Editorial: ଅକଳେ ପଡ଼ିଛି ଭାଲୁ

Oct 24, 2026 - 02:40
Editorial: ଅକଳେ ପଡ଼ିଛି ଭାଲୁ

ଆମେରିକାର ପ୍ରସ୍ତାବିତ ତୈଳ ବିଶୋଧନ ପ୍ରକଳ୍ପରେ ରିଲାଏନ୍‌ସର ଅଂଶଗ୍ରହଣ ଉଭୟ ଦେଶ ମଧ୍ୟରେ ଯେଉଁ ସହଯୋଗର ସମ୍ଭାବନା ବହନ କରିଥାଏ, ତାହା କେବଳ ଏଇଥିରେ ସୀମିତ ନ ରହି ପ୍ରକ୍ରିୟାକରଣ, ପୁଞ୍ଜି ନିବେଶ ଓ ଦୀର୍ଘକାଳୀନ ଯୋଗାଣ ପରିଚାଳନାକୁ ସଂପ୍ରସାରିତ ହୋଇଥାଏ।

ଏହା ଉଭୟ ଦେଶ ପାଇଁ ଶକ୍ତି-ନିରାପତ୍ତା ନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଉଭୟ ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ।

ତେବେ ଅକଳରେ ପଡ଼ିଥିବା ଟ୍ରମ୍ପ ଏବେ ଏଭଳି ସହାୟତାର ହାତ ବଢ଼ାଇଥିଲେ ହେଁ, ଏଥିରୁ ମୁକୁଳିବା ପରେ ତାଙ୍କର ଆଚରଣ କିଭଳି ହେବ, ତାହା କହିହେବ ନାହିଁ।

Advertisment ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ଚୀନ‌ର ଦ୍ରୁତବର୍ଦ୍ଧିଷ୍ଣୁ ଅର୍ଥନୈତିକ ଶକ୍ତିକୁ ଖର୍ବ କରିବା ଉଦ୍ଦେଶ୍ୟରେ ତା' ଉପରେ ତାଙ୍କର କୁଖ୍ୟାତ ଟାରିଫ୍ ଆକ୍ରମଣ ଆରମ୍ଭ କରିଦେଲେ, ସେତେବେଳେ ଚୀନ ଯେଉଁ ପ୍ରତି-ଆକ୍ରମଣ କୌଶଳ ପ୍ରୟୋଗ କରି ତାହାକୁ ବିଫଳ କରିଦେଇଥିଲା, ତାହା ପୃଥିବୀର ସମସ୍ତ ଦେଶମାନଙ୍କ ପାଇଁ ଏକ ଶିକ୍ଷା ରୂପେ ଆବିର୍ଭୂତ ହୋଇଛି।

ଆଜିର ଅତ୍ୟା‌ଧୁନିକ ଇଲେକ୍ଟ୍ରୋନିକ୍‌ସରୁ ଡିଜିଟାଲ ପ୍ରବିଧି ପର୍ଯ୍ୟନ୍ତ ଯେଉଁ ଏକ ଅତ୍ୟାବଶ୍ୟକ ଉପାଦାନ ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଥାନ୍ତି, ତାହା ହେଲା- ବିରଳ ଖଣିଜ ପଦାର୍ଥମାନ ବା 'କ୍ରିଟିକାଲ ମିନେରାଲ୍‌ସ'।

ଆଉ ପୃଥିବୀରେ ବିଶୋଧିତ କ୍ରିଟିକାଲ ମିନେରାଲ୍‌ସର ଯୋଗାଣର ୯୦ ଶତାଂଶରୁ ଅଧିକ ଥାଏ ଚୀନ‌ର ନିୟନ୍ତ୍ରଣରେ, କାରଣ ବସ୍ତୁତଃ ଏ ସମସ୍ତ ବିଶୋଧନାଗାର ଚୀନ‌ରେ ହିଁ ଅବସ୍ଥିତ।

