାସ୍ଫୀତି ଘଟିବା ସମ୍ବନ୍ଧରେ ଆଶଙ୍କା ('ଇନ୍‌ଫ୍ଲେସନ ଏକ୍‌ସପେକ୍ଟେସନ') ଦୂରୀଭୂତ ହେବ ଏବଂ ତେଣୁ ତାହା ପାରିଶ୍ରମିକ ହାର, ଠିକା ସର୍ତ୍ତ, ନିବେଶ ନିଷ୍ପତ୍ତି ଆଦିକୁ ପ୍ରଭାବିତ କରିବ ନାହିଁ।

'ରିଜର୍ଭ ବ୍ୟାଙ୍କ ଆକ୍ଟ'ରେ ଆବଶ୍ୟକ ସଂଶୋଧନ ଘଟାଯାଇ ୨୦୧୬‌ଠାରୁ ଭାରତରେ ଏକ 'ଫ୍ଲେକ୍‌ସିବ୍‌ଲ ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ନୀତିକୁ ଆଇନଗତ ସ୍ବୀକୃତି ପ୍ରଦାନ କରାଯାଇଛି, ଯାହା ଅନୁସାରେ ଖାଉଟି ମୁଦ୍ରାସ୍ଫୀତିକୁ ୨-୬ ଶତାଂଶ ସୀମା ମଧ୍ୟରେ ଆୟତ୍ତ କରି ରଖିବାକୁ ରିଜର୍ଭ ବ୍ୟାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି।

୨୦୨୧ ଓ ୨୦୨୬ରେ ନବୀକରଣ ପରେ ଏହାର କାର୍ଯ୍ୟକାରିତାକୁ ବର୍ତ୍ତମାନ ୨୦୩୧ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି।

ଏହାର ଅନୁସରଣ ଭାରତ ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ବେଶ୍ ଫଳପ୍ରଦ ହେବା ଦେଖାଯାଇଛି।

ଏହାର ପ୍ରମାଣ ସ୍ବରୂପ ଏଇ 'ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ନୀତି ଅବଲମ୍ବନର ପରବର୍ତ୍ତୀ ଦଶନ୍ଧି (୨୦୦୬-୧୬)ରେ ଦେଶରେ ହାରାହାରି ଖାଉଟି ମୁଦ୍ରାସ୍ଫୀତି ହାର ୮.୧ ଶତାଂଶ ହେବା ଦେଖାଯାଇଥିବା ବେଳେ ଏହାର ପରବର୍ତ୍ତୀ ଦଶନ୍ଧି (୨୦୧୬-୨୬)ରେ ତାହା ୪.୬କୁ ହ୍ରାସ ପାଇବା ଦେଖାଯାଇଛି।

ଏଇ ପୃଷ୍ଠଭୂମିରେ ଅକ୍‌ଟୋବରରେ ଖାଉଟି ମୁଦ୍ରାସ୍ଫୀତି ହାର ୬ ଶତାଂଶ ସୀମାରେଖା ଅତିକ୍ରମ କରିବାକୁ ଏକ ସାମୟିକ ବ୍ୟତିକ୍ରମ ରୂପେ ବିଚାର କରାଯାଇପାରେ।

କିନ୍ତୁ ବର୍ତ୍ତମାନ ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ଯୋଗାଣ ପାର୍ଶ୍ବ ବିଭ୍ରାଟ ଯୋଗୁଁ ସୃଷ୍ଟି ହୋଇଥିବାରୁ ସେ ସବୁ ଦେଶମାନେ ଆଉ 'ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ' ନୀତିକୁ କଠୋର ଭାବରେ ଅନୁସରଣ ନ କରି 'ସର୍ଜନାତ୍ମକ ଭାବରେ' ସେଥିପ୍ରତି ଏକ ନମନୀୟ ଆଭିମୁଖ୍ୟ ଗ୍ରହଣ କରିବାର ଦୃଢ଼ ସମ୍ଭାବନା ଉପସ୍ଥିତ ବୋଲି 'ସିଇଏ' ନାଗେଶ୍ବରନ କହିଛନ୍ତି।

ସ୍ବାଭାବିକ ଭାବରେ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଭାରତ ମଧ୍ୟ ଏଭଳି ଏକ ନମନୀୟ ନୀତି ଅବଲମ୍ବନ କରିବା ଉଚିତ ବୋଲି 'ସିଇଏ' ବିଚାର କରୁଛନ୍ତି।

ତାଙ୍କର ଯୁକ୍ତି ବଳିଷ୍ଠ ହୋଇଥିଲେ ହେଁ ନାଗେଶ୍ବରନ କିନ୍ତୁ ଭଲ ଭାବରେ ଜାଣିଥିବେ, ଏକ ଯୋଗାଣ-ପରିଚାଳିତ ମୁଦ୍ରାସ୍ଫୀତି ଅନତିବିଳମ୍ବେ ଅର୍ଥନୀତିରେ ଉପଲବ୍‌ଧ ବିଭିନ୍ନ ସଂଯୋଗକାରୀ ପଥ ଦେଇ ଚାହିଦା-ପରିଚାଳିତ ମୁଦ୍ରାସ୍ଫୀତିରେ ପରିଣତ ହୋଇଯାଇପାରେ।

ସେତେବେଳେ 'ଇନ୍‌ଫ୍ଲେସନ ଟା‌ର୍ଗେଟିଙ୍ଗ'ର ଅନୁପାଳନ ଦ୍ବାରା ହିଁ ମୁଦ୍ରାସ୍ଫୀତିକୁ କାବୁ କରାଯାଇ ପାରିବ।

ଆଉ 'ରେପୋ ରେଟ୍' ହେଉଛି ଏଇ ଅନୁପାଳନର ମୁଖ୍ୟ ଅସ୍ତ୍ର।

ନାଗେଶ୍ବରନଙ୍କ ମନ୍ତବ୍ୟ ସତ୍ତ୍ବେ ରିଜର୍ଭ ବ୍ୟାଙ୍କ ଏଇ ଅସ୍ତ୍ର ତ୍ୟାଗ କରିବା ସମ୍ଭାବନା ତେଣୁ କ୍ଷୀଣ ବୋଲି ନିରାପଦରେ କୁହାଯାଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)