ପ୍ରତି-ଆକ୍ରମଣର ଅଂଶସ୍ବରୂପ ଚୀନ ତା'ର ଏଇ ଏକଚାଟିଆ କ୍ଷମତାକୁ ବ୍ୟବହାର କରି ଯେତେବେଳେ ଏଇ ବିଶୋଧିତ ପଦାର୍ଥଗୁଡ଼ିକର ଯୋଗାଣ ଉପରେ କଟକଣା ଲାଗୁ କରିଦେଲା, ଟ୍ରମ୍ପ ବାଧ୍ୟ ହୋଇ ଚୀନ ପ୍ରତି ଲାଗୁ କରିଥିବା ଟାରିଫ୍ କଟକଣା କୋହଳ କରିପକାଇଲେ।

ଏହାକୁ ଉଦାହରଣ ରୂପେ ବ୍ୟବହାର କରି ସର୍ବଦା କୁହାଯିବା ଦେଖାଯାଇଥାଏ, ଯେହେତୁ ଆମେରିକାକୁ ଅକଳରେ ପକାଇବା ପାଇଁ ଭାରତ ପାଖରେ ସେଭଳି କୌଣସି ସାଧନ ଉପରେ ଆଧିପତ୍ୟ ନାହିଁ, ତେଣୁ ଟ୍ରମ୍ପ ଭାରତ ବିରୁଦ୍ଧରେ ଏକ ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉନାହାନ୍ତି।

ଏଇ ପୃଷ୍ଠଭୂମିରେ ସଦ୍ୟ ପରିଦୃଷ୍ଟ ଏକ ଦୃଶ୍ୟ ସେଇ ସମୀକରଣରେ ପରିବର୍ତ୍ତନ ଘଟାଇବାର ସମ୍ଭାବନା ବହନ କରୁଥିବା ଭଳି ମନେ ହୋଇଥାଏ।

ତାହା ହେଲା ବୁଧବାର ଦିନ ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ 'ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ'ର ଗୁଜରାଟର ଜାମନଗରସ୍ଥିତ ତୈଳ ବିଶୋଧନାଗାର ପରିଦର୍ଶନ କରିବାର ଦୃଶ୍ୟ।

ତାଙ୍କର ଏଇ ଗସ୍ତର ଅବ୍ୟବହିତ ପୂର୍ବରୁ ରୁବିଓ ଭାରତର ତୈଳ-ବିଶୋଧନ କ୍ଷମତାକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଘୋଷଣା କରିବା ଦେଖାଯାଇଥିଲା: ''ଭାରତ ହେଉଛି ପୃଥିବୀର ରିଫାଇନିଙ୍ଗ ସୁପର ପାୱାର।'' ଆମେରିକାର ଆସନ୍ନ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ସେଠାରେ ଡିଜେଲ ମୂଲ୍ୟରେ ଘଟିଥିବା ବୃଦ୍ଧି ଟ୍ରମ୍ପଙ୍କୁ ଅକଳରେ ପକାଇଥିବା ବେଳେ ଭାରତ ହିଁ କେବଳ ତାଙ୍କୁ ଏ ସଂକଟରୁ ଉଦ୍ଧାର କରିବାର କ୍ଷମତା ବହନ କରିଥାଏ ବୋଲି ବିଶ୍ବାସ କରି ଟ୍ରମ୍ପ ତାଙ୍କର ପରରାଷ୍ଟ୍ର ସଚିବଙ୍କୁ ଭାରତକୁ ମନାଇବା ପାଇଁ ଏଠାକୁ ଏବେ ପଠାଇଛନ୍ତି।

ସ୍ବାଭାବିକ ଭାବରେ ଏକ ବିଶାଳ ରିଫାଇନିଙ୍ଗ (ବିଶୋଧନ) କ୍ଷମତା ସୃଷ୍ଟି କରିଥିବା ମୁକେଶ ଅମ୍ବାନିଙ୍କ 'ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ' ବର୍ତ୍ତମାନ ତୈଳ ଯୋଗାଣ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ଉଦ୍ୟମର କେନ୍ଦ୍ର ସ୍ଥଳରେ ଆବିର୍ଭୂତ ହୋଇଛି।

ଯଦିବା ଅମ୍ବାନିଙ୍କ ସହିତ ରୁବିଓଙ୍କ ଆଲୋଚନାର ଟିକିନିଖି ବିବରଣୀ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, ତଥାପି ଯାହା ସୁରାକ ମିଳୁଛି ଆମେରିକାର କବ୍‌ଜାରେ ଥିବା ଭେନେଜୁଏଲାର ଅଶୋଧିତ ତୈଳର ବିଶୋଧନ ପାଇଁ ରିଲାଏନ୍‌ସକୁ ପ୍ରବର୍ତ୍ତାଇବା ହେଉଛି ରୁବିଓଙ୍କର ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ଜାମନଗର ବିଶୋଧନାଗାରର ବିଶେଷତ୍ବ ହେଉଛି ଏହା ଯେ, ଏହି ବିଶୋଧନାଗାର ଧାରଣ କରୁଥିବା ଦୈନିକ ପ୍ରାୟ ଦେଢ଼ ନିୟୁତ ବ୍ୟାରେଲ ବିଶୋଧନ କ୍ଷମତା ଏହାକୁ କେବଳ ପୃଥିବୀର ସର୍ବବୃହତ୍ ଏକକ ବିଶୋଧନ କେନ୍ଦ୍ରରେ ପରିଣତ କରିଥାଏ, ତାହା ନୁହେଁ, ଏଠାରେ ଉଚ୍ଚ ସଲ୍‌ଫରଯୁକ୍ତ ଅଶୋଧିତ ତୈଳ ବିଶୋଧନ କରିବା ପାଇଁ ଯେଉଁ କ୍ଷମତା ଉପଲବ୍‌ଧ ଅଛି, ତାହା ପ୍ରାୟ ଅନ୍ୟତ୍ର କେଉଁଠି ଉପଲବ୍‌ଧ ହୋଇ ନ ଥାଏ।

ଏଭଳି ଭାରୀ କିସମର ଅଶୋଧିତ ତୈଳ ବିଶୋଧନ କରିବା ପାଇଁ ବିଗତ ଦଶନ୍ଧିମାନଙ୍କରେ ରିଲାଏନ୍‌ସ ଯେଉଁ ବିପୁଳ ପୁଞ୍ଜି ନିବେଶ କରି ଉପଯୁକ୍ତ କ୍ଷମତା ସୃଷ୍ଟି କରିଛି, ବର୍ତ୍ତମାନ ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଭାରତ ପାଇଁ ତାହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି।

ଭେନେଜୁଏଲାର ଅଶୋଧିତ ତୈଳ ହେଉଛି ଏଇ ଭାରୀ କିସମର- ଉଚ୍ଚ ସଲ୍‌ଫରଯୁକ୍ତ ତୈଳ।

ଯଦି ଭେନେଜୁଏଲାର ତୈଳ ବର୍ତ୍ତମାନ ରିହାତି ଦରରେ ଉପଲବ୍‌ଧ ହୁଏ, ଭାରତ ପାଇଁ ତାହା ବହନ କରୁଥିବା ଅପାର ଅର୍ଥନୈତିକ ତାତ୍ପର୍ଯ୍ୟର ଉଲ୍ଲେଖ ନିଷ୍ପ୍ରୟୋଜନ।

ଆମର ମୋଟ ତୈଳ ଆବଶ୍ୟକତାର ୮୫ ଶତାଂଶରୁ ଅଧିକ ଅଂଶ ପୂରଣ ପାଇଁ ଭାରତ ଆମଦାନି ଉପରେ ନିର୍ଭର କରୁଥିବାରୁ, ତାହାର ବିବିଧୀକରଣ ଆମ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ।

ତୈଳ ଆମଦାନି ପାଇଁ ବିକଳ୍ପ ଉତ୍ସର ଉପସ୍ଥିତି କିପରି ଅପ୍ରତ୍ୟାଶିତ ସଂକଟ ଟାଳିବାରେ ସହାୟକ ହୋଇଥାଏ, ତାହା ବର୍ତ୍ତମାନର ପଶ୍ଚିମ ଏସିଆ ସଂକଟ ସମୟରେ ରୁଷିଆରୁ ତୈଳ ଆମଦାନି ଦ୍ବାରା ପ୍ରମାଣିତ ହୋଇଛି।

ଆମେରିକା ମଧ୍ୟ ରିଲାଏନ୍‌ସ ସହିତ ଏଇ ସହଯୋଗକୁ କେବଳ ବିଶୋଧନରେ ସୀମିତ ରଖିବାକୁ ଚାହୁଁନାହିଁ; ଭେନେଜୁଏଲାରେ ତୈଳ ଅନୁସନ୍ଧାନ ଓ ଉତ୍ପାଦନରେ ମଧ୍ୟ ରିଲାଏନ୍‌ସ ସଂପୃକ୍ତ ହେବା ପାଇଁ ଆମେରିକା ପ୍ରସ୍ତାବ ଦେଇଥିବାର ସୂଚନା ମିଳୁଛି।

ତେବେ ବିଶୋଧନ ଭଳି ଏହା ଏକ ନିରାପଦ କିମ୍ବା ସିଧାସଳଖ ବ୍ୟାପାର ନୁହେଁ।

ଏଥିପାଇଁ ରିଲାଏନ୍‌ସ କଂପାନିକୁ ସେଠାରେ ଦୀର୍ଘକାଳୀନ ଭିତ୍ତିରେ ପୁଞ୍ଜି ନିବେଶ କରିବାକୁ ପଡ଼ିବ; ବ୍ୟାବସାୟିକ ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ସର୍ବୋପରି ରାଜନୈତିକ ଅସ୍ଥିରତାର ବିପଦ ବରଣ କରିବାକୁ ହେବ।

ବର୍ତ୍ତମାନର ଆମେରିକା ସରକାର ଏଥିପାଇଁ ଯେତେ ଆଶ୍ବାସନା ଓ ଉତ୍ସାହର ବାଣୀ ଶୁଣାଇଲେ ମଧ୍ୟ ଭବିଷ୍ୟତର ଚିତ୍ର କିଭଳି ହେବ, ତାହା କହିହେବ ନାହିଁ।

ଏହାକୁ ବିଚାରକୁ ନେଇ ରିଲାଏନ୍‌ସ ନିଶ୍ଚିତ ରୂପେ ଏ କ୍ଷେତ୍ରରେ ସତର୍କତାର ସହିତ ଅଗ୍ରସର ହେବ।

ଏଥିସତ୍ତ୍ବେ ରୁବିଓଙ୍କର ଗସ୍ତ ଯେ ଆମେରିକାର ଶକ୍ତି-ନିରାପତ୍ତା ନିଶ୍ଚିତ କରିବାରେ ଭାରତର ଶିଳ୍ପ-ଶକ୍ତିର ଭୂମିକାକୁ ସ୍ବୀକୃତି ପ୍ରଦାନ କରିଥାଏ, ସେଥିରେ କୌଣସି ସନ୍ଦେହ ନାହିଁ।

ଆମେରିକାର ପ୍ରସ୍ତାବିତ ତୈଳ ବିଶୋଧନ ପ୍ରକଳ୍ପରେ ରିଲାଏନ୍‌ସର ଅଂଶଗ୍ରହଣ ଉଭୟ ଦେଶ ମଧ୍ୟରେ ଯେଉଁ ସହଯୋଗର ସମ୍ଭାବନା ବହନ କରିଥାଏ, ତାହା କେବଳ ଏଇଥିରେ ସୀମିତ ନ ରହି ପ୍ରକ୍ରିୟାକରଣ, ପୁଞ୍ଜି ନିବେଶ ଓ ଦୀର୍ଘକାଳୀନ ଯୋଗାଣ ପରିଚାଳନାକୁ ସଂପ୍ରସାରିତ ହୋଇଥାଏ।

ଏହା ଉଭୟ ଦେଶ ପାଇଁ ଶକ୍ତି-ନିରାପତ୍ତା ନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଉଭୟ ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ।

ତେବେ ଅକଳରେ ପଡ଼ିଥିବା ଟ୍ରମ୍ପ ଏବେ ଏଭଳି ସହାୟତାର ହାତ ବଢ଼ାଇଥିଲେ ହେଁ, ଏଥିରୁ ମୁକୁଳିବା ପରେ ତାଙ୍କର ଆଚରଣ କିଭଳି ହେବ, ତାହା କହିହେବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